ଖରା ହେଲେ ଧୂଳିରୁ ନିସ୍ତାର ନାହିଁ । ବର୍ଷା ହେଲେ କାଦୁଅରେ ଲଟପଟ ସ୍ଥିତି । ଏହାରି ଭିତରେ କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଯାଆସ କରୁଛନ୍ତି ହଜାର ସଂଖ୍ୟାରେ ଗାଡ଼ି ମୋଟର । ଯାହା ଫଳରେ ଗଲା ୪ ମାସ ଧରି ନିର୍ମାଣଧୀନ ଏ ରାସ୍ତାରେ ଦୈନିକ ଘଟୁଛି ଦୁର୍ଘଟଣା । ତା ସହ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ଯାନ ବାହନ । ଆଉ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।
Also Read
ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍ କଲେ ହାଇକୋର୍ଟ
ରାସ୍ତା ଦୁରବସ୍ଥାରୁ ବେହାଲ ଯାତ୍ରୀଙ୍କ ଅବସ୍ଥା । ଅସମ୍ଭାଳ ସ୍ଥିତିରୁ ଘଣ୍ଟା ଘଣ୍ଟା ଧରି ଅଚଳାବସ୍ଥା । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାର ଆଶଙ୍କା । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଖୋଦ୍ ୨୬ ନମ୍ବର ଜାତୀୟ ରାଜପଥ ଓଡ଼ିଶାରୁ ଆନ୍ଧପ୍ରଦେଶକୁ ସଂଯୋଗ କରୁଛି । ଏ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଦୈନିକ ଯାଆସ କରୁଛି ହଜାର ହଜାର ସଂଖ୍ୟାରେ ଗାଡି ମୋଟର । ହେଲେ ଆଜିକୁ ୬ ମାସ ଧରି ଚାଲୁଥିବା ଏ ରାସ୍ତା ନିର୍ମାଣ କାମ ସରି ପାରୁନି । ଫଳରେ ଖରା ହେଲେ ଧୂଳି-ଧୂଷ ଆଉ ଟିକିଏ ବର୍ଷା ହେଲେ ଭୟଙ୍କର କାଦୁଅ ପରିସ୍ଥିତି। ଗତକାଲି କୋରାପୁଟରେ ସାମାନ୍ୟ ବର୍ଷା ପରେ ବିଗିଡ଼ି ଯାଇଥିଲା ରାସ୍ତାର ଅବସ୍ଥା । ସ୍ଥିତି ଏମିତି ଯେ, ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛନ୍ତି, ହଜାର ସଂଖ୍ୟାରେ ଯାନ ବାହନ । ରାସ୍ତାରେ କାଦୁଅ ଭର୍ତ୍ତି ହୋଇଯିବାରୁ ନା ଟ୍ରକ୍ ନା ବସ୍ କିମ୍ବା ଛୋଟ ମୋଟ ଗାଡ଼ି, ଏପରିକି ଦୁଇ ଚକିଆ ଯାନ ଯିବା ମଧ୍ୟ ସମ୍ଭବ ହେଲାନି । ଫଳରେ ସୃଷ୍ଟି ହୋଇଥିଲ ଅସମ୍ଭାଳ ଟ୍ରାଫିକ୍ ଜାମ୍ ପରିସ୍ଥିତି ।
୨୬ ନମ୍ବର ଜାତୀୟ ରାଜପଥର କୋରାପୁଟରୁ ସୁନାବେଡା ଯାଏଁ ପ୍ରାୟ ୨୦ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ କରୁଛି ଛତିଶଗଡ଼ର ଏକ ଠିକା ସଂସ୍ଥା । ଆଜିକୁ ୬ ମାସ ତଳୁ ଆରମ୍ଭ ହେଲାଣି ଏ ରାସ୍ତା କାମ । ଏ ରାସ୍ତାର କିଛି ଅଂଶ ପାହାଡ଼ ମଧ୍ୟ ଦେଇ ଯାଇଥିବାରୁ ଯାତ୍ରୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ବି ନାହିଁ । ଏପଟେ କାମ ଚାଲିବା ଭିତରେ ଦୈନିକ ହଜାର ସଂଖ୍ୟାରେ ଭାରିଯାନ ଚଳାଚଳ ସାଙ୍ଗକୁ ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ଏହା ଅନ୍ୟତମ ମୁଖ୍ୟ ରାସ୍ତା । ଏଭଳି ସ୍ଥଳେ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ଆଉ ସତର୍କତାର ସହ କରାନଗଲେ ପାହାଡ଼ିଆ ରାସ୍ତାରେ ପାଦେ ପାଦେ ବିପଦ ।
ସେପଟେ ଗଲା ୪ ମାସ ଭିତରେ ଏ ରାସ୍ତାରେ ୪ରୁ ଅଧିକ ମୁଣ୍ଡ ଗଡ଼ିଲାଣି। ଏଭଳି ସ୍ଥିତିରେ ଏ ବ୍ୟସ୍ତବହୁଳ ରାସ୍ତାର ନିର୍ମାଣ କାମ ଆସନ୍ତା ଜୁନ୍ ସୁଦ୍ଧା ସାରିବାକୁ ଯୋଜନା କରାଯାଉଥିବା କହିଛନ୍ତି, ଜାତୀୟ ରାଜପଥ ସୁନାବେଡ଼ା ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ଦୁର୍ନୀତିଖୋର୍ଙ୍କୁ ସରକାରୀ ଛାଟ, ୫ ବର୍ଷରେ ୧୫୯ ବାବୁ ବିଦା
- Reported by:
- Surya Narayan Panda