• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶଙ୍ଖକ୍ଷେତ୍ର ପାଇଁ ଶ୍ରୀମନ୍ଦିରରେ ସତରେ ଶଙ୍ଖ ବାଜେନି, ନା କେବେଠୁ ଲୋପ ପାଇଯାଇଛି ଏ ସେବା । ଶ୍ରୀମନ୍ଦିର ସତ୍ତ୍ୱଲିପିର ୮୫ ନମ୍ବରରେ ବର୍ଣ୍ଣିତ ଏ ସେବା ଏବେ ଏକ ବିଲୁପ୍ତ ସେବା । କେବଳ ଶଙ୍ଖ ସେବା ନୁହେଁ, ଶ୍ରୀଜଗନ୍ନାଥଙ୍କ ୧୧୯ ସେବାରୁ ଦେବଦାସୀଠୁ ନେଇ ବୀଣାକାର କଳା ବେଠିଆ ଭଳି ୧୭ରୁ ୧୮ ସେବା ବିଲୁପ୍ତ ତାଲିକାକୁ ଚାଲିଗଲାଣି । ହେଲେ ମହାନ ଶ୍ରୀଜଗନ୍ନାଥ ସଂସ୍କୃତିର ସେବା ପରଂପରାକୁ ଉଦ୍‌ଜୀବିତ କରି ରଖିବା ପାଇଁ ବିଲୁପ୍ତ ସେବା ସବୁକୁ ପୁନଃରୁଦ୍ଧାର ପାଇଁ ଦାବି ଉଠିଛି ।

ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି । ତେବେ ଖାଲି ଦେବଦାସୀ ସେବା ନୁହେଁ, ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲିଖିତ ୧୧୯ ପ୍ରକାର ସେବାରୁ ଏବେ ସୁଦ୍ଧା ୧୭ରୁ ୧୮ପ୍ରକାର ସେବା ବିଲୁପ୍ତ ହେଲାଣି ।

ଏଇ ଯେମିତି ସତ୍ତ୍ୱଲିପିର ୮୫ ନମ୍ବରରେ ବର୍ଣ୍ଣିତ ଶଙ୍ଖୁଆ ସେବା । ଅନେକଙ୍କ ଧାରଣା ଶଙ୍ଖକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ ନାହିଁ । ହେଲେ ପ୍ରକୃତରେ ପ୍ରଭାତରେ ଶଙ୍ଖୁଆଙ୍କ ଶଙ୍ଖଧ୍ୱନିରେ ପ୍ରଭୁଙ୍କ ନିଦ ଭାଙ୍ଗୁଥିଲା । ହେଲେ ବିଭିନ୍ନ କାରଣରୁ ତାହା ବି ଆଜି ବିଲୁପ୍ତ । ତେଣୁ ଶଙ୍ଖକ୍ଷେତ୍ରରେ ଶ୍ରୀଜିଉଙ୍କ ଶଙ୍ଖବାଦ୍ୟ ସେବାକୁ ପୁନଃ ପ୍ରଚଳନ ପାଇଁ ଦାବି କରିଛନ୍ତି ବରିଷ୍ଠ ଚୁନରା ସେବାୟତ । ସେହିପରି ପିଲାଟି ବେଳୁ ଦେବଦାସୀ ଶଶିମଣି ଓ ପରସ ମଣିଙ୍କ ସଂସ୍ପର୍ଶରେ ଆସି ଦେବଦାସୀ ହେବାକୁ ଇଚ୍ଛା କରିଥିବା ଅନ୍ତର୍ଜାତୀୟ ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ମଧ୍ୟ ପ୍ରଭୁଙ୍କ ସେବାରୁ ବଞ୍ଚିତ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ନିଃସନ୍ତାନ ହେବା ହେତୁ କିମ୍ବା ଅର୍ଥାଭାବ ଅବା ଅତିତରେ ଶ୍ରୀ ଜଗନ୍ନାଥଙ୍କ ପାତାଳୀ ହେବା ଭଳି ବହୁବିଧ କାରଣ ପାଇଁ କାଳକ୍ରମେ ଶ୍ରୀଜିଉଙ୍କ ଅନେକ ସେବା ପୂଜା ବନ୍ଦ ହୋଇଯାଇଛି । ଯେମିତି କି, ଖଟୁଲି ସେବକ, ପରିଛା ସେବା, ବୀଣାକାର ସେବା, ଗୀତଗୋବିନ୍ଦ ସେବା, ସୁଆର ନିଯୋଗ ନାୟକ, ଦେବଦାସୀ, ପତରବନ୍ଧା ସେବା, ବୈଜୟନ୍ତରୀ ସେବାରୁ ଗୋଟିଏ ଚାଲିଥିବାବେଳେ ଅନ୍ୟ ଚାରୋଟି ମହୁରୀ, ଢୋଲକି, ସ୍ୱର ସେବା ବନ୍ଦ ହୋଇଯାଇଛି । ଏହାସହ କୁମ୍ଭାର, ବିଶୋଇ, ବାଣୁଆ, ମାପ ସାଇତିଆ କରଣ, କୋଠ କରଣ, ଚର୍ଚ୍ଚାଇତ କରଣ, ଦଉଡିବୋଳା ସେବା ଆଦି ବି ବିଲୁପ୍ତ ।

ତେଣୁ ଏସବୁ ସେବାର କିଭଳି ପୁନଃରୁଦ୍ଧାର କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯେଉଁ ସେବା ଅତି ଆବଶ୍ୟକ ପ୍ରଥମେ ନୀତି ସବ୍ କମିଟିରେ ଆଲୋଚନା ପରେ ପରିଚାଳନା କମିଟିରେ ସେସବୁର ପୁନଃରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ । ଏ ଜାତିର ଦେବତାଙ୍କ ସଂସ୍କୃତି ଯେମତି ତେଜିୟାନ, ପରମ୍ପରା ବି ସେତିକି ମହାନ, ମାନବୀୟ । ତେଣୁ ସେବକ ପ୍ରିୟ ଠାକୁରଙ୍କ ସେବାପୂଜା ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ବିଲୁପ୍ତ ପ୍ରାୟ ସେବାର ପୁନଃରୁଦ୍ଧାର ପାଇଁ ହେଉଥିବା ଦାବି ପ୍ରତି ଶ୍ରୀମନ୍ଦିର ପ୍ରଶାସନ କିଭଳି ଗୁରୁତ୍ୱ ଦେଉଛି, ଏବେ ତା ଉପରେ ନଜର ।

  • Reported by:
  • MADHUSUDAN MISHRA