Advertisment

Sports: ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିବେ କି ଶାର୍ଦ୍ଦୁଳ ଠାକୁର ?

ରଣଜୀ ଟ୍ରଫି ୨୦୨୪-୨୫ ପରେ ଚଳିତ ଆଇପିଏଲ୍ ସିଜନ୍‌ରେ ବି ଚମକପ୍ରଦ ପ୍ରଦର୍ଶନ ଜରୁଛନ୍ତି ଶାର୍ଦ୍ଦୁଳ ଠାକୁର । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟେଷ୍ଟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ କି ଏହି ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌ ? ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମ ବିଚାରକୁ ନେବେ କି ଚୟନକାରୀ ?

author-image
Biswajit Mohanty
ଅଦ୍ୟତନ ହୋଇଛି
ଶାର୍ଦ୍ଦୁଳ ଠାକୁର

ଶାର୍ଦ୍ଦୁଳ ଠାକୁର

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ମାର୍ଚ୍ଚ ୨୮ରେ ଆୟୋଜିତ ଏକ ମ୍ୟାଚ୍‌ରେ ଅଧିକାଂଶ ଦର୍ଶକ ଭାବୁଥିଲେ ଯେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ବିପକ୍ଷରେ ସନ୍‌ରାଇଜର୍ସ ହାଇଦରାବାଦ (ଏସ୍‌ଆର୍‌ଏଚ୍‌) ବିଶାଳ ସ୍କୋର୍ ଛିଡ଼ା କରିବ । କିନ୍ତୁ ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ (ଚାରି ୱିକେଟ୍‌) ବଳରେ ହାଇଦରାବାଦ ଟିମ୍ ୨୦୦ ସ୍କୋର୍ ଅତିକ୍ରମ କରିପାରି ନ ଥିଲା । ଆଇପିଏଲ୍‌ର ପୂର୍ବ ନିଲାମରେ ଯେଉଁ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କୁ ନେବା ପାଇଁ କୌଣସି ଫ୍ରାଞ୍ଚାଇଜ୍ ଆଗ୍ରହ ପ୍ରକାଶ କରି ନ ଥିଲେ, ତାଙ୍କ ଯୋଗୁଁ ଲକ୍ଷ୍ନୌ ଟିମ୍ ବିଜୟୀ ହୋଇଥିଲା । ଏହା ପୂର୍ବରୁ ସେ ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଟିମ୍ ବିଶେଷକରି ଟେଷ୍ଟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ କି ଶାର୍ଦ୍ଦୁଳ? ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ନାମ ବିଚାରକୁ ନେବେ କି ଚୟନକାରୀ ?

Advertisment

ଏଲ୍‌ଏସ୍‌ଜିରୁ ଆସିଥିଲା ଅପ୍ରତ୍ୟାଶିତ ଫୋନ୍ କଲ୍‌

ଆଇପିଏଲ୍ ୨୦୨୫ ମେଗା ନିଲାମରେ ଶାର୍ଦ୍ଦୁଳ ବିକ୍ରି ହୋଇ ନ ଥିଲେ । ଏହାପରେ ତାଙ୍କ ଆଇପିଏଲ୍ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଥିଲା । ସେ ରଣଜୀ ଟ୍ରଫି ପରେ ଆଗାମୀ ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିବା ଲକ୍ଷ୍ୟରେ କାଉଣ୍ଟି ଚାମ୍ପିଅନ୍‌ସିପ୍‌ରେ ଏସେକ୍ସ ପକ୍ଷରୁ ଖେଳିବା ପାଇଁ ପ୍ରସ୍ତୁତି କରୁଥିଲେ ।

