/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674218359.jpg)
A unique effort by anti-addiction organization New-Life
ଓଡିଶାରେ ଦ୍ୱିତୀୟ ଥର ଆୟୋଜିତ ହୋଇଛି ହକି ବିଶ୍ୱ କପ୍ । ଗତ ୧୧ ଜାନୁଆରୀ କଟକ ଐତିହାସିକ ବାରବାଟୀରେ ପୁରୁଷ ହକି ବିଶ୍ୱ କପ୍ ୨୦୨୩ ଶୁଭଉଦ୍ଘାଟନର ଭବ୍ୟ ଆୟୋଜନ କରି ଓଡିଶା ଦେଶ ଦୁନିଆରୁ ଭୂରି ଭୂରି ପ୍ରଶଂସା ସାଉଁଟିବାରେ ଲାଗିଛି। ସାରା ଦୁନିଆରୁ ଖେଳାଳୀ, ପର୍ଯ୍ୟଟକ, ସାମ୍ବାଦିକ ତଥା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କର ଓଡିଶାକୁ ସୁଅ ଛୁଟିଛି।
ଆମ ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ସମଗ୍ର ରାଜ୍ୟରେ ଆନନ୍ଦ ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଏହି ଅବସରରେ ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍’ ନେଇଥିବା ନିଆରା ପ୍ରୟାସ ଚର୍ଚ୍ଚାରେ ରହିଛି। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ଆରମ୍ଭ କରିଛି ‘ହର୍ ଘର୍ ହକିଷ୍ଟିକ୍’ ଅଭିଯାନ।
ଏଥିରେ ଘର ଶୋଭା ପାଇଁ ପ୍ରସ୍ତୁତ କରାଯାଉଛି ହାତ ତିଆରି ସୋଭେନିୟର୍ ହକିଷ୍ଟିକ୍, ଟେବୁଲ୍ ଟପ୍, କାନ୍ଥ ଝୁଲା ହକିଷ୍ଟିକ୍ ଆଦି ଭିନ୍ନ ଭିନ୍ନ ଡିଜାଇନ୍ର ସାଜସଜ୍ଜା ସାମଗ୍ରୀ। କେବଳ ସେହି ଯୁବକମାନେ ନୁହଁନ୍ତି; କରୋନା ପରଠାରୁ ରୋଜଗାର ହରାଇଥିବା କାଠର କିଛି କୁଶଳୀ କାରିଗରମାନଙ୍କୁ ‘ନିୟୁ-ଲାଇଫ୍’ ଏହାରି ମାଧ୍ୟମରେ ରୋଜଗାର ଯୋଗାଇବାର ପଦକ୍ଷେପ ଗ୍ରହଣ କରିଛି। ଓଡିଶାରେ ହକି ବିଶ୍ୱକପ୍ର ଗୌରବମୟ ବାର୍ତ୍ତାକୁ ସଦା ସତେଜ ଓ ସର୍ବବ୍ୟାପୀ କରିବା ସହିତ ଘରେ ଘରେ ଏହାର ସନ୍ତକ ସଜେଇ ରଖିବା ସଂସ୍ଥାର ସ୍ୱାଗତଯୋଗ୍ୟ ଉଦ୍ୟମ ବେଶ୍ ବାରି ହେଉଛି।
ନିଶା ନିବାରଣ କେନ୍ଦ୍ର ‘ନିୟୁ-ଲାଇଫ’ର ମୁଖ୍ୟ ପ୍ରଶାନ୍ତ ମହାରଣା କହିଛନ୍ତି, “ନିଶାର ଅନ୍ଧକାରରୁ ମୁକୁଳି ସାଧାରଣ ଜୀବନଶୈଳୀକୁ ଫେରୁଥିବା ଯୁବକମାନଙ୍କ ପାଇଁ ରୋଜଗାର ସବୁଠାରୁ ବଡ ସମସ୍ୟା ହୋଇଯାଏ। ସେମାନଙ୍କ ମଧ୍ୟରେ ଅନେକ ଦକ୍ଷତା ରହିଥାଏ, କିନ୍ତୁ ତା’ର ପୁନଃ ବିକାଶ ବିଶେଷ ଆବଶ୍ୟକତା ରହିଛି।”
ନିୟୁ ଲାଇଫ୍ର ନୂଆ ପ୍ରୟାସ‘ହର୍ ଘର୍ ହକିଷ୍ଟିକ୍’ ଅଭିଯାନକୁ ନେଇ ସେ କହିଛନ୍ତି, “ଏହାରି ମାଧ୍ୟମରେ ଆମେ ପ୍ରାୟ ୨୦ରୁ ଅଧିକ କାରିଗର ଓ ସୁଧାରଙ୍କୁ ସାମିଲ କରିଛୁ। ଓଡିଶା ହକି ବିଶ୍ୱକପ୍ ଆୟୋଜନ କରିବାର ଗୌରବମୟ ସୁଯୋଗ ହାସଲ କରିଛି। ଏହି ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ‘ନିୟୁ-ଲାଇଫ୍’ର ପ୍ରୟାସ ।”
ସେ କହିଛନ୍ତି, “ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କିଛି ବୃଦ୍ଧ କାଠ କାରିଗରଙ୍କୁ ଏହାରି ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ କରିଛୁ। ସୁରଟ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଆଦି ବାହାର ରାଜ୍ୟରେ କାମ କରୁଥିବା ଏହି କାରିଗରମାନେ କରୋନା ପରଠାରୁ ଆଉ ବାହାରକୁ ଯାଇନାହାଁନ୍ତି। ସେମାନେ ନିଜ ନିଜ ଗାଁରେ ରହି ଛୋଟ ମୋଟ କାମଧନ୍ଦା କରି ପରିବାର ଚଳାଉଛନ୍ତି। ସେହି କାରିଗରଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି।”
କାରିଗର ହାତରେ ହକି ଷ୍ଟିକ୍ ତିଆରି‘ନିୟୁ-ଲାଇଫ୍’ ଏହି ପ୍ରକ୍ରିୟାରେ ପ୍ରାୟ ୫ ଶହରୁ ଅଧିକ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିସାରିଛି। ଲୋକମାନଙ୍କ ଏଥିପ୍ରତି ଆଦର ଓ ଆବଶ୍ୟକତା ବଧ୍ୟ ବଢିବାରେ ଲାଗିଛି। ହକି ବିଶ୍ୱକପ୍କୁ ନେଇ ଓଡିଶାବାସୀଙ୍କ ମଧ୍ୟରେ ଉତ୍ସାହ ଏଥିରୁ ସ୍ପଷ୍ଟ ହେଉଥିବା ଶ୍ରୀ ମହାରଣା ପ୍ରକାଶ କରିଛନ୍ତି। ତେବେ ସରକାର ଯଦି ଏହି ସାମଗ୍ରୀର ବଜାର ବ୍ୟବସ୍ଥା ଉପରେ କିଛି ସହାୟକ ହୁଅନ୍ତେ ତେବେ ‘ହର୍ ଘର୍ ହକିଷ୍ଟିକ’ ଅଭିଯାନ ସଫଳ ହେବ ବୋଲି ସେ କହିଛନ୍ତି।
ଇମେଲ୍: [email protected]
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)