ଆମ ଭାରତୀୟ ପରମ୍ପରାରେ ଆଦ୍ୟକାଳରୁ ମନୁଷ୍ୟ ପ୍ରକୃତିକୁ ପୂଜା କରିବା ସହ ନିଜର ନିତିଦିନିଆ କାର୍ଯ୍ୟ ଓ ଆବଶ୍ୟକତା ପାଇଁ ମଧ୍ୟ ପ୍ରକୃତି ଉପରେ ନିର୍ଭର କରିଆସିଛି। ଏହି କ୍ରମରେ ଉଦ୍ଭିଦକୁ ନିଜର ବିଭିନ୍ନ ଆବଶ୍ୟକତା ମେଣ୍ଟେଇବା ପାଇଁ ଲଗାଇଛି ଏବଂ ଖାଦ୍ୟ ଓ ଔଷଧ ପରି ଜଟିଳ ପ୍ରସ୍ତୁତିରେ ମଧ୍ୟ ମନୁଷ୍ୟ ଉଦ୍ଭିଦର ବହୁଳ ବ୍ୟବହାର କରିଛି। ଆମର ପୁରାତନ ଚିକିତ୍ସା ଶାସ୍ତ୍ର ତଥା ଆୟୁର୍ବେଦରେ ଏମିତି ଅନେକ ବୃକ୍ଷ ବିଷୟରେ ବର୍ଣ୍ଣିତ ରହିଛି । ଏହିପରି କିଛି ଉପାଦେୟ ବୃକ୍ଷର ସୁରକ୍ଷା ପାଇଁ ଆମ ସମାଜରେ ଅନେକ ପ୍ରକାର ବୃକ୍ଷ ପୂଜା ପାଳିତ ହୁଏ। ଆଧ୍ୟାତ୍ମିକତା ସହ ଯୋଡ଼ି କରି ଏହାର ମହତ୍ତ୍ୱ ପ୍ରତିପାଦନ କରାଯାଏ ଯାହା ଫଳରେ ସାଧାରଣ ଲୋକଟିଏ ମଧ୍ୟ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବ। ଏପରି ଏକ ବୃକ୍ଷ ହେଲା ଅଶୋକ ବୃକ୍ଷ। ଆଜି ଏହାର କିଛି ,ସ୍ୱାସ୍ଥ୍ୟପ୍ରଦ ଗୁଣ ବିଷୟରେ ଜାଣିବା।
ଆୟୁର୍ବେଦରେ ଏହି ବୃକ୍ଷର ଅନେକ ଔଷଧୀୟ ଗୁଣ ବର୍ଣ୍ଣିତ। ଏହାର ଛାଲି, ଫୁଲ ଓ ପତ୍ର ଆଦି ସମସ୍ତ ଅଂଶ କିଛି ନା କିଛି ଔଷଧ ତିଆରି ପାଇଁ ବ୍ୟୟବହୃତ ହୁଏ। ଏହାର ପତ୍ରରେ ଟାନିନ୍ ଓ କ୍ୟାଲସିୟମ୍ ରହିବା ସହ ଫୁଲରେ ଦରକାରୀ ତେଲ ରହିଥାଏ। କାର୍ବନର ଜୈବିକ ୟୌଗିକ ବା ଅର୍ଗାନିକ୍ କମ୍ପାଉଣ୍ଡ୍ ଓ ଆଇରନ୍ ବା ଲୌହ ପ୍ରଚୁର ମାତ୍ରାରେ ଏହି ଗଛରେ ଥାଏ। ଏହାର ଛେଲିକୁ ପ୍ରକ୍ରିୟାକରଣ କରି ସୋରିଷ ତେଲରେ ଲଗାଇଲେ ଏହା ମୁଖର ତ୍ୱଚା ସଫା ରଖିବା ସହ ସତେଜ ଅନୁଭବ ଦିଏ।
Also Read
ଏଥିରୁ ପ୍ରସ୍ତୁତ ଔଷଧ ଅନେକ ପ୍ରକାର ସ୍ତ୍ରୀ ରୋଗ ପାଇଁ ଉପାଦେୟୀ ହେବା ବେଳେ ବିଶେଷ କରି ଋତୁସ୍ରାବ ଜନିତ ସମସ୍ୟା ପାଇଁ ଫଳପ୍ରଦ ହୋଇଥାଏ। ଏହା ଗର୍ଭାଶୟର ମାଂସପେଶୀକୁ ଆରାମ ଦେଇଥାଏ ଏବଂ ଏଣ୍ଡେୋମେଟ୍ରିୟମ୍ ସଂକୋଚନ ସରଳ କରେ ଯାହା ଦ୍ୱାରା ନାରୀମାନଙ୍କର ଋତୁସ୍ରାବ ସମୟରେ ହେଉଥିବା ପେଟବ୍ୟଥାରୁ ମୁକ୍ତି ମିଳେ। ଏହାର ପତ୍ର ଆମର ତ୍ୱଚା ପାଇଁ ଉପଯୋଗୀ ହୋଇଥାଏ। ଏହାର ଛେଲି ଓ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗାଲ୍ ଗୁଣ ରହିଥାଏ ଯାହା ଆପଣଙ୍କ ପାକସ୍ଥଳୀ ତଥା ହଜମ ସମ୍ବନ୍ଧୀୟ ସମସ୍ୟା ପାଇଁ ଉପକାରୀ ହେଇଥାଏ।
