Advertisment

ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭ୍ୟାସ

ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
The food habits for old age

The food habits for old age

ଆମେ ବିଭିନ୍ନ ପ୍ରକାର ପୋଷକପୂର୍ଣ୍ଣ ଖାଦ୍ୟ ଖାଇଥାଉ କାରଣ ଏହା ଶରୀରର ବୃଦ୍ଧି ଓ କାର୍ଯ୍ୟକାରିତାରେ ସାହାଯ୍ୟ କରେ। ଯାହା ବି ବୟସ ହେଉ ପଛେ ଉପଯୁକ୍ତ ପୋଷକ ବା ନ୍ୟୁଟ୍ରିଏଣ୍ଟ୍‌ ଶରୀରକୁ ସୁସ୍ଥ ରଖିବାକୁ ଦରକାର ହୋଇଥାଏ। ତେବେ ବୟସ ବଢ଼ିବା ଅନୁସାରେ ଆମ ଶରୀରର ପୋଷକ ଆବଶ୍ୟକତା ମଧ୍ୟ ବଦଳିଥାଏ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିର୍ଦ୍ଧାରିତ ସଂଜ୍ଞା ଅନୁସାରେ ୬୦ରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ବୟସ୍କ ହିସାବରେ ଗଣନା କରାଯାଏ। ବିଶ୍ୱର ପ୍ରାୟତଃ ୧୩% ଲୋକ ବୟସ୍କ ଅଟନ୍ତି। ଏହା ଜରୁରୀ ଯେ ବୟସ୍କମାନେ ଏକ ସୁସ୍ଥ ଓ ନିରାମୟ ଜୀବନ ବିତାଇବା ସହ ଖୁସି ରହିବା। ବିଭିନ୍ନ ପ୍ରକାର କ୍ରୋନିକ୍ ରୋଗ ଯେପରି ଡାଇବେଟିସ୍, ବ୍ଲଡ୍‌ପ୍ରେସର, ଅଷ୍ଟିଓପୋରୋସିସ୍, ହୃଦ୍‌ରୋଗ ଆଦିରୁ ବୟସ୍କମାନଙ୍କୁ ଦୂରେଇ ରଖିବା ପାଇଁ ଜରୁରୀ ପୋଷକ ଥିବା ଖାଦ୍ୟ ଖାଇବା ନିହାତି ଜରୁରୀ।

ଏବେ ଆସନ୍ତୁ ଜାଣିବା ବୃଦ୍ଧାବସ୍ଥାରେ କେଉଁସବୁ ପରିବର୍ତ୍ତନ ଯୋଗୁଁ ଖାଦ୍ୟ ଖାଇବାକୁ ନେଇ ଅସୁବିଧା ଦେଖାଦେଇଥାଏ।

Advertisment

ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ, ଯେପରିକି କେଶ ଧଳା ହେବା, ଭିଟାମିନ୍ ଡି ର ମାତ୍ରା କମ୍ ହେବାରୁ ଚର୍ମରେ କୁଞ୍ଚନ ବା ରିଙ୍କଲ୍ସ ହେବା, ହୃତ୍‌ପିଣ୍ଡ, ଫୁସଫୁସ୍ ଆଦି ଅଙ୍ଗଗୁଡ଼ିକର କାର୍ଯ୍ୟକାରିତା କମିଯିବା, ମହିଳାମାନଙ୍କର ମେନୋପଜ୍ ବା ଋତୁରୋଧ ହେବା ପରେ ଓଜନ ବୃଦ୍ଧିଜନିତ ସମସ୍ୟା ଦେଖାଯିବା, ରେନାଲ ବା କିଡ୍‌ନିଜନିତ ସମସ୍ୟା ଦେଖାଯିବା, ମୁଖ ଗହ୍ୱରରେ ଅସୁବିଧା ଯେପରିକି ଦାନ୍ତ ପଡ଼ିଯିବାରୁ ଚୋବେଇବାରେ ଅସୁବିଧା, ଲାଳ ବା ସାଲାଇଭାର କ୍ଷରଣ କମିଯିବାରୁ ଭୋକ କମିଯିବା, ଭିଟାମିନ୍ ବି ର ଅଭାବ ହେତୁ ଗ୍ୟାଷ୍ଟ୍ରିକ୍ ପରି ବିଭିନ୍ନ ପେଟର ସମସ୍ୟା, ହାଡ଼ର ସାନ୍ଦ୍ରତା ପ୍ରାୟ ୩୦ ପ୍ରତିଶତ କମିଯିବା ହେତୁ ଗଣ୍ଠି ଓ ମାଂଶପେଷୀଜନିତ ସମସ୍ୟା ସୃଷ୍ଟିହେବା, ପିଟୁଇଟାରୀ ଗ୍ରନ୍ଥିର କାର୍ଯ୍ୟକାରିତା କମିଯିବା, ଇମ୍ୟୁନ୍ ସିଷ୍ଟମ୍ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ନର୍ଭସ୍ ସିଷ୍ଟମ୍ ବା ସ୍ନାୟୁତନ୍ତ୍ର ଦୁର୍ବଳ ହେବା ପରି ବିଭିନ୍ନ ପରିସ୍ଥିତି ଦେଖାଯାଏ ।

ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ସେମାନଙ୍କ ହ୍ରାସ ପାଉଥିବା ଶାରୀରିକ କାର୍ଯ୍ୟକାରିତା ଧିରେ ଧିରେ ଅପପୁଷ୍ଟିରେ ରୂପାନ୍ତର ହୁଏ। ତେଣୁ ଶରୀରର ପ୍ରୋଟିନ୍ ଓ ମାକ୍ରୋନ୍ୟୁଟ୍ରିଏଣ୍ଟ୍‌ର ଆବଶ୍ୟକତାକୁ ଧ୍ୟାନ ରଖିବାକୁ ପଡ଼ିବ। ସାଧାରଣତଃ କିଲୋଗ୍ରାମ୍ ପ୍ରତି ୦.୮ ଗ୍ରା ପ୍ରୋଟିନ୍ ହିସାବରେ ଶରୀରର ଓଜନ ଅନୁସାରେ ପ୍ରୋଟିନ୍ ଦିଆଗଲେ ତାହା ଦୈନନ୍ଦିନ ଶକ୍ତି ଆବଶ୍ୟକତାର ୧୫-୨୦ ପ୍ରତିଶତ ପୂରଣ କରିଥାଏ। ତେଣୁ ବୟସ୍କମାନଙ୍କର ଶାରୀରିକ ଅବସ୍ଥାକୁ ଦେଖି ଏହି ପରିମାଣକୁ କମ୍ ବେଶୀ କରାଯାଇପାରେ।

ଶାରୀରିକ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଜଣେ ବ୍ୟକ୍ତିଙ୍କର ଦିନକୁ କିଲୋଗ୍ରାମ୍ ପ୍ରତି ୨୫-୩୦ କିଲୋ କ୍ୟାଲୋରୀ ଶକ୍ତି ଆବଶ୍ୟକ ହୋଇଥାଏ। ବୟସ ବଢ଼ିବା ସହ ଶରୀରର ମାଂଶପେଶୀୟ ଓଜନ କମିଯାଇଥାଏ ଯାହାକୁ ସାକ୍ରୋପେନିଆ କୁହାଯାଏ। ଶରୀରର କାର୍ଯ୍ୟକାରିତା କମିବା ଦ୍ୱାରା ଶକ୍ତି ଆବଶ୍ୟକତା ମଧ୍ୟ କମିଯାଇଥାଏ। ଏଣୁ ବଡି ମାସ୍ ଇଣ୍ଡେକ୍ସ ବା BMI ଦଶ ବର୍ଷରେ ୫ ପ୍ରତିଶତ କମିଥାଏ। ଏଣୁ ବୃଦ୍ଧାବସ୍ଥାରେ କମ୍ ଶାରୀରିକ କାର୍ଯ୍ୟ ଓ କୌଣସି ପ୍ରକାର ଅବସାଦଜନିତ ଖାଦ୍ୟ ଅରୁଚି ଯୋଗୁଁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି। ଏଥିରୁ ରକ୍ଷା ପାଇଁ ଆବଶ୍ୟକ ଅନୁସାରେ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦେବା ଜରୁରୀ।

ସାଧାରଣଭାବେ ଦେଖିଲେ ପ୍ରାୟତଃ ୫୫ ପ୍ରତିଶତ ଶ୍ୱେତସାର ଆମ ଶରୀର ପାଇଁ ଦରକାର। କିନ୍ତୁ ବର୍ଦ୍ଧିତ ବୟସ ସହିତ ଶରୀରର ଶର୍କରା ଗ୍ରହଣ କରିବା ଶକ୍ତି କମିଯାଇଥାଏ। ଏଣୁ ବୟସ୍କମାନଙ୍କର ଖାଦ୍ୟରେ ଶ୍ୱେତସାର ପରିମାଣ କମ୍ ରହିବା ଆବଶ୍ୟକ ହୋଇଥାଏ। ବୟସ୍କମାନଙ୍କର ଖାଦ୍ୟରେ ନିୟମିତ ସ୍ନେହସାର ପରିମାଣ ୨୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିବା ଉଚିତ। ହେଲେ କୌଣସି ହୃଦ୍‌ଜନିତ ସମସ୍ୟାକୁ ଦୂରେଇବା ପାଇଁ ଏଥିରେ PUFA(ପଲି ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍), MUFA(ମନୋ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍) SFA (ଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍) ସଠିକ୍ ଅନୁପାତରେ ରହିବା ଜରୁରୀ। ଏଣୁ ବୟସ୍କମାନଙ୍କ ପାଇଁ ରୋଷେଇରେ ଶୁଦ୍ଧ ସୋରିଷ ତେଲ ବ୍ୟବହାର ଜରୁରୀ।

