Advertisment

ଚୁଟି କାଟିବାକୁ ସେଲୁନ୍, ପରିବା କିଣିବାକୁ ବଜାର, ନିବେଶ କରିବାକୁ କୁଆଡ଼େ ଯିବେ ?

ଗୋଟେ ଲୋକ ଚପଲ କିଣିବା ପାଇଁ ଚପଲ ଦୋକାନ, ପ୍ୟାଣ୍ଟ୍ ସାର୍ଟ କିଣିବା ପାଇଁ ଗାର୍ମେଣ୍ଟ୍ ସୋ ରୁମକୁ ଯିବ ହିଁ ଯିବ। ଅତି ଅସୁବିଧା ହେଲେ ରାସ୍ତା କଡର ଫୁଟ୍ ପାଥରୁ ହେଉ ପଛେ ଅଭାବି ଲୋକଟିଏ କିଣିବ। କିନ୍ତୁ ଚପଲ କିଣିବାକୁ ହୋଟେଲ୍ ଭିତରେ ପଶିବନି କି..

author-image
Prangyan Parimita
Financial Planning

Financial Planning

ଜଣେ ଲୋକର ରୋଜଗାର ଥାଉ କି ନ ଥାଉ ତାର ଖର୍ଚ୍ଚ ନିଶ୍ଚୟ ଅଛି । ବିନା ରୋଜଗାରରେ ମଧ୍ୟ ଗୋଟେ ଲୋକ ଦିନକୁ, ମାସକୁ, ବର୍ଷକୁ କିଛି ନା କିଛି ଖର୍ଚ୍ଚ କରେ, ଅଳ୍ପ ହେଉ ପଛେ କିଣାକିଣି କରେ। ଇକୋନୋମିକ୍ସରେ କୁହାଯାଏ, (Even if at zero level of income consumption is positive)। ଆଜି କାଲି ପ୍ରାୟ ସମସ୍ତଙ୍କ ପାଖରେ ଆପଣ ଦେଖିବେ ସ୍ମାର୍ଟଫୋନ୍, ବାଇକ୍, ଇୟରଫୋନ୍ ନିଶ୍ଚୟ ଥିବ। ଏ ସବୁ ଜିନିଷ ଯେମିତି ଅତି ଜରୁରୀ(necessity)ରେ ପରିଣତ ହୋଇଗଲାଣି। ଏ ସବୁ ବିନା ଯେମିତି ଘରୁ ବାହାରିବା ସମ୍ଭବ ନୁହେଁ।

Advertisment

ପୂର୍ବରୁ ଯେମିତି ଲୋକେ ଘରୁ ବାହାରିଲେ ଛତା କି ଝୁଲାମୁଣି ଗୋଟେ ଧରି ବାହାରୁଥିଲେ, ଏବେ ତା ସ୍ଥାନ ଏଇ ସବୁ ଜିନିଷ ନେଲାଣି ଯାହା କି ୧୦ ବର୍ଷ ତଳେ ନ ଥିଲା କହିଲେ ଚଳେ । ଏମିତି ଆହୁରି କେତେ କଣ ଜିନିଷ ଅଛି, ଯାହାକି ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି, ତେଣିକି ଆମର ରୋଜଗାର ଥାଉ କି ନ ଥାଉ ।  କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଜିନିଷ ଗୁଡିକୁ ବ୍ୟବହାର କରିବା ପାଇଁ ବରଂ ଆମକୁ ଅଧିକ ଖର୍ଚ୍ଚ କରିବାକୁ ପଡେ । ଯେମିତି ମୋବାଇଲ ବ୍ୟବହାର କଲେ  ବାଲାନ୍ସ ପକାଇବାକୁ ପଡେ ଓ ଗାଡି ଚଢ଼ିଲେ ପେଟ୍ରୋଲ ଭରିବାକୁ ପଡ଼େ । ଜଣେ ଯୁବକ ରୋଜଗାରକ୍ଷମ ଥାଉ କି ନ ଥାଉ, ଯଦି ଏ ସବୁ ଜିନିଷ ବ୍ୟବହାର କରୁଛି ତେବେ ସେ ବିନା ରୋଜଗାରରେ ମଧ୍ୟ ଖର୍ଚ୍ଚ କରୁଛି ବୋଲି ଧରି ନିଆଯିବ, ଏହା ବୁଝିବାରେ କିଛି ଅସୁବିଧା ନାହିଁ। 

