Advertisment

ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Lightening

ବର୍ଷା ସହ ହେଉଛି ଘନ ଘନ ବଜ୍ରପାତ। ଲୋକଙ୍କୁ ଏହା କେବଳ ଡରାଉନି, ଜୀବନ ବି ନେଉଛି। ସରକାରୀ ତଥ୍ୟ କହୁଛି, ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଲୋକଙ୍କ ଜୀବନ ଯାଇଛି, ଯେଉଁଥିରୁ ଅଧିକାଂଶ ଗ୍ରାମାଞ୍ଚଳର। ପ୍ରଶ୍ନ, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ ? କେମିତି ଏହାକୁ ରୋକାଯାଇପାରିବ ?

Advertisment

ପାଣିପାଗ ବିଶେଷଜ୍ଞଙ୍କ ମତ, ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ଏହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ,ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା ଓ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ।

ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ଏଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ।

Advertisment

ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ନିଜେ ବନ ବିଭାଗ ବି ତାଳଗଛ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲା, ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୂର୍ବତନ ପିସିସିଏଫ୍ଙ୍କ କହିବା କଥା, ତାଳଗଛ ମଞ୍ଜିରୁ ଚାରା ହେବାକୁ ୩-୪ ବର୍ଷ ଲାଗିଯାଏ। ଭୁଲ ବୁଝାମଣା ଯୋଗୁ ଫେଲ ମାରିଛି ବନ ବିଭାଗର ତାଳଗଛ ରୋପଣ ଯୋଜନା।

ଏସବୁ ଭିତରେ ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ମିଶନ ତାଳ ନାମକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୟୂରଭଞ୍ଜ କପ୍ତିପଦା ବ୍ଲକ ବିଶୋଳ ଗ୍ରାମର ଶିକ୍ଷକ ସନ୍ତୋଷ ସାହୁ। ଗାଁ ଗାଁ ବୁଲି ଲୋକଙ୍କୁ ତାଳ ଗଛ ଲଗାଇବା ପାଇଁ ସଚେତନ କରିବା ସହ ସ୍ଥାନୀୟ ଯୁବକଙ୍କୁ ଏକଜୁଟ କରି ତାଳ ମଞ୍ଜି ଲଗାଉଛନ୍ତି। ସେ କହିଛନ୍ତି, ତାଳଗଛ ସଂଖ୍ୟା ବଢ଼ିଲେ, କେବଳ ବଜ୍ରପାତଜନିତ ମୃତ୍ୟୁ କମିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷିତ ରହିବ। 

ସେପଟେ ବଜ୍ରପାତଜନିତ ମୃତ୍ୟୁକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ବଜ୍ରପାତ୍ରରେ ଯେଉଁମାନେ ଏବେ ପ୍ରାଣ ହରାଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ଦେଉଛନ୍ତି। ଜାତୀୟ ବିପତ୍ତି ଭାବେ କେନ୍ଦ୍ର ସରକାର ମଧ୍ୟ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।

Advertisment
Advertisment