ଗୋଟେ ଆବେଗ, ଗୋଟେ ପରୀକ୍ଷଣ। ନୂଆ କିଛି କରି ଦେଖାଇ ଦେବାର ଆଗ୍ରହ। ଏଇଠୁ ହିଁ ଆରମ୍ଭ ହୋଇଥିଲା ଯାତ୍ରା 'ଖବର ଲହରିୟା'ର। ଚାରିଆଡେ ପାହାଡ଼ ଆଉ ଜଙ୍ଗଲ, ପୁଣି ଡାକୁଙ୍କ ଭୟ। ଏମିତି ଗୋଟାଏ ଦୁର୍ଗମ ଅଞ୍ଚଳର ସେତେବେଳେ ବାହାର ଦୁନିଆ ସହ ସମ୍ପର୍କ ପ୍ରାୟ ଆଦୌ ନ ଥିଲା କହିଲେ ଚଳେ। ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇ ସେ ଅଞ୍ଚଳର ଖବର ସଂଗ୍ରହ କରିବା ଏକଦମ ଗୋଟିଏ ବିରଳ କଥା ଥିଲା।
ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ପରିବ୍ୟାପ୍ତ ଏପରି ଏକ ଅଞ୍ଚଳ ବୁନ୍ଦେଲଖଣ୍ଡର ଲୋକମାନଙ୍କ ପାଖରେ ଗଣମାଧ୍ୟମର ସ୍ୱରକୁ ପହଞ୍ଚାଇବା ତଥା ସ୍ଥାନୀୟ ସମସ୍ୟା ସମ୍ବଳିତ ଖବର ସବୁକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଏଇ ଖବରକାଗଜ 'ଖବର ଲହରିୟା'। ସେ ପୁଣି ଅଳ୍ପ କିଛି ସ୍ଥାନୀୟ ମହିଳାଙ୍କୁ ନେଇ।
ପ୍ରଥମେ ଏହା ଥିଲା ମାତ୍ର ୨ପୃଷ୍ଠା ସମ୍ବଳିତ ହାତଲେଖା ଏକ ମାସିକ କଳାଧଳା ଖବରକାଗଜ। ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ନେଇଥିଲେ ନିଜେ ଖବରକାଗଜର ଜଣେ ମହିଳା ପ୍ରତିଷ୍ଠାତା ଓ ଅନ୍ୟ ସାମ୍ବାଦିକାମାନେ। ଏନେଇ ତାଙ୍କୁ ଅଧିକାଂଶ ସମୟରେ ୫/୬/୭ କିଲୋମିଟର କି ଦରକାର ପଡିଲେ ତା'ଠୁ ଅଧିକ ବାଟ ଚାଲିବାକୁ ପଡୁଥିଲା। ପ୍ରଥମେ ପ୍ରଥମେ ତ ଲୋକମାନେ ଏହାକୁ ଗ୍ରହଣ କଲେନି। ମହିଳାମାନେ ବି ସାମ୍ବାଦିକ ଭାବେ ଖବର ସଂଗ୍ରହ କରିପାରିବେ, ଏହାକୁ ମଧ୍ୟ ଅନେକ ଲୋକ ପସନ୍ଦ କରୁ ନଥିଲେ ଏବଂ ସେମାନଙ୍କୁ ଖବର ସଂଗ୍ରହରେ ଆଦୌ ସହଯୋଗ କରୁ ନଥିଲେ। କିନ୍ତୁ ଧୀରେଧୀରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଲା।
Also Read
ଲୋକମାନେ ଅନୁଭବ କଲେ ଯେ, ସେମାନଙ୍କ ନିଜ ଭାଷାରେ ପ୍ରକାଶିତ ଏଇ ଖବରକାଗଜଟି ସେମାନଙ୍କ ସମସ୍ୟାର କଥା କହୁଛି ଆଉ ସେସବୁକୁ ସଂପୃକ୍ତ ଅଧିକାରୀମାନଙ୍କ ପାଖରେ ପହଞ୍ଚାଇ ପାରିବା ସହ ସମାଧାନର ବାଟ ମଧ୍ୟ ଫିଟାଇପାରୁଛି। ତେଣୁ 'ଖବର ଲହରିୟା'ର ଚାହିଦାରେ ବୃଦ୍ଧି ଘଟିଲା। ଆଖପାଖ ଗାଁର ଲୋକମାନେ ନିଜେ ଅଫିସ୍ ଆସି କପି ନେବାକୁ ଲାଗିଲେ। କ୍ରମେ ଏହାର ଲୋକପ୍ରିୟତା ବଢ଼ିଲା ଓ ଆଗରୁ କେବଳ ଚିତ୍ରକୁଟ ମଧ୍ୟରେ ସୀମିତ ଥିବା ଏଇ ଖବରକାଗଜର ପ୍ରସାରଣ ସମ୍ପୂର୍ଣ୍ଣ ବୁନ୍ଦେଲଖଣ୍ଡ ଅଞ୍ଚଳରେ ହେବାକୁ ଲାଗିଲା।
