ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ରେ ଯୁବ ଖେଳାଳିଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଟିମ୍ ଇଣ୍ଡିଆର ସିରିଜ୍ କବ୍ଜାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି - ସେ ଯଶସ୍ୱୀ ଜୟସ୍ୱାଲ୍ ହୁଅନ୍ତୁ ଅଥବା ନବାଗତ ସରଫରାଜ୍ ଖାନ୍ କି ଧ୍ରୁବ ଜୁରେଲ୍। ତେବେ ଜୁରେଲ୍ଙ୍କୁ ନେଇ ଯେଉଁ ଆଲୋଚନା ହେଉଛି, ତାହା ଭିନ୍ନ ଓ ବର୍ତ୍ତମାନ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।
ଏହି ସିରିଜ୍ରେ ଏ ଯାବତ (ଚତୁର୍ଥ ଟେଷ୍ଟ ସୁଦ୍ଧା) ଭାରତ ପକ୍ଷରୁ ଡେବ୍ୟୁ କରିସାରିଥିବା ଚାରି ନବାଗତଙ୍କ ମଧ୍ୟରେ ଜଣେ ହେଲେ ୱିକେଟ୍କିପର୍-ବ୍ୟାଟର୍ ଜୁରେଲ୍। କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କରଙ୍କ ଠାରୁ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସୀର ହୁସେନ୍ ଓ ମାଇକେଲ୍ ଭନ୍ଙ୍କ ପର୍ଯ୍ୟନ୍ତ - ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି।
ଚତୁର୍ଥ ଟେଷ୍ଟରେ ଜୁରେଲ୍ ଜଣେ ଯୋଦ୍ଧା ଭଳି ଖେଳିଥିଲେ ଏବଂ ଟିମ୍କୁ ଜିତାଇଥିଲେ। ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ତାଙ୍କୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଥିଲା।
ଗାଭାସ୍କର ତାଙ୍କ ଭିତରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝଲକ ଦେଖିଛନ୍ତି, ଯିଏ ସଙ୍କଟ ସମୟରେ ଲଢ଼ୁଆ ପ୍ରଦର୍ଶନ କରି ଟିମ୍କୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ନେଉଥିଲେ। ତାଙ୍କ ୱିକେଟ୍କିପିଂର ମଧ୍ୟ ତୁଳନା ନ ଥିଲା। ଧୋନି ଅବସର ନେବା ପର ଠାରୁ ଭାରତକୁ ବିଶେଷକରି ଟେଷ୍ଟ ଟିମ୍କୁ ଏ ଯାବତ ଜଣେ ଦୀର୍ଘସ୍ଥାୟୀ ଓ ପ୍ରକୃଷ୍ଟ ୱିକେଟ୍କିପର୍-ବ୍ୟାଟର୍ ମିଳିପାରି ନାହାନ୍ତି।
Also Read
