• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ଏଗଜାମ୍ ରେଜଲ୍ଟ। ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଶକ୍ତି ଦୁବେ। ଦ୍ବିତୀୟରେ ହର୍ଷିତା ଗୋୟଲ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଡୋଙ୍ଗରେ ଅର୍ଚିତ ପରାଗ। ୪୮ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିତିକା ରଥ। ଓଟିଭିକୁ କହିଛନ୍ତି ସିଭିଲ ସର୍ଭିସ ପଛରେ ତାଙ୍କ ସଂଘର୍ଷର କାହାଣୀ। ରାଜ୍ୟରେ ରିତିକାଙ୍କ ସହ ଆହୁରି ୧୭ରୁ ୧୮ ଜଣ ସଫଳତା ପାଇଛନ୍ତି ।

ଅଧିକ ପଢ଼ନ୍ତୁ: ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପଛର ରାଜ୍ କହିଲେ ରିତିକା ରଥ

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ। ବିଜ୍ଞାନରେ ଉଚ୍ଚଶିକ୍ଷା ସତ୍ତ୍ବେ ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନାସନାଲ ରିଲେସନ୍ସ ଅପସନାଲ ସବଜେକ୍ଟ। ଯାହା ଶକ୍ତି ଦୁବେଙ୍କୁ ସିଭିଲ ସର୍ଭିସରେ ଅଲଇଣ୍ଡିଆ ରାଙ୍କ ୱାନ୍ ରେ ସ୍ଥାନ ଦେଇଛି। ୟୁପିର ପ୍ରୟାଗରାଜରୁ ସାରା ଦେଶକୁ ବ୍ୟାପିଛି ଶକ୍ତିଙ୍କ ସଫଳତା ।

ହରିୟାଣାରେ ଜନ୍ମ, ଗୁଜରାଟରେ ବଢିଥିବା ହର୍ଷିତା ଗୋଏଲଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ଦ୍ବିତୀୟ ସ୍ଥାନ ମିଳିଛି। କମର୍ସରେ ପାଠପଢା ସହ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସଫଳ କ୍ୟାରିୟର ପରେ ସିଭିଲ ସର୍ଭିସକୁ ବାଛିଥିଲେ ହର୍ଷିତା। ବଡ କଥା ହେଉଛି ଯେ, କମର୍ସ ବ୍ୟାକଗ୍ରାଉଣ୍ଡର ହର୍ଷିତା ବି ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନାସନାଲ ରିଲେସନ୍ସକୁ ରଖିଥିଲେ ଅପସନାଲ ସବଜେକ୍ଟ ।

ଟପ୍ ଥ୍ରୀରେ ରହିଛନ୍ତି ଡୋଙ୍ଗରେ ଅର୍ଚ୍ଚିତ ପରାଗ। ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସରେ ଭେଲୋରରୁ ବିଟେକ୍ କରିଥିବା ଅର୍ଚ୍ଚିତ ଫିଲୋସଫିକୁ ଅପସନାଲ ସବଜେକ୍ଟ ରଖି ସିଭିଲ ସର୍ଭିସରେ ପାଇଛନ୍ତି ସଫଳତା ।

ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ ଝିଅ ରିତିକା ରