• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଗୋବର୍ଦ୍ଧନ ଆଶଙ୍କ ଜନ୍ମ ୧୯୦୭ରେ ବଙ୍ଗପ୍ରଦେଶରେ ହେଇଥିଲା। ବଙ୍ଗଭଙ୍ଗର ଠିକ୍ ଦୁଇ ବର୍ଷ ପରେ। ଗୋବର୍ଦ୍ଧନ ଆଶ ଜଣେ ପ୍ରତିଭାବାନ ଭାରତୀୟ ଚିତ୍ରଶିଳ୍ପୀ ଥିଲେ; ଯାହାଙ୍କୁ ଆଜି ଅନେକ ଭାରତୀୟ ଚିତ୍ରକଳା ସହ ସିଧା କି ବଙ୍କାରେ ସମ୍ପର୍କ ରଖିଥିବା ଲୋକେ ଜାଣି ନାହାଁନ୍ତି। ଅନ୍ୟ ବଙ୍ଗାଳୀ ଚିତ୍ରଶିଳ୍ପୀଙ୍କ ପରି ଆଜି ତାଙ୍କ ନାମ ଏତେ ଲୋକପ୍ରିୟ ନୁହେଁ। ଏମିତିକି ତାଙ୍କ ନାମରେ ୱିକିପିଡିଆ ଏଣ୍ଟ୍ରି ବି ନାହିଁ। ବିସ୍ମୃତି ଭିତରେ ହଜିଯିବା ଆଗରୁ ହଠାତ ସେ ଆଜିକାଲି ପୁଣିଥରେ ଚର୍ଚ୍ଚାର ପରିସରରେ।

ତାଙ୍କ ବିଷୟରେ, ତାଙ୍କ ଛବି ବିଷୟରେ ଭାରତର ପ୍ରିଣ୍ଟ୍‌ ମିଡିଆ ଓ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ବେଶ୍ ଆଲୋଚନା ହେଉଛି। ଆଉଥରେ ଖୋଜା ପଡୁଛି ତାଙ୍କ ଛବି। କାରଣ ଗୋବର୍ଦ୍ଧନ ଆଶ ହେଉଛନ୍ତି ପ୍ରଥମ ଭାରତୀୟ ଚିତ୍ରଶିଳ୍ପୀ ଯାହାଙ୍କ ଛବି ଏନ୍‌ଏଫ୍‌ଟି (ନନ୍ ଫଞ୍ଜିବଲ୍ ଆସେଟ୍)ରେ ନିଲାମ କରାଯାଇଛି। ଗୋବର୍ଦ୍ଧନଙ୍କ ହାତ ଅଙ୍କା ପଇଁତିରିଶଟି ଛବିର ଏନ୍‌ଏଫ୍‌ଟି ଓ କାଗଜ ଉପରେ ଗ୍ୱାସ୍‌ରେ ଅଙ୍କା ତା’ର ମୂଳ ଛବି ଉଭୟେ ନିଲାମରେ ସ୍ଥାନ ପାଇଥିଲା।

ଗୋବର୍ଦ୍ଧନଙ୍କର ଜନ୍ମ ହେଇଥିଲା ହୁଗୁଳୀ ଜିଲ୍ଲାର ବେଗମପୁର ନାମକ ନିପଟ ମଫସଲି ଗାଁ’ର ଏକ ଚାଷୀ ପରିବାରରେ। ପାନ ବରଜରେ ତାଙ୍କ ଘର ଲୋକେ କାମ କରୁଥିଲେ। ୧୯୨୬ରେ ଗୋବର୍ଦ୍ଧନ ‘କଲିକତା ସରକାରୀ କଳା ବିଦ୍ୟାଳୟ’ରେ ଚିତ୍ରକଳା ଶିକ୍ଷା ପାଇଁ ନାମ ଲେଖାଇଥିଲେ। କିନ୍ତୁ ବିଦ୍ୟାଳୟର କଳାଶିକ୍ଷାର ପଦ୍ଧତି ଉପରେ ବିରକ୍ତ ହୋଇ ପାଞ୍ଚ ବର୍ଷ ପରେ ‘କଲିକତା ସରକାରୀ କଳା ବିଦ୍ୟାଳୟ’ ଛାଡ଼ି ‘ମାଡ୍ରାସ ସ୍କୁଲ୍ ଅଫ୍ ଆର୍ଟ’ରେ ଯାଇଁ ନାମ ଲେଖାଇଥିଲେ।

