• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆପଣଙ୍କ ବୟସ ୫୦ ବର୍ଷରୁ ଅଧିକ କି ? ଆପଣଙ୍କ ଘରେ କେହି ୫୦ ବୟସରୁ ଅଧିକ ବୟସର ଡାଇବେଟିସ୍ ରୋଗୀ ଅଛନ୍ତି କି? ଭାରତରେ ସବୁ ଡାଇବେଟିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ଛଅ କୋଟି ଲୋକଙ୍କ ବୟସ ୬୦ ବର୍ଷ ଉପରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଯଦିଓ ଏହା ଯେକୌଣସି ବୟସର ଲୋକଙ୍କୁ ହୋଇପାରେ କିନ୍ତୁ ବେଶୀ ପ୍ରଭାବିତ ହୁଅନ୍ତି ଏହି ବୟସର ଲୋକମାନେ। ସାଧାରଣତଃ ଆମର ଧାରଣା ଥାଏ ଯେ, ଡାଇବେଟିସ ବା ମଧୁମେହ ରୋଗର ସଂପୂର୍ଣ୍ଣ ରୂପେ ନିରାକରଣ ସହଜ ନୁହେଁ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୳ ହେବେ ଯେ, ସୁଷମ ଖାଦ୍ୟ ଓ ଉପଯୁକ୍ତ ପୋଷଣ ଗ୍ରହଣ ଦ୍ଵାରା ଡାଇବେଟିସ୍‌କୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ I ତେବେ ପ୍ରଥମେ ଆସନ୍ତୁ ଜାଣିବା ଡାଇବେଟିସ୍ ବା ମଧୁମେହ କାହିଁକି ହୁଏ।

ଆମେ ଯେଉଁ ଖାଦ୍ୟ ଖାଉ ତାହା ପାକସ୍ଥଳୀରେ ହଜମ ହୋଇ ଶ୍ଵେତସାର ବା ଶର୍କରାରେ ପରିଣତ ହୋଇ ରକ୍ତରେ ମିଶେ ୲ ଯେବେ ଏହି ଶର୍କରା ଆମ ଶରୀରରେ ଠିକରେ ବିନିଯୋଗ ନ ହୋଇପାରେ ତେବେ ରକ୍ତରେ ଶର୍କରା ବା ଗ୍ଲୁକୋଜ୍‌ର ପରିମାଣ ଅସ୍ଵାଭାବିକ ଭାବେ ବଢିଯାଏ ୲ ଏହା ଫଳରେ ସ୍ନେହସାର ଓ ପୁଷ୍ଟିସାରର ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଠିକ୍‌ରେ ହୋଇପାରେ ନାହିଁ । ରକ୍ତରେ ଶର୍କରା ବଢିବାକୁ ନିୟନ୍ତ୍ରିତ କରୁଥିବା ହର୍‌ମୋନ୍ ଇନ୍‌ସୁଲିନ୍ ଯାହାକି ଆମର ପାନ୍‌କ୍ରିଆସ ବା ଅଗ୍ନାଶୟରୁ କ୍ଷରିତ ହୁଏ ତାହା ମଧ୍ୟ କମ୍ ହୋଇଯାଏ । ତେଣୁ ଏହା ଧିରେ ଧିରେ ଆମର କିଡ୍‌ନୀ, ମସ୍ତିଷ୍କ, ଆଖି ଆଦି ଅଙ୍ଗ ଏପରିକି ଆମର ସ୍ନାୟୁତନ୍ତ୍ର ବା ନର୍ଭସ୍ ସିଷ୍ଟମ୍ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । ଏହା ବିଭିନ୍ନ ଶାରୀରିକ ପ୍ରକ୍ରିୟାରେ ଏପରି ଅନିୟମିତତା ସୃଷ୍ଟି କରେ ଯାହାକି ଜୀବନ ସାରା ପାଇଁ ଲାଗି ରୁହେ।

ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ଆମକୁ ଔଷଧ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ। ଏହା ବ୍ୟତୀତ ଶାରୀରିକ କାର୍ଯ୍ୟ ଓ ନିୟମିତ ବ୍ୟାୟାମ ମଧ୍ୟ ନିହାତି ଜରୁରୀ । ତେବେ ଯେବେ ଜଣେ ବୟସ୍କ ବ୍ୟକ୍ତି ଡାଇବେଟିସ୍ ପାଇଁ ଏକ ଡାଏଟ୍ ଚାଟ୍ ବା ଖାଦ୍ୟ ତାଲିକା ପାଇଁ ଡାଏଟିସିଆନଙ୍କ ପାଖକୁ ଯାଆନ୍ତି ସେ ଏପରି ଅତିରଞ୍ଜିତ କରି ଏକ ତାଲିକା ଧରାଇ ଦିଅନ୍ତି ଯେ ଯାହାକୁ ମାନିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଏ। ସେମାନଙ୍କର ପ୍ରିୟ ଖାଦ୍ୟ ସବୁ ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯାଏ।

