ସବୁ ପିଲା କିଛି ନ ହେଲେବି ଜଣେ ଜଣେ ଚମତ୍କାର ଚିତ୍ରଶିଳ୍ପୀ। ଆଜିକାଲି ବାପା ମା’ମାନେ ସେମାନଙ୍କ ସାନ ପିଲାର ଛବି ଦେଖି ଖୁସି ହେଉଛନ୍ତି। ପିଲା ପାଇଁ ଭଳିକି ଭଳି ରଙ୍ଗ ତୁଳୀ ଆଣି ଦେଉଛନ୍ତି। ହେଲେ ଆମ ସମୟରେ ସେମିତି କିଛି ନ ଥିଲା। ମୋ ପିଲାଦିନେ ତ ଛବି କରିବା ଅପରାଧ ଥିଲା। ଘରେ ବାହାରେ ଓ ସ୍କୁଲ୍ରେ ଛବି କରିବାକୁ ସମୟ ନଷ୍ଟ ଭାବରେ ଦେଖୁଥିଲେ।
ପଞ୍ଚମ ଶ୍ରେଣୀ ପାଖରେ ହିଁ ଆମେ ଆମମାନଙ୍କ ଡ୍ରଇଂ ଖାତା ଛାଡି ଆସିଥିଲୁ। ଷଷ୍ଠବେଳକୁ ଆମର ଆଉ ଚିତ୍ର ପାଠ ଭାବରେ ସିଲାବସ୍ରେ ନ ଥିଲା। ପଞ୍ଚମ ଯାଏଁ ବି ଆମର ସେମିତି କେହି ସ୍ୱତନ୍ତ୍ର ଡ୍ରଇଂ ଶିକ୍ଷକ ନ ଥିଲେ। ସେମିତି ଦେଖିଲେ ଆମ ସ୍କୁଲ୍ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଥିଲେ। ସେଇ ଦୁଇ ଜଣ ଗଣିତ, ବିଜ୍ଞାନ, ସମାଜିକ ପାଠରୁ ଚିତ୍ର ସବୁକିଛି ପଢ଼ଉଥିଲେ । ମୁଁ ସବୁବେଳେ ବଡ଼ମାନଙ୍କୁ ଲୁଚି ଚିତ୍ର ଆଙ୍କୁଥିଲି ଅବା ଗଡ଼ିଆ ତୁଠରେ କାଦୁଅରେ ମୂର୍ତ୍ତି ଗଢ଼ୁଥିଲି।
ଏବେ ସମୟ ଅବଶ୍ୟ ବଦଳିଛି । ସ୍କୁଲ୍, ବିଶେଷକରି ଇଂରାଜୀ ମାଧ୍ୟମ ସ୍କୁଲ୍ରେ ଚିତ୍ର ଶିକ୍ଷକ ରହୁଛନ୍ତି ଓ ପିଲାଏ ଚିତ୍ର ଶିଖୁଛନ୍ତି । ଓଡ଼ିଆ ମାଧ୍ୟମ ସ୍କୁଲ୍ରେ ମଧ୍ୟ ଚିତ୍ର ଶିଷକଙ୍କର ନିଯୁକ୍ତି ହେଲାଣି । ତାପରେ ବଡ଼ ସହର ଓ ଛୋଟ ସହରରେ ରବିବାରିଆ ଆର୍ଟ ସ୍କୁଲ ବି ଅଛି । ଅନେକ ଅଭିଭାବକ କଳାଶିକ୍ଷକଙ୍କୁ ଘରକୁ ଡାକି ସେମାନଙ୍କ ପିଲାଙ୍କୁ ଚିତ୍ର ଟ୍ୟୁସନ୍ ବି ଦେଉଛନ୍ତି। ବିଭିନ୍ନ ସଂସ୍ଥା ନିୟମିତ ଭାବରେ ପିଲାମାନଙ୍କ ପାଇଁ ଚିତ୍ରକଳା ପ୍ରତିଯୋଗିତା ବି କରାଉଛନ୍ତି ।
