• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ବିବାହର ପ୍ରଥମ ରାତି କିଛି ଡର, କିଛି ଉଦ୍‌ବେଗ ଆଉ କିଛି ଉତ୍କଣ୍ଠା ସହ ଆଗ୍ରହରେ ସ୍ୱାମୀଙ୍କୁ ଅପେକ୍ଷା କରିଛି ଅନେଷା। ଶେଷରେ ଭୋର୍‌ ଚାରିଟା ବେଳେ ନିଶାରେ ଚୁର୍ ହୋଇ ସ୍ୱାମୀ ଫେରିଛି। ହେଲେ ଫେରୁ ଫେରୁ ନୂଆ ବାହା ହୋଇଥିବା ସ୍ତ୍ରୀକୁ କୌଣସି ଆଦର ସୋହାଗ ନ କରି କିମ୍ବା ସ୍ନେହବୋଳା କଥା ପଦଟେ ନ କହି ଶୋଇ ଘୁଙ୍ଗୁଡ଼ି ମାରିବାରେ ଲାଗିଛି। ଗୋଟାଏ ଅଜଣା-ଅଚିହ୍ନା ଘରେ, ବିବାହର ପ୍ରଥମ ରାତିରେ ସ୍ୱାମୀର ଏଭଳି ବ୍ୟବହାର ଖୁବ୍ ଅସହାୟ କରିଦେଇଛି ଅନେଷାକୁ। ମନେମନେ ଭାବିଛି, ଜବର୍‌(ତା’ ସ୍ୱାମୀ) ଆଉ ଏ ବିବାହରେ ଅସନ୍ତୁଷ୍ଟ ନୁହେଁ ତ!

ତାକୁ ଜୋର୍ ଜୋର୍‌ରେ କାନ୍ଦିବାକୁ ଇଚ୍ଛା ହୋଇଛି। ନିଜ ମା’ ପାଖକୁ ଦୌଡ଼ି ପଳାଇ ଯିବାକୁ ବି। ହେଲେ ଫେରିବାର କୌଣସି ରାସ୍ତା ନାହିଁ ତା’ ପାଖରେ। ତେଣୁ ଚୁପ୍‌ଚାପ୍ ତଳେ ବିଛଣା ପାରି ଶୋଇବାକୁ ଚେଷ୍ଟା କରିଛି ସେ। କିନ୍ତୁ ସକାଳୁ ସକାଳୁ ତା’ ଇଚ୍ଛା ବିରୁଦ୍ଧରେ ଜବରର ବଳାତ୍କାରର ଶିକାର ହେବାକୁ ପଡ଼ିଛି ତାକୁ। କାରଣ ଘର ଆଉ ବାହାର ଲୋକଙ୍କ ଆଗରେ ଜବର୍‌କୁ ନିଜ ପୁରୁଷତ୍ୱର ପ୍ରମାଣ ଦେବାର ଅଛି ଆଉ ଅନେଷାର କୁମାରୀତ୍ୱର ପ୍ରମାଣ ବି। କିନ୍ତୁ ଏତିକିରେ ସରିନି ଅନେଷାର ଦୁର୍ଭାଗ୍ୟ। ସ୍ୱାମୀ ସହ ଅଲଗା ଘରେ ସେ ରହିଛି।

