Advertisment

ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ

ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍‌ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍‌ରେ ଅଟଳ।

author-image
Sukanti Rout
ଅଦ୍ୟତନ ହୋଇଛି
War is the other name of ego

War is the other name of ego

ଯୁଦ୍ଧ ଚାଲିଛି। ଦୁଇ ରାଷ୍ଟ୍ରର ମୁଖ୍ୟ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲିମିଡର୍ ଜେଲେସ୍କି ଓ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଖୁଛନ୍ତି। କେମିତି ନିଜ ନିଜ ସେନା ଜୀବନକୁ ବାଜି ଲଗାଇ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍‌ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍‌ରେ ଅଟଳ।

Advertisment

ଆମେରିକା କଥାରେ ଭାସିଯାଇ ନାଟୋରେ ସାମିଲ୍‍ ହେବା ନେଇ ଯୋଜନା କରୁଥିବା ୟୁକ୍ରେନ୍‍ କିନ୍ତୁ ଏବେ ଲକ୍ଷ୍ୟପଥରୁ ବିଚ୍ୟୁତ ହେବା ନେଇ ଏକ ପ୍ରକାର ନିଶ୍ଚିତ କରିସାରିଥିବ। ଶକ୍ତିଶାଳୀ ଋଷ୍‌ ପାଖେ ପରାଜୟ ସ୍ୱୀକାର କରିବା ନିଶ୍ଚିତ ରୂପେ ୟୁକ୍ରେନ୍‌କୁ ଶକ୍ତ ଧକ୍କା ସଦୃଶ। ନିଜର ଜିଦ୍‌ ଆଉ ଅହଂକାର ପାଇଁ ତାହା କରିପାରୁନି କେହି ଯୁଦ୍ଧରୁ ବିରତ ରହୁନାହାନ୍ତି। ଫଳରେ ରୁଷ୍‍ ଆଜି ବି ୟୁକ୍ରେନ୍‍ ସହ ଯୁଦ୍ଧ ଜାରି ରଖିଛି।

ଋଷ୍‌ ଚାହେଁ ଆମେରିକା କିମ୍ବା ନାଟୋ ସହ କୌଣସି କୂଟନୈତିକ ସମ୍ପର୍କ ନ ରଖି ନିଜର ସ୍ୱାଧୀନତା ଏବଂ ସ୍ୱାଭିମାନ ବଜାୟ ରଖୁ ୟୁକ୍ରେନ୍‌। କିନ୍ତୁ ୟୁକ୍ରେନ୍‌ ଏହାର ଓଲଟା ଚାହୁଁଛି। ସେ ତାର ଆଧିପତ୍ୟ ଜାହିର କରିବାକୁ ଚାହେଁ। ଯେଉଁଥିପାଇଁ ଆଜିର ଏ ଘମାଘୋଟ୍‍ ଯୁଦ୍ଧ। ଋଷ୍‌ର ସାମର୍ଥ୍ୟ ଦୃଷ୍ଟିକୋଣରୁ ୟୁକ୍ରେନ ବହୁତ ପଛରେ। ସ୍ୱାର୍ଥ ହାସଲ ପାଇଁ କେହି କିଛି ବି କରିପାରେ। ଯେଉଁ ସ୍ୱାର୍ଥକୁ ହାସଲ ପାଇଁ ରୁଷ ୟୁକ୍ରେନ୍‌ ବିରୋଧରେ କରୁଛି ଲଢ଼େଇ। ୨୦ ଦିନ ହେଲା ଚାଲିଛି ଘମାଘୋଟ ଯୁଦ୍ଧ। କେହି କାହାରିକୁ ଛାଡ଼ିବାକୁ ରାଜି ନୁହେଁ।

Advertisment

ଅହରହ ଗୁଳି-କ୍ଷେପଣାସ୍ତ୍ର ମାଡ । ଆଉ ଏଥିରେ ଶିକାର ହେଉଛନ୍ତି ନିରୀହ ଜନସାଧାରଣ। ଏହା ଦ୍ୱାରା ଦୁଇ ରାଷ୍ଟ୍ରର ଅର୍ଥନୈତିକ ବିପର୍ଯ୍ୟୟ ଘଟୁଛି। ଦୁଇ ରାଷ୍ଟ୍ର ମଧ୍ୟରେ କେବେ ଥମିବ ଯୁଦ୍ଧ, ସେକଥା ସାଂପ୍ରତିକ ସ୍ଥିତିରେ ଆକଳନ କରିବା କଷ୍ଟସାଧ୍ୟ। ଯୁଦ୍ଧର ପ୍ରଭାବ ଖାଲି ଋଷ୍‌ କି ୟୁକ୍ରେନକୁ କ୍ଷତି ଆଣିନି, ସମଗ୍ର ବିଶ୍ୱବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି ଓ ଆଗାମୀ ଦିନରେ ଆହୁରି ସାଂଘାତି ଭାବେ ପ୍ରଭାବିତ କରିବ।