ବାପା ମା’ମାନଙ୍କର ପିଲାଙ୍କୁ ଚିତ୍ର ଶିଖାଇବାର ପ୍ରେମ ସେତେଦିନ ଅତୁଟ ରହେ ଯେଯାଏଁ ପିଲାଟି ତା’ର ଅନ୍ୟାନ ପାଠପଢ଼ା ଠିକ୍ ଠାକ୍ କରୁଥାଏ । ପାଠପଢ଼ା ଖଇଚା ଧରିଲେ ପ୍ରଥମ ମାଡ଼ ପଡ଼େ ଚିତ୍ରାଙ୍କନ ଉପରେ । ଏମିତିବି ନବମ ଦଶମ ବେଳକୁ ପିଲାକୁ ଆଉ ଚିତ୍ର ଶିଖିବାକୁ ରବିବାରିଆ ଚିତ୍ର ସ୍କୁଲ୍କୁ ପଠା ଯାଉନି କି ଘରକୁ ଆଉ ଡ୍ରଇଂ ସାର୍ଙ୍କୁ ଡାକାଯାଏନି । ପିଲା ଭଲ ଚିତ୍ର କରୁଛି ଓ ପ୍ରତିଯୋଗିତାରେ ଗୋଟେ ଦୁଇଟା ପୁରସ୍କାର ପାଇଲା ସେତିକି ବଡ଼କଥା।
Also Read
ଅନୁଭୂତିରୁ କହୁଛି। ମୁଁ ଚିତ୍ରଶିଳ୍ପୀ ଜାଣିଲା ପରେ କିଛି ଆତ୍ମୀୟ ଓ ପଡ଼ୋଶୀ କେବେ କେବେ ଅଜୀବ୍ ଅନୁରୋଧ ଧରି ମୋ ପାଖରେ ପହଞ୍ଚନ୍ତି । ଅନୁରୋଧ ହେଲା; ତାଙ୍କ ପିଲାର ଗୋଟେ ଛବି କମ୍ପିଟିସନ୍ ଅଛି, ପ୍ରସ୍ତୁତ ହେବାକୁ ସମୟ ନାହିଁ, ପାଠର ପ୍ରବଳ ପ୍ରେସର୍ ଅଛି । ତେଣୁ ମୁଁ ଗୋଟେ ଛବି କରିଦେଲେ ସେ ସେଇଟିକୁ କମ୍ପିଟିସନ୍ରେ ଯାଇ ଆଙ୍କି ଦିଅନ୍ତା ।
ଏମିତି ଅନୁରୋଧ ଆସିଲେ ମୁଁ ପିଲାକୁ ଛାଡ଼ି ତା’ ଅବିଭାବକଙ୍କୁ ପ୍ରଥମେ ଭଲରେ ପାଠ ପଢ଼ାଏ । ସତରେ କ’ଣ ଭାବନ୍ତି ଏମିତିକା ଅବିଭାବକମାନେ ନିଜକୁ ଓ କ’ଣ ଭାବନ୍ତି ଏମାନେ ନିଜର ପିଲା ବିଷୟରେ? ଏମାନଙ୍କ ପାଇଁ ଚିତ୍ର ବଡ଼ ନୁହେଁ, ପିଲା ବି ବଡ଼ ନୁହେଁ, ବଡ଼ ହେଲା କେବଳ ପିଲାର ସଫଳତା । ପିଲା ତାଙ୍କର କେତେ ପ୍ରତିଯୋଗିତାରେ କେତେ ପୁରସ୍କାର ପାଉଛି, ସେଇଟା ସବୁବେଳେ ସବୁଠୁ ବଡ଼ ହେଇ ଥାଏ।
ଥରେ ଭୁବନେଶ୍ୱରର ଏକ ଅଗ୍ରଣୀ ଖବରକାଗଜ ସାରା ଓଡ଼ିଶାରେ ଚିତ୍ରାଙ୍କନ ପ୍ରତିଯୋଗିତା କରିଥିଲେ ଓ ଚୁଡ଼ାନ୍ତ ବିଜୟୀଙ୍କୁ ବାଛିବାକୁ ମୋତେ ଜଣେ ବିଚାରକ ଭାବରେ ଡାକିଥା’ନ୍ତି । ମୋ ସାଙ୍ଗରେ ଆହୁରି ଦୁଇ ଜଣ ବରିଷ୍ଠଚିତ୍ରଶିଳ୍ପୀ ମଧ୍ୟ ଥାଆନ୍ତି । ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ପିଲାମାନଙ୍କ ଛବି ଦେଖି ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ହୋଇଗଲି । କାରଣ ପ୍ରାୟ ଛବି ଏକାପରି ଦିଶୁଥିଲେ। ଡ୍ରଇଂ, ରଙ୍ଗ ବିନ୍ୟାସ ଓ ଆବେଦନ ଭିତରେ ଏତେ ସାମଞ୍ଜସ୍ୟତା ଦେଖି ମୁଁ ପ୍ରକୃତରେ ହଇରାଣ ହୋଇଗଲି।