ଏବେ 'ଖବର ଲହରିୟା' ବୁନ୍ଦେଲଖଣ୍ଡର ପରିସୀମାକୁ ଡେଇଁ ଦିଲ୍ଲୀରେ ପହଞ୍ଚିପାରିଛି। ଏହାର କାର୍ଯ୍ୟାଳୟ ଦିଲ୍ଲୀରେ ମଧ୍ୟ ରହିଛି। 'ଖବର ଲହରିୟା'ର ବିଶେଷତ୍ୱ ହେଉଛି, ଏହା ଆମ ଦେଶର ଏଭଳି ଏକମାତ୍ର ନ୍ୟୁଜ୍ ନେଟ୍ୱାର୍କ ଯାହା ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ତାହା ପୁଣି ସମାଜର ଦଳିତ ବର୍ଗ, ପଛୁଆ ଜାତି, ଆଦିବାସୀ ଓ ମୁସଲମାନ ମହିଳାଙ୍କୁ ନେଇ, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ ଶିକ୍ଷା ଏବେ ମଧ୍ୟ ଅପହଞ୍ଚ।
ମହିଳାମାନଙ୍କ ବିଭିନ୍ନ ସମସ୍ୟା ତଥା ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଦିଲ୍ଲୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ନିରନ୍ତର' ସହାୟତାରେ ପ୍ରଥମେ କବିତା ବୁନ୍ଦେଲଖଣ୍ଡୀ (ପୂର୍ବରୁ କବିତା ଦେବୀ ଭାବେ ପରିଚିତ ଥିଲେ) ଓ ମୀରା ଯାଥବଙ୍କ ଦ୍ୱାରା ୨୦୦୨ ମସିହା ମେ ମାସରେ ପ୍ରତିଷ୍ଠିତ 'ଖବର ଲହରିୟା' ୨୦୧୫ରୁ ଡିଜିଟାଲ୍ ନେଟ୍ୱାର୍କରେ ପରିଣତ ହୋଇସାରିଛି। ଏହାର ଶ୍ରେୟ କବିତା ମୁଖ୍ୟତଃ ବର୍ତ୍ତମାନର ବ୍ୟୁରୋଚିଫ୍ ମୀରଦେବୀଙ୍କୁ ଦିଅନ୍ତି, ଯାହାଙ୍କ ସହାୟତା ବିନା ଏହା ସମ୍ଭବ ହୋଇପାରି ନ ଥା'ନ୍ତା।
'ଖବର ଲହରିୟା'ର ଏଭଳି ସାହସିକ ପଦକ୍ଷେପକୁ ନେଇ ଓସ୍କାର ନୋମିନଟେଡ ଡକ୍ୟୁମେଣ୍ଟାରୀ 'ରାଇଟ୍ ଉଇଥ ଫାୟାର' ମଧ୍ୟ ଆଗରୁ ପ୍ରସ୍ତୁତ ହୋଇସାରିଛି। ଏବେ 'ଖବର ଲହରିୟା' ନିଜର ଡିଜିଟାଲ୍ ପ୍ଲାଟ୍ଫର୍ମ www.khabarlahariya.orgରେ ଖବର ପ୍ରସାରଣ କରିବା ସହ ବାନ୍ଦା, ଚିତ୍ରକୁଟ, ମହୋବା, ବାରବାଙ୍କୀ, ଝାନ୍ସୀ ଓ ଲଳିତପୁର ଆଦି ଅଞ୍ଚଳରେ ମୁଦ୍ରିତ ଖବରକାଗଜ ଆକାରରେ ବିତରିତ ହୋଇଥାଏ। ହିନ୍ଦୀର ବିଭିନ୍ନ ଉପଭାଷା, ଯେପରିକି ବୁନ୍ଦେଲି, ଅୱଧି, ବଜ୍ଜୀକା ଓ ଭୋଜପୁରୀ ଆଦିରେ ଏହା ପ୍ରକାଶ ପାଇଥାଏ। ଏହା ପ୍ରାୟ ୪୦ରୁ ଅଧିକ ସାମ୍ବାଦିକାଙ୍କୁ ନେଇ କାର୍ଯ୍ୟ କରିଥାଏ ଓ ମାସିକ ଏହାକୁ ପ୍ରାୟ ୩ଲକ୍ଷରୁ ଅଧିକ ଲୋକ ପଢ଼ିଥା'ନ୍ତି।