ବୃଦ୍ଧାବସ୍ଥାରେ ଯେହେତୁ ଗ୍ୟାଷ୍ଟ୍ରିକ୍ ଜୁସ୍ ବା ପାଚକ ରସ ଅଧିକ କ୍ଷରଣ ହୋଇଥାଏ, ତେଣୁ ଏହି ବୟସରେ ତନ୍ତୁଜାତୀୟ ଖାଦ୍ୟ ବା ଫାଇବର୍ ଖାଦ୍ୟର ପରିମାଣ କମ୍ ହେବା ଜରୁରୀ। ଏହା ସହିତ ଯେହେତୁ ଏହି ସମୟରେ ଅସ୍ଥିର ସାନ୍ଦ୍ରତା କମିଥାଏ ତେଣୁ କ୍ୟାଲ୍‌ସିୟମ୍, ଫସ୍‌ଫରସ୍ ଓ ଭିଟାମିନ୍ ଡି ର ମାତ୍ରା ବୃଦ୍ଧି କରିବା ଜରୁରୀ ହୋଇଥାଏ। କିନ୍ତୁ ଏହି ସମୟରେ ଆମର ରେଚନ କ୍ରିୟା ଉପରେ କମ୍ ଚାପ ପକାଇବାକୁ ମ୍ୟାଗ୍ନେସିୟମ୍‌ର ପରିମାଣ ଖାଦ୍ୟରେ କମେଇବାକୁ କୁହାଯାଏ।

ଏହା ବ୍ୟତୀତ କୋଷର କାର୍ଯ୍ୟକାରିତା ନିୟମିତ କରିବାକୁ ଏହି ଅବସ୍ଥାରେ ଭିଟାମିନ୍ ବି ୧୨ ବା ଫୋଲିକ୍ ଏସିଡ୍ ନିୟମିତ ଦେବା ହେବା ଜରୁରୀ। ଭିଟାମିନ୍ ଇ ଓ ଜିଙ୍କ୍‌ଯୁକ୍ତ ଖାଦ୍ୟ ନିହାତି ଦେବା ଜରୁରୀ, କାରଣ ଏହା ରୋଗପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ। ଏସବୁ ପରେ ଆବଶ୍ୟକ ପରିମାଣର ପାଣି ପିଇବା ଅତ୍ୟନ୍ତ ଜରୁରୀ। ଅତିକମରେ ଦିନକୁ ୩୦ ମିଲି ପାଣି ପିଇବା ଜରୁରୀ ହୋଇଥାଏ।

କେତେକ ଧ୍ୟାନରଖିବା କଥା:

  • ସବୁଜ ପନିପରିବାର ପରିମାଣ ବଢ଼ାଇବା
  • ଅଧିକ ସୁଗାର ଥିବା ଫଳ ଯେପରି ଅଙ୍ଗୁର, ଆମ୍ୱ, କଦଳୀ ଆଦି ନ ଖାଇ କମ୍ ସୁଗାର ଯୁକ୍ତ ଫଳ ଯେପରି ସେଓ, ପିଜୁଳି ଆଦି ଖାଇବାକୁ ଦେବା
  • ସର କଢ଼ାଯାଇଥିବା କ୍ଷୀର, ଛେନା ଆଦି ଦେବା ଯାହାକି କ୍ୟାଲ୍‌ସିୟମ୍ ଦେବ
  • ଡାଲିଜାତୀୟ ଖାଦ୍ୟର ପରିମାଣ ବଢ଼ାଇବା
  • ମାଛ, ଅଣ୍ଡା ଆଦି ଆବଶକୀୟ ପୃଷ୍ଟିସାର ଖାଦ୍ୟ ଦେବା
  • ଖାଦ୍ୟକୁ ଏପରି ରାନ୍ଧିବା ଉଚିତ ଯେପରି ଖାଇବାରେ ଅସୁବିଧା ନ ହୁଏ
  • ଛଣାଛଣି ଓ ବଜାରରେ ମିଳୁଥିବା ସ୍ନାକ୍ସରୁ ଦୂରେଇ ରଖିବା
  • ପ୍ରଚୁର ପାଣି ପିଇବାକୁ ଦେବା
  • ପରିଶେଷରେ ଯେତିକି ସମ୍ଭବ ଶାରୀରିକ ବ୍ୟୟାମ କରିବାକୁ ପ୍ରୋତ୍ସାହିତ କରିବା

ଯଦି ଆପଣଙ୍କ ଘରେ କେହି ବୃଦ୍ଧ ବା ବୟସ୍କ ବ୍ୟକ୍ତି ରହୁଛନ୍ତି ତେବେ ସେମାନଙ୍କ କେବଳ ଖାଦ୍ୟପେୟ ଠିକ୍ କରିଦେଲେ ଚଳିବନି, ବରଂ ସେମାନଙ୍କୁ ମାନସିକଭାବେ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଯେମିତି ସେ ଏକୁଟିଆ ଅନୁଭବ କରୁମ୍ ନଥିବେ। ଖାଇବା ବେଳେ ତାଙ୍କ ସହ ମିଶି ଖାଇଲେ ଖାଦ୍ୟକୁ ସେମାନେ ଆନନ୍ଦରେ ଖାଇବେ ଓ ଏହା ଉପଯୁକ୍ତ ଫଳପ୍ରଦ ହେବ। ଏଣୁ ବୃଦ୍ଧମାନଙ୍କର ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ।

Article
Advertisment
Advertisment