ମୁଁ ମୋ ଜୀବନର ପ୍ରଥମ ସିନେମା ଦେଖିଥିଲି ଚରମ୍ପା, ଭଦ୍ରକର କୈଳାସ ସିନେମା ହଲ୍ରେ। ସିନେମାର ନାଆଁ ଥିଲା ‘ମମତା’ । ମୋତେ ସେତେବେଳେ ସାଢ଼େ ତିନି ବର୍ଷ ବୟସ ହୋଇଥିଲା । ପ୍ରକୃତରେ, ବାପାମାଆଙ୍କ ସାଙ୍ଗରେ ମୁଁ ଯାଇଥିଲି ଭଦ୍ରକର ଆଖଣ୍ଡଳମଣୀଙ୍କ ପାଖରେ ମାନସିକ ପୂରଣ ପାଇଁ ଲଣ୍ଡା ହେବାକୁ । ମୋ ବୁଢ଼ୀମାଆ ଏ ମାନସିକ ରଖିଥିଲା । ଅବଶ୍ୟ ସେଦିନ କଥା ବେଶୀ କିଛି ମନେ ନାହିଁ ମୋର । ସିନେମାରେ କିଏ ଦୁଇଜଣ ଗୀତ ଗାଇ ନାଚୁଥିବା କଥା କେବଳ ମନେ ଅଛି ଯାହା ।
ତାପରେ ଅଷ୍ଟମ କି ନବମରେ ପଢ଼ିଲା ବେଳେ ରାହାମାର ସିନେମା ହଲ୍ରେ ଦେଖିଲି ‘ମା ଓ ମମତା’ ସିନେମା । ଦଶମରେ ପଢ଼ିଲା ବେଳକୁ ଗାଁରେ ଭାଲୁକୁଣୀ ଓଷା, କାର୍ତ୍ତିକେଶ୍ୱର ପୂଜା, କୁଆଁର ପୁନେଇଁ, କାଳୀ ପୂଜା ଓ କାହା ଘରେ ଏକୋଇଶିଆ କି ଷୋଳପାଲା ବେଳକୁ ଆଉ ପାଲା କି ଦାସକାଠିଆ ନହେଇ ଭିଡିଓ ସିନେମା ଚାଲିଲା । ସାରା ରାତି ଲୋକେ ଭଳିକି ଭଲି ନୂଆ-ପୁରୁଣା ଓଡ଼ିଆ ସିନେମା ଭଡ଼ାଟିଆ ରଂଗୀନ ଟି.ଭିରେ ଭି.ସି.ଆର୍ ଲଗେଇ ଦେଖିଲେ ।
ନୂଆ କରି ମୁଁ ହିନ୍ଦୀ ସିନେମା ସେଇଠି ଦେଖିଥିଲି । ସେବେ ମୁଁ କୋଉ ହିନ୍ଦୀ ବୁଝୁଥିଲି ନା ସିନେମାର କାହାକୁ ଚିହ୍ନିଥିଲି? ତାପରେ ପ୍ରବଳ ନୀଳ-ନାଲି ଓ ସବୁଜିଆ ରଙ୍ଗର ପ୍ରାବଲ୍ୟରେ ପ୍ରାୟତଃ ଝିଲି ଝିଲି ହେଉଥିବା ସିନେମାରେ ମୋତେ ସବୁ ହୀରୋ-ହୀରୋଇନ୍ ଏକା ପରି ଦିଶୁଥିଲେ । କଲେଜରେ ପଢ଼ିଲା ସମୟକୁ ହିନ୍ଦୀ ସିନେମାରେ ଜ୍ଞାନ ରଖୁଥିବା ପିଲାମାନଙ୍କୁ ଆମେ ବଡ଼ ଜ୍ଞାନୀ ବୋଲି ମାନ୍ୟ କରୁଥିଲୁ । କିଏ କିଏ ତ ସିନେମାର ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ ଗାୟକ ଓ ଗାୟିକାଙ୍କର ନାଁ ଜାଣିଥିଲେ । ସେମାନଙ୍କୁ ଆମେ ମହାଜ୍ଞାନୀର ସମ୍ମାନ ଦେଉଥିଲୁ ।
Also Read