ଡିଜିଟାଲ, ପ୍ରିଣ୍ଟ ଓ ଅଡିଓ ମିଡିୟମ ମାଧ୍ୟମରେ 'ଖବର ଲହରିୟା' ଖବର ପ୍ରସାରଣ କରିଥାଏ। ପ୍ରଥମେ କେବଳ ଏକ ମହିଳା ଇସ୍ୟୁଭିତ୍ତିକ ଖବରକାଗଜ ଭାବେ ଆରମ୍ଭ ହୋଇଥିବା ଏଇ ପେପର୍ କ୍ରମେ ନିଜର ପରିସୀମା ବୃଦ୍ଧି କରିଛି। ଏହା ସ୍ଥାନୀୟ ପ୍ରଶାସନ, ଅମଲାତନ୍ତ୍ର ଓ ରାଜନେତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗ୍ରାମୀଣ- ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ତଥା ବିଭିନ୍ନ ରାଜନେତା ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିର ପାଳନ ଆଦି ତଦାରଖ କରିଥାଏ। ପରିବେଶ ସୁରକ୍ଷାଠାରୁ ମହିଳା ବିରୋଧୀ ହିଂସା ଯାଏ ଭିନ୍ନ ଭିନ୍ନ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଖବର ସବୁକୁ ‘ଖବର ଲହରିୟା’ ଟିମ୍ ତୃଣମୂଳ ସ୍ତରରୁ ସଂଗ୍ରହ କରିଥାଏ।
କବିତା କହନ୍ତି, ଆବଶ୍ୟକ ସ୍ଥଳେ ଡିଜିଟାଲ’ ଓ ପ୍ରିଣ୍ଟ’ ବିଜ୍ଞାପନ ତଥା ପାମ୍ପ୍ଲେଟ୍ ଆଦି ମାଧ୍ୟମରେ ‘ଖବର ଲହରିୟା’ ପକ୍ଷରୁ ସାମ୍ବାଦିକ ଖୋଜାଯାଉଥିବା କଥା ବିଭିନ୍ନ ଜାଗାରେ ଜଣାଇ ଦିଆଯାଏ। ଆବେଦନକାରିଣୀମାନଙ୍କୁ ତା' ପରେ ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼େ ଓ ସେଇ ମାଧ୍ୟମରେ ହିଁ ଆବଶ୍ୟକ ସଂଖ୍ୟକ ସାମ୍ବାଦିକା ଚୟନ କରାଯାଇଥାଏ। ପରେ ବଛା ଯାଇଥିବା ସାମ୍ବାଦିକାମାନଙ୍କୁ ଗଣମାଧ୍ୟମର ଆଚରଣବିଧି, ଖବର ସଂଗ୍ରହ ସଂପର୍କିତ ବିଭିନ୍ନ ସତର୍କତା ତଥା ଫିଲ୍ଡରେ କିଭଳି କାମ କରାଯାଇଥାଏ ସେସବୁ ଶିକ୍ଷା ଦିଆଯାଇଥାଏ।
ମୂଳଦୁଆ ପକାଇଥିବା କବିତା ବୁନ୍ଦେଲଖଣ୍ଡୀ ଓ ମୀରା ଯାଥବ ଆଦିଙ୍କ ବ୍ୟତୀତ ମୀରା ଦେବୀ ତଥା ଅନ୍ୟ ସମସ୍ତ ସାମ୍ବାଦିକଙ୍କ ନିରନ୍ତର ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ ଆଜି ‘ଖବର ଲହରିୟା’ ଖାଲି ଏକ ନୂତନ ପ୍ରୟୋଗ ନୁହେଁ, ଏକ ନୂତନ ଆନ୍ଦୋଳନ ମଧ୍ୟ ପାଲଟିଯାଇଛି।
ଦିନେ ଯେଉଁ ମହିଳାମାନଙ୍କୁ କମ୍ପ୍ୟୁଟର ଛୁଇଁବା ମଧ୍ୟ ମନା ଥିଲା, ଯେଉଁମାନେ କେବେ ବାହାରକୁ ଗୋଡ କାଢି ନ ଥିଲେ, ଯେଉଁମାନଙ୍କ ପାଇଁ ଶିକ୍ଷା ଅପହଞ୍ଚ ଥିଲା ଆଜି ସେଇ ମହିଳାମାନେ ଉଡାଣ ଭରିଛନ୍ତି। ହାତରେ ସ୍ମାର୍ଟ ଫୋନ୍ ଧରି, ତୃଣମୂଳ ସ୍ତରର ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଆଣିପାରୁଛନ୍ତି। 'ଖବର ଲହରିୟା' ଏଇ ଅତି ସାଧାରଣ ଅଥଚ ଅସାଧାରଣ ମହିଳାମାନଙ୍କ ଦେହରେ-ମନରେ ଖଞ୍ଜି ଦେଇଛି ସ୍ୱପ୍ନର ଡେଣା।