ସମୟ କ୍ରମେ ଦୁଇଟି ଛୁଆର ମା’ ବି ହୋଇଛି ହେଲେ କେବେ ବି ସ୍ୱାମୀର ସ୍ନେହ କି ସୋହାଗ ପାଇନି। ଶେଷରେ ରାତି ରାତି, ଦିନ ଦିନ ଧରି ସ୍ୱାମୀର ଅନୁପସ୍ଥିତି ଓ ତା’ ଅବହେଳାର କାରଣ ଜାଣିବାକୁ ପାଇଛି ସେ। ସ୍ୱାମୀ ତା’ର ସମଲିଙ୍ଗୀ ସମ୍ପର୍କରେ ଲିପ୍ତ। ଆଉ ଘର ଲୋକଙ୍କ ବାଧ୍ୟବାଧକତାରେ ତାକୁ ବାହା ହୋଇଛ॥ ଅନେଷା ବିରୋଧ କରିଛି ସ୍ୱାମୀର ଏଇ ସମ୍ପର୍କକୁ। ଆଉ ବଦଳରେ ପ୍ରଚୁର ମାଡ଼ଗାଳି ଖାଇଛି। ଏପରିକି ବହୁ ସମୟରେ ଜୀବନ ହାରି ଦେବା କଥା ମଧ୍ୟ ଭାବିଛି। କିନ୍ତୁ ପିଲାଙ୍କ ପାଇଁ ମରି ବି ପାରିନି। ନିଜ ମା’ କି ଶାଶୂ ମଧ୍ୟ ତାକୁ ସାହାଯ୍ୟ କରି ନାହାନ୍ତି। ମା’କୁ ଝିଅ ଛାଡ଼ପତ୍ର ପାଇଥିବାର ବଦନାମ ମୁଣ୍ଡାଇବାକୁ ଡର ଆଉ ଶାଶୂଙ୍କୁ ଘାରିଛି ପୁତ୍ରମୋହ।

ଏ ଭିତରେ ପୁଣି ତା’ କୋଳକୁ ଆସିଛି ଝିଅଟିଏ। ପିଲାଙ୍କୁ ନେଇ କୁଆଡ଼େ ବା ଯା’ନ୍ତା ସେ! କିଏ ବା ତାକୁ ବଢ଼ାନ୍ତା ସାହାଯ୍ୟର ହାତ! ତେଣୁ ସବୁ ଅତ୍ୟାଚାର ପରେ ବି ସ୍ୱାମୀ ଘରେ ପଡ଼ି ରହିଛି ଅନେଷା। କିନ୍ତୁ ଯେତେବେଳେ ସ୍ୱାମୀ ତା’ର ପ୍ରେମିକକୁ ଆଣି ଘରେ ରଖିଛି ସେତେବେଳେ ବଞ୍ଚିବା ଦୁଃସହ ହୋଇ ପଡ଼ିଛି ତା’ ପାଇଁ। ଉଭୟଙ୍କ ମାଡ଼ଗାଳି ଆଉ ଅତ୍ୟାଚାରକୁ ନେଇ ଅତିଷ୍ଠ ଅନେଷା ଛାଡ଼ପତ୍ର ପାଇଁ ମାନବାଧିକାର କମିଶନର ବି ଦ୍ୱାରସ୍ଥ ହୋଇଛି। ହେଲେ ନିୟମ ଅନୁଯାୟୀ, ଛାଡ଼ପତ୍ର ନେଲେ ଛୁଆଙ୍କ ଉପରେ ମା’ର ଆଉ କୌଣସି ଅଧିକାର ରହିବ ନାହିଁ ଆଉ ଜବର୍‌ ଭଳି ଜଣେ ଅମଣିଷ ପାଖରେ ତା’ ପିଲାଙ୍କୁ ଛାଡ଼ି ଶେଷ ପର୍ଯ୍ୟନ୍ତ ଆସି ପାରିନି ଅନେଷା।

ସମାଜ ଆଖିରେ ଜବର୍‌ର ଢାଲ ହୋଇ ରହିବାକୁ ପଡ଼ିଛି ତାକୁ, କାରଣ ଆଫ୍‌ଗାନିସ୍ଥାନରେ ସମଲିଙ୍ଗୀ ସମ୍ପର୍କକୁ ଅତ୍ୟନ୍ତ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ ଓ ତାକୁ ଏକ ଜଘନ୍ୟ ପାପ ବୋଲି ବିଚାର କରାଯାଏ। ତେଣୁ ଏଭଳି ସମ୍ପର୍କ ରଖିଥିବା କାହା କଥା ପଦାକୁ ଆସିବା ପରେ ମୁଲ୍ଲାଙ୍କ ହାତରେ ସମ୍ପୃଚ୍ଛ ବ୍ୟଚ୍ଛିର ମୃତ୍ୟୁଦଣ୍ଡ ସୁନିଶ୍ଚିତ। ସେଥିପାଇଁ ଶାଶୂ ଚାହାନ୍ତି, ଖାଲି ନାଁକୁ ହେଉ ପଛେ ଅନେଷା ଆଉ ପିଲାମାନେ ତାଙ୍କ ପୁଅ ପାଖରେ ରହନ୍ତୁ।