ପିଲାଏ “ସ୍କ୍ରିନ୍” ନାମକ ସିନେମା ଖବର ଓ ରଙ୍ଗୀନ୍ ଫଟୋ ବାହାର କରୁଥିବା ପତ୍ରିକା କିଣି ହଷ୍ଟେଲ୍ ଓ ମେସ୍ର କାନ୍ଥରେ ମାରୁଥିଲେ । କଲେଜ ଛକମାନଙ୍କରେ ଥିବା କାଠ କ୍ୟାବିନ୍ର ସେଲୁନ୍ରେ ମଧ୍ୟ ସକାଳୁ ସଞ୍ଜ ଯାଏଁ ସିନେମା ଗୀତ ବାଜୁଥିଲା ଓ କାନ୍ଥରେ ସବୁ ସେଇ “ସ୍କ୍ରିନ୍” ପତ୍ରିକାର କାଗଜ ମରାଯାଉଥିଲା ।
ଆମମାନଙ୍କ ପାଇଁ ସିନେମା କେବଳ ସିନେମା ଥିଲା । ସିନେମା ବିଷୟରେ ଆମେ ସବୁ ବେଶୀ କିଛି ଜାଣି ନଥିଲୁ । ସିନେମା ହଲ୍ ଆଗରେ ବିଶାଳ ବିଶାଳ କଟ୍ ଆଉଟ୍ ଦେଖିବାକୁ ବଡ଼ ଖୁସି ଲାଗୁଥିଲା । ଛକ କାନ୍ଥରେ ନୂଆ ସିନେମାର ପୋଷ୍ଟର୍ ଦେଖି ଘଡ଼ିଏ ଛିଡ଼ା ହୋଇଯାଉଥିଲୁ । ରିକ୍ସାରେ ମାଇକ୍ ଧରି ଗଳିକନ୍ଦି ବୁଲୁଥିବା ସିନେମା ପ୍ରଚାରବାଲାର ପ୍ରଚାରକୁ କାନ ଡେରି ଶୁଣୁଥିଲୁ । କୌଣସି ପ୍ରକାରେ ହଲ୍ରେ ବସି ସିନେମା ଦେଖିବାକୁ ଆମେ ଆମ ଜୀବନର ଚରମ ସଫଳତା ଭାବରେ ଗଣୁଥିଲୁ । ସିନେମା ଦେଖିବା ଖୁବ୍ ଗୋଟେ ଖରାପ କାମ ବୋଲି ଆମ ଗାର୍ଜନମାନେ କିନ୍ତୁ ଆମକୁ ବାରବାର ଚେତାବନୀ ଦେଉଥିଲେ ।
ପ୍ରଥମ ସିନେମା ଦେଖାର ଅନେକ ବର୍ଷ ପରେ ମୁଁ ଜାଣିଲି ଆଗରୁ ସିନେମା ସବୁ ସବାକ୍ ନଥିଲା । ଲୋକେ ସେ କାଳରେ ମୂକ ସିନେମା କେମିତି ଦେଖୁଥିଲେ କେଜାଣି ଭାବିଲେ ଆଜି ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସତକଥାଟି ହେଲା ନିର୍ବାକ୍ ଚଳଚ୍ଚିତ୍ରମାନେ, ସିନେମା ହଲ୍ରେ ଲୋକେ ଏକଦମ୍ ନିରୋଳାରେ ଏକଦମ୍ ନୀରବ ସିନେମା ଦେଖୁନଥିଲେ । ସିନେମାର ଚରିତ୍ରମାନଙ୍କର ସଂଳାପ ଅନେକ ସମୟରେ ଲେଖା ଭାବରେ ଛବି ସହ ପ୍ରଦର୍ଶିତ ହେଉଥିଲା ।
ତାପରେ ନିରବିଚ୍ଛନ୍ନ ଭାବରେ ଯନ୍ତ୍ର ସଂଗୀତ ପରିବେଷଣ ହେଉଥିଲା । ବାଦ୍ୟକାରମାନେ ସେଇଠି ହଲ୍ରେ ଉପସ୍ଥିତ ରହି ସିନେମାର ପ୍ରଥମରୁ ଶେଷ ଯାଏଁ ପିଆନୋ, ବେହେଲା, ହାରମୋନିୟମ୍ ଓ ତବଲା ବାଦନ କରୁଥିଲେ । ସିନେମା ନୀରବ ଥିଲେ ମଧ୍ୟ ହଲ୍ ନୀରବ ରହୁନଥିଲା ।