ସେତେବେଳେ ‘ମାଡ୍ରାସ ସ୍କୁଲ୍ ଅଫ୍ ଆର୍ଟ’ରେ ଅଧ୍ୟକ୍ଷ ଥାଆନ୍ତି ପ୍ରସିଦ୍ଧ ସ୍ଥପତି ଦେବୀପ୍ରସାଦ ରାୟ ଚୌଧୁରୀ। ଗୋବର୍ଦ୍ଧନ ଆଶ ଏକାଡେମିକ୍ ରିଏଲିଜିମ୍‌କୁ ବିରୋଧ କରୁଥିଲେ ଓ ଆଭାସବାଦର କଳା କୌଶଳକୁ ବେଶୀ ପସନ୍ଦ କରୁଥିଲେ। ଶେଷରେ ଘଟଣାକ୍ରମରେ ସେ ମାଡ୍ରାସ ବି ଛାଡିଲେ ଓ କଲିକତାକୁ ଫେରିଆସିଲେ। କଲିକତା ଫେରିଆସି ସେ ଚିତ୍ରଶିଳ୍ପୀ ଅତୁଲ ବୋଷଙ୍କ ଷ୍ଟୁଡିଓରେ ଅନେକ ଦିନ ଧରି କାମ କଲେ।

୧୯୨୨ ବେଳକୁ କଲିକତାରେ ଜର୍ମାନ ଚିତ୍ରଶିଳ୍ପୀମାନଙ୍କ ଛବି ପ୍ରଦର୍ଶିତ ହେଇସାରିଲାଣି। ‘ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ’ ସଂସ୍ଥା ପ୍ରଦର୍ଶନୀ ଆୟୋଜନ ସହ କଳା ପତ୍ରିକା ପ୍ରକାଶ କରିବା ଓ କଳା ଶିକ୍ଷା ଦେଉଥା’ନ୍ତି। ରବିନ୍ଦ୍ରନାଥଙ୍କ ‘ବିଶ୍ୱଭାରତୀ’ର କଳାଭବନ ୧୯୧୯ରେ ପ୍ରତିଷ୍ଠା ଓ ସେଠି ଆଚାର୍ଯ୍ୟ ନନ୍ଦଲାଲ୍ ୧୯୨୨ରେ ଯୋଗ ଦେଇ ସାରିଥା’ନ୍ତି। ବଙ୍ଗଳା ପୁନଃଜାଗରଣ ଧାରାରେ ସେତେବେଳକୁ ଭାରତର ମୂଳ ସହ ସମ୍ପର୍କ ଯୋଡିବା ପାଇଁ ପ୍ରଚେଷ୍ଠା ଚାଲିଥାଏ। ଯେଉଁଠି ଭାରତର ମହାନ ପରମ୍ପରା ହିଁ ଚିତ୍ରର ବିଷୟ ଓ କୌଶଳର ପ୍ରତିନିଧି ପାଲଟିଥାଏ।

ସେଇଠି ଗୋବର୍ଦ୍ଧନ ଚିତ୍ରରେ ପରମ୍ପରା ପ୍ରତି ଅତି ଆନୁଗତ୍ୟତାକୁ ପସନ୍ଦ କରୁ ନଥା’ନ୍ତି । ୧୯୩୧ରେ ସେ ତାଙ୍କ ଚିତ୍ରଦର୍ଶନ ସହ ଏକମତ ଥିବା କିଛି ଚିତ୍ରଶିଳ୍ପୀଙ୍କୁ ନେଇ ଆରମ୍ଭ କଲେ ‘ୟଙ୍ଗ୍‌ ଆର୍ଟିଷ୍ଟସ୍ ୟୁନିୟନ୍’। ତାଙ୍କ ସାଙ୍ଗରେ ଯୋଗ ଦେଇଥା’ନ୍ତି ଚିତ୍ରଶିଳ୍ପୀ ଅବନୀ ସେନ୍, କାଳିକିଙ୍କର ଘୋଷ ଦାସ୍ତିଦାର, ରେଣୁ ରାୟ ପ୍ରଭୃତି ଆହୁରି କିଛି ଶିଳ୍ପୀ। ଏସବୁ ଯୁବ ଚିତ୍ରଶିଳ୍ପୀଙ୍କୁ ମାର୍ଗଦର୍ଶନ ଦେଉଥା’ନ୍ତି ଅତୁଲ ବୋଷ।