ଅନେଷା ଭଳି ଆଉ ଏକ ମର୍ମନ୍ତୁଦ କାହାଣୀ ହେଉଛି ଓ୍ୱାଜ୍‌ମାର। ବସ୍‌କୁ ଅପେକ୍ଷା କରିଥିବା ବେଳେ ରକେଟ୍ ମାଡ଼ ହୋଇଛି ବଜାରରେ। ଆଉ ଦୁର୍ଘଟଣାରେ ଗୋଡ଼ଟିଏ ହରାଇଛି ଓ୍ୱାଜ୍‌ମା। କିନ୍ତୁ ସେ ଯେତେବେଳେ ଚିକିତ୍ସା ପରେ ଘରକୁ ଫେରିଛି ସେତେବେଳେ ସତେ ଯେମିତି ଆକାଶ ଛିଣ୍ଡି ପଡ଼ିଛି ତା’ ମୁଣ୍ଡ ଉପରେ। କାରଣ ସେତେବେଳକୁ ସେ ଅଲୋଡ଼ା ହୋଇଯାଇଛି ତା’ ସ୍ୱାମୀ ପାଖରେ। ତେବେ ତାକୁ ସବୁଠାରୁ ବେଶି ଦୁଃଖ ଦେଇଛି ତା’ କୁନି ଝିଅଠାରୁ ଅଲଗା ହୋଇ ରହିବା। ସ୍ୱାମୀ କିମ୍ବା ତାଙ୍କ ଘର ଲୋକେ ରାଜି ହୋଇନାହାନ୍ତି ଝିଅକୁ ତାକୁ ଦେବା ପାଇଁ।

ଧୀରେ ଧୀରେ ନିଜ ପରିବାରର ଲୋକଙ୍କ ପାଖରେ ଅଲୋଡ଼ା ହୋଇ ପଡୁଥିବା ଓ୍ୱାଜ୍‌ମାକୁ ଶେଷରେ ବଞ୍ଚିବାର ରାହାଟିଏ ମିଳିଛି। ସରକାରୀ ସହାୟତାରେ ସିଲେଇ ଶିଖି ସେ ନିଜ ଗୁଜୁରାଣ ମେଣ୍ଟାଇ ପାରିଛି। କିନ୍ତୁ ଝିଅ ଆଉ ପରିବାରଠୁ ଅଲଗା ହେବାର ଦୁଃଖ ତା’ ପାଇଁ ଡାକି ଆଣିଛି ଅକାଳ ବାର୍ଦ୍ଧକ୍ୟ।

ଆଫ୍‌ଗାନିସ୍ଥାନର ଏଇ ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର(Zarghuna Kargar)ଙ୍କ ଲିଖିତ ‘ଡିୟର ଜ୍ଜରି’(Dear Zari) ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍‌ମାଙ୍କ ଭଳି ଆହୁରି ଅନେକ ମହିଳାଙ୍କୁ ଭେଟିଛନ୍ତି ଲେଖିକା। ଲେଖିକାଙ୍କ କହିବା ଅନୁସାରେ ସେତେବେଳେ ଏଇ କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ଥିଲା ଆଫ୍‌ଗାନିସ୍ଥାନର ସମସ୍ତ ତଥାକଥିତ ପରମ୍ପରା ଓ ଅର୍ଥନୀତିକ ବାଧାବିଘ୍ନ ଓ ପରିସୀମାକୁ ଅତିକ୍ରମ କରି ଆଫ୍‌ଗାନିସ୍ଥାନର ମହିଳାମାନଙ୍କୁ ଏକ ମାଧ୍ୟମ ଯୋଗାଇ ଦେବା, ଯେଉଁଥିରେ ସେମାନେ ନିଜର ଅଙ୍ଗେନିଭା କାହାଣୀ କହିପାରିବା ସହ ଦେଶର ଅନ୍ୟ ବିଭିନ୍ନ ପ୍ରାନ୍ତର ମହିଳାମାନଙ୍କ ସହ ଯୋଡ଼ି ହୋଇ ପାରିବେ।