ଆମ ଦେଶରେ ପ୍ରଥମ କରି ଦାଦା ସାହେବ ଫାଲ୍କେ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ସିନେମା ଗୋଟେ ନିର୍ମାଣ କଲେ । ୧୯୩୧ରେ ଆର୍ଦେଶୀର୍ ଇରାନୀ ନିର୍ମାଣ କଲେ ପ୍ରଥମ ସବାକ୍ ଚଳଚ୍ଚିତ୍ର ‘ଆଲମ୍ ଆରା’ ।
ଖାନ୍ ବାହାଦୁର ଆର୍ଦେଶୀର୍ ଇରାନୀଙ୍କ ଜନ୍ମ ହୋଇଥିଲା ୫ ଡିସେମ୍ବର ୧୮୮୬ରେ ଏକ ପାର୍ସି ଜୋରାଷ୍ଟ୍ରିଆନ୍ ପରିବାରରେ, ତତ୍କାଳୀନ ବମ୍ବେ ପ୍ରେସିଡେନ୍ସୀର ପୁନା ଠାରେ । ଇରାନୀ ପ୍ରଥମେ ଜଣେ ଶିକ୍ଷକ ଭାବରେ ତାଙ୍କ ଜୀବନ ଆରମ୍ଭ କରିଥିଲେ ଓ ଅଳ୍ପ ଦିନ ପାଇଁ କିରୋସିନ୍ ଇନିସପେକ୍ଟର ମଧ୍ୟ ହୋଇଥିଲେ । ତେବେ ବେଶୀ ଦିନ ଏଥିରେ ସମୟ ନଷ୍ଟ ନକରି ସେ ତାଙ୍କ ବାପାଙ୍କ ମ୍ୟୁଜିକାଲ୍ ଇନ୍ଷ୍ଟ୍ରୁମେଣ୍ଟ ବ୍ୟବସାୟରେ ଯୋଗ ଦେଇଥିଲେ ।
ସେତିକିବେଳେ ହଠାତ୍ ଭାଗ୍ୟ ଦେବୀ ତାଙ୍କ ଉପରେ ପ୍ରସନ୍ନ ହେଲେ ଓ ସେ ଚଉଦ ହଜାର ଟଙ୍କାର ଗୋଟେ ଲଟେରୀ ଜିତିଗଲେ । ସେ ସମୟରେ ଚଉଦ ହଜାର ଟଙ୍କା କିଛି କମ୍ ନଥିଲା । ଏଥର ତାଙ୍କର ସିନେମା ଜଗତକୁ ପାଦ ଦେବାର ସ୍ୱପ୍ନ ପୂରଣ କରିବାରେ ସେ ଲାଗିପଡ଼ିଲେ । ପ୍ରଥମେ ସେ ଉଠା ସିନେମାରେ ପଇସା ଲଗାଇଲେ । ଉଠା ସିନେମା ସହ ଆମ ସମୟର ଅନେକ ପରିଚିତ ଥିବେ ।
ଗାଁ ଗହଳିରେ ଭିଡିଓରେ ସିନେମା ପ୍ରଦର୍ଶନର ଢେର୍ ଆଗରୁ ଏଇ ଉଠା ସିନେମା ହଲ୍ରେ ଲୋକେ ସିନେମା ଦେଖୁଥିଲେ । ପାଲରେ ତିଆରି ତମ୍ବୁ ଅବା ଚାଳ କି ବରଡ଼ା ପତ୍ରରେ ଛିଆଣି ହୋଇ ଅସ୍ଥାୟୀ ଭାବରେ ତିଆରି ହୋଇଥିବା ଘରେ ସିନେମା ଚାଲୁଥିଲା । ଲୋକେ ଟିକେଟ୍ କାଟି ସିନେମା ଦେଖୁଥିଲେ । ପ୍ରକୃତରେ ଏମିତି ଦେଖିବାକୁ ଗଲେ ଏଇ ଟେଣ୍ଟ ସିନେମା ବା ଉଠା ସିନେମାମାନେ ହିଁ ଭାରତରେ ସିନେମା ଦେଖିବାର ସଂସ୍କୃତିକୁ ଏକଦା ଲୋକପ୍ରିୟ କରିଥିଲେ ।