ଅତୁଲ ବୋଷଙ୍କ ମାର୍ଗଦର୍ଶନରେ ଗୋବର୍ଦ୍ଧନ ୧୯୩୩ରେ ଆରମ୍ଭ କଲେ ‘ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍’। ସେଇବର୍ଷ ଗୋବର୍ଦ୍ଧନ ଅବନୀ ସେନ୍, ଅନ୍ନଦା ଦେ ଓ ଭୋଳା ଚାଟାର୍ଜୀଙ୍କୁ ସାଙ୍ଗରେ ନେଇ ‘ଆର୍ଟ ରିବେଲ୍ ସେଣ୍ଟର୍’ ପ୍ରତିଷ୍ଠା କଲେ। ‘ଆର୍ଟ ରିବେଲ୍ ସେଣ୍ଟର୍’ର କଳା ଦର୍ଶନ ଥିଲା; କଳା ସୃଷ୍ଟି ଭୟଶୂନ୍ୟ ଭାବରେ, ସ୍ୱାଧିନ ଭାବରେ ଓ ସତ୍ୟକୁ ଆଧାର କରି କରାଯିବା ଦରକାର। ଉଦ୍ଦେଶ୍ୟ ଥିଲା କଳା ସାହସ ଓ ଦୃଢ଼ତାର ସହ ଛିଡ଼ା ହେବ; ଯେଉଁଠି ଅଯଥା ପ୍ରବଣତାର ଓ ରୁଢ଼ିବାଦୀ ପରମ୍ପରାର କୌଣସି ସ୍ଥାନ ନଥିବ।

ବେଙ୍ଗଲ୍ ସ୍କୁଲ୍‌ର ଚିତ୍ରଧାରାକୁ ସେଇ ବଙ୍ଗ ପ୍ରଦେଶର କିଛି ଯୁବ ଶିଳ୍ପୀ ବିରୋଧ କରିବା ଆରମ୍ଭ କରିସାରିଥିଲେ। ଅବନୀନ୍ଦ୍ର, ନନ୍ଦଲାଲ୍‌ଙ୍କ ରାସ୍ତାରେ ବାଟ ଚାଲିବାକୁ ସେମାନେ ଆଉ ଆଗ୍ରହୀ ନଥିଲେ। ଗୋବର୍ଦ୍ଧନ ଆଶ ଓ ତାଙ୍କ ବନ୍ଧୁମାନେ ସେତେବେଳର ଚିତ୍ରକଳାର ମୁଖ୍ୟଧାରା କୁହାଯାଉଥିବା ପୌରାଣିକ ଓ ଐତିହାସିକ ଛବି ନିର୍ମାଣକୁ ଛାଡ଼ି ସମସାମୟିକ ଜୀବନ ଓ ସମୟକୁ ଆପଣା ଆପଣା ଛବିରେ ରୂପ ଦେବାକୁ ଆରମ୍ଭ କରିଥିଲେ।

ଗୋବର୍ଦ୍ଧନ ମଣିଷକୁ ଭଲ ପାଉଥିବା ମଣିଷଟେ ଥିଲେ। ଆଖପାଖ ସମାଜରେ ଘଟୁଥିବା ଦୁଃଖ ଦୁର୍ଦ୍ଦଶା ତାଙ୍କୁ ସବୁବେଳେ ବିଚଳିତ କରୁଥିଲା। ସମାଜରେ ଅବହେଳିତ ମେହେନତି ଭୋକିଲା ଗରିବ ମଣିଷମାନଙ୍କର କଥାକୁ ସେ ମୁଖ୍ୟ ବିଷୟ କରି ନିଜ ଛବି ଭିତରକୁ ଆଣିଦେଲେ। ୧୯୪୩ର ବଙ୍ଗ ଦୁର୍ଭିକ୍ଷ ସମୟରେ ଗୋବର୍ଦ୍ଧନ ଗାଁ ଗାଁ ବୁଲି ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ପ୍ରତ୍ୟକ୍ଷ କଲେ ଓ ମନୁଷ୍ୟକୃତ ଏହି ଦୁର୍ବିପାକ ବିରୁଦ୍ଧରେ ଆପଣା ଛବି ମାଧ୍ୟମରେ ସ୍ୱର ଉଠେଇଲେ।