କାର୍ଯ୍ୟକ୍ରମଟିର ପ୍ରସ୍ତୁତି ସମୟରେ ଏଇ ମହିଳାମାନଙ୍କ ମଧ୍ୟରୁ କେତେକଙ୍କୁ ଲେଖିକା ସାମ୍ନାସାମ୍ନି ଭେଟିଛନ୍ତି ତ କେତେବେଳେ ଆଞ୍ଚଳିକ ରିପୋର୍ଟରଙ୍କ ମାଧ୍ୟମରେ ରେକର୍ଡ ହୋଇଥିବା କୌଣସି ମହିଳାଙ୍କ ଅଙ୍ଗେଲିଭା କାହାଣୀ ଶୁଣିଛନ୍ତି ଓ କାର୍ଯ୍ୟକ୍ରମ ମାଧ୍ୟମରେ ତା’ର ପ୍ରସାରଣ କରାଇଛନ୍ତି। ଲେଖିକା କହିଛନ୍ତି, ଅନେକ କାହାଣୀ ତାଙ୍କ ହୃଦୟକୁ ଏଭଳି ଭାବେ ଅଭିଭୂତ କରିଥିଲା ଯେ, ସେ ସେସବୁ କାହାଣୀକୁ ବାରମ୍ବାର ଶୁଣିଛନ୍ତି। ୨୦୦୪ ରୁ ୨୦୧୦ମଧ୍ୟରେ କାର୍ଯ୍ୟକ୍ରମ ପାଇଁ ତାଙ୍କ ଦ୍ୱାରା ପ୍ରାୟୋଜିତ ଓ ପ୍ରସ୍ତୁତ ହୋଇଥିବା କାହାଣୀମାନଙ୍କ ମଧ୍ୟରୁ ବହିଟିରେ ସ୍ଥାନ ପାଇଛି ୧୩ ଜଣ ମହିଳାଙ୍କ କାହାଣୀ ଆଉ ସେ ଭିତରୁ ପ୍ରଥମ କାହାଣୀଟି ହେଉଛି ନିଜେ ଲେଖିକା ଜ୍ଜରଗୁନାଙ୍କର।

ଗୃହଯୁଦ୍ଧ ସମୟରେ ତାଙ୍କ ପରିବାରକୁ ଦେଶ ଛାଡ଼ିବାକୁ ହୋଇଛି। ଯୁଦ୍ଧ ସମୟର ଭୟାବହତା (ବିସ୍ଫୋରଣରେ ନିଜର ଜଣେ ସ୍କୁଲ୍ ସାଙ୍ଗର ମୃତ୍ୟୁକୁ ଆଖି ଆଗରେ ଦେଖିବା ପରେ ସେ କେମିତି ଡିପ୍ରେସନ୍‌ର ଶିକାର ହୋଇଛନ୍ତି) ଭିତରେ ବଞ୍ଚିବା, ନିଜ ଦେଶ ଛାଡ଼ିବା ପରେ ପାକିସ୍ଥାନରେ ଶରଣାର୍ଥୀର ଜୀବନ, ତା’ ପରେ ପରିବାର ସହ ବ୍ରିଟେନକୁ ସ୍ଥାନାନ୍ତର, ସେଠାରେ ପରିବାରର ଇଚ୍ଛା ଓ ନିଷ୍ପତ୍ତି ଅନୁଯାୟୀ ଜଣଙ୍କୁ ବିବାହ କରିବା ଓ ଅନେକ ବର୍ଷ ନିଜ ଇଚ୍ଛା ବିରୁଦ୍ଧରେ ଗୋଟାଏ ପୀଡ଼ାଦାୟକ ବିବାହକୁ ବରଦାସ୍ତ କରିବା ଏବଂ ଶେଷରେ ପରିବାରର ବିରୋଧ ପୁଣି ପରିଚିତମାନଙ୍କ ସମାଲୋଚନା ସତ୍ତ୍ୱେ ଛାଡ଼ପତ୍ର ପାଇଁ ସାହସ ଜୁଟାଇବା ଆଦିର କଥା ଲେଖିଛନ୍ତି ଜ୍ଜରଗୁନା।