ହଁ, ଇରାନୀ ସାହେବ ୧୯୦୫ରେ ପ୍ରସିଦ୍ଧ ୟୁନିଭର୍ସାଲ୍ ଷ୍ଟୁଡିଓର ଭାରତୀୟ ପ୍ରତିନିଧି ଭାବରେ ହଲିଉଡ୍ ସିନେମା ସବୁ ଭାରତର ଛୋଟ ସହରମାନଙ୍କରେ ଦେଖାଇଲେ । ପରେ ସିନେମା ପ୍ରଯୋଜନା ଓ ନିର୍ମାଣ ସହ ଜଡ଼ିତ ହେଲେ, ଯେବେ ସେ ଆଲେକଜାଣ୍ଡର୍ ସିନେମା ସଂସ୍ଥା ସହ ଯୋଡ଼ି ହେଲେ । ଚଳଚ୍ଚିତ୍ର ତିଆରିର ଗହନ କଥା ସବୁ ଏଉଠୁ ସେ ଶିଖିଲେ ଓ ୧୯୧୭ରେ ନିର୍ବାକ୍ ‘ନଳ ଦମୟନ୍ତୀ’ ସିନେମା ତିଆରି ଆରମ୍ଭ କଲେ।
ସିନେମାଟି ୧୯୨୦ରେ ରିଲିଜ୍ ହେଲା । ୧୯୨୨ରେ ଇରାନୀ ଏକଦା ଦାଦା ସାହେବ ଫାଲ୍କେଙ୍କ ‘ହିନ୍ଦୁସ୍ଥାନ’ ଫିଲ୍ମର ମ୍ୟାନେଜର୍ ଥିବା ଭୋଗିଲାଲ୍ ଦାଭେଙ୍କ ସହ ମିଶି ଆରମ୍ଭ କଲେ ଷ୍ଟାର୍ ସିନେମା । ସେଇ ୧୯୨୨ରେ ସେମାନେ ତିଆରି କଲେ ‘ବୀର ଅଭିମନ୍ୟୁ’ । ନ୍ୟୁୟର୍କ ସ୍କୁଲ୍ ଅଫ୍ ଫଟୋଗ୍ରାଫିରୁ ପାଠ ପଢ଼ିଥିବା ଦାଭେ ସିନେମାର ସୁଟିଂ ଭାଗ ସମ୍ଭାଳିଲେ ଓ ଇରାନୀ ସାହେବ ନିର୍ଦ୍ଦେଶନା ଦେଲେ ଏବଂ ପ୍ରଯୋଜନା କଲେ ।
ଫତିମା ବେଗମ୍ ମୂଖ୍ୟ ନାରୀ ଭୂମିକାରେ ଅଭିନୟ କଲେ । ଫତିମା ବେଗମ୍ ପରେ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କୁ ଭାରତୀୟ ସିନେମା ଇତିହାସର ପ୍ରଥମ ନାରୀ ନିର୍ଦ୍ଦେଶିକା ଭାବରେ ସମ୍ମାନ କରାଯାଏ । ଇରାନୀ ସାହେବ ଓ ଭୋଗିଲାଲ୍ ଦାଭେଙ୍କ ଯୋଡ଼ି ଭାଙ୍ଗିଲା ବେଳକୁ ଷ୍ଟାର୍ ଫିଲ୍ମ ୧୭ଟି ସିନେମା ତିଆରି କରିସାରିଥିଲେ ।
୧୯୨୪ରେ ଇରାନୀ ସାହେବ ମାଜେଷ୍ଟିକ୍ ଫିଲ୍ମ ଆରମ୍ଭ କଲେ । ତାଙ୍କ ସହ ଯୋଗ ଦେଲେ ବି.ପି. ମିଶ୍ର ଓ ନାଭଲ ଗାନ୍ଧୀ । ମାଜେଷ୍ଟିକ୍ ଫିଲ୍ମ ପନ୍ଦରଟି ସିନେମା ତିଆରି କଲା । ସିନେମା ସବୁକୁ ନିର୍ଦ୍ଦେଶନା ଦେଲେ ବି.ପି. ମିଶ୍ର ନହେଲେ ନାଭଲ ଗାନ୍ଧୀ । ୧୯୨୫ରେ ଇରାନୀ ଆରମ୍ଭ କଲେ ଇମ୍ପେରିଆଲ୍ ଫିଲ୍ମ । ଇମ୍ପେରିଆଲ୍ ଫିଲ୍ମରେ ସେ ୬୨ଟି ସିନେମା ତିଆରି କଲେ । ସେଥିରେ ସବୁଠାରୁ ଐତିହାସିକ ଥିଲା ଭାରତୀୟ ସିନେମା ଇତିହାସର ପ୍ରଥମ ସବାକ୍ ଚଳଚ୍ଚିତ୍ର ‘ଆଲମ୍ ଆରା’ ।