ତେଣୁ ଏଠାରେ ଆପଣଙ୍କ ପାଇଁ ଏକ ଏପରି ଡାଏଟ୍ ଚାଟ୍ ଆମେ ପ୍ରସ୍ତୁତ କରିଛୁ ଯାହାକୁ ଆପଣଙ୍କୁ ଅନୁକରଣ କରିବାକୁ ଖୁବ ସହଜ ହେବା ସଙ୍ଗେ ସଙ୍ଗେ ରକ୍ତରେ ସୁଗାର ଓ କୋଲେଷ୍ଚ୍ରଲ୍‌ ପରିମାଣ କମେଇବାରେ ଫଳପ୍ରଦ ମଧ୍ୟ ହେବ।

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। କିନ୍ତୁ ପ୍ରକୃତରେ, ଆମକୁ ଦେଖିବା ଦରକାର ଯେ ଆମେ କେତେ ପରିମାଣର ଖାଉଛେ। ଏଣୁ ଏକ ଡାଇବେଟିକ୍ ଡାଏଟ୍ ଚାଟ୍ ବନେଇଲା ବେଳେ ଆମକୁ ଦେଖିବାକୁ ହେବ ଯେ ସେଥିରେ ଜଣେ ବ୍ୟକ୍ତି ପାଇଁ ସର୍ବନିମ୍ନ ପୋଷକ ତତ୍ତ୍ୱ ରହିଛି ଓ ତାହା ଠିକ ରୂପେ ଶରୀରର ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଶର୍କରା ମାନକକୁ କମ୍ କରିପାରୁଥିବ। ଏବେ ଆସନ୍ତୁ ଦେଖିବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।

ସକାଳ ଜଳଖିଆ:

ସକାଳୁ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍ ଉଷୁମ ପାଣି ପିଇବା ପରେ ଯାଇ ଯାହା ଖାଇବା ଆରମ୍ଭ କରିବା ଉଚିତ। ତା’ ପରେ କିଛି ଚଲାବୁଲା ଓ ବ୍ୟାୟାମ ସାରି ଜଳଖିଆ ଖାଇବା ଦରକାର। ଜଳଖିଆରେ ବେଶୀ ତନ୍ତୁ ଜାତୀୟ ଖାଦ୍ୟ ବା ଫାଇବର୍ ଥିବା ଖାଦ୍ୟ ଖାଇବା ଜରୁରୀ। ଓଟ୍‌ସ୍, କିନୁଆ, ସୁଜି ଆଦି ଉପମା କରି ଖାଇପାରିବେ। ଯଦି ଉପମା ପସନ୍ଦ ନୁହେଁ ତେବେ ଏସବୁକୁ ପାଣିରେ ସିଝାଇ, ଗାଜର, ବିନ୍ସ୍ ଆଦି ପୁର ଦେଇ ଇଡ୍‌ଲି ବନେଇ ଖାଇପାରିବେ। ତା’ ସାଙ୍ଗରେ ସମ୍ୱର କିମ୍ୱା ମଟର ତରକାରି ଲଗାଇ ଖାଇପାରିବେ। ଯଦି ଏସବୁ କିଛି ବି କରିବାକୁ ସମୟ ନାହିଁ ତେବେ ବି ବ୍ୟସ୍ତ ହୁଅନ୍ତୁ ନି। ପୂର୍ବ ରାତିର ବଳକା ରୁଟି ସହ ପରିବା ଭାଜି ଖାଇପାରିବେ ଯାହାକି ଖୁବ୍ କମ ସମୟରେ ପ୍ରସ୍ତୁତ ହେଇଯିବ।

ବିଭିନ୍ନ କାମରେ ବ୍ୟସ୍ତ ରହି ଆମେ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଭିତରେ ବହୁତ ସମୟ ଖାଲି ପେଟ ରହିଯାଉ। କିନ୍ତୁ ଭଲରେ ଭୋକ ନ ଲାଗିଲେ ବି ଦିନର ମୁଖ୍ୟ ତିନୋଟି ଖାଇବା (ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ) ମଧ୍ୟରେ କିଛି ଅଳ୍ପ ପରିମାଣର ଖାଇବା ଜରୁରୀ ହୋଇଥାଏ।