ଏ କଥାକୁ ଦୁଇ ବିଜ୍ଞ ମୁଖିଆ ମଧ୍ୟ ବେଶ ଭଲଭାବେ ଜାଣି ବି କେହି କାହାରି ଅହଂକାର ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଏଥିରୁ କେବଳ ୨ରୁ ୩ ପ୍ରତିଶତ ଆମଦାନୀ ଋଷ୍‌ରୁ ହୋଇଥାଏ। କିନ୍ତୁ ୟୁକ୍ରେନ ସଙ୍କଟ ପରେ ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ରୁଷ ଶସ୍ତାରେ ତେଲ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଯୁଦ୍ଧର ପ୍ରଭାବ ବିଶ୍ୱର ସମସ୍ତ ରାଷ୍ଟ୍ର ଉପରେ ପଡ଼ିସାରିଲାଣି।
ବିଶ୍ୱର ଶକ୍ତିଶାଳୀ ସେନା ସହ ଏକା ଏକା ଯୁଦ୍ଧ ଲଢ଼ୁଛି ୟୁକ୍ରେନ୍‌। ଅବଶ୍ୟ ଏଥିପାଇଁ ଯୁକ୍ରେନ୍‌ର ଦମ୍ଭକୁ ସାବାସୀ ଦେବାକୁ ପଡ଼ିବ। ସଙ୍କଟ ସମୟରେ ୟୁକ୍ରେନ୍‌ ସାଥ ମାଗିଥିଲେ ମଧ୍ୟ କେହି ଆଗେଇ ଆସି ନ ଥିଲେ। ନିଜର ହକ୍‌ ପାଇଁ ନିଜକୁ ହିଁ ଲଢ଼ିବାକୁ ହେବ, ଏକଥାକୁ ମଧ୍ୟ ବେଶ୍‌ ଭଲଭାବେ ବୁଝିସାରିଛନ୍ତି ଯୁକ୍ରେନ୍‌ ମୁଖ୍ୟ।

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଖାରକିଭ୍‌ରେ ଧ୍ୱଂସର ଲୀଳା ଦେଖିଛି ସାରାବିଶ୍ୱ। ଏସବୁ ସତ୍ତ୍ୱେ ବି ବିଶ୍ୱର କୌଣସି ରାଷ୍ଟ୍ର ଆନ୍ତରିକ ସହାୟତା ପ୍ରଦାନ କରିନାହାନ୍ତି। ଋଷ୍‌ ହୁଏତ ୟୁକ୍ରେନ୍ ସହିତ ଯୁଦ୍ଧରେ ବାଜିମାତ୍‌ ମାରିପାରେ। କିନ୍ତୁ ଏହି ଯୁଦ୍ଧ ଦ୍ୱାରା ଋଷ୍‌ର କ୍ଷତି ହୋଇନି, ସେକଥା ନୁହେଁ। ୟୁକ୍ରେନ୍‌ ଠାରୁ ଅଧିକ କ୍ଷତି ସହିବ ରୁଷ। ଏସବୁ ସତ୍ତ୍ୱେ ବି ନିଜ ଜିଦ୍‌ରେ ଅଟଳ ଋଷ୍‌।
କୌଣସି ରାଷ୍ଟ୍ରକୁ ପରମାଣୁ ଧମକ ଦେଇ ଅଧିକାର ଜାହିର କରାଯାଏନାହିଁ। ହୁଏତ ଭୟରେ ୟୁକ୍ରେନ ସବୁକିଛି ସର୍ତ୍ତକୁ ମାନିନେବ। କିନ୍ତୁ ସମଗ୍ର ବିଶ୍ୱ ଏହାକୁ ନେଇ ଚିନ୍ତିତ ଥିବାବେଳେ ଏ ଦୁଇ ରାଷ୍ଟ୍ର ମୁଖ୍ୟ କିନ୍ତୁ ଆଦୌ ବିଚଳିତ ନ ଥିବା ପରି ମନେ ହେଉଛି। ଯୁଦ୍ଧ ପୃଥିବୀ ଇତିହାସରେ ନୂଆ ନୁହେଁ।

ଅତୀତରେ ଚାଇନା- ଭାରତ ମଧ୍ୟରେ ଯୁଦ୍ଧ ଲାଗିଥିଲା। ୧୯୬୨ ମସିହାରେ ସେଇ ଭୟଙ୍କର ଯୁଦ୍ଧର ଦୃଶ୍ୟ ଏବେ ବି ମନେ ପଡ଼ିଲେ ଛାତି ଥରାଇଦିଏ। ଚାଇନା ଅବଶ୍ୟ କୂଟନୀତି ପ୍ରୟୋଗ କରି ଯୁଦ୍ଧରେ ଜିତିଯାଇଛି, କିନ୍ତୁ ଏତେ ସହଜରେ ହାର୍‍ ମାନିନି ଭାରତ। ଆକସ୍ମିକ ଭାବେ ଭାରତ ଉପରେ ବାରମ୍ବାର ଆକ୍ରମଣ କରି କୂଟବୁଦ୍ଧିର ପରିଚୟ ଦେଇଛି।