ସେଇ ସମୟରେ ବଙ୍ଗ ପ୍ରଦେଶର ଅନ୍ୟ ଦୁଇ ଚିତ୍ରଶିଳ୍ପୀ ଯଥାକ୍ରମେ ଚିତ୍ତପ୍ରସାଦ ଭଟ୍ଟାଚାର୍ଯ୍ୟ ଓ ଜଇନୁଲ୍ ଆବେଦିନ୍ ମଧ୍ୟ ୧୯୪୩ର ବଙ୍ଗ ଦୁର୍ଭିକ୍ଷକୁ ନେଇ ଅନେକ ଛବି କରିଛନ୍ତି। ଭାରତରେ ସମାଜବାଦୀ ରାଜନୈତିକ ଚିନ୍ତାଧାରା ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଧଶାକୁ ଦେଖିବାର ଅଲଗା ଏକ ନଜର ଦେଇସାରିଥାଏ। ଶ୍ରେଣୀ ସଂଘର୍ଷ ଓ ମାର୍କ୍ସଙ୍କ ଦର୍ଶନରେ ଯୁବ ସମାଜ ଦୀକ୍ଷିତ ହେଉଥା’ନ୍ତି। ସାହିତ୍ୟ ଓ ଚିତ୍ରରେ ତା’ର ସିଧାସଳଖ ପ୍ରଭାବ ପରିଲକ୍ଷିତ ହେଉଥାଏ। ସେତିକିବେଳେ, ଅର୍ଥାତ ସେଇ ୧୯୪୩ ବେଳକୁ ଭାରତୀୟ ଚିତ୍ରକଳାରେ ଆଧୁନିକତାର ପବନ ବହିବା ଆରମ୍ଭ ହେଉଥାଏ।

ସାମାଜିକ ଓ ଅର୍ଥନୈତିକ ବୈଷମ୍ୟକୁ ନେଇ କେତେଜଣ ବିଦ୍ରୋହକୁ ଓହ୍ଲେଇ ସାରିଥିବା ବେଳେ ଅନ୍ୟ ଏକ ଚିତ୍ରଶିଳ୍ପୀ ସଂଗୋଷ୍ଠୀ ନିଜକୁ ପ୍ରଗତିଶୀଳ କହି ମଧ୍ୟବିତ୍ତର ରୋମାଣ୍ଟିକ୍‌ ପ୍ରବଣତାକୁ ପରିପୁଷ୍ଟ କରିବାକୁ ଆଗଭର ହେଇସାରିଥା’ନ୍ତି। ସେମାନେ ହେଲେ ‘ବମ୍ବେ ପ୍ରୋଗ୍ରେସିଭ୍ ଗ୍ରୁପ୍’।

ବଙ୍ଗଳା ଦୁର୍ଭିକ୍ଷ ଭିତରୁ ଯେଉଁ କଳାକାର ସଂଗୋଷ୍ଠୀଟି ତିଆରି ହେଲା ତା’ ନାଁ ହେଲା ‘କାଲକାଟା ଗ୍ରୁପ୍’। ସେମାନେ ବଙ୍ଗପ୍ରଦେଶରେ ମଣିଷକୃତ ଦୁର୍ଭିକ୍ଷ ପ୍ରପୀଡ଼ିତ ସାଧାରଣ ମଣିଷମାନଙ୍କର ପ୍ରତିନିଧି ଭାବରେ ନିଜକୁ ଆଗକୁ ଆଣିଲେ ଓ ଆପଣା ଚିତ୍ର ମାଧ୍ୟମରେ ସେଇ ମଣିଷମାନଙ୍କ ସ୍ୱରକୁ ଅନ୍ୟକୁ ଶୁଣେଇବାକୁ ଚେଷ୍ଠା କଲେ। ୧୯୪୩ରେ ସେମାନେ ଏକ ଘୋଷଣାପତ୍ର ଜାରୀ କରିଥିଲେ; ଯେଉଁଥିରେ କୁହାଯାଇଥିଲା ଯେ ରିଏଲିଜିମ୍ ବା ବାସ୍ତବବାଦକୁ ସେମାନେ ତାଙ୍କ କଳାତ୍ମକ ପ୍ରୟାସର ମୂଳଦୁଆ ବୋଲି ଗ୍ରହଣ କରନ୍ତି।

