• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ମା'-ଜେଜେମା'ଙ୍କ ସତର୍କ ଆଖି ଜଗି ରହିଥାଏ ଏଇ ଛୋଟ ଛୋଟ ଝିଅମାନଙ୍କୁ। ବଢ଼ା ଯାଇଥିବା ନିର୍ଦ୍ଧାରିତ ପରିମାଣର ଖାଦ୍ୟ ନ ଖାଇଲେ ଥାଏ ଦଣ୍ଡ ପାଇବାର ଆଶଙ୍କା। ଖାଇବନି ତ ସାଙ୍ଗଙ୍କ ସହ ଖେଳିବାକୁ ଛଡ଼ା ଯିବନି। ଦରକାର ପଡ଼ିଲେ ମାଡ଼ ଖାଇବାକୁ ବି ପଡିଥାଏ ଏମାନଙ୍କୁ। ନ ହେଲେ ଅତି ବେଶି ଜିଦି କଲେ ଦୁଇ ଗୋଡ଼କୁ ଛନ୍ଦି ଦିଆଯାଏ ଦୁଇଟି ବଡ଼ ବଡ଼ ବାଡ଼ି ମଝିରେ ନ ହେଲେ ବାନ୍ଧି ବି ଦିଆଯାଏ। ଭଲରେ ଭଲରେ ଖାଦ୍ୟ ଖାଇ କି ଶେଷ କର ନ ହେଲେ ଦଣ୍ଡ ପାଇବାକୁ ପ୍ରସ୍ତୁତ ରୁହ!

ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଜ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥା'ନ୍ତି। ଖାସ୍ କରି ମହିଳା ମାନେ ଏ ଦିଗରେ ଅଧିକ ସକ୍ରିୟ ହୋଇଥିବା ଦେଖାଯାଇଥାଏ। ତେବେ ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ଛୋଟ ଦେଶ ମୋରିଟେନିଆରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଗୋଟେ ପଟରେ ଆଟଲାଣ୍ଟିକ୍ ମହାସାଗର ଓ ଅନ୍ୟପଟେ ସାହାରା ମରୁଭୂମି ପରିବେଷ୍ଟିତ ଏଇ ଦେଶର ଅଧିକାଂଶ ଲୋକ ଦାରିଦ୍ର୍ୟ ମଧ୍ୟରେ ବାସ କରନ୍ତି।

ତେବେ ଏଠାରେ ପ୍ରଚଳିତ 'ଲେବଲୋଉ' ନାମକ ଏଇ ପ୍ରଥା ଅନୁଯାୟୀ, ଝିଅ ମାନଙ୍କୁ ଜୋର୍ ଜବରଦସ୍ତ ବହୁତ ପରିମାଣର ଖାଦ୍ୟ ଖୁଆଇ ପିଆଇ ମୋଟା କରାଯାଏ। କାରଣ ଏ ଦେଶର ପୁରୁଷ ମାନଙ୍କ ଦୃଷ୍ଟିରେ ମୋଟା ଝିଅମାନେ ହିଁ ଅଧିକ ଆକର୍ଷଣୀୟ, ଅଧିକ ସୁନ୍ଦର ଓ ବିବାହ କରିବା ପାଇଁ ଅଧିକ ଉପଯୁକ୍ତ। ଯିଏ ଯେତେ ବିପୁଳ ଶରୀରର ଅଧିକାରିଣୀ, ସେ ନିଜ ସ୍ୱାମୀ ହୃଦୟରେ ସେତିକି ଖାସ୍ ସ୍ଥାନ ଅଧିକାର କରିଥାଏ। ସେ ତୁଳନାରେ ପତଳା ଝିଅ ମାନଙ୍କୁ ଅନାକର୍ଷଣୀୟ ମନେ କରାଯିବା ସହ ସ୍ଥଳ ବିଶେଷରେ ପରିବାର ପାଇଁ କଳଙ୍କ ବୋଲି ମଧ୍ୟ ବିବେଚନା କରାଯାଇଥାଏ।