ରିଷଭ ପନ୍ତ ସେହି ଭୂମିକା ପାଇଁ ପ୍ରଯୁଜ୍ୟ ହୋଇଥିଲେ ବି ସଡ଼କ ଦୁର୍ଘଟଣା ପର ଠାରୁ ସେ ଏ ଯାଏଁ କ୍ରିକେଟ୍କୁ ଫେରି ନାହାନ୍ତି । ସେ ଆଇପିଏଲ୍ ୨୦୨୪ରେ ଖେଳିବେ, ହେଲେ ୱିକେଟ୍କିପିଂ କରିବେ ନାହିଁ। ପୂର୍ବ ଭଳି ୱିକେଟ୍କିପିଂ କରିପାରିଲେ ହିଁ ଭାରତୀୟ ଟିମ୍କୁ ତାଙ୍କ ପ୍ରତ୍ୟାବର୍ତ୍ତନ ହେବ। ଏହାଛଡ଼ା ବ୍ୟାଟିଂ ଫର୍ମ ବି ଗୁରୁତ୍ୱ ରଖେ।
ସୀମିତ ଓଭର୍ରେ ଅବଶ୍ୟ ଏହା ସେତେ ବଡ଼ ସମସ୍ୟା ନୁହେଁ, ଯେଉଁଠି ଲୋକେଶ ରାହୁଲ, ଈଶାନ କିଶନ, ସଞ୍ଜୁ ସାମ୍ସନ୍ ପ୍ରମୁଖ ଅଛନ୍ତି। ଅବଶ୍ୟ ସେମାନେ କେତେବେଳେ ଫର୍ମ ତ କେତେବେଳେ ଫିଟ୍ନେସ୍ ସମସ୍ୟା ଭୋଗୁଛନ୍ତି। ଏହାଛଡ଼ା ଟି-୨୦ ଆନ୍ତର୍ଜାତିକରେ ଜିତେଶ ଶର୍ମା ୱିକେଟ୍କିପର୍-ବ୍ୟାଟର୍ର ଭୂମିକା ତୁଲାଉଛନ୍ତି।
କିନ୍ତୁ ଟେଷ୍ଟରେ ୱିକେଟ୍କିପିଂ ସହଜ କଥା ନୁହେଁ। ଧୋନିଙ୍କ ପରେ ରିଦ୍ଧିମାନ ସାହା, ପନ୍ତ, ଶ୍ରୀକର ଭରତ ପ୍ରମୁଖ ଏହି ଦାୟିତ୍ୱ ତୁଲାଇଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଦ୍ୱିତୀୟ ଟେଷ୍ଟ ଯାଏଁ ଭରତଙ୍କ ଉପରେ ଆସ୍ଥାପ୍ରକଟ କରାଯାଉଥିଲା, ହେଲେ ବ୍ୟାଟିଂରେ ସେ ବାରମ୍ବାର ବିଫଳ ହୋଇଛନ୍ତି। ସେ ଟେଷ୍ଟରେ ଭଲ ୱିକେଟ୍କିପର୍ ହୋଇଥିଲେ ବି ଭଲ ବ୍ୟାଟର୍ ହୋଇପାରି ନାହାନ୍ତି।
ରାହୁଲ ଥିଲେ ହୁଏତ କାମ ଚଳାଇ ପାରିଥା’ନ୍ତେ, କିନ୍ତୁ ଆଘାତଜନିତ ସମସ୍ୟା ଯୋଗୁଁ ସେ ପ୍ରଥମ ଟେଷ୍ଟ ପରଠାରୁ ଟିମ୍ରୁ ବାହାରେ ଅଛନ୍ତି। ଏପରି ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ପ୍ରବେଶ କରିବାକୁ ଜୁରେଲ୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା।
ଜୁରେଲ୍ ତୃତୀୟ ଟେଷ୍ଟରେ ଡେବ୍ୟୁ କରିଥିଲେ, ଆଉ ଚତୁର୍ଥ ଟେଷ୍ଟରେ ହୋଇଥିଲେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି। ବର୍ତ୍ତମାନ ସ୍ଥିତିରେ ଉଭୟ ୱିକେଟ୍କିପିଂ ଓ ବ୍ୟାଟିଂରେ ସେ ଟିମ୍ ପାଇଁ ଏକଦମ୍ ପର୍ଫେକ୍ଟ। ଏହା ସହ ଟେଷ୍ଟରେ ୱିକେଟ୍କିପର୍-ବ୍ୟାଟର୍ଙ୍କୁ ନେଇ ଟିମ୍ ମ୍ୟାନେଜ୍ମେଣ୍ଟର ଯେଉଁ ଚିନ୍ତା ଥିଲା, ତାହା ଆପାତତଃ ଦୂର ହୋଇଛି।
ଡେବ୍ୟୁ ସିରିଜ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ:
