• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଗନ୍ଧମୟ ପରିବେଶରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା । ଭୁବନେଶ୍ୱର ଗାଡ଼କଣ ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଫାଟି ପଡୁଛି ଏହାର ଆଖପାଖର ୫ କିଲୋମିଟର ଯାଏଁ ଅଂଚଳ । ରାସ୍ତାକୁ ବାହାରିଲେ ପଚାସଢ଼ା ଗନ୍ଧରେ ଫାଟିପଡୁଚି ପରିବେଶ । ପରିସ୍ଥିତି ଏଭଳି ଯେ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି ସ୍ଥାନୀୟ ବାସିନ୍ଦା । ସେପଟେ BMC କହୁଛି, ପ୍ରୋସେସିଂ ୟୁନିଟ ତିଆରି ପାଇଁ ସମୟ ଲାଗୁଛି । ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡିବ ।

ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି । ପରିଣାମ ସ୍ୱରୂପ ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପରିବେଶ । ନାକରେ ରୁମାଲ କି ମାସ୍କ ନଲଗାଇଲେ ରାସ୍ତା ଦେଇ ଯାଇହେଉନି ।

ଭୁବନେଶ୍ୱର ସୈନିକ ସ୍କୁଲ ପଛପଟେ ଥିବା ଟେମ୍ପୋରାରୀ ଟ୍ରାନଜିଟ୍ ଷ୍ଟେସନ୍ ବା TTS ଗତ ମେ’ ମାସରୁ ଭୁଆଶୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯିବା ବନ୍ଦ ହେବାପରେ ଏଠି ସୃଷ୍ଟି ହୋଇଛି ଆବର୍ଜନାର ପାହାଡ । ଡମ୍ପିଂୟାର୍ଡର ୪ରୁ ୫ କିଲୋମିଟର ଯାଏଁ ଅସହ୍ୟ ଗନ୍ଧ । ଗାଡ଼କଣ, ରଙ୍ଗମାଟିଆ, ଡମଣା, ଭିଏସଏସ ନଗର, ଗଜପତି ନଗର, ମଞ୍ଚେଶ୍ୱର, ବାଣୀବିହାର ଏବଂ ଆଚାର୍ଯ୍ୟବିହାରରୁ ରସୁଲଗଡ ପର୍ଯ୍ୟନ୍ତ ବ୍ୟାପିଲାଣି ଗନ୍ଧ । ପରିସ୍ଥିତି ଏଭଳି ହେଲାଣି ଯେ, ଘରକୁ ବନ୍ଧୁବାନ୍ଧବ ଆସିବାକୁ ନାକ ଟେକୁଛନ୍ତି । ଭଡା ଘରେ ରହୁଥିବା ଲୋକ ତ ଘର ଛାଡିବାକୁ ଚିନ୍ତା କଲେଣି ।

ସ୍ଥାନୀୟ ଅଂଚଳରେ ଥିବା ସ୍କୁଲରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ଛାତ୍ରଛାତ୍ରୀ । ପ୍ରଦୂଷିତ ବାୟୁମଣ୍ଡଳ ପାଇଁ ସ୍ଥାନୀୟ ଲୋକେ ଚର୍ମ ଓ ଶ୍ୱାସଜନିତ ରୋଗରେ ଆକ୍ତାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପଟେ ଯେମିତି ଅଚିନ୍ତାରେ ଅଛି ବିଏମସି । କମିଶନରଙ୍କ ଯୁକ୍ତି ହେଉଛି, TTSର ପ୍ରୋସେସିଂ ୟୁନିଟ ତିଆରି ପାଇଁ ସମୟ ଲାଗୁଛି । ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡିବ । ତେବେ ଏପ୍ରିଲ ମାସ ସୁଦ୍ଧା ସବୁ ସଫା ହୋଇଯିବ । ଚେନ୍ନାଇର ଏକ କମ୍ପାନୀ ସହ ବିଏମସି ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।

ଅନ୍ୟପକ୍ଷରେ ବର୍ତ୍ତମାନ ସେସବୁ ଅଳିଆକୁ ପ୍ରାଥମିକ ଭାବରେ ପ୍ରୋସେସ କରିବା ପୂର୍ବରୁ ଜେସିବି ଲଗାଯାଇ ଏଭଳି ଉଠାଯାଉଛି । ଯେଉଁଥିପାଇଁ ଏବେ ଦୁର୍ଗନ୍ଧ ଅଧିକ ହେଉଥିବା ସ୍ୱୀକାର କରିଛନ୍ତି କମିଶନର । ପ୍ରତିଦିନ ରାଜଧାନୀରୁ ହଜାରେ ଟନ୍ ରୁ ଅଧିକ ଅଳିଆ ବାହାରୁଛି । ସେଥିରୁ ୨୫୦ ଟନ୍ ଅଳିଆ ୩୭ଟି MCC ଏବଂ ୧୭ଟି MRSରେ ଡିକମ୍ପୋଜ ହେଉଛି । ବଳକା ୭୫୦ ଟନ୍ ଅଳିଆର ଗନ୍ତାଘର ପାଲଟିଛି ଗାଡ଼କଣ ଡମ୍ପିଂୟାର୍ଡ ।

  • Reported by:
  • ARACHANA SATPATHY