ସାରା ଓଡ଼ିଶାର ପିଲାଏ ଏକାପରି ଛବି ଆଙ୍କିବେ କେମିତି? କାହିଁକି ବା ଆଙ୍କିବେ? ଉପରକୁ ସାଧାରଣ ଦିଶୁଥିଲେ ବି ଏଇଟି ଏକ ଗମ୍ଭୀର କଥା କିନ୍ତୁ । ପରିସ୍ଥିତିଟି ଜଟିଳ ହେଲେ ବି ତା’ର କାରଣଟି କିନ୍ତୁ ସରଳ । କାରଣ ହେଲା, ସନ୍ଡେ ଆର୍ଟ ସ୍କୁଲ । ପିଲାଏ ସେଉଠୁ ଏକା ପ୍ରକାର ଛବି ଅଙ୍କା ଶିଖିଥା’ନ୍ତି । ଏବେତ ପୁଣି ଆର୍ଟ ଶିଖିବା ପାଇଁ ୟୁଟ୍ୟୁବ୍ରେ ହଜାରେ ହଜାରେ ଭିଡିଓ । ସମସ୍ୟା ହେଲା, ବାପା ମା’ ଚାହାଁନ୍ତି ପିଲା ତାଙ୍କର ଶୀଘ୍ର ଶୀଘ୍ର ବଡ଼ମାନଙ୍କ ପରି ଛବି ଆଙ୍କିବା ଶିଖିଯାଉ।
ପିଲା ତାଙ୍କର ବଗକୁ କି କାଉକୁ ଅବିକଳ କାହିଁକି ଆଙ୍କୁନି ବୋଲି ତାଙ୍କର ବ୍ୟସ୍ତତା । ଆମକୁ ଥରୁଟେ ନିଜକୁ ନିଶ୍ଚୟ ପଚାରିବାକୁ ହେବ ଯେ ସାରା ଓଡ଼ିଶାର ପିଲାଏ ତିନୋଟି ମୁନିଆ ପାହାଡ଼ ଓ ସେ ପାହାଡ଼ ସନ୍ଧିରେ ସୂର୍ଯ୍ୟ କାହିଁକି ଆଙ୍କିବେ? ଏଇ ସୂର୍ଯ୍ୟ ଉଦୟ ଅବା ଅସ୍ତକାଳୀନ ଭୂଦୃଶ୍ୟ ଅଙ୍କନ ଆମ ପିଲା ଶିଖିଲା କୋଉଠୁ? ଓଡ଼ିଶାର ସବୁଠି ପାହାଡ଼ ନାହିଁ କି ସବୁ ତିନି ମୁନିଆ ପାହାଡ଼ ପଛରେ ସୂର୍ଯ୍ୟ ଉଦୟ ଓ ଅସ୍ତ ହୁଅନ୍ତିନି । ଆଜିର ଶିଶୁଚିତ୍ରରେ ଦେଖାଦେଇଥିବା ଷ୍ଟାଣ୍ଡାର୍ଡାଇଜେସନ୍ ହିଁ ସବୁଠାରୁ ବଡ଼ ଅସୁବିଧାର କଥା ।
ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥା ଓ ବିଦ୍ୟାଳୟ, ପିଲାମାନଙ୍କର ଛବି ଶିଖିବା ନେଇ ପ୍ରଶିକ୍ଷଣ ଶିବିର ପରି କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ପ୍ରୟାସ ଭଲ, କିନ୍ତୁ ସେଠି ଅନେକ ସମୟରେ କଳା ପ୍ରଶିକ୍ଷକ ପିଲାଙ୍କୁ କେବଳ କୌଶଳ ଶିଖାନ୍ତି । କାରଣ ସେ ଜାଣିନଥାନ୍ତି ସେ ପିଲାମାନଙ୍କୁ କ’ଣ ଶିଖାଇବେ । ପିଲାଙ୍କୁ ଚିତ୍ର ବିଷୟରେ କିଛି ଶିଖାଇବାର ପ୍ରୟାସ ହିଁ ପ୍ରଥମରୁ ଭୁଲ୍ । ଏଥିରେ କିନ୍ତୁ କାହାର କିଛିବି ଲାଭ ହୁଏନି।