ଏଣୁ ସକାଳ ୧୧ଟାରେ କିଛି ସ୍ନାକ୍ସ ଯେପରି ସୁଗାର ଫ୍ରି ବିସ୍କୁଟ୍ସ, ଗଜା ମୁଗ, ବୁଟ ଆଦିର ଟାଟ୍, ଭେଜିଟେବଲ୍‌ ସୁପ୍, ପିଜୁଳି, ସେଓ ଆଦି ଫଳ ନେଇପାରିବେ। ଏହିସବୁକୁ ଆପଣ ସୁବିଧା ଅନୁସାରେ ସଂଧ୍ୟା ସମୟର ସ୍ନାକ୍ସ ରୂପେ ମଧ୍ୟ ନେଇପାରିବେ।

These information below get rid from diabetesଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା

ମଧ୍ୟାହ୍ନ ଭୋଜନ:

ସାଧାରଣତଃ ଡାଇବେଟିସ୍‌ରେ ଭାତ ଖାଇବାକୁ ଡାକ୍ତର ମନା କରନ୍ତି। କାରଣ ଭାତର ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକା। ତେଣୁ ଡାକ୍ତର ରୁଟି ଖାଇବାକୁ କୁହନ୍ତି। ପ୍ରକୃତରେ ଉଷୁନା ଭାତର ଗ୍ଲାଇସେମିକ୍ ଇଣ୍ଡେକ୍ସ ଖୁବ୍ କମ୍। ତେଣୁ ଅରୁଆ ଭାତ ନ ଖାଇ ଉଷୁନା ଭାତ ଖାଇବା ଉଚିତ। ଆମେ ଖାଉଥିବା ରୁଟି ଗହମରୁ ହେଉଥିବାରୁ ସେଥିରେ ଗ୍ଲୁଟେନ୍ (gluten) ନାମକ ପ୍ରୋଟିନ୍ ରହିଥାଏ। ଏହା ନିୟମିତ ଖାଇଲେ ଆମ କିଡ୍‌ନୀ ଉପରେ ଖରାପ ପ୍ରଭାବ ପକାଏ। ଏଣୁ ଗହମ ଅଟା ସହିତ ବେସନ, ସୋୟା ଅଟା, ବାଜରା ଆଦି ମିଶାଇ ରୁଟି କରନ୍ତୁ। ସେଥିରେ କିଛି ପରିବା ମଧ୍ୟ ମିଶାଇ ପାରିବେ।

ଏହା ସହ ଖାଇବାକୁ ପନୀର, ସୋୟାବିନ୍, ମାଛ, ଡାଲମା ଆଦି କରିପାରିବେ। ଗୋଟିଏ ଜିନିଷ ସବୁଦିନ ନ କରି ସପ୍ତାହରେ ଦୁଇ ତିନି ଦିନରେ ଏକ ପ୍ରକାର ଖାଦ୍ୟ ବନେଇ ଖାଆନ୍ତୁ।

ରାତ୍ରି ଭୋଜନ:

ରାତିରେ ଖୁବ୍ କମ୍ ପରିମାଣର ଖାଇବା ଜରୁରୀ ହୋଇଥାଏ, କାରଣ ରାତିବେଳା ଆମକୁ ବିଶ୍ରାମ ନେବାକୁ ହୁଏ ଓ ସେଥିପାଇଁ ପାଚନ କ୍ରିୟା ଧୀର ଥାଏ। ଦୁଇ ପଟ ରୁଟି ସହିତ ସନ୍ତୁଳା, ସାଲାଡ୍‌ ଓ ଡବଲ ଟୋନଡ କ୍ଷୀର ସବୁଠାରୁ ଭଲ ହୋଇଥାଏ।

କେବଳ ଖାଦ୍ୟ ନୁହେଁ ବରଂ ଶାରୀରିକ ବ୍ୟାୟାମ ଆଦି ମଧ୍ୟ ସମାନ ପରିମାଣରେ ଏକ ଡାଇବେଟିସ୍ ରୋଗୀ ପାଇଁ ଜରୁରୀ। ନିଜ ଖାଇବାରେ ଅଧିକ କଞ୍ଚା ଫଳ ଓ ପନିପରିବା ମିଶେଇ ଖାଆନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ଏହିପରି ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିପାରିଲେ ଆମେ ନିଜ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣରେ ରଖି ଏକ ସୁସ୍ଥ ଜୀବନ ବଞ୍ଚିପାରିବା।