ଗାଁ ମାନଙ୍କରେ ଦେଖିଥିବେ କିଛି କିଛି ଯୁବକ ଥିବେ, ଯେଉଁମାନେ କିଛି କରୁ ନ ଥିଲେ ବି, ସକାଳୁ ସଞ୍ଜ ଯାଏଁ ବୁଲୁଥିବେ, ନ ହେଲେ ମଣ୍ଡପରେ ବସି ତାସ୍ ଖେଳୁଥିବେ, କିନ୍ତୁ ଦିନରାତି ସେମାନେ ପାଟିରେ ପାନ, ଗୁଟଖା ପକାଇ ବୁଲୁଥିବେ। ସେ ବାବଦ ତାଙ୍କର ୭୦ ରୁ ୮୦ ଟଙ୍କା, ଏମିତିକି ତା ଠାରୁ ଅଧିକ ବି ଖର୍ଚ୍ଚ ହେଉଥିବ। ଠିକ୍ ସେହିପରି ଆପଣ ଏ କଥାରେ ମଧ୍ୟ ଅରାଜି ହେବେ ନାହିଁ ଯେ, ଗୋଟେ ଲୋକର ଆୟ ନ ଥାଇ ମଧ୍ୟ ତା ଜୀବନ ଧାରଣ ପାଇଁ ସଦାବେଳେ କିଛି ନା କିଛି କିଣିବାକୁ ବାଧ୍ୟ ହୁଏ।

Advertisment

ଦୈନନ୍ଦିନ ଖାଦ୍ୟପେୟ ପାଇଁ ଭାତ ଡାଲି କଥା ଛାଡି ଦିଅନ୍ତୁ, ସେ ଯେମିତି ହେଲେ କିଛି ନା କିଛି ଖାଇବ। ତା ବାଦ୍ ବି ଯଦି ଦେଖିବେ ଗୋଟେ ଲୋକ ବର୍ଷକୁ ଥରଟିଏ ହେଉ ପଛେ ନିଜ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ହଳେ କିଣୁ ଥିବ। ଚପଲ ହଳେ କିଣୁଥିବ। ଯିଏ ଚଷମା ବ୍ୟବହାର କରେ ତା କାଚ ବଦଳାଉଥିବ, ଗାଡିର ମୋବିଲ୍ ବଦଳାଉଥିବ। ଦୁଇ ତିନି ବର୍ଷରେ ଥରେ ମୋବାଇଲ୍ ବଦଳାଉଥିବ। ଏମିତି କେତେ କଣ।

ଏଠି ଏତେ କଥା କହିବାର ଗୋଟିଏ ସରଳ ଭାବାର୍ଥ ହେଲା, ରୋଜଗାର ଥାଉ କି ନ ଥାଉ ଖର୍ଚ୍ଚ ଅନିର୍ବାର୍ଯ୍ୟ। (Even if at zero level of income consumption is positive)। ଆଧୁନିକ ଅର୍ଥନୀତିର ଜନକ ଜନ୍ ମିନାର୍ଡ କେଇନ୍ସଙ୍କ Fundamental psychological law of consumption ରେ ଏହା କୁହାଯାଇଛି, ଯାହାକି ଯୁକ୍ତିଯୁକ୍ତ ମନେହୁଏ। 

