• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀର ଛାତି ଉପରେ, ସମସ୍ତଙ୍କ ଆଗରେ ଖୁଲମଖୁଲା ଗରିବଙ୍କୁ ମୋହରା ବନାଇ ୨ ହଜାର ଟଙ୍କିଆ ନୋଟ୍ ବଦଳା ଯିବା ଖବର ଓଟିଭିରେ ଘନଘନ ପ୍ରସାରଣ ହେବା ପରେ ଶେଷରେ EOW ଓ EDର ନିଦ ଭାଙ୍ଗିଛି । ଦୁଇ ତଦନ୍ତକାରୀ ଏଜେନସିର ଅଧିକାରୀ ଆଜି RBI ଅଫିସରେ ପହଞ୍ଚି ନୋଟ୍ ବଦଳାଇବା ପାଇଁ ଆସିଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ କରିବା ସହିତ ଅନ୍ୟ କିଛି ପ୍ରଶ୍ନ ପଚାରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପ୍ରକୃତରେ କଣ ବଡ଼ ନୋଟ୍ ବଦଳ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ଏମାନେ ପହଞ୍ଚି ପାରିବେ ?

ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ । କିନ୍ତୁ ଆଜି ସମସ୍ତଙ୍କ ହାତରେ ଥିଲା ରବର ଭିଡ଼ା ନୋଟ୍ ବଣ୍ଡଲ । କାଲି ପଚାରିଲେ କହୁଥିଲେ, ଅନ୍ୟ କାହାର ନୋଟ୍ ବଦଳାଇବାକୁ ଆସିଛୁ । ଆଜି ଉତ୍ତର ଥିଲା, ଘରେ ରହିଯାଇଥିଲା, ବଦଳାଇବାକୁ ଆସିଛି । କିନ୍ତୁ ଗୋଟିଏ କଥା ସମାନ ଥିଲା । କାଲି ବି ପ୍ରାୟ ସଭିଏଁ ୧୦ଟି ଲେଖାଏଁ ନୋଟ୍ ଧରି ଆସିଥିଲେ, ଆଜି ବି ସେହି ୨୦ ହଜାର ଟଙ୍କାର ଦୁଇ ହଜାରିଆ ନୋଟ୍ ଥିଲା ।

ପରେ ପରେ ଲାଇନରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି କିନ୍ତୁ ନୋଟ୍ ବଦଳର ସତ ଓଗାଳି ଦେଇଥିଲେ । କହିଥିଲେ, ସେମାନେ ମଜୁରି ନେଇ ହିଁ ନୋଟ୍ ବଦଳ କରିବାକୁ ଆସିଛନ୍ତି । ଏପରିକି ବଡ଼ ନୋଟ୍ ବଦଳ କରି ଫେରିବା ପରେ ଏଜେଣ୍ଟଙ୍କ ପାଖକୁ କେମିତି ଫେରୁଛି ଟଙ୍କା ତାହା ବି କ୍ୟାମେରାରେ କଏଦ୍ ହୋଇଛି । ଏହି ମହିଳା ଜଣକ ଆଜି ଟଙ୍କା ବଦଳ କରି ଫେରିବା ପରେ, ତାଙ୍କୁ କ୍ୟାମେରା ପିଛା କରୁଥିବା ଦେଖି ଟଙ୍କା ଭର୍ତ୍ତି ମୁଣିକୁ ଏହି ବାଳକ ହାତରେ ଦେଇ ଦେଇଥିଲେ । ଯାହାକୁ ଧରି ସେ ସାଇକେଲରୁ ଛୁ ମାରିଥିଲା ।

ବଡ଼ ପ୍ରଶ୍ନ ହେଉଛି ଏ ବଡ଼ ନୋଟ୍ ବଦଳ ପଛରେ କିଏ ? ଏ କଳାଧନ କେଉଁ ଧଳା ହାତୀଙ୍କର ? ଏହା ପଛରେ କେତେ ରାକେଟ୍ କାମ କରୁଛି ? ଦିନ ପ୍ରାୟ ୧୧ଟା ୧୫ । ଏନେଇ ବାରମ୍ବାର ଖବର ଦେଖାଇବା ପରେ ଆଜି RBIରେ ପ୍ରଥମେ ପହଞ୍ଚିଥିଲା କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା- EOW । EOWର ସଦସ୍ୟ, ସହେନ୍ଦ ହେଉଥିବା ଲୋକଙ୍କ ଆଧାର କାର୍ଡର ଯାଞ୍ଚ କରିଥିଲେ । ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଦିନ ପ୍ରାୟ ସାଢ଼େ ୧୨ଟା । ଏଥର ପହଞ୍ଚିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା- ଇଡିର ଗାଡ଼ି । ଇଡି ଅଧିକାରୀମାନେ ଆରବିଆଇ କାର୍ଯ୍ୟାଳୟ ଭିତରକୁ ଯାଇ ଲୋକଙ୍କୁ ପଚରାଉଚୁରା କରିଥିଲେ । ସେପଟେ

RBI ଆଞ୍ଚଳିକ ନିର୍ଦ୍ଦେଶକଙ୍କ କହିବା କଥା, ଆମ ପାଖରେ ବଡ଼ ନୋଟ୍ ବଦଳାଉଥିବା ସବୁ ଲୋକଙ୍କ ଡାଟା ଅଛି । ସିସିଟିଭି ଫୁଟେଜ୍ ବି ଅଛି । ତଦନ୍ତକାରୀ ସଂସ୍ଥା ମାଗିଲେ, ସବୁ ପ୍ରକାର ସହଯୋଗ କରିବୁ । ଅର୍ଥନୀତି ବିଶାରଦଙ୍କ ମତରେ, ଏବେ ବି ବଜାରରେ ୧୭ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବୁଲୁଛି। ଯା ଭିତରେ ଅନେକ କଳାଧନ ରହିଛି । ଯେହେତୁ RBIର ନୋଟ ବଦଳ ବ୍ୟବସ୍ଥାରେ ଗଳା ବାଟ ରହିଛି, ତାହାର ଫାଇଦା ନେଉଛନ୍ତି କଳାଧନ ମହଜୁଦକାରୀ ।

  • Reported by:
  • KAPILENDRA PRADHAN , SOUMYA RANJAN SAHOO , CHANDAN PAIKRAY