ସେମାନଙ୍କ କଳାରେ ତତ୍କାଳୀନ ସାମାଜିକ ବାସ୍ତବତାର ଭୟାବହତା ମୁଖ୍ୟ ବିଷୟ ଥିଲା। ସଂଗୋଷ୍ଠୀର ପ୍ରାରମ୍ଭିକ ସଭ୍ୟ ଥିଲେ ପ୍ରଦୋଷ ଦାଶ ଗୁପ୍ତ, ଗୋପାଳ ଘୋଷ, ରଥିନ ମିତ୍ର, ନୀରଦ ମଜୁମ୍‌ଦାର, ଶୁଭ ଠାକୁର ଓ ପ୍ରାଣକୃଷ୍ଣ ପାଲ୍। ପରେ ୧୯୪୭ରେ ଅବନୀ ସେନ୍, ୧୯୫୦ରେ ଗୋବର୍ଦ୍ଧନ ଆଶ,୧୯୫୨ରେ ସୁନୀଲ ମାଧବ ସେନ୍ ଓ ୧୯୫୩ରେ ହେମନ୍ତ ମିଶ୍ର ଯୋଗଦେଲେ।

‘ବଙ୍ଗ ପ୍ରୋଗେସିଭ୍ ରାଇଟର୍ସ୍ ଆସୋସିଏସନ୍’ ଗୋବର୍ଦ୍ଧନଙ୍କ ଦୁର୍ଭିକ୍ଷ ସିରିଜ୍‌ର ଛବି ଦେଖି ପ୍ରଥମେ ବୃହତ୍ତର କଳାପ୍ରେମୀଙ୍କ ଆଗକୁ ଆଣିଥିଲେ। ସେତେବେଳକୁ ଗୋବର୍ଦ୍ଧନ ଗ୍ୱାସ୍ ରଙ୍ଗରେ ତାଙ୍କ ଛବି ସବୁ ପଏଣ୍ଟ୍‌ଲିଜିମ୍, ଏକ୍ସପ୍ରେସ୍‌ନିଜିମ୍ ଓ ଲୋକକଳାର ଧାରାରେ ଅଙ୍କନ କରୁଥିଲେ।

୧୯୪୯ରେ ଧରମତାଲା ଷ୍ଟ୍ରିଟ୍‌ରେ ଥିବା କଲିକତା ଫଟୋ ସୋସାଇଟିରେ ଥରେ ଡିସେମ୍ବର ମାସରେ ‘କାଲକାଟା ଗ୍ରୁପ୍’ର ସେକ୍ରେଟାରୀ ପ୍ରଦୋଷ ଦାସ ଗୁପ୍ତ ଓ ତାଙ୍କ ସାଙ୍ଗରେ ଥିବା ଦୁଇ ଭଦ୍ରବ୍ୟକ୍ତିଙ୍କ ସହ ଗୋବର୍ଦ୍ଧନଙ୍କର ଦେଖାହେଲା। ଗୋବର୍ଦ୍ଧନ ସେମାନଙ୍କ ମଧ୍ୟରୁ କେବଳ ପ୍ରଦୋଷ ବାବୁଙ୍କୁ ଜାଣିଥିଲେ। ପ୍ରଦୋଷ ଦାସ ଗୁପ୍ତଙ୍କ କହିବା ଅନୁସାରେ, ସେମାନେ ତାଙ୍କର ଗୋଟେ ଏକକ ପ୍ରଦର୍ଶନୀ ପାଇଁ ତାଙ୍କୁ ଖୋଜି କଥା ହେବାକୁ ଚାହୁଁଥିଲେ।

