/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674229408.jpg)
50 families ostracised
ଭିଟାମାଟିରୁ ବିତାଡ଼ିତ ହେବା ପରେ ଆଖିରେ କେବଳ ଲୁହ । ଜ୍ଞାତି ପରିଜନଙ୍କଠୁ ଅଲଗା ହୋଇ ରହିବା ଯୋଗୁଁ ଛାତିରେ ଛାଏ କୋହ । ଆସ୍କା ବ୍ଲକ୍ ମହାନିମପଲ୍ଲୀ ଗାଁ ମୁଣ୍ଡରେ ଜନ୍ମମାଟି ଛାଡ଼ି ୨୨ବର୍ଷ ଧରି ଆଶ୍ରୟ ନେଇଥିବା ମନୁ ନାୟକଙ୍କ ମନରେ ଏବେ ବି ଆଶା, ପୁଣି ନିଜ ଗାଁକୁ ଫେରିବେ, ପୈତୃକ ଘରେ ମୁଣ୍ଡ ଗୁଞ୍ଜିବେ । ଝାଡୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ମନୁ ନାୟକଙ୍କ ଘର ସେହି ଆସ୍କା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ଗାଁରେ ।
ମନୁଙ୍କ ଅଭିଯୋଗ-ଜାତିଆଣ ଭାବକୁ ନେଇ ଆଜିକୁ ୨୨ବର୍ଷ ତଳେ ତାଙ୍କ ପରିବାର ସହ ମୋଟ୍ ୫୦ଟି ଦଳିତ ପରିବାରକୁ ଗାଁରୁ ବାସନ୍ଦ କରି ବିତାଡ଼ିତ କରି ଦେଇଛନ୍ତି ସବର୍ଣ୍ଣ ଲୋକେ । ଗାଁରେ ନିଜର ଘରବାଡ଼ି, ଚାଷ ଜମି ସବୁ ଅଛି । ହେଲେ ତାଙ୍କ ସହ ବିତାଡ଼ିତ ଅନ୍ୟ ଜ୍ଞାତି କୁଟୁମ୍ବଙ୍କ ମଧ୍ୟରୁ କିଏ ବ୍ରହ୍ମପୁର ତ କିଏ ସୋରଡ଼ାରେ ଅତି କଦର୍ଯ୍ୟ ଅବସ୍ଥାରେ ଯାଯାବର ଜୀବନ ବିତାଉଛନ୍ତି ।
ଗଲା ଦୁଇ ହଜାର ମସିହାରୁ ବାଲିଛାଇ ଗାଁରୁ ବିତାଡ଼ିତ ହୋଇ ଯାଯାବର ଭଳି ଜୀବନ ବିତାଉଛନ୍ତି ପାଖାପାଖି ୫୦ ପରିବାର । କିଭଳି ସ୍ଥିତିରେ ଅଛି ସେମାନଙ୍କ ଘରଦ୍ୱାର ଓ ଜମିବାଡ଼ି ? ଜାଣିବାକୁ ବାଲିଛାଇ ଗାଁକୁ ଯାଇଥିଲା ଆମ ଟିମ୍ । ୫୦ ବିତାଡ଼ିତ ପରିବାରଙ୍କ ଭିଟାମାଟି ଏବେ ଖଜୁରୀ ବଣ ପାଲଟିଛି, ଆଉ ଜମିବାଡ଼ି ପଡ଼ିଆ ପଡ଼ିଛି, ଗୋରୁ ଚରୁଛନ୍ତି । ଏମିତି ନୁହେଁ ଯେ, ଗାଁକୁ ଫେରିବାକୁ ବିତାଡ଼ିତ ଲୋକମାନେ ଚେଷ୍ଟା କରିନାହାନ୍ତି, ଅନେକ ଥର ଗାଁ ମୁଖିଆଙ୍କଠୁ ପ୍ରଶାସନ ଯାଏଁ ସମସ୍ତଙ୍କୁ କାକୁତି ମିନତୀ କରିଛନ୍ତି, ହେଲେ କେହି ସେମାନଙ୍କ କଥା ଶୁଣିନାହାନ୍ତି ।
ଏମିତିକି ବିତାଡ଼ିତ ପରିବାରଙ୍କୁ ଘର ତିଆରି କରି ଥଇଥାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଥିଲେ ବି ତାହା ପାଳନ ହୋଇପାରିନି । ଆଉ ଶେଷରେ ନିରୂପାୟ ହୋଇ ଭାରତ କିଶାନ୍ ମଜଦୁର ସଭା ଓ ମାନବିକ ଅଧିକାର ସୁରକ୍ଷା ମଞ୍ଚ ସହ ଅନ୍ୟ କିଛି ସମାଜିକ ସଂଗଠନ ସହାୟତାରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଗୁହାରି କରିଛନ୍ତି । ସେଠୁ ଏବେ ନିର୍ଭର ପ୍ରତିଶ୍ରୁତି ମିଳିଛି । ହୋଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ସୁରକ୍ଷିତ ଭାବେ ସମସ୍ତ ବିସ୍ଥାପିତଙ୍କୁ ସେମାନଙ୍କ ନିଜ ଭିଟାମାଟିରେ ଛଡାଯିବ ।
ପ୍ରଶାସନର ସହଯୋଗରୁ ବଷର୍କ ତଳେ ସେହି ଆସ୍କା ବ୍ଲକର ହରିଡ଼ାପଦର ଗାଁର ୨ଶହ ବାସନ୍ଦ ପରିବାରଙ୍କୁ ପୁଣି ଭିଟାମାଟିକୁ ଫେରିବାର ମିଳିଛି ସୌଭାଗ୍ୟ । ଯାହାକି ଗଭୀର ଆଶା ସଂଚାର କରିଛି ବାଲିଛାଇ ଗାଁର ବିତାଡ଼ିତ ୫୦ ପରିବାରଙ୍କ କ୍ଷେତ୍ରରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)