ଖରାଦିନ ଆସିଗଲେ ଆମ ଓଡ଼ିଆମାନଙ୍କ ମନକୁ ଆସୁଥିବା ପ୍ରଥମ ଖାଦ୍ୟ ହେଲା ପଖାଳ । ସାଧାରଣ ଶ୍ରମିକଟିଏ ହେଉ କି କୋଟିପତି ବ୍ୟବସାୟୀ, କି କୌଣସି ସରକାରୀ ଅଫିସର, କାମକୁ ଗଲାବେଳେ ପଖାଳ କଂସାଏ ଖାଇଦେଇ ଗଲେ ଦିନସାରା ଶାନ୍ତି। ଆପଣ ବି ନିଶ୍ଚୟ ପଖାଳର ଜଣେ ପ୍ରଶଂସକ ହୋଇଥିବେ। ଏବେ ସାମାଜିକ ଗଣମାଧ୍ୟମର ପ୍ରସାର ଓ ପ୍ରଚାର ଫଳରେ ପଖାଳର ଚାହିଦା ଧିରେ ଧିରେ ସାରା ଭାରତକୁ ବ୍ୟାପିଛି। ଆମ ଓଡ଼ିଶାର ଆରାଧ୍ୟ ପ୍ରଭୁ ଜଗନ୍ନାଥ ମଧ୍ୟ ନିତି ଷାଠିଏ ପଉଟି ସହ ପଖାଳ ନଖାଇଲେ ତାଙ୍କର ପେଟ ପୂରେନି।
ଏହି ବିଷୟରେ ଏକ ଧାଡ଼ି ଆପଣ ଜାଣିଥିବେ- ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା । ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଲୋକମାନେ ପଖାଳକୁ ନିତିଦିନିଆ ଖାଦ୍ୟ ରୂପେ ଖାଆନ୍ତି । ତେବେ ଆପଣ ଜାଣନ୍ତି କି ପଖାଳର କେବଳ ଯେ ସ୍ୱାଦ ଭଲ ତାହା ନୁହେଁ, ଏହାର ଅନେକ ପୁଷ୍ଟିକର ଗୁଣ ମଧ୍ୟ ରହିଛି । ଏବେ ଆସନ୍ତୁ ଆଜି ସେହି ବିଷୟରେ କଥାହେବା ।
ପଖାଳ ବିଭିନ୍ନ ପ୍ରକାରର ହୋଇଥାଏ । ବାସି ପଖାଳ, ସଜ ପଖାଳ, ଚାଇଁ ପଖାଳ, ଦହି ପଖାଳ ଇତ୍ୟାଦି । ଏହା ଏପରି ଏକ ଖାଦ୍ୟ କମ୍ ଖର୍ଚ୍ଚରେ ଯେତେ ପ୍ରକାର ଇଛା ସେତେ ପ୍ରକାରର ଫ୍ଲେଭର ଦେଇ ଏହାକୁ ପ୍ରସ୍ତୁତ କରିପାରିବେ । ସାଧାରଣତଃ ନିତି ଖାଇବା ପାଇଁ ଆମେ ଲେମ୍ୱୁ, ଦହି, ଅଦା, ଭୃସୁଙ୍ଗା ପତ୍ର, ଲଙ୍କା ଆଦି ପଖାଳରେ ବ୍ୟବହାର କରିଥାଉ । ଏସବୁ ପଖାଳର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏବେ ଜାଣିବା ଏହି ଅତି ସାଧାରଣ ଭାବେ ପ୍ରସ୍ତୁତ ପାଣି ମିଶା ଭାତରେ ପୁଣି କି ପୋଷଣ ରହିଛି ।
Also Read
ଭାତକୁ ରାତିସାରା ପାଣିରେ ପକାଇ ସକାଳୁ ପଖାଳ କରି ଖିଆଯାଏ । ରାତିସାରା ଏହା ଫରମେଣ୍ଟ ବାକିଣ୍ୱନ ହୋଇ ଏଥିରେ ବ୍ୟାକ୍ଟେରିଆ ବଢ଼ିଥାଆନ୍ତି ଯେଉଁଗୁଡ଼ିକ କି ଆମ ଶରୀର ପାଇଁ ଲାଭଦାୟୀ ଅଟନ୍ତି । ଏହି ବ୍ୟାକ୍ଟେରିଆଗୁଡ଼ିକ ଆମ ପାକସ୍ଥଳୀକୁ ସଫା ରଖି ହଜମ ଶକ୍ତି ନିୟନ୍ତ୍ରିତ କରିଥାଆନ୍ତି । ପଖାଳରେ ଗରମ ଭାତ ଅପେକ୍ଷା 50-60 ପ୍ରତିଶତ କମ୍ କ୍ୟାଲେରୀ ଥାଏ। ତେଣୁ ଏହା ଶରୀରର ଓଜନ ନିୟନ୍ତ୍ରଣରେ ରଖେ। ଏହା ଆମ ପାଚନ ତନ୍ତ୍ରକୁ ଥଣ୍ଡା ରଖିବା ସହ ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ପରି ରୋଗରୁ ମୁକ୍ତି ଦେଇଥାଏ। ଆପଣ ପେଟ ଠିକ୍ ରଖିବା ପାଇଁ ପ୍ରୋବାୟୋଟିକ୍ ଖାଇବା କଥା ଜାଣିଥିବେ ।