ସେତେବେଳକୁ ଗୋବର୍ଦ୍ଧନ ‘ମାଡ୍ରାସ୍ ଅଲ୍ ଇଣ୍ଡିଆ ଫାଇନ୍ ଆର୍ଟ ପ୍ରଦର୍ଶନୀ’ରେ ପ୍ରଥମ ପୁରସ୍କାର ପାଇସାରିଥା’ନ୍ତି ଓ ‘ଦିଲ୍ଲୀ ଫାଇନ୍ ଆର୍ଟସ୍ ପ୍ରଦର୍ଶନୀ’ ଏବଂ ‘କଲିକତା ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ପ୍ରଦର୍ଶନୀ’ରୁ ମଧ୍ୟ ପୁରସ୍କାର ପାଇସାରିଥା’ନ୍ତି।

କଲିକତା ଗ୍ରୁପ୍‌ରୁ ରଥିନ ମିତ୍ର ଓ ଗୋପାଳ ଘୋଷ ବିଦାୟ ନେଇ ସାରିଥା’ନ୍ତି। ସେ ଖାଲି ଜାଗା ପାଇଁ ଜଣେ ଭଲ ଚିତ୍ରଶିଳ୍ପୀର ଆବଶ୍ୟକତା ଥାଏ। ପ୍ରଦୋଷ ଦାସ ଗୁପ୍ତ ଆଦି ଗୋବର୍ଦ୍ଧନଙ୍କ ଅଧିକ ଛବି ସେଥିପାଇଁ ବି ଦେଖିବାକୁ ଚାହୁଁଥା’ନ୍ତି। କାରଣ ସଂଗୋଷ୍ଠୀର ସମ୍ଭାବ୍ୟ ନୂଆ ସଦସ୍ୟ ଭାବରେ ସେ ସବୁଠୁ ଭଲ ପସନ୍ଦ ଥିଲେ। ତା’ପରେ ତାଙ୍କର କାମ ଦେଖିବା ଉଦ୍ଦେଶ୍ୟରେ ପ୍ରଦୋଷ ଦାସ ଗୁପ୍ତ ଓ ଅନ୍ୟ ଦୁଇ ଜଣ ବେଗମପୁରରେ ରହୁଥିବା ଗୋବର୍ଦ୍ଧନଙ୍କ ଚାଳ ଘରେ ପହଞ୍ଚିଗଲେ।

ଗୋନର୍ଦ୍ଧନଙ୍କ ଘରେ ପହଞ୍ଚି ଗଦା ଗଦା ଛବି ଦେଖି ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ଛବିର ଗଦା ଭିତରୁ ସେମାନେ ଛପନଟି ଛବି ଚୟନ କଲେ ଓ କହିଲେ ଏସବୁ ଛବିର ଏକକ ପ୍ରଦର୍ଶନୀ କଲିକତାରେ ଆୟୋଜନ କରାଯିବ। କଲିକତାର ଗୋଖେଲ୍ ରୋଡ୍‌ରେ ପ୍ରଦର୍ଶନୀ ଆରମ୍ଭ ହେଲା ୫ ଜାନୁୟାରୀ,୧୯୫୦ରେ। ବିଭିନ୍ନ ଦିଗରୁ ପ୍ରଦର୍ଶନୀ ସଫଳ ବି ହୋଇଥିଲା।

କଲିକତାରେ ୧୯୫୦ରେ ଆୟୋଜିତ ହେଲା ‘କାଲକାଟା ଗ୍ରୁପ୍’ ଓ ‘ବମ୍ବେ ପୋଗ୍ରେସିଭ୍ ଗ୍ରୁପ୍’ର ମିଳିତ ପ୍ରଦର୍ଶନୀ। କେ.ଏଚ୍.ଆରା, ଫ୍ରାନ୍‌ସିସ୍ ନିଉଟନ୍ ସୁଜା, ମକବୁଲ୍ ଫିଦା ହୁସେନ୍ ଆଦିଙ୍କ ଛବି ସହ ଗୋବର୍ଦ୍ଧନ ଆଶଙ୍କ ଛବି ବି ସ୍ଥାନ ପାଇଲା।