ଇତ୍ୟବସରରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଜଣେ ପେସର୍ ଆହତ ହୋଇଥିଲେ । ଶାର୍ଦ୍ଦୁଳଙ୍କୁ ଫ୍ରାଞ୍ଚାଇଜ୍‌ର ମେଣ୍ଟର ଜାହିର ଖାନ୍ ଫୋନ୍ କରିଥିଲେ । ସେହି ଅପ୍ରତ୍ୟାଶିତ କଲ୍ ତାଙ୍କ ଆଇପିଏଲ୍ କ୍ୟାରିଅର୍‌ରେ ପ୍ରାଣ ସଞ୍ଚାର କରିଥିଲା । ପୂର୍ବତନ ଭାରତୀୟ ପେସର୍ ଜାହିର କହିଥିଲେ ଯେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଟିମ୍ ତାଙ୍କୁ (ଶାର୍ଦ୍ଦୂଳ) ସମ୍ଭାବ୍ୟ ବିକଳ୍ପ ଦୃଷ୍ଟିରୁ ଦେଖୁଛି । ଯଦି ତାଙ୍କର ଚୟନ ହୁଏ, ତା’ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ହାଇଦରାବାଦ ବିପକ୍ଷରେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହେବା ପରେ ଶାର୍ଦ୍ଦୁଳ ଏ କଥା କହିଥିଲେ । ଚଳିତ ଆଇପିଏଲ୍‌ରେ ମାର୍ଚ୍ଚ ଶେଷ ସୁଦ୍ଧା ସେ ଦୁଇ ମ୍ୟାଚ୍‌ରେ ଛଅ ୱିକେଟ୍ ନେଇଛନ୍ତି ।

Advertisment

ରଣଜୀ ଟ୍ରଫିରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ଶାର୍ଦ୍ଦୁଳ ଠାକୁର ଶେଷ ଥର ୨୦୨୩ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍ ପକ୍ଷରୁ ଖେଳିଥିଲେ । ୨୦୨୪ରେ ଇଂଲଣ୍ଡ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ସୁଯୋଗ ମିଳି ନ ଥିଲା । ଏହାଛଡ଼ା ସୀମିତ ଓଭର୍ ପାଇଁ ମଧ୍ୟ ତାଙ୍କୁ ଟିମ୍‌ରେ ନିଆଯାଉ ନାହିଁ । ଏହା ଫଳରେ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି ।

ରଣଜୀ ଟ୍ରଫି ୨୦୨୪-୨୫ ସମୟରେ ଶାର୍ଦ୍ଦୂଳ ଟେଷ୍ଟ ଟିମ୍‌କୁ୍ ପ୍ରତ୍ୟାବର୍ତ୍ତନ ପାଇଁ ନିଜ ଦାବିଦାରୀ ଉପସ୍ଥାପନ କରିଥିଲେ । ସେ ମୁମ୍ବାଇ ପକ୍ଷରୁ ଉଭୟ ବଲ୍ ଓ ବ୍ୟାଟ୍‌ରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ । ସେ ନଅ ମ୍ୟାଚ୍‌ର ୧୮ ଇନିଂସ୍‌ରେ ୨୪.୯୭ ଆଭରେଜ୍ ଓ ୩.୫୧ ଇକୋନମୀ ରେଟ୍‌ରେ ୩୫ ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ୧୨ ଇନିଂସ୍‌ରେ ୪୨.୦୮ ଆଭରେଜ୍‌ରେ ବ୍ୟାଟିଂ କରି ୫୦୫ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ଚାରି ଅର୍ଦ୍ଧଶତକ ରହିଥିଲା ।