ଆୟୋଜକ ଓ କଳା ପ୍ରଶିକ୍ଷକମାନେ ଶିଶୁଚିତ୍ରକୁ ଅତି ହାଲୁକା ଭାବରେ ଗ୍ରହଣ କରିଥା’ନ୍ତି । କାରଣ ଯିଏବି ଚିତ୍ର ଆଙ୍କି ଜାଣିଛି ସେ ପିଲାମାନଙ୍କୁ ଛବି ଶିଖେଇ ପାରିବାର ଭୁଲ୍ ଧାରଣା ଅନେକଙ୍କର ରହିଛି । ଚିତ୍ର ଅଙ୍କନ ଶିଖାଇବାକୁ ଯାଇ ଆମେ ପିଲାର ସ୍ୱତଃସ୍ପୂର୍ତ୍ତ ଭାବରେ ପ୍ରକାଶ ପାଉଥିବା ବକ୍ତବ୍ୟକୁ ଅଟକାଇଦେଉ । ତୁଚ୍ଛା କୌଶଳ ଠିକ୍ରେ ଶିଖି ନପାରି ପିଲାଟିର ପ୍ରଥମେ ଛବି ଆଙ୍କିବାର ଆଗ୍ରହ ମରିଯାଏ ଓ ଧିରେ ଧିରେ ସେ ଛବି ଆଙ୍କିବା ବନ୍ଦ କରିଦିଏ । ପିଲାମାନେ ଯାହା ଦେଖନ୍ତି କେବଳ ସେତକ ଆଙ୍କନ୍ତି ନୁହେଁ, ତା ସାଙ୍ଗରେ ନିଜ ଭାବନାର ଅଦୃଶ୍ୟ ଜଗତକୁ ବି ଆଙ୍କିଥା’ନ୍ତି।
ଚାଇଲ୍ଡ ଆର୍ଟ ଶବ୍ଦଟି ପ୍ରଥମ କରି ଫ୍ରାଞ୍ଜ ସିଜେକ୍ ୧୮୯୦ରେ ବ୍ୟବହାର କରିଥିଲେ । ଶିଶୁ ଛବି ଏତେ ଶକ୍ତିଶାଳୀ ଯେ ସେଉଠୁ ପ୍ରେରଣା ନେଇ ଅନେକ ବିଶ୍ୱବିଖ୍ୟାତ ଚିତ୍ରଶିଳ୍ପୀ ସେମାନଙ୍କ କଳାକର୍ମ କରିଯାଇଛନ୍ତି । ପଲ୍ କ୍ଲି , ମ୍ୟୁରୋ, ସାଇ ଟୋମ୍ବଲି ପରି ଅନେକ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶିଶୁ ଛବିରୁ ପ୍ରେରଣା ନେଇଛନ୍ତି ଅବା ଶିଶୁପରି ଆଙ୍କିବାକୁ ଚେଷ୍ଟା କରିଛନ୍ତି । ଏକଦା ଏକ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖୁଥିବା ବେଳେ ପିକାଶୋ କହିଥିଲେ; ସେ ଏଇ ପିଲାମାନଙ୍କ ବୟସରେ ଥିବା ବେଳେ ରାଫେଲ୍ଙ୍କ ପରି ଛବି ଆଙ୍କୁଥିଲେ କିନ୍ତୁ ଏକ ପିଲାପରି ଛବି ଆଙ୍କିବାକୁ ତାଙ୍କୁ ଅନେକ ବର୍ଷ ଲାଗିଗଲା ।