ହେଲେ ପଖାଳରେ ଥିବା ଉପକାରୀ ବ୍ୟାକ୍ଟେରିଆଗୁଡ଼ିକ ପ୍ରାକୃତିକ ପ୍ରୋବାୟୋଟିକ୍ ପରି କାମ କରନ୍ତି । ସୋଡ଼ିୟମ, ପୋଟାସିୟମ୍ ଓ କ୍ୟାଲସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ ସବୁରେ ସମୃଦ୍ଧ ପଖାଳ। ଆମ ଶରୀରର ମିନେରାଲ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଡାଇରିଆ ପରି ପେଟ ରାଗ ପାଇଁ ପଖାଳ ଏକ ମହୌଷଧୀ। ନିୟମିତ ପଖାଳ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରୁହେ । ପଖାଳରେ ଶ୍ୱେତସାର ଥାଏ ଓ ଏହା ସାଙ୍ଗରେ ଖିଆଯାଉଥିବା ଶାଗଭଜା, ବାଇଗଣ ଭର୍ତ୍ତା, ବଡ଼ି, ମାଛ ଭଜା ଇତ୍ୟାଦିରେ ଭିଟାମିନ୍, ପ୍ରୋଟିନ୍, ସ୍ନେହସାର ଆଦି ଖାଦ୍ୟସାର ଥାଏ । ତେବେ ବିଚାର କରନ୍ତୁ ପଖାଳ ଖାଇଲେ ଆପଣ ଏକ ସଂପୂର୍ଣ୍ଣ ସନ୍ତୁଳିତ ଭୋଜନ କରୁଛନ୍ତି କି ନାହିଁ ।
ନିକଟରେ ଏମ୍ସ ଭୁବନେଶ୍ୱର ଦ୍ୱରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପଖାଳରେ ଥିବା ଲାକ୍ଟୋବ୍ୟାସିଲସ୍ ବ୍ୟାକ୍ଟେରିଆ ପାକସ୍ଥଳୀ ଓ କ୍ଷୁଦାନ୍ତ୍ରର କ୍ଷତ ଭଲ କରିବାରେ ସକ୍ଷମ । ଏହା ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଗର୍ଭବସ୍ଥାରେ ପଖାଳ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶରେ ବୃଦ୍ଧି ହେବା ସହିତ ସହଜ ପ୍ରସବ ହୋଇଥାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି ।
ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ । କିନ୍ତୁ ଏବେ ଫାଷ୍ଟଫୁଡ୍ ଓ ବାହାର ଖାଦ୍ୟର ଚାହିଦା ଭିତରେ ପଖାଳର ଏହି ଉପକାରୀ ଗୁଣଗୁଡ଼ିକ ଦୃଷ୍ଟିରେ ରଖି ଆମର ପାରମ୍ପାରିକ ଖାଦ୍ୟକୁ ଗୁରୁତ୍ୱ ଦେଲେ ବହୁ ରୋଗରୁ ରକ୍ଷା ମିଳିପାରନ୍ତା । ଆମେ ଜାଣିପାରୁନେ ଆମ ଖାଦ୍ୟରେ ଏପରି ସବୁ ଔଷଧୀୟ ଗୁଣ ରହିଛି । ଖରାଦିନେ ଲସି, କୋଲ୍ଡ ଡ୍ରିଙ୍କସ୍ ଆଦି ନ ପିଇ କାମରୁ ଘରକୁ ଫେରି ଗିନାଏ ପଖାଳ ତୋରାଣିରେ ଯେଉଁ ଆନନ୍ଦ, ଯିଏ ଖାଇଛି ସେ ଜାଣିଛି । କିନ୍ତୁ ଆୟୁର୍ବେଦ କହିଛି ଯେକୌଣସି ଖାଦ୍ୟ ବେଶୀ ଖାଇଲେ ଏହା ଆମ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଏଣୁ ନିୟମିତ ଥରେ ମିଲ୍ ଖାଇବା ପରି ଦରକାର ପରିମାଣର ପଖାଳ ଖାଆନ୍ତୁ । ଏହା ଦ୍ୱାରା ପେଟ ସୁସ୍ଥ ରହିବା ସାଙ୍ଗେ ମନ ବି ସୁସ୍ଥ ରହିବ ।
(ବି.ଦ୍ର: ଏ ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)