‘ଆଲମ୍ ଆରା’ ରିଲିଜ୍ ହେଲା ୧୪ ମାର୍ଚ୍ଚ ୧୯୩୧ରେ । ୟୁନିଭର୍ସାଲ୍ ପିକ୍ଚର୍ ୧୯୨୯ରେ ୪୦ ଭାଗ ସବାକ୍ ଥିବା ସିନେମା ‘ସୋ ବୋଟ୍’ ରିଲିଜ୍ କରିଥିଲା । ଏଇ ଆମେରିକୀୟ ସିନେମା ଦେଖି ଇରାନୀ ସାହେବ ଭାରତରେ ଏକ ସବାକ୍ ସିନେମା ତିଆରି କରିବାକୁ ମନସ୍ଥ କରିଥିଲେ । ଯେମିତି ଏକଦା ଦ ‘ଲାଇଫ୍ ଅଫ୍ ଖ୍ରୀଷ୍ଟ’ ସିନେମା ଦେଖି ଦାଦା ସାହେବ ଏକ ଭାରତୀୟ କାହାଣୀ ଓ ଚରିତ୍ରମାନଙ୍କୁ ନେଇ ସିନେମା ତିଆରି କରିଥିଲେ ।
ଇରାନୀ ସାହେବ ବମ୍ବେର ଜୋସେଫ୍ ଡେଭିଡ୍ ନାମକ ନାଟ୍ୟକାରଙ୍କ ‘ଆଲମ୍ ଆରା’ ମୂଳ ନାଟକକୁ ସିନେମାରେ ରୂପ ଦେଇଥିଲେ । ସେତେବେଳେ ସିନେମା ପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୪୦,୦୦୦ ଟଙ୍କା । ସିନେମାରେ ପୃଥୀରାଜ କପୁର ସେନାପତି ଭୂମିକାରେ ଅଭିନୟ କରିଥିଲେ । ‘ଆଲାମ୍ ଆରା’ ପରେ ଆର୍ଦେଶୀର୍ ଇରାନୀଙ୍କୁ ଭାରତୀୟ ସବାକ୍ ସିନେମାର ପିତା ବୋଲି କୁହାଗଲା । ଦୁଃଖର କଥା ‘ଆଲାମ୍ ଆରା’ର କୌଣସି ପ୍ରିଣ୍ଟ ଆଜି ଆଉ ନାହିଁ । ଯାହା କିଛି ଫଟୋ ଓ ପୋଷ୍ଟର୍ କୌଣସି ପ୍ରକାରେ ବଂଚି ଯାଇଛି ।
‘ଆଲମ୍ ଆରା’ର ରିଲିଜ୍ ହେବା ପରେ ଭାରତୀୟ ସିନେମାର ରୂପ ଓ ସ୍ୱରୂପ ବଦଳିବାକୁ ଆରମ୍ଭ କଲା । ପ୍ରଥମ କଥା ହେଲା, ସିନେମା ଆଞ୍ଚଳିକ ଭାଷାରେ ତିଆରି ହେବାର ସମ୍ଭାବନା ତିଆରି ହେଲା ଏବଂ ଗୀତ ଓ ସଂଗୀତ ଭାରତୀୟ ସିନେମାର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଯୋଡ଼ି ହୋଇଗଲା । ସେ ସମ୍ପର୍କ ଆଜି ବି ଅତୁଟ ରହିଛି । ‘ଆଲାମ୍ ଆରା’ ପରେ ଆହୁରି ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ସବାକ୍ ସିନେମା ତିଆରି କରିବାକୁ ଆଗଭର ହେଲେ । ସିନେମା ହଲ୍ରେ ପୁରୁଣା ପ୍ରୋଜେକ୍ଟର ବଦଳି ଗଲା । ନୂଆ ସାଉଣ୍ଡ ସିଷ୍ଟମ୍ ଲାଗିଲା । ସୁଟିଂ ଷ୍ଟୁଡିଓ ଓ ସିନେମା ହଲ୍ର ହୁଲିଆ ବଦଳାଇବାକୁ ପଡ଼ିଲା ।