ଲେଖିକାଙ୍କ କହିବା କଥା ହେଲା- ସେ ନିଜେ ଉଚ୍ଚଶିକ୍ଷିତା ଏବଂ ଏତେ ଭଲ ଚାକିରୀ କରିଥିଲେ ମଧ୍ୟ କେମିତି ବର୍ତ୍ତି ପାରିନାହାନ୍ତି ତାଙ୍କ ଦେଶର ତଥାକଥିତ ପରମ୍ପରା କବଳରୁ। ସେଥିପାଇଁ ବୋଧହୁଏ ସେ କାର୍ଯ୍ୟକ୍ରମଟିର ପ୍ରସ୍ତୁତି ସମୟରେ ଖୁବ୍ ସହଜରେ ଯୋଡ଼ି ହୋଇ ଯାଇଛନ୍ତି ସମ୍ପୃକ୍ତ ମହିଳାମାନଙ୍କ ସହ ଆଉ ଏଇ କାରଣ ହିଁ ତାଙ୍କୁ ପ୍ରବର୍ତ୍ତାଇଛି ବହିଟି ଲେଖିବା ପାଇଁ।

ଆପଣ ଏ ବହିଟି ପଢ଼ିବା ସମୟରେ ଅନୁଭବ କରିବେ, ଅନେକ ସମୟରେ ଆପଣଙ୍କ ଆଖି ସ୍ୱତଃ ଲୁହରେ ଭରିଯାଇଛି। କେତେବେଳେ ଆପଣ ପୀଡ଼ିତା ପ୍ରତି ଦରଦରେ ଦୁଃଖରେ ଗୁମୁରି ଉଠିବେ ତ ଆଉ କେତେବେଳେ ତା’ ପ୍ରତି ଅନ୍ୟାୟ କରୁଥିବା ଲୋକମାନଙ୍କ ଉପରେ ରାଗି ଉଠିବେ। ଏହା ଭିତରେ ଏମିତି କୌଣସି କାହାଣୀ ନାହିଁ, ଯାହା ଆପଣଙ୍କ ହୃଦୟକୁ ଦୋହଲାଇ ଦେବାରେ ସକ୍ଷମ ନୁହେଁ।

ବହିଟିରେ ବର୍ଣ୍ଣିତ କାହାଣୀଗୁଡ଼ିକରେ କେବେ ପାରିବାରିକ କଳହର ସମାଧାନ ପାଇଁ ଗୋଟେ କୁନିଝିଅକୁ ବାଲ୍ୟ ବିବାହ କରାଇ ପ୍ରତିପକ୍ଷକୁ ସମର୍ପି ଦିଆଯାଇଛି (ଶିରୀନ୍ ଜାନ୍, ଯିଏ କି ସମ୍ପୃକ୍ତ ପରିବାର ପକ୍ଷରୁ ଏତେ ମାତ୍ରାରେ ଅତ୍ୟାଚାରିତ ହୋଇଛି ଯେ, ଶେଷରେ ହସିବା, ଖାଇବା ଓ ଭଲ ପୋଷାକଟିଏ ପିନ୍ଧିବା ଭଳି ଛୋଟ ଛୋଟ ଖୁସିକୁ ବି ଭୁଲି ଯାଇଛି) ତ ଆଉ କେବେ ବିଧବା ଭଉଣୀକୁ କାଳେ ସମ୍ପତ୍ତିରୁ ଭାଗ ଦେବାକୁ ପଡ଼ିବ ସେଥିପାଇଁ ଜଣେ ଭାଇ ତା’ ଭଉଣୀ ଉପରେ ଅକଥନୀୟ ଅତ୍ୟାଚାର କରିଛି (ଜନ୍‌ପରୀ- ଯିଏ କି ଭାଇର ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଜୁଟାଇଛି ଅଥଚ ଦେଶର ନ୍ୟାୟିକ ବ୍ୟବସ୍ଥାର ଅସହଯୋଗ ଓ ଭାଇର ଦରକାର ପଡି଼ଲେ ତା’ ପିଲାମାନଙ୍କୁ ଓ ତାକୁ ମାରିଦେବାର ଧମକ ଆଗରେ ଚୁପ୍ ରହିବାକୁ ବାଧ୍ୟ ହୋଇଛି)।