ଇବ୍ରାହିମ୍ ଆଲ୍‌କାଜିଙ୍କର ଗୋବର୍ଦ୍ଧନଙ୍କୁ ଲେଖିଥିବା ଏକ ଚିଠିରୁ ଜଣାଯାଏ, ସେ ଗୋବର୍ଦ୍ଧନଙ୍କ ଛବିକୁ ଭଲ ପାଉଥିଲେ ଓ ସହଯୋଗ ରାଶି ଭାବରେ ଦଶ ହଜାର ଟଙ୍କାର ଡିମାଣ୍ଡ୍‌ ଡ୍ରାଫ୍ଟ ଏକଦା ପଠାଇଥିଲେ। ଗୋବର୍ଦ୍ଧନ ୧୯୬୦ ମସିହା ବେଳକୁ ତୈଳ ରଙ୍ଗରେ ଛବି କରିବା ଆରମ୍ଭ କଲେ। ଯେଉଁଥିରେ ସେ ସାନ ସାନ ପିଲାଙ୍କର ପୁରା ଗୋଟେ ସିରିଜ୍ ଛବି ଆଙ୍କିଥିଲେ। କଲମ ଓ କାଳୀ ଏବଂ ପେନସିଲ୍‌ରେ ସେ ସାନ ପିଲାମାନଙ୍କ ଷ୍ଟଡି କରିବାକୁ ଭଲ ପାଉଥିଲେ।

ଅନେକ ଷ୍ଟଡିରୁ ସେ ଛବି ଖଣ୍ଡେ ଆଙ୍କୁଥିଲେ। ପୂର୍ଣ୍ଣାଙ୍ଗ ଛବିଟି ଅଙ୍କା ଯାଉଥିଲା ତୈଳରଙ୍ଗରେ। ବିଦେଶରେ ଜଣେ ଜଣେ ଚିତ୍ରଶିଳ୍ପୀ କୋଡିଏ ତିରିଶ ବର୍ଷ ଧରି ଗୋଟିଏ ଗୋଟିଏ ବିଷୟକୁ ଷ୍ଟଡି କରନ୍ତି। ସ୍କେଚ୍ କରନ୍ତି। ଗୋବର୍ଦ୍ଧନ ସେଇ ଧାରାରେ ଅନ୍ତିମ ଛବି ଆଗରୁ ଢେର୍ ସାରା ଷ୍ଟଡି ସ୍କେଚ୍‌ କରିଥା’ନ୍ତି।

୧୯୭୦ରେ ସେ ଭୂଦୃଶ୍ୟ ଆଙ୍କିବା ଆରମ୍ଭ କଲେ। କୃଷକମାନେ ବିଲବାଡିରେ କାମ କରୁଥିବାର ଛବି ସବୁ ଏଥିରେ ସାମିଲ୍ ଥିଲା। ଅନ୍ତିମ ପର୍ଯ୍ୟାୟରେ ଗୋବର୍ଦ୍ଧନ ଆଶ ନିଜର ଅନେକ ଛବି ଆଙ୍କିଥିଲେ। କେବେ ଆଇନା ଦେଖି ଓ କେବେ ସ୍ମୃତି ପଟରୁ ମନେପକାଇ ସେ ନିଜର ସେଲ୍ପପୋଟ୍ରେଟ୍ ସବୁ ଆଙ୍କିଥିଲେ।

ଗୋବର୍ଦ୍ଧନ ଆଶ ବେଶ୍ ଗୁଡ଼େ ଛବି ଆଙ୍କିଥିଲେ। ଜୀବନର ବିଭିନ୍ନ ସମୟରେ ସେ ଛବି ସବୁ ତା’ର ବିଷୟବସ୍ତୁକୁ ନେଇ ଓ ପ୍ରକାଶଭଙ୍ଗୀକୁ ନେଇ ଅଲଗା ହୋଇଛି। ଜୀବନସାରା ଆପଣା ଜୀବନକୁ ସେ ବାର ବାର ଆଙ୍କିବାକୁ ପ୍ରୟାସ କରିଛନ୍ତି। କଳା ଯେ ନିଜର ଓ ନିଜ ଚାରିପାଖର ଜୀବନ ଠାରୁ ଅଲଗା ନୁହେଁ ସେ କଥାକୁ ବାର ବାର କହିବାକୁ ଚେଷ୍ଟା କରିଛନ୍ତି ସେ।