ଇରାନୀ କେବଳ ପ୍ରଥମ ସବାକ୍ ଓ ପ୍ରଥମ ରଂଗୀନ ଚଳଚ୍ଚିତ୍ର ତିଆରି କରି ନଥିଲେ, ସେ ହିଁ ପ୍ରଥମ କରି ଭାରତୀୟ ସିନେମାକୁ କୃତ୍ରିମ ଆଲୋକ ସାହାଯ୍ୟରେ ଷ୍ଟୁଡିଓ ଭିତରେ ସୁଟିଂ କରିଥିଲେ । ଫଳରେ ସିନେମା ତିଆରି ସହଜ ଓ କମ୍ ଖର୍ଚ୍ଚରେ ହୋଇପାରିଲା । ଆଗରୁ ସୂର୍ଯ୍ୟ କିରଣରେ ରିଫ୍ଲେକ୍ଟର୍ ସାହାଯ୍ୟରେ ବାହାରେ ସିନେମା ସୁଟିଂ କରାଯାଉଥିଲା । ‘ଆଲମ୍ ଆରା’ ସୁଟିଂ ଯେଉଁ ଷ୍ଟୁଡିଓରେ ହେଉଥିଲା, ସେଇଟି ଥିଲା ଟ୍ରେନ୍ ଲାଇନ୍ କଡ଼ରେ । ଟ୍ରେନ୍ ଶବ୍ଦକୁ ଏଡ଼ାଇବାକୁ ରାତିରେ ଆଲୁଅ ଜଳେଇ ସୁଟିଂ କରାଗଲା । କିନ୍ତୁ ପରେ ସେଇ ଉପାୟଟି ସିନେମା ତିଆରିର ନୂଆ ଏକ ସହଜ ମାର୍ଗ ଫିଟାଇଦେଲା ।
ଇରାନୀ ୧୯୩୭ରେ ନିର୍ମାଣ କଲେ ‘କିଷାନ୍ କନ୍ୟା’ । ଯାହାକି ଭାରତୀୟ ସିନେମା ଇତିହାସରେ ପ୍ରଥମ ରଙ୍ଗୀନ୍ ଚଳଚ୍ଚିତ୍ର ଥିଲା । ବିଖ୍ୟାତ ଲେଖକ ସଦତ୍ ହସନ୍ ମଣ୍ଟୋଙ୍କର ଏକ କାହାଣୀକୁ ନେଇ ସିନେମାଟି ତିଆରି କରାଯାଇଥିଲା । ଇରାନୀ ସାହେବ ପ୍ରଥମ କରି ହିନ୍ଦୀ, ଗୁଜରାଟି, ମରାଠୀ, ତେଲଗୁ, ବର୍ମିଜ, ପାର୍ସି ଓ ଇଂରାଜୀ ଭାଷାରେ ମଧ୍ୟ ସିନେମା ତିଆରି କରିଥିଲେ । ଇଂରାଜୀ ଭାଷାରେ ପ୍ରଥମ ଭାରତୀୟ ସିନେମା ‘ନୁର୍ ଜାହାଁ’ ୧୯୩୧ରେ ସେ ନିର୍ମାଣ କରିଥିଲେ । ପ୍ରଥମ କରି ବହୁଭାଷିକ ସିନେମା ବି ସେ ହିଁ ତିଆରି କରିଥିଲେ ।
ଇରାନୀଙ୍କ ଇମ୍ପେରିଆଲ୍ ଫିଲ୍ମ ପରବର୍ତ୍ତୀ ସମୟର ବିଖ୍ୟାତ ତାରକା ପୃଥୀରାଜ କପୁର ଓ ପ୍ରଯୋଜକ ନିର୍ଦ୍ଦେଶକ ମେହେବୁବ୍ ଖାନ୍ଙ୍କୁ ସିନେମା ଦୁନିଆକୁ ଆଣିଥିଲେ । ୨୫ ବର୍ଷର କ୍ୟାରିୟର୍ରେ ଇରାନୀ ସାହେବ ୧୫୮ଟି ସିନେମା ତିଆରି କରିଥିଲେ । ଆଜି ଦାଦା ସାହେବ ଫାଲ୍କେଙ୍କ ପରି ତାଙ୍କ ନାମ ସାଧାରଣରେ ଅନେକ ଜାଣନ୍ତି ନାହିଁ । ଜଣେ ସ୍କୁଲ୍ ଶିକ୍ଷକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଇରାନୀଙ୍କର ଭାରତୀୟ ସିନେମାକୁ ଜଣେ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ, କାଳାକାର, ସିନେମା ବିତରକ, କ୍ୟାମେରାମ୍ୟାନ୍ ଭାବରେ ଥିବା ଅବଦାନକୁ ଆଖି ପକାଇଲେ ଆଜି ଆଶ୍ଚର୍ଯ୍ୟ ହେବାକୁ ହୁଏ ।