ଆମକୁ ବୁଝିବାକୁ ହେବ ଶିଶୁମାନଙ୍କର ସବୁ କାମ ବଡ଼ମାନେ କରନ୍ତି । ଯେମିତି ଶିଶୁମାନଙ୍କ ପାଇଁ ସାହିତ୍ୟ ବଡ଼ମାନେ ଲେଖନ୍ତି । ଶିଶୁମାନଙ୍କ ବହି ଓ ପତ୍ରିକାରେ ବଡ଼ମାନେ ଅଳଙ୍କରଣ କରିଥା’ନ୍ତି । ଶିଶୁମାନଙ୍କ ଖେଳଣା ବଡ଼ମାନେ ଡିଜାଇନ୍ କରନ୍ତି ଓ ତିଆରି କରନ୍ତି । ଶିଶୁମାନଙ୍କ ଭଳିକି ଭଳି ପୋଷାକ ସେଇ ବଡ଼ମାନେ ହିଁ ତିଆରି କରନ୍ତି । ଚାଇଲ୍ଡ କେୟାର୍ ଓ ଚାଇଲ୍ଡ ୱାର୍ଲଡ ପରି ଦୋକାନରେ ପିଲାମାନଙ୍କ ପାଇଁ ଯାହାକିଛି ବି ମିଳେ ସବୁକିଛି ବଡ଼ମାନେ ତିଆରି କରିଥା’ନ୍ତି ।
କିନ୍ତୁ ଗୋଟେ ମାତ୍ର ଜିନିଷ ପିଲାଏ ନିଜେ ନିଜ ପାଇଁ ତିଆରି କରିଥା’ନ୍ତି, ସେଇଟି ହେଲା ସେମାନଙ୍କ ହାତ ଅଙ୍କା ଚିତ୍ର । ଯାହାକୁ ଆମେ ଶିଶୁଚିତ୍ର କହୁ । ପିଲାଟି ତା’ ଇଚ୍ଛାରେ ତାକୁ ଯାହା ଭଲ ଲାଗିଲା କି ଖରାପ ଲାଗିଲା ସେ ଆଙ୍କି ପକାଏ । ଆମେ ତାକୁ କଗଜ, କଲମ, ତୁଳୀ ଓ ରଙ୍ଗ ନଦେଲେ ବି ସେ ଆଙ୍କେ । ଚିତ୍ର ଅଙ୍କା ସରଞ୍ଜାମ ସେ ତା’ର ତା’ ନିଜ ବାଟରେ ଯୋଗାଡ କରିପାରେ । ପିଲାଟି ଛବି ଆଙ୍କିବା ସମୟରେ ସମ୍ପୂର୍ଣ୍ଣ ଏକାଗ୍ର ହୋଇ ଛବି କରେ । ବଡ଼ କଥା ହେଲା ସେ କ’ଣ ଆଙ୍କୁଛି ଓ କାହିଁକି ଆଙ୍କୁଛି ସେ ନେଇ ସେ ସମ୍ପୂର୍ଣ୍ଣ ସଚେତନ ଥାଏ ।
ସେତିକି ଅବବୋଧ ଆମ ନାମକରା ବଡ଼ ବଡ଼ ଚିତ୍ରଶିଳ୍ପୀଙ୍କର ବି ନଥାଏ । ପିଲାଟି ତା’ ଛବିରେ ଯାହା ଆଙ୍କୁଥାଏ ତାହା ବାସ୍ତବତା ସହ ସାମଞ୍ଜସ୍ୟତା ରକ୍ଷା କରିନପାରେ । ମନେକର ସେ ଦିନେ କୌଣସି ସୂତ୍ରରୁ ହାତୀ ଦେଖିଲା ଓ ଘରକୁ ଫେରି ହାତୀ ଆଙ୍କିଲା । ସେ ଆଙ୍କିଥିବା ହାତୀ ବାସ୍ତବ ହାତୀ ପରି ଦିଶୁନଥାଇପାରେ । ଏକା ପରି ଦିଶିବା ବି ଦରକାର ନାହିଁ । ହାତୀ ସାଙ୍ଗରେ ଆଉ କିଛି ଚରିତ୍ର ଓ ପରିବେଶ ସେ ଯୋଡ଼ି ଦେଇପାରେ । ସେଇଠି ଆମେ ବଡ଼ମାନେ ସେ ଅଙ୍କା ହାତୀକୁ ସତ ହାତୀ ପରି କାହିଁକି ଦିଶୁନି ବୋଲି ବିବ୍ରତ ହୋଇପଡୁ ।