ଆଫଗାନିସ୍ଥାନର ଅନେକ ଅଞ୍ଚଳରେ ଝିଅମାନଙ୍କୁ ବାହାରେ କାମ କରିବା ପାଇଁ କିମ୍ବା ପାଠ ପଢ଼ିବା ପାଇଁ ଅନୁମତି ଦିଆଯାଏ ନାହିଁ। ତା’ ଛଡ଼ା ସେମାନଙ୍କୁ ଅତି ଛୋଟ ବୟସରୁ ବାଧ୍ୟକରି ଗାଲିଚା ବୁଣିବା ଭଳି କଷ୍ଟକର କାମରେ ଲଗାଇ ଦିଆଯାଏ। ସମୀରାର କାହାଣୀ ହେଉଛି ଏଇଭଳି ଜଣେ ଛୋଟ ବୟସର ଗାଲିଚା ବୁଣାଳିର କଥା। ଏଥିରେ ଆଉ ଏକ ଜଘନ୍ୟ ସମସ୍ୟା କଥା ମଧ୍ୟ ଉଠାଯାଇଛି। କିଭଳି ମା’ମାନେ ଗାଲିଚା ବୁଣିବା କାମ କଲା ବେଳେ ନିଜର ଅତି ଛୋଟ ଶିଶୁମାନଙ୍କୁ ଅଫିମ ଖୁଆଇ ଶୁଆଇ ଦିଅନ୍ତି, ଯେମିତି କି ସେମାନଙ୍କ କାମରେ କୌଣସି ବାଧା ଆସିବନି। କାରଣ ଏଇ କାମରେ ବହୁତ ଏକାଗ୍ରତା ଆବଶ୍ୟକ।

ନସ୍‌ରିନ୍ (କାହାକୁ ହୃଦୟ ଦେଇ ଟିକେ ଭଲ ପାଇବା ଦୋଷରେ, ଯେଉଁ ଛୋଟ ଝିଅଟିକୁ ତା’ ବାପା-ଦାଦା ମିଶି ଟଙ୍କା ବଦଳରେ ତା’ଠାରୁ ବୟସରେ ଯଥେଷ୍ଟ ବଡ଼ ଜଣେ ନିଶାସେବନକାରୀ ଓ ଦୁଷ୍ଟ ଲୋକ ହାତରେ ତାକୁ ଟେକି ଦେଇଛନ୍ତି ଆଉ ତା’ ପରେ ନର୍କ ପାଲଟି ଯାଇଛି ତା’ ଜୀବନ) ଏବଂ ସରିଫା (ତା’ ମା’ ପୁଅଟିଏ ଜନ୍ମ ଦେଇ ପାରୁନି, ତେଣୁ ବାପା ପୁଅ ଆଶାରେ ନିଷ୍ପତ୍ତି ନେଇଛନ୍ତି ପୁନର୍ବିବାହର ଆଉ ବଡ଼ ଝିଅ ହିସାବରେ ବଳି ପଡ଼ିଯାଇଛି ସରିଫା। ଯେଉଁ ପରିବାରରେ ତା’ ବାପାଙ୍କ ଦ୍ୱିତୀୟ ବିବାହ ସ୍ଥିର ହୋଇଛି ସେଇ ପରିବାରର ଜଣେ ବିଧୂର ପ୍ରୌଢ଼ଙ୍କ ସହ ତାକୁ ବିବାହ କରି ଦିଆଯାଇଛି, ବଦଳ କନ୍ୟା ଭାବରେ। କିନ୍ତୁ ବିଡ଼ମ୍ବନା ହେଲା; ଠିକ୍ ବିବାହ ପୂର୍ବରୁ ମୃତ୍ୟୁ ଘଟିଛି ସରିଫା ବାପାଙ୍କର। ହେଲେ ସେତେବେଳକୁ ସରିଫାର ଘରକୁ ଫେରିବା ରାସ୍ତା ବନ୍ଦ)ଙ୍କ କାହାଣୀ ବି କିଛି କମ୍ ହୃଦୟବିଦାରକ ନୁହେଁ।