ପ୍ରଚଳିତ ଧାରଣା ଅନୁଯାୟୀ, ମୋଟା ଶରୀରର ଝିଅ ହୋଇଥିବା ଅର୍ଥ ସେ ଏକ ଭଲ ଖାଇବା-ପିଇବା ଘରର ଝିଅ ଓ ସେ ଅପପୁଷ୍ଟିର ଶିକାର ନୁହେଁ। ତା'ଛଡ଼ା ମୋଟା ସ୍ତ୍ରୀ ନିଜ ସ୍ୱାମୀଙ୍କ ସାମାଜିକ ପତିଆରା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥା'ନ୍ତି। କାରଣ ପତ୍ନୀ ବିପୁଳ ଶରୀର ଧାରିଣୀ ହେବାର ଅର୍ଥ, ତାଙ୍କୁ ସ୍ୱାମୀଙ୍କ ଘରେ ବିଶେଷ ଶାରୀରିକ ଶ୍ରମ କରିବାକୁ ପଡୁନାହିଁ ଏବଂ ସ୍ୱାମୀ ତାଙ୍କୁ ଉତ୍ତମ ଖାଦ୍ୟ ଯୋଗାଇବାରେ ସକ୍ଷମ। ଆଉ ମୋରିଟେନିଆରେ ପ୍ରଚଳିତ ଏଇ ଭ୍ରମାତ୍ମକ ସାମାଜିକ ଧାରଣାର ଶିକାର ହୁଅନ୍ତି ବିଚରା ବିବାହଯୋଗ୍ୟ ଝିଅମାନେ।

ଯେହେତୁ ମୋରିଟେନିଆରେ ବହୁତ ଛୋଟ ବୟସରୁ ଝିଅମାନଙ୍କ ବିବାହ କରାଇ ଦିଆଯାଏ ତେଣୁ ଆବଶ୍ୟକ ସ୍ଥଳେ ମାତ୍ର ୫ବର୍ଷ ବୟସର ଝିଅଟିଏକୁ ମଧ୍ୟ ଜୋର୍ କରି ଦିନକୁ ୯୦୦୦ କ୍ୟାଲୋରି ମୂଲ୍ୟର ଖାଦ୍ୟ ଖୁଆଇ ଦିଆଯାଏ। UNICEFର ହିସାବ ଅନୁଯାୟୀ, ପତଳା ଝିଅର ପରିବାର ହେବା ଭଳି ସାମାଜିକ ଲାଞ୍ଛନା ଓ ନିନ୍ଦା-ଅପବାଦରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ, ବିବାହଯୋଗ୍ୟା ଝିଅ ମାନଙ୍କୁ ଏଠାରେ ପରିବାର ପକ୍ଷରୁ ଦିନକୁ ଅତି କମରେ ୯ରୁ୧୦ହଜାର କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ତେବେ ବାସ୍ତବରେ ଦେଖିବାକୁ ଗଲେ ସ୍ଥଳ ବିଶେଷରେ ଏହା ୧୪ରୁ ୧୬ ହଜାର କ୍ୟାଲୋରି ଯୁକ୍ତ ମଧ୍ୟ ହୋଇଥାଏ।

ଖାଦ୍ୟ ହିସାବରେ ଏଇ ଛୋଟ ଛୋଟ ଝିଅ ମାନଙ୍କୁ ମୁଖ୍ୟତଃ ଲିଟର ଲିଟର କ୍ଷୀର, ତୈଳୀୟ କସକସ, କିଣି ପାରିବାର କ୍ଷମତା ଥିଲେ ମାଂସ, 'ଆମଜିକ'(କ୍ଷୀରକୁ ଲହୁଣୀ ବାହାରିବା ଯାଏ ଘଂଟା ଯିବା ପରେ ତାକୁ ପୁଣି ଥରେ ସାଧା କ୍ଷୀରରେ ମିଶାଇ ପ୍ରସ୍ତୁତ କରାଯାଏ) ତଥା ସୁଆଁ ଚାଉଳର କ୍ଷୀରି(ଗରମ କ୍ଷୀର କି ପାଣି ସହ ମିଶାଇ) ଦିଆଯାଏ।

ଖାଲି ଘରେ ନୁହେଁ, ବିବାହ ବଜାରରେ ଝିଅକୁ ଅଧିକ ଆକର୍ଷଣୀୟ କରି ଗଢିବା ଉଦ୍ଦେଶ୍ୟରେ ଝିଅମାନଙ୍କୁ ବାପା-ମା'ମାନେ ବହୁ ସମୟରେ ଜୋର୍ କରି ଖାଇବାକୁ ଦିଆଯାଉଥିବା କ୍ୟାମ୍ପ(force feeding camp) ଗୁଡିକରେ ମଧ୍ୟ ଛାଡି ଦିଆଯାଏ। ଉଦାହରଣ ସ୍ୱରୂପ ଆମିନେଟଉ ମିଣ୍ଟ ଏଲହାସେନଙ୍କ ଫିଡିଂ କ୍ୟାମ୍ପକୁ ନିଆ ଯାଇପାରେ। ଏଠାରେ ଜଣେ ଝିଅକୁ ୩ମାସ ରଖିବା ପାଇଁ ଏଲହାସେନ ପାଉଣା ବା ଫି' ବାବଦରେ ନେଇଥା'ନ୍ତି ୧୫୫ ଡ଼ଲାର ମୂଲ୍ୟର ଅର୍ଥ। ତାଙ୍କ କ୍ୟାମ୍ପରେ ସବୁ ଦିନେ ପ୍ରତି ଝିଅକୁ ଖାଇବାକୁ ପଡ଼ିଥାଏ- କସକସ, ଚିନା ବାଦାମ ଓ ଖଜୁରୀ କୋଳିରୁ ପ୍ରସ୍ତୁତ ଅନ୍ତତଃ ୪୦ଟି ବଡ଼ ବଡ଼ ଲଡୁ, ପିଇବାକୁ ପଡିଥାଏ ୧୨ ପିଣ୍ଟ୍ (ପ୍ରାୟ ୬ ଲିଟର ପାଖାପାଖି) ଛେଳି କ୍ଷୀର ଓ ଏସବୁ ଛଡ଼ା କ୍ଷୀରି ବି ଖାଇବାକୁ ପଡ଼ିଥାଏ।