ହାତୀ ସାଙ୍ଗରେ ବେଙ୍ଗ କାହିଁକି ରହିଛିର କାରଣ ଆମେ ଆମର ଅତି ସାଧାରଣ ଲଜିକ୍ ପ୍ରୟୋଗ କରି ବୁଝିବାକୁ ଚେଷ୍ଟା କରୁ । କିନ୍ତୁ ପିଲାଟିର ହାତୀକୁ ନେଇ ଥିବା ଅବବୋଧ ଓ ସେ କହିବାକୁ ବା ପ୍ରକାଶିବାକୁ ଚାହୁଁଥିବା କଥାଟି ଦେଖିବାକୁ ଓ ଶୁଣିବାକୁ ଆମର ନା ପ୍ରସ୍ତୁତି ଥାଏ ନା ଆଗ୍ରହ ଥାଏ । ଠିକ୍ ଏଇଠୁ ହିଁ ଖେଳ ବିଗିଡ଼ି ଯାଏ । ଆମେ ବୁଝିପାରୁନା କଥିତ ଅବା ଲିଖିତ ଭାଷା ବିନା ପିଲାଟି ତା’ କହିବା କଥାକୁ ନିରୋଳା ଛବି ମାଧ୍ୟମରେ ପ୍ରକାଶ କରିପାରେ ।
ପ୍ରକାଶ କରିବାର ନିରୁତାପାଣ ପାଇଁ ଶିଶୁ ଛବିକୁ ଅନେକ ସ୍ଥାନରେ ପ୍ରାମାଣିକ ତଥ୍ୟ ଭାବରେ ଆଜି ଗ୍ରହଣ କରାଯାଉଛି । କାରଣ ଶିଶୁ ତା’ର ଛବିରେ ତା’ ପରିବେଶକୁ ଅତି ସତ୍ୟଶୀଳ ଭାବରେ ସବୁବେଳେ ଉପସ୍ଥାପନ କରିଥାଏ । ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଛବି ଆଙ୍କିବା ଔଷଧ ପରି କାମ କରେ । ପିଲାମାନେ ଭୋଗୁଥିବା ମାନସିକ ଅବସାଦ, ଭୟ, ଆନନ୍ଦ ଓ ଅନ୍ୟାନ୍ୟ ପ୍ରବଣତାକୁ ଜାଣିବା ପାଇଁ ମାନସିକ ବିଷାରଦମାନେ ସେମାନଙ୍କ ଛବି ଦେଖି ଅନେକ କଥା ଜାଣିପାରନ୍ତି ।
ସାନ ପିଲାଟି ଛବି କଲାବେଳେ ଆମକୁ କେତୋଟି ଅତି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଲକ୍ଷ୍ୟ ରଖିବାକୁ ହେବ । ଯଥା:
- ପିଲା ଯାହା ଆଙ୍କୁଛି ସେଥିରେ ଆଦୌ ହସ୍ତକ୍ଷେପ କରନ୍ତୁ ନାହିଁ । ପିଲାଟି ସାନ ହେଇଥିଲେ ତା’ ହାତରେ ଶସ୍ତା ମହମ କ୍ରେୟନ୍ ଦିଅନ୍ତୁ ନାହିଁ । କାଗଜ ଉପରେ କ୍ରେୟନ୍ ଚଲାଇଲା ବେଳେ ପିଲାର କୋମଳ ଆଙ୍ଗୁଳି ଉପରେ ଯେଉଁ ଚାପ ପଡ଼େ ତାହା କ୍ଷତିକାରକ।
- ପିଲାଟି ଘରର କାନ୍ଥରେ ଯଦି କିଛି ଆଙ୍କୁଛି ସେଥିପାଇଁ ତାକୁ ଆକଟ କରନ୍ତୁ ନାହିଁ । ପିଲାଏ କାନ୍ଥରେ ଛବି କରିବାକୁ ବହୁତ ପସନ୍ଦ କରନ୍ତି ।