ଆଜିର ଦିନରେ ବି ଭାରତ ପଛରେ ଲାଗିଛି ଚାଇନା। ସେମିତି ଭାରତର ଜନ୍ମଗତ ଶତ୍ରୁ ପାକିସ୍ତାନ ଓ ଭାରତ ମଧ୍ୟରେ ମଧ୍ୟ ଯୁଦ୍ଧ ଭଳି ପରିସ୍ଥିତି। ଯଦିଓ ଏବେ ତାହା ଶିଥିଳ ହୋଇପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନକୁ ଏତେ ସହଜରେ ବିଶ୍ୱାସ କରାଯାଇ ନ ପାରେ। କେଉଁ ସମୟରେ ବି ଖଳବୁଦ୍ଧିର ପ୍ରୟୋଗ କରି ଭାରତ ଉପରେ ଆକ୍ରମଣ କରିପାରେ। ଆଉ ଖାସ୍‌ ସେଥିପାଇଁ ସବୁ ସମୟରେ ପାକିସ୍ତାନ ଚାଇନା ସପକ୍ଷରେ ରହିଛି।

ବିଶ୍ୱର କୌଣସି ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଲାଗିରହିଲେ ଏହାର ପରିଣାମ ଖାଲି ଦୁଇ ରାଷ୍ଟ୍ର ନୁହେଁ, ସମଗ୍ର ବିଶ୍ୱବାସୀ ହିଁ ଭୋଗନ୍ତି। ୟୁକ୍ରେନ୍ ରୁଷର ଫାଇଟର୍ ଜେଟ୍, ଅନେକ ହେଲିକପ୍ଟର, ଟ୍ୟାଙ୍କ ଆଉ ଶତାଧିକ ଏଏଫଭି ଧ୍ୱଂସ କରିସାରିଲାଣି । ଋଷ୍‌ର କ୍ଷେପଣାସ୍ତ୍ର, ବୋମା ମାଡ଼ରେ ଥରହର ୟୁକ୍ରେନ୍‌। ଏମିତି କି ଏକାଧିକ ସହର ୟୁକ୍ରେନର ଏବେ ପାଉଁଶଗଦାରେ ଶୋଇଛି।

ଯୁଦ୍ଧ ଆଜକୁ ୨୦ ଦିନରେ ପହଞ୍ଚିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏହା ଭିତରେ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି। ନିଷ୍କର୍ସ ନବାହାରିବା ପର୍ଯ୍ୟନ୍ତ ରୁଷ ଏମିତି ଆକ୍ରମଣ ଜାରି ରଖିବ ଦମ୍ଭୋକ୍ତି କରୁଛି। ସାମାଜିକ, ଭୌଗୋଳିକ, ଆର୍ଥିକ ଓ ପ୍ରତିରକ୍ଷା ଭିତ୍ତିଭୂମିକୁ ଆଧାର କରି ଋଷିଆ ଏବେ ୟୁକ୍ରେନ୍‌ ଠାରୁ ଅନେକ ଆଗରେ। ଯେଉଁଥିପାଇଁ ୟୁକ୍ରେନ୍‌ର ନରମ ଆଭିମୁଖ୍ୟ ସତ୍ତ୍ୱେ ବି ନିଜର ସ୍ୱାର୍ଥ ହାସଲ ନ ହେଲେ ଯୁଦ୍ଧରୁ ବିରତ ରହିବାକୁ ନାରାଜ। ସେପଟେ ୟୁକ୍ରେନ୍‌ରେ ଯାହା ବି କ୍ଷତି ହେଉଛି, ଋଷ୍‌ ହିଁ ସବୁ କ୍ଷତି ଭରଣା କରିବ ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେସ୍କି।
ତେବେ ଯେ ଯାହା ହେଉନା କାହିଁକି, ଯୁଦ୍ଧର ଶେଷକଥା ଧ୍ୱଂସ ବ୍ୟତୀତ ଆଉ କିଛି ନୁହେଁ। ଯୁଦ୍ଧର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ିଲାଣି। ତେଣୁ ଅହଂକାରକୁ ଛାଡ଼ି ଦୁଇ ରାଷ୍ଟ୍ର ଯୁଦ୍ଧରୁ ଓହରି ସମସ୍ୟାର ସମାଧାନ ଖୋଜିବା ସମଗ୍ର ବିଶ୍ୱ ପାଇଁ ମଙ୍ଗଳମୟ ହେବ।
ଭୁବନେଶ୍ୱର, ଦୂରଭାଷ : ୮୮୯୫୩୦୪୫୫୬

(ବି.ଦ୍ର: ଏ ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Article
Advertisment
Advertisment