ଯଦି ଆପଣ ଦୀର୍ଘଦିନ ଧରି ପାଇଲ୍ସର ସମ୍ମୁଖୀନ ହେଉଛନ୍ତି, ତେବେ ଏହାର ଫୁଲରୁ ପ୍ରସ୍ତୁତ ହର୍ବାଲ୍ ସପ୍ଲିମେଣ୍ଟ ଆପଣଙ୍କୁ ଆରାମ ଦେବ। ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହାର ଫୁଲ ଉପାଦେୟ ହୋଇଥାଏ। ଏହାର ପତ୍ର ଓ ଛେଲି କଷ୍ଟ ନିବାରକ ବା ପେନ୍ କିଲର୍ ଭାବେ ମଧ୍ୟ କାମ କରେ। ଆୟୁର୍ବେଦ ଏହାର ବିଶେଷ ବର୍ଣ୍ଣନା କରେ। ଏଣୁ ଔଷଧୀୟ କ୍ଷେତ୍ରରୁ ନେଇ କସମେଟିକ୍ କ୍ଷେତ୍ର ସବୁଠି ଏହାର ଆଦୃତି ରହିଛି।
ଏହାର ପ୍ରାକୃତିକ ଡିଟକ୍ସିଫିକେସନ୍ ଗୁଣ ରହିଛି ଯାହା ଏହାକୁ ନ୍ୟାଚୁରାଲ୍ କ୍ଲିଂଜର୍ ଭାବେ ଚିହ୍ନିତ କରେ। ଏଥିରେ ରକ୍ତ ବିଶୁଦ୍ଧିକରଣ ଗୁଣ ମଧ୍ୟ ରହିଛି ଯାହା ଏହାର ଫୁଲରୁ ମିଳେ। ଏହା ଏକ ଭଲ ଶୀତଳିକରଣ ଖାଦ୍ୟ ହୋଇଥିବାରୁ ଅତ୍ୟଧିକ ଗରମ ତଥା କୌଣସି ଜଳିଥିବା କ୍ଷତ ପାଇଁ ଏହା ଉପକାରୀ ହୋଇଥାଏ। ଏହାର ଫୁଲ ବିଭିନ୍ନ ପ୍ରକାର ମୂତ୍ରାଶୟ ଜନିତ ସମସ୍ୟା ପାଇଁ ମଧ୍ୟ ଉପାଦେୟ ହୋଇଥାଏ।
ଆମ ସଂସ୍କୃତିରେ ଅଶୋକାଷ୍ଟମୀରେ ଅଶୋକା ଗଛର ପୂଜା କରି ଅଶୋକା ଫୁଲ ଠାକୁରଙ୍କ ପୂଜାରେ ଲଗାଇ ପରେ ଏହାର ସେବନ ବିଧି ରହିଛି। ଏହାର ଚିକିତ୍ସାଗତ କାରଣ ହେଉଛି ଏହି ଫୁଲର ଉପାଦେୟତା। ଏହା ଏପରି ଏକ ଗଛ ଯାହାର ପତ୍ର, ଫୁଲ, ଆଦି ସମସ୍ତ ଅଂଶ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ.। ଏସବୁର ରାସାୟନିକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଏଥିରେ ଚାନିନ୍, ଗ୍ଲାଇକୋସାଇଡ୍, କ୍ୟାଟକିନ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଇତ୍ୟାଦି ଅନେକ ପ୍ରକାର ପୋଷକ ତତ୍ୱ ଭରପୂର ରହିଛି।
ମାନବ ସଭ୍ୟତା ଆରମ୍ଭରୁ ଏହି ଆୟୁର୍ବେଦିକ ଜଡ଼ିବୁଟି ତଥା ଗଛର ପତ୍ର ଫୁଲ ଇତ୍ୟାଦି ଆମ ଶରୀରର ପ୍ରତ୍ୟେକ ସମସ୍ୟା ଦୂର କରିବାକୁ ସମର୍ଥ ଥିଲା। ତେବେ ସମୟ କ୍ରମେ ଆମେ ଔଷଧକୁ ଆମ ଖାଦ୍ୟ ଭାବେ ନେବା ଆରମ୍ଭ କରିଦେଇଛେ ଏବଂ ଆମ ପାରମ୍ପାରିକ ଖାଦ୍ୟ ଯାହା ଆମ ପାଇଁ ଅସଲରେ ସ୍ୱାସ୍ଥ୍ୟପଯୋଗୀ ତାହା ଭୁଲିଯାଇଛେ। ତେବେ ଆମକୁ ଆବଶ୍ୟକ ସ୍ଥଳେ ଆମର ପୁରାତନ ଚିକିତ୍ସା ପଦ୍ଧତିକୁ ଫେକରିଯିବାକୁ ପଡ଼ିବ।
ବର୍ତ୍ତମାନ ସରକାରଙ୍କ ସହାୟତାରେ ପ୍ରତିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଅଧୀନରେ ଆୟୁର୍ବେଦ ଓ ହୋମିଓପାଥି ଆଦି ପୁରାତନ ଭାରତୀୟ ଚିକିତ୍ସା ବ୍ୟବସ୍ଥାର ପୁନରୁଦ୍ଧାର କରିବାକୁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ପ୍ରାକୃତିକ ପଦାର୍ଥ ତଥା ଉଦ୍ଭିଦ ଆଦିର ଔଷଧୀୟ ତଥା ଶରୀର ଉପଯୋଗୀ ଗୁଣ ଚିହ୍ନିବା ସହ ଏହାକୁ ଉପଯୋଗୀ କରିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ପରି କାମ ଦେବ।