ଇଂଲଣ୍ଡ ଗସ୍ତରେ ମିଳିପାରେ ସୁଯୋଗ

ଶାର୍ଦ୍ଦୁଳ ଠାକୁରଙ୍କୁ ଗତ କିଛି ବର୍ଷ ଧରି ‘ସେନା ଦେଶସମୂହ’କୁ ଟେଷ୍ଟ ଗସ୍ତ ପାଇଁ ଭାରତୀୟ ଟିମ୍‌ରେ ଚୟନ କରାଯାଉଥିଲା । ତାଙ୍କ ଉପସ୍ଥିତି ଦ୍ୱାରା ବୋଲିଂ ସହିତ ବ୍ୟାଟିଂ ଲାଇନ୍‌-ଅପ୍ ବି ମଜଭୁତ ହେଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ମନୋନୀତ କରାଯାଇ ନ ଥିଲା । ନବାଗତ ନୀତୀଶ ରେଡ୍ଡୀଙ୍କୁ ସୁଯୋଗ ମିଳିଥିଲା । ସେହି ଗସ୍ତ ପୂର୍ବରୁ ଶାର୍ଦ୍ଦୁଳଙ୍କୁ ନିଆ ନ ଯିବା ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଶାର୍ଦ୍ଦୁଳଙ୍କ ଠାରୁ ଆଗକୁ ବଢ଼ିବାର ସଙ୍କେତ ଦେଇଥିଲେ । ନୀତୀଶ ଅଷ୍ଟ୍ରେଲିଆ ଗସ୍ତରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ, ହେଲେ ବୋଲିଂରେ ପ୍ରଭାବିତ କରିପାରି ନ ଥିଲେ । ଏପରି ସ୍ଥଳେ ଶାର୍ଦ୍ଦୁଳଙ୍କ ଭଳି ଜଣେ ଦକ୍ଷ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌ଙ୍କ ଅଭାବ ଅନୁଭୂତ ହୋଇଥିଲା ।

ଚର୍ଚ୍ଚା ହେଉଛି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି)ର ନୂଆ ଚକ୍ରରେ ଜୁନ୍‌-ଅଗଷ୍ଟରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ ପାଇଁ ଶାର୍ଦ୍ଦୁଳଙ୍କୁ ଟିମ୍‌ରେ ସାମିଲ୍ କରାଯାଇପାରେ । ଯଦି ତାଙ୍କୁ ଟିମ୍‌ରେ ନିଆଯାଏ, ତା’ହେଲେ ଭାରତ ପାଖରେ ଚାରି ପେସର୍ ବିକଳ୍ପ ରହିବ । ଆଠ ନମ୍ବର ଯାଏଁ ବ୍ୟାଟର୍ ରହିବେ । ସେ ଇଂଲଣ୍ଡରେ ଏ ଯାବତ ତିନି ଟେଷ୍ଟ ମ୍ୟାଚ୍ ଖେଳି ଛଅ ଇନିଂସ୍‌ରେ ୮ ୱିକେଟ୍ ନେଇଛନ୍ତି । ସେହିପରି ବ୍ୟାଟିଂରେ ସେ ପାଞ୍ଚ ଇନିଂସ୍‌ରେ ଦୁଇ ଅର୍ଦ୍ଧଶତକ ସହାୟତାରେ ୧୨୨ ରନ୍ କରିଛନ୍ତି ।

ଡବ୍ଲ୍ୟୁଟିସି ୨୦୨୩ ଫାଇନାଲ୍‌ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦୃଢ଼ ପ୍ରଦର୍ଶନ କରିଥିଲେ । ଭାରତର ପ୍ରଥମ ଇନିଂସ୍‌ରେ ସେ ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଟିମ୍‌କୁ ଦୁର୍ବଳ ସ୍ଥିତିରୁ ମୁକୁଳାଇଥିଲେ । ଅବଶ୍ୟ ଟିମ୍ ସେହି ମ୍ୟାଚ୍ ହାରିଯାଇଥିଲା । ଯଦି ଇଂଲଣ୍ଡ ଗସ୍ତ ପାଇଁ ୩୩ବର୍ଷୀୟ ଶାର୍ଦ୍ଦୁଳଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ୍ କରାଯାଏ, ତା’ହେଲେ ଟିମ୍‌ରେ ସ୍ଥାନ ସୁରକ୍ଷିତ ରଖିବା ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇପାରେ । ତାଙ୍କୁ ଫର୍ମ ବଜାୟ ରଖିବାକୁ ହେବ । ଏହା ସହିତ ଫିଟ୍‌ନେସ୍ ଉପରେ ବି ଧ୍ୟାନ ଦେବା ଜରୁରୀ ।

England Test Match Indian Cricket Indian Cricket Team Shardul Thakur Indian Cricketer
Advertisment
Advertisment