- ପିଲାର ଛବିକୁ ଗାରାମାରା କାହିଁକି କରିଛୁ ବୋଲି ପଚାରନ୍ତୁ ନାହିଁ । ଆପଣଙ୍କୁ ଗାରିଆ ମାରିଆ ଦିଶୁଥିଲେ ବି ପିଲାଟି ଜାଣେ ସେ କ’ଣ କରିଛି । ତାକୁ ପଚାରିଲେ ସେ ବୁଝେଇ ଦେବ । କାରଣ, ଆକାର ନେଇ ସେମାନଙ୍କର ଧାରଣା ଦୃଢ଼ ନଥିବାରୁ ସେମାନେ ସେମିତିକା ଛବି ପ୍ରାଥମିକ ଭାବରେ କରିଥା’ନ୍ତି । ରେଖା ସାହାଯ୍ୟରେ ସାଧରଣତଃ ପିଲାଏ ତିନି ବର୍ଷ ବେଳକୁ ଯାଇଁ ସରଳ ଡ୍ରଇଂ କିଛି କରନ୍ତି ।
- ପିଲାଏ ନିଜ ହାତ, ଗୋଡ଼, ମୁହଁ ଓ ଦେହରେ ରଙ୍ଗ ମାରିବାକୁ ଭଲପାଆନ୍ତି । ଏନେଇ ତାଙ୍କ ଉପରେ ବିରକ୍ତ ହେବା ଠିକ୍ ନୁହେଁ।
- ଜଳରଙ୍ଗ ବ୍ୟବହାର କରିବାକୁ ପିଲାଏ ଭଲପାଆନ୍ତି । ପିଲାକୁ ପର୍ଯ୍ୟାପ୍ତ ଜଳରଙ୍ଗ ଓ କାଗଜ ଯୋଗାଇ ଦିଅନ୍ତୁ ।
- ପିଲା ଆଙ୍କିଥିବା ଛବିକୁ ନେଇ ହାସ ପରିହାସ ଆଦୌ କରନ୍ତୁ ନାହିଁ ।
- ଘରକୁ କୁଣିଆ ଆସିଥିବା ବେଳେ ପିଲାକୁ ଛବି କରି ଦେଖାଇବାକୁ ବାଧ୍ୟ କରନ୍ତୁ ନାହିଁ ।
- ପିଲାକୁ ତା’ ବାଟରେ ଛବି କରିବାକୁ ଛାଡ଼ିଦିଅନ୍ତୁ । ପିଲଟି ଛବି ଆଙ୍କିସାରି ଆପଣଙ୍କୁ ନିଶ୍ଚୟ ଦେଖାଇବ। ସେତେବେଳେ ତା’ ଛବି ମନେଯାଗ ସହାକାରେ ଦେଖନ୍ତୁ ଓ ଛବି ପଛର କାହାଣୀକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଶିଶୁ ମନସ୍ତତ୍ୱ ବୁଝିବା ପାଇଁ ଶିଶୁ ଚିତ୍ର ସବୁଠାରୁ ସହଜ ରାସ୍ତା । ପିଲାଟି ସିଧାସଳଖ ଯାହା କୁହେନି ତାହା ସେ ତା’ ଛବି ମାଧ୍ୟମରେ କହିବାକୁ ପ୍ରୟାସ କରିଥାଏ ।
- ଆପଣଙ୍କ ପିଲାକୁ କୌଣସି ରବିବାରିଆ ଚିତ୍ରକଳା ବିଦ୍ୟାଳୟ କିମ୍ବା ଚିତ୍ରକଳା ଟ୍ୟୁସନ୍ ଦେବା ଆଗରୁ କଳା ଶିକ୍ଷକଙ୍କୁ ପ୍ରଥମେ ପରଖି ନିଅନ୍ତୁ । ସେ ଆପଣଙ୍କ ପିଲାକୁ କେବଳ କୌଶଳ ଶିଖାଉଛନ୍ତି ନା କଳାକୁ ଆତ୍ମପ୍ରକାଶର ମାଧ୍ୟମ ଭାବରେ ବ୍ୟବହାରକୁ ଆଗ୍ରାଧିକାର ଦେଉଛନ୍ତି ସେ ବିଷୟରେ ଜାଣନ୍ତୁ।