ଆପଣମାନେ ବହିଟିକୁ ପଢ଼ିବା ସମୟରେ ଲକ୍ଷ୍ୟ କରିବେ, ପ୍ରାୟ ଅଧିକାଂଶ କ୍ଷେତ୍ରରେ ଆଫ୍‌ଗାନ ମହିଳାମାନେ ପୂରା ଅସହାୟ। ଘରର ପୁରୁଷ ସଦସ୍ୟଙ୍କ ଆଗରେ ସେମାନଙ୍କର କୌଣସି ସ୍ଥିତି କିମ୍ବା ଅସ୍ଥିତ୍ୱ ହିଁ ନାହିଁ। ବହୁ କ୍ଷେତ୍ରରେ ତେଣୁ ସେମାନେ (ଖାସ୍ କରି ମା’ମାନେ) ଆବଶ୍ୟକ ସ୍ଥଳେ ନିଜ ଛୋଟ ଝିଅଟିକୁ ବି ଦୁର୍ଗତି ବା ଦୁର୍ଭାଗ୍ୟ କବଳରୁ ରକ୍ଷା କରିବାରେ ଅସମର୍ଥ। ନିକଟ ଅତୀତରେ ଯେତେବେଳେ ତାଲିବାନମାନେ ଆଫ୍‌ଗାନିସ୍ଥାନକୁ ପୁନଃ ନିଜ ଦଖଲରେ ଆଣିବାରେ ସକ୍ଷମ ହେଲେ ଆଉ ଦୀର୍ଘ ୨୦ ବର୍ଷ ପରେ ଆମେରିକୀୟ ସେନା ସେ ଦେଶର ମାଟିରୁ ନିଜ ଦେଶକୁ ଫେରିଗଲା, ସେତେବେଳେ ଏଇ ଯୁଦ୍ଧବିଧ୍ୱସ୍ତ ଦେଶଟି ପ୍ରତି ସମଗ୍ର ବିଶ୍ୱର ନଜର ପଡିଥିଲା।

ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ହେଲା ଯେ, ଏଥର ଆଫ୍‌ଗାନ ମହିଳାମାନେ ଯାହା ବି କିଛି ସ୍ୱାଧୀନତା ହାସଲ କରିଥିଲେ ସେତକ ଉପଭୋଗ କରିପାରିବେ ନାହିଁ। ତାଲିବାନୀ ନିୟମ ଭିତରେ ରୁନ୍ଧି ହୋଇଯିବ ମହିଳାମାନଙ୍କ ଭବିଷ୍ୟତ। କିନ୍ତୁ ବହିଟି ପଢ଼ିବା ପରେ ଏ ଧାରଣା ଅନେକାଂଶରେ ଭୁଲ ବୋଲି ମନେ ହେବ। କାରଣ ଆପଣ ଅନୁଭବ କରିବେ ଯେ, ବାହାରର କୌଣସି ଶତ୍ରୁ ନୁହେଁ, ବରଂ ଘର ଭିତରେ ନିଜ ବାପା-ଦାଦା-ଭାଇ କିମ୍ବା ଅତି ନିକଟ ସମ୍ପର୍କୀୟମାନେ ହିଁ ସେ ଦେଶର ଝିଅ ଓ ମହିଳାମାନଙ୍କର ପ୍ରକୃତ ଶତ୍ରୁ। ପରମ୍ପରା ନାଁରେ ମହିଳାମାନଙ୍କୁ ତୁଚ୍ଛ ଦୃଷ୍ଟିରେ ଦେଖିବା ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର। ଘର ଶତ୍ରୁଠାରୁ ରକ୍ଷା ପାଇବା ବେଶି କାଠିକର ପାଠ ନୁହେଁ କି!

ଦୂରଭାଷ: ୦୯୨୩୮୯୯୯୭୫୮