ସଟ୍ ଚୟନ ଓ ଚାପରେ ଖେଳିବାର ସାମର୍ଥ୍ୟ ଜୁରେଲ୍ଙ୍କ ବିଶେଷତ୍ୱ। ପୂର୍ବ ଆଇପିଏଲ୍ ସିଜନ୍ରେ ଏହା ଦେଖିବାକୁ ମିଳିଥିଲା। ଇଂଲଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟ ସିରିଜ୍ରେ ତାଙ୍କର ଏହି ବିଶେଷତ୍ୱ ଟିମ୍ ପାଇଁ ବିଜୟ ସାଫଲ୍ୟ ଆଣିଦେଇଛି।
ଭାରତ ରାଞ୍ଚି ଠାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ୍ ଜିତିବା ଯୋଗୁଁ ସିରିଜ୍ ଉପରେ କବ୍ଜା କରିଥିଲା। ଯଦି ଇଂଲଣ୍ଡ ମ୍ୟାଚ୍ ଜିତିଥା’ନ୍ତା, ସିରିଜ୍ ୨-୨ ବରାବର ସ୍ଥିତିକୁ ଚାଲିଆସିଥା’ନ୍ତା ଏବଂ ପଞ୍ଚମ ଟେଷ୍ଟ ନିର୍ଣ୍ଣାୟକ ହୋଇଥା’ନ୍ତା।
ରାଜକୋଟ୍ ଠାରେ ନିଜ ପଦାର୍ପଣ (ସିରିଜ୍ର ତୃତୀୟ ମ୍ୟାଚ୍) ଟେଷ୍ଟରେ ଜୁରେଲ୍ ଗୋଟିଏ ଇନିଂସ୍ ଖେଳି ୪୬ ରନ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ଟେଷ୍ଟରେ ବି ତାଙ୍କୁ ସୁଯୋଗ ମିଳିଥିଲା।
ଚତୁର୍ଥ ଟେଷ୍ଟ ଆୟୋଜକ ଟିମ୍ ପାଇଁ ଅଧିକ ଆହ୍ୱାନପୂର୍ଣ୍ଣ ଥିଲା। ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୩୫୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୧୭୭ ରନ୍ ମଧ୍ୟରେ ୭ ୱିକେଟ୍ ହରାଇଥିଲା। ମନେ ହେଉଥିଲା ଯେ ଇନିଂସ୍ ୨୦୦ ରନ୍ ମଧ୍ୟରେ ଭୁଶୁଡ଼ିଯିବ। କିନ୍ତୁ ସେମିତି ହୋଇ ନ ଥିଲା; ଆଉ ଯାହା ଘଟିଥିଲା, ତାହା ଥିଲା ଇଂଲଣ୍ଡର କଳ୍ପନା ବାହାରେ।
ଷ୍ଟାଡିୟମ୍ରେ ନିରବତା ଛାଇଯାଇଥିଲା। ଡ୍ରେସିଂ ରୁମ୍ରେ ବି ଥିଲା ଚିନ୍ତାର ବାତାବରଣ। କିନ୍ତୁ କ୍ରିଜ୍ରେ ଥିବା ଯୁବ ଖେଳାଳି ଜୁରେଲ୍ ଏଥିରେ ବିଚଳିତ ନ ହୋଇ ଧୈର୍ଯ୍ୟର ସହ ଖେଳୁଥିଲେ। ପାଞ୍ଚ ୱିକେଟ୍ ପଡ଼ିବା ପରେ ସେ କ୍ରିଜ୍କୁ ଆସିଥିଲେ। ତାଙ୍କ ଆଗରେ ଆଉ ଦୁଇ ୱିକେଟ୍ ବି ପଡ଼ିଥିଲା।
ଜୁରେଲ୍ ନୂଆ ବ୍ୟାଟର୍ କୁଲଦୀପ ଯାଦବଙ୍କ ସହ ମିଶି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଆଉ ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଟିମ୍ର ସ୍କୋର୍ ହୋଇଥିଲା ୨୧୯/୭।