ତେବେ ଖାଲି ବିପୁଳ ପରିମାଣର ଖାଦ୍ୟ ଖୋଇବାରେ ଶେଷ ହୁଏନାହିଁ ଏହି ଅତ୍ୟାଚାର। ବହୁ ସମୟରେ ପରିବାର ପକ୍ଷରୁ ଝିଅମାନଙ୍କୁ ଶୀଘ୍ର ଶୀଘ୍ର ମୋଟା କରାଇବା ପାଇଁ କଳା ବଜାରରେ ଉପଲବ୍ଧ ପଶୁଙ୍କ ଆକାର ବୃଦ୍ଧିରେ ବ୍ୟବହୃତ ହେଉଥିବା ପ୍ରୋଟିନ ଓ ଷ୍ଟିରଏଡ଼ ଆଦି ମଧ୍ୟ ଆଣି ଖୁଆଇ ଦିଆଯାଏ, ଯାହା ଅନେକ ସମୟରେ ଘାତକ ସାବ୍ୟସ୍ତ ହୋଇଥାଏ।

ଏଭଳି ଲଗାତାର ଅନିଚ୍ଛାକୃତ ଭାବେ ଜୋର୍ କରି ବିପୁଳ ପରିମାଣର ଖାଦ୍ୟ ଖାଇବା ଯୋଗୁଁ ଲେବଲୋଉ ପ୍ରଥା ଦେଇ ଗତି କରିଥିବା ଝିଅମାନେ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ ରୋଗ, କ୍ୟାନ୍ସର ଓ କିଡନୀ ଫ୍ୟାଲୋର ଭଳି ସ୍ବାସ୍ଥ୍ୟ ସମସ୍ୟାର ଶିକାର ହେବା ସହ ମାନସିକ ଅବସାଦ ମଧ୍ୟ ଭୋଗିଥା'ନ୍ତି। ଏହା ଛଡ଼ା ଗର୍ଭଧାରଣ ଓ ପିଲା ଜନ୍ମ ସମୟରେ ମଧ୍ୟ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା'ନ୍ତି। ବହୁ ସଂଖ୍ୟକ ମହିଳା ଲେବଲୋଉ ଯୋଗୁଁ ପ୍ରତିଦିନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଜଣାଯାଏ।

ଏବେ ମଧ୍ୟ ଗ୍ରାମାଞ୍ଚଳ, ମୁଖ୍ୟତଃ ଅନୁନ୍ନତ ଅଞ୍ଚଳ ଗୁଡିକରେ ପ୍ରାୟ ୭୫% ପରିବାର ଲେବଲୋଉ ପ୍ରଥା ପାଳିଥା'ନ୍ତି। ତେବେ ବର୍ତ୍ତମାନ ଏ ଦିଗରେ ଅନେକଟା ସଚେତନତା ବୃଦ୍ଧି ପାଇଲାଣି। ସରକାର ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ(ଯେପରିକି 'ଏସପୋଇରେ' ନାମକ ଅନୁଷ୍ଠାନ ) ଏଇ ପ୍ରଥା ସହ ଜଡ଼ିତ ମେଦ ବହୁଳତା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ସ୍ଥଳେ ଝିଅମାନଙ୍କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ରୋଜଗାରର ପନ୍ଥା ମଧ୍ୟ ଯୋଗାଇ ଦିଆ ଯାଉଛି। ଦେଶର ରାଜଧାନୀ ନୌକଚୋଟ୍ଟରେ ବହୁ ଜିମ୍ ମଧ୍ୟ ଏ ଦିଗରେ କାର୍ଯ୍ୟ କଲେଣି। ତା' ଛଡ଼ା ସେ ଦେଶର ବହୁ ଯୁବତୀ ଏଇ ନିର୍ଦ୍ଦୟ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ମଧ୍ୟ ଦେଖା ଯାଉଛି।

                                                                                           ପ୍ରୀତିପ୍ରଜ୍ଞା ପ୍ରଧାନ