ଗୋଟେ ଲୋକ ଚପଲ କିଣିବା ପାଇଁ ଚପଲ ଦୋକାନ, ପ୍ୟାଣ୍ଟ୍ ସାର୍ଟ କିଣିବା ପାଇଁ ଗାର୍ମେଣ୍ଟ୍ ସୋ ରୁମକୁ ଯିବ ହିଁ ଯିବ। ଅତି ଅସୁବିଧା ହେଲେ ରାସ୍ତା କଡର ଫୁଟ୍ ପାଥରୁ ହେଉ ପଛେ ଅଭାବି ଲୋକଟିଏ କିଣିବ। କିନ୍ତୁ ଚପଲ କିଣିବାକୁ ହୋଟେଲ୍ ଭିତରେ ପଶିବନି କି ପ୍ୟାଣ୍ଟ ସାର୍ଟ କିଣିବା ପାଇଁ କମ୍ପ୍ୟୁଟର ଦୋକାନକୁ ଯିବନି। ଏମିତି ଅଜବ କଥା ଶୁଣି ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇ ପାରେ। କିନ୍ତୁ ବହୁତ ଶିକ୍ଷିତ, ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏହି ଭୁଲ୍ ର ଶିକାର ହେଉଛନ୍ତି। ହୁଏତ ଏ କଥା ଆପଣଙ୍କୁ ଅଜବ ଲାଗୁ ଥାଇ ପାରେ। ଯଦି ଟିଭି କିଣିବା ପାଇଁ ହେଲେ ଆମେ ଗାଡି ଶୋରୁମ୍ କୁ ଯିବା ନାହିଁ କି ମେଡିସିନ୍ କିଣିବା ପାଇଁ ପରିବା ଦୋକାନକୁ ଯିବା ନାହିଁ, ଏଭଳି କଲେ ଆମକୁ ସମସ୍ତେ ପାଗଳ ବୋଲି ନିଶ୍ଚୟ କହିବେ। ତଥାପି ଆମେ ଅଧିକାଂଶ ଲୋକ ଏଭଳି କରୁଛନ୍ତି। 

ଏହାର କାରଣ ହେଲା, ପୂର୍ବରୁ ଯେଉଁ କଥା ମୁଁ କହୁଥିଲି, ଯେ ରୋଜଗାର ନ ଥାଇ ମଧ୍ୟ ଲୋକଟିଏ କିଛି ନା କିଛି କିଣେ। କିନ୍ତୁ ରୋଜଗାର ଥାଇ ମଧ୍ୟ ଅନେକ ଲୋକ ଗୋଟିଏ ଜନିଷ କିଣିବାକୁ ଭୁଲି ଯାଆନ୍ତି। ତାହା ହେଲା ଫାଇନାନସିଆଲ୍ ପ୍ରଡକ୍ଟ। ଆଉ ଯଦି ବି କିଏ ଫାଇନାନସିଆଲ୍ ପ୍ରଡକ୍ଟ କିଣେ ତାହାଲେ ଅଧିକାଂଶ ଭୁଲ୍ ଦୋକାନରୁ କିଣନ୍ତି। ଯେମିତି ଆପଣ ଥରେ ନିଜକୁ ପଚାରନ୍ତୁ, ଆପଣ ଯଦି ନିଜ ପାଇଁ ଗୋଟିଏ ଏଲଆଇସି ପଲିସି କିଣିଛନ୍ତି ତାହାଲେ ସେଇ ଫାଇନାନସିଆଲ୍ ପ୍ରଡକ୍ଟ ଟି କାହା ଠାରୁ କିଣିଛନ୍ତି।

ଅର୍ଥାତ୍ ଯେଉଁ ଏଜେଣ୍ଟଙ୍କଠାରୁ କିଣିଛନ୍ତି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ? ଆପଣ ଯଦି କିଛି ସଞ୍ଚୟ କରିଛନ୍ତି ତାହା କାହା ପରାମର୍ଶରେ କରିଛନ୍ତି ? ଯେମିତି ଆପଣ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତି, ଗାଡି ସଜାଡିବା ପାଇଁ ଗ୍ୟାରେଜ ମେକାନିକ୍ ପାଖକୁ ଯାଆନ୍ତି, ବା ପରିବା କିଣିବାକୁ ଦୈନିକ ହାଟ ବଜାରକୁ ଯାଆନ୍ତି, ଠିକ୍ ସେମିତି ଆପଣଙ୍କ ଫାଇନାନ୍ସିଆଲ୍ ପ୍ରଡକ୍ଟ (ମ୍ୟୁଚୁଆଲ୍ ଫଣ୍ଡ୍ ଇନଭେଷ୍ଟମେଣ୍ଟ୍, ଷ୍ଟକ୍ ମାର୍କେଟରେ ନିବେଶ, ସରକାରୀ ବଣ୍ଡ୍, ଏଲଆଇସି ପଲିସି ଇତ୍ୟାଦି) କିଣିଲା ବେଳେ କାହାଠାରୁ ପରମାର୍ଶ ନିଅନ୍ତି ? 

ଥରେ ଭାବିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଜିକାଲି ସବୁକାମରେ ଲୋକ ପ୍ରଫେସନାଲ୍ ୱେ ଖୋଜୁଛନ୍ତି। ବିବାହ ବେଳେ ୱେଡିଂ ପ୍ଲାନର ଖୋଜୁଛନ୍ତି, ଘର ସଜା ପାଇଁ ଇଣ୍ଟେରିୟର୍ ଡିଜାଇନ୍ କରୁଛନ୍ତି, କିନ୍ତୁ ନିଜ ଆର୍ଥିକ ଦିଗକୁ ସ୍ୱଚ୍ଛଳ କରିବା ପାଇଁ ଖୁବ୍ କମ ଲୋକ ଆର୍ଥିକ ପରାମର୍ଶ ଲୋଡ଼ୁଛନ୍ତି। ଅନେକ ଲୋକ ଏମିତି ବି ଯୁକ୍ତି ବାଢନ୍ତି, ଏଥିପାଇଁ କାହାର ପରମାର୍ଶ କଣ ଦରକାର? ମୋ ଇଛା ମୁଁ ଯେଉଁଠି ପାରିବି ସେଠି ଟଙ୍କା ଥୋଇବି ବା ଯେଉଁଠି ଇଛା ସେଠି ନିବେଶ କରିବି? ନିଜେ ଚାହିଁଲେ ୟୁଟ୍ୟୁବରୁ ଦେଖି ଆପେ ଜାଣିଯିବି। ଏଥିରେ କାହା ପରାମର୍ଶ କଣ ଦରକାର?

କିନ୍ତୁ ଥରେ ଭାବନ୍ତୁ, ଆମ ମୁଣ୍ଡରେ ଚୁଟି ଅଛି, ଆମେ ହାତରେ ନିଜେ କଇଁଚି ପାନିଆ ଧରିଲେ ଯଦି ନିଜେ ବାଳକୁ ସାଇଜ୍ କରି କାଟି ପାରନ୍ତେ ତାହାଲେ କେହି ଆଉ ସେଲୁନକୁ ଯାଆନ୍ତେ ନାହିଁ। ଠିକ୍ ସେମିତି, ସମସ୍ତଙ୍କୁ ଅଳ୍ପ ବହୁତ୍ ରୋଷେଇ ଜଣା ଅଛି, ସମସ୍ତେ ଚା କରି ନିଜେ ପିଇ ପାରନ୍ତି ବା ନିଜ ପାଇଁ ଆମଲେଟ୍ କରି ପାରନ୍ତି, ଏହାର ଅର୍ଥ ନୁହେଁ ଯେ, ଆମେ ସମସ୍ତେ ହଜାରେ ଲୋକଙ୍କ ପାଇଁ ଭୋଜି ରାନ୍ଧି ଦେଇ ପାରିବା। ନିଜେ ଚୁଟି କାଟିଲେ କାଉ ଖଣ୍ଡିଆ ହେବାର ଯେମିତି ଆଶଙ୍କା ରହିଛି, ବାହାଘର ଭୋଜି ଜଣେ ଉତ୍ତମ ରୋଷେୟା ବଦଳରେ ଘର ଲୋକ ରାନ୍ଧିଲେ ସେମିତି ଭୁଲଭାଲ୍ ହେବାର ଆଶଙ୍କା ମଧ୍ୟ ରହିଛି ?

ଠିକ୍ ସେମିତି ନିଜ ଜୀବନର ଆର୍ଥିକ ଦିଗରେ କେଉଁଠି ନିବେଶ କରିବେ, କେତେ ଟଙ୍କା ନିବେଶ କରିବେ, କେଉଁ କେଉଁ ଫାଇନାନ୍ସିଆଲ୍ ପ୍ରଡକ୍ଟ, କେତେ ବର୍ଷ ପାଇଁ କିଣିବେ, କେଉଁଥିରେ ଅଧିକ ରିସ୍କ୍ ଅଛି, କେଉଁଥିରେ କମ୍ ରିସ୍କ୍ ଅଛି, ଏ ସମସ୍ତ ସୂଚନା ଆମେ ଜଣେ ଜଣେ ସାଧାରଣ ଲୋକ ହିସାବରେ ଜାଣିବା ସେତେଟା ସହଜ ନୁହେଁ। କିନ୍ତୁ ଜଣେ ସ୍ୱୀକୃତିପ୍ରାପ୍ତ ଆର୍ଥିକ ପରାମର୍ଶଦାତାଙ୍କ ପାଇଁ ଏ କାର୍ଯ୍ୟ ସହଜ।

ସବୁଠାରୁ ବିଡ଼ମ୍ୱନାର ବିଷୟ, ଆମ ଦେଶରେ ଏ ଦିଗରେ ବହୁ ଶିକ୍ଷିତ, ଉଚ୍ଚଶିକ୍ଷିତ ଲୋକମାନେ ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ। ଯେଉଁଠି ସାମାନ୍ୟ ମୋବାଇଲଟିଏ କିଣିବା ପାଇଁ ଯୁବ ବର୍ଗ ଏକାଧିକ ଶୋରୁମ୍ ବୁଲନ୍ତି, ଗୁଗଲ୍ ସର୍ଚ୍ଚ କରନ୍ତି, ଅନଲାଇନ୍ ପ୍ଲାଟଫର୍ମରେ ଦେଖନ୍ତି, ସାଙ୍ଗମାନଙ୍କ ଫୋନର ଫିଚର ଦେଖନ୍ତି, ଯେତେ ସମ୍ଭବ ସେତେ ତନାଘନା କରନ୍ତି, ଠିକ୍ ସେତିକିବେଳେ ନିଜ ପାଇଁ ଫାଇନାନ୍ସିଆଲ୍ ପ୍ରଡକ୍ଟ ଟିଏ କିଣିବା ପାଇଁ ସେତେ ଆଗ୍ରହ ଦେଖାନ୍ତି ନାହିଁ।

ଏମିତିକି ବର୍ଷରେ ଥରଟିଏ ବି କେହି ଏ ବାବଦରେ ଯାଞ୍ଚ କରନ୍ତି ନାହିଁ। ଆଉ ସବୁଠାରୁ ବିଚିତ୍ର କଥା ହେଲା ଯଦି ବି କେହି ନିଜ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରୁଛନ୍ତି ବା ନିବେଶ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାର୍ଟିଫାଏଡ୍ ଫାଇନାନସିଆଲ୍ ପ୍ଲାନରଙ୍କ ପରାମର୍ଶରେ ନୁହେଁ ବରଂ, କୌଣସି ଏଜେଣ୍ଟଙ୍କ ଦ୍ୱାରା ପ୍ରେରିତ ହୋଇ କରନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି, ଆପଣ ନିଜ ଆର୍ଥିକ ସୁରକ୍ଷା ଏବଂ ଏକ ସୁନ୍ଦର ଆର୍ଥିକ ଭବିଷ୍ୟତ ପାଇଁ ଏଭଳି ଭୁଲ୍ କରୁଛନ୍ତି ନା, ଠିକ୍ ରାସ୍ତାରେ ଯାଉଛନ୍ତି? 

ଲେଖକ : ଜଗମୋହନ ମହାରଣା

Advertisment
Advertisment