ତା’ ପରଦିନ ବି ଜୁରେଲ୍ଙ୍କ ଲଢ଼ୁଆ ଇନିଂସ୍ ଜାରି ରହିଥିଲା। ସେ କୁଲଦୀପ (୨୮)ଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ୭୬ ଓ ଏହାପରେ ଆକାଶ ଦୀପ (୯)ଙ୍କ ସହ ନବମ ୱିକେଟ୍ ପାଇଁ ୪୦ ରନ୍ର ଭାଗୀଦାରୀ କରିଥିଲେ। ଇଂଲଣ୍ଡ ବୋଲର୍ଙ୍କ ପକ୍ଷରେ ଏହି ଭାରତୀୟ ବ୍ୟାଟର୍ଙ୍କୁ ଆଉଟ୍ କରିବା କଷ୍ଟସାଧ୍ୟ ହୋଇଯାଇଥିଲା।
ଟିମ୍ର ସ୍କୋର୍ ୩୦୭ ରନ୍ ହୋଇଥିବା ବେଳେ ଜୁରେଲ୍ ବ୍ୟକ୍ତିଗତ ୯୦ ରନ୍ରେ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍ରେ ଚାରି ଛକା ଓ ଛଅ ଚୌକା ଥିଲା।
ଦ୍ୱିତୀୟ ଇନିଂସ୍ରେ ଇଂଲଣ୍ଡ ଟିମ୍ ଭାରତୀୟ ବୋଲିଂ ଆକ୍ରମଣର ସାମ୍ନା କରି ନ ପାରି ମାତ୍ର ୧୪୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତକୁ ୧୯୨ ରନ୍ର ଟାର୍ଗେଟ୍ ମିଳିଥିଲା। କିନ୍ତୁ ୧୨୦ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା। ଏପରି ସ୍ଥିତିରେ ଶୁଭମନ ଗିଲ୍ (୫୨) ଓ ଜୁରେଲ୍ (୩୯) ଇନିଂସ୍ ସମ୍ଭାଳିଥିଲେ ଏବଂ ଟିମ୍କୁ ୫ ୱିକେଟ୍ରେ ଜିତାଇଥିଲେ। ଷଷ୍ଠ ୱିକେଟ୍ ପାଇଁ ସେମାନଙ୍କ ମଧ୍ୟରେ ଅପରାଜିତ ୭୨ ରନ୍ର ଭାଗୀଦାରୀ ହୋଇଥିଲା।
ପୁଅ ପାଇଁ ଗହଣା ବନ୍ଧା ପକାଇଥିଲେ ମା’:
ଜୁରେଲ୍ଙ୍କୁ କ୍ରିକେଟ୍ ଜଗତର ଅନେକ ଲୋକ ପ୍ରଶଂସା କରିଛନ୍ତି। କିନ୍ତୁ ଏହି ସୋପାନ ଯାଏଁ ପହଞ୍ଚିବାରେ ତାଙ୍କ ସଂଘର୍ଷର କାହାଣୀ ବେଶୀ ଲୋକ ଜାଣି ନ ଥିଲେ।
ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମଗ୍ରହଣ କରିଥିବା ଜୁରେଲ୍ ପିଲାଦିନରୁ କ୍ରିକେଟ୍ ପ୍ରେମରେ ପଡ଼ିଥିଲେ। ଦେଶର ଅନେକ ପିଲାଙ୍କ ଭଳି ସେ ବି କ୍ରିକେଟ୍ରେ ସୁନାମ ଅର୍ଜନ ପାଇଁ ସ୍ୱପ୍ନ ଦେଖିଥିଲେ।
୧୪ ବର୍ଷ ବୟସରେ ଜୁରେଲ୍ ଏକ କ୍ରିକେଟ୍ ଏକାଡେମୀରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ବାପା ପାଖରେ ନ ଥିବାରୁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଏକା ଘରୁ ବାହାରିଥିଲେ।
ଜୁରେଲ୍ ନୋଏଡ଼ାସ୍ଥିତ ଏକ କ୍ରିକେଟ୍ ଏକାଡେମୀରେ ଯୋଗ ଦେଲେ, ଯେଉଁଠି କୋଚ୍ ଫୁଲ୍ ଚନ୍ଦ ତାଙ୍କ କାର୍ଯ୍ୟନୀତି ଓ ସଂଯମତାରେ ପ୍ରଭାବିତ ହୋଇଥିଲେ। ତାଙ୍କ ଭିତରେ ପ୍ରତିଭା ଥିଲା, ହେଲେ ସାଧାରଣ ପୃଷ୍ଠଭୂମିରୁ ଆସିଥିବାରୁ ତାଙ୍କ ପଥ ସୁଗମ ନ ଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ପୁଅ ପାଇଁ କ୍ରିକେଟ୍ କିଟ୍ କିଣିବା ଲାଗି ତାଙ୍କ ମା’ଙ୍କୁ ନିଜ ଗହଣା ବନ୍ଧା ପକାଇବାକୁ ପଡ଼ିଥିଲା।
ଜୁରେଲ୍ଙ୍କ ବାପା ତଥା ଭାରତୀୟ ସେନାବାହିନୀର ଅବସରପ୍ରାପ୍ତ ହାବିଲ୍ଦାର ନେମ୍ ସିଂହ କହିଛନ୍ତି, “ଧ୍ରୁବ ଏକ କିଟ୍ ବ୍ୟାଗ୍ ଚାହୁଁଥିଲା, କିନ୍ତୁ ତାହା ବହୁତ ଦାମ୍ ଥିଲା - ପ୍ରାୟ ୬୦୦୦ ଟଙ୍କା। ମୁଁ କହିଥିଲି, ‘ଖେଳ ବନ୍ଦ କର, ଆମ ପାଖରେ ଏତେ ଟଙ୍କା ନାହିଁ।’ କିନ୍ତୁ ସେ ନିଜକୁ ବାଥ୍ରୁମ୍ରେ ବନ୍ଦ କରିଦେଇଥିଲା। ତା’ ମା’ ନିଜର ଏକମାତ୍ର ସୁନାଚେନ୍କୁ ବନ୍ଧା ପକାଇବା ପାଇଁ ସ୍ଥିର କରିଥିଲେ, ଯାହା ଫଳରେ ସେ ନିଜର ପ୍ରଥମ କିଟ୍ ବ୍ୟାଗ୍ କିଣିପାରିଥିଲା।”
ଥରେ ନେମ୍ ସିଂହ ବି ପୁଅ ପାଇଁ ବ୍ୟାଟ୍ କିଣିବା ଲାଗି ନିଜ ବନ୍ଧୁଙ୍କ ଠାରୁ ୮୦୦ ଟଙ୍କା ଧାର ଆଣିଥିଲେ। ଜୁରେଲ୍ ଭଲ କ୍ରିକେଟ୍ ଖେଳୁଥିଲେ; ହେଲେ ତାଙ୍କ ବାପା ଚାହୁଁଥିଲେ ଯେ ପୁଅ ନାସ୍ନାଲ୍ ଡିଫେନ୍ସ ଏକାଡେମୀ (ଏନ୍ଡିଏ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁ, କାରଣ କ୍ରିକେଟ୍ରେ ଅନିଶ୍ଚିତତା ଲାଗି ରହିଥାଏ।
କିନ୍ତୁ ଜୁରେଲ୍ କ୍ରିକେଟ୍ରେ କ୍ୟାରିଅର୍ କରିବା ପାଇଁ ମନସ୍ଥ କରିସାରିଥିଲେ। ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେ କଠିନ ପରିଶ୍ରମ କରି କ୍ରିକେଟ୍ରେ ସୁନାମ ଅର୍ଜନ କରିବା।
ଏହି ୱିକେଟ୍କିପର୍-ବ୍ୟାଟର୍ ସବୁ ବୟସବର୍ଗରେ ଉତ୍ତର ପ୍ରଦେଶ ପାଇଁ ଖେଳିଥିଲେ ଏବଂ କ୍ରମାଗତ ଭଲ ପ୍ରଦର୍ଶନ କରିଥିଲେ। ଜୁରେଲ୍ଙ୍କ ନେତୃତ୍ୱରେ ଭାରତ ୨୦୧୯ରେ ୧୯ ବର୍ଷରୁ କମ୍ ଏସିଆ କପ୍ ଜିତିଥିଲା। ୨୦୨୦ରେ ତାଙ୍କୁ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ସେ ଟୁର୍ଣ୍ଣାମେଣ୍ଟରେ କେତେକ ଉପଯୋଗୀ ଇନିଂସ୍ ଖେଳିଥିଲେ, ଯେଉଁଥିରୁ ତାଙ୍କ ସାମର୍ଥ୍ୟର ପରିଚୟ ମିଳିଥିଲା।
ପରିଣାମସ୍ୱରୂପ, ସେ ୨୦୨୧ ସୟଦ ମୁସ୍ତାକ୍ ଅଲୀ ଟ୍ରଫି (ପ୍ରମୁଖ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ) ପାଇଁ ଉତ୍ତର ପ୍ରଦେଶର ସିନିଅର୍ ଟିମ୍ରେ ଡେବ୍ୟୁ କରିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ପାଇଁ ସବୁ ଫର୍ମାଟ୍ରେ ଖେଳିଥିଲେ।
ଘରୋଇ କ୍ରିକେଟ୍ରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଚୁକ୍ତିବଦ୍ଧ କରିଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ତାଙ୍କୁ ବର୍ଷେ ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ୨୦୨୩ରେ ସେ ଡେବ୍ୟୁ କରି ୧୭୨.୭୨ ଷ୍ଟ୍ରାଇକ୍ରେଟ୍ରେ ୧୫୨ ରନ୍ ସଂଗ୍ରହ କରିଥିଲେ। ଏହାଛଡ଼ା ଇଣ୍ଡିଆ-ଏ ପକ୍ଷରୁ ବି ସେ ଉତ୍ତମ ପ୍ରଦର୍ଶନ ଜାରି ରଖିଥିଲେ।
ଏହାପରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ର ସିରିଜ୍ ପାଇଁ ମାତ୍ର ୧୭ ପ୍ରଥମ-ଶ୍ରେଣୀ ମ୍ୟାଚ୍ ଖେଳିଥିବା ଜୁରେଲ୍ଙ୍କ ଭାରତୀୟ ଟେଷ୍ଟ ଟିମ୍ରେ ଅପ୍ରତ୍ୟାଶିତ ପ୍ରବେଶ ହୋଇଥିଲା ଏବଂ ସେ ଚୂଡ଼ାନ୍ତ ଏକାଦଶରେ ବି ସ୍ଥାନ ପାଇଥିଲେ।
ଗାଭାସ୍କରଙ୍କ ପ୍ରଶଂସା ହେଉ କିମ୍ବା ଅନ୍ୟ କ୍ରିକେଟର୍ମାନଙ୍କର - ଏ ସବୁ ଏକ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି। ଭାରତୀୟ ଟେଷ୍ଟ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍?
ଏହା ଏକ ବଡ଼ ପ୍ରଶ୍ନ। ଏବେଠାରୁ ଏହାର ଆଲୋଚନା ତରବରିଆ ହେବ। ନିଜ ପ୍ରତିଭାର ବିକାଶ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି। ଧୋନିଙ୍କ ଯାଏଁ ପହଞ୍ଚିବା ପାଇଁ ତାଙ୍କୁ ଦୀର୍ଘ ଯାତ୍ରା ନିର୍ଦ୍ଧାରଣ କରିବାକୁ ହେବ। ତେବେ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ହୁଏତ ଦିନେ ସେ ଟେଷ୍ଟରେ ଧୋନିଙ୍କ ସ୍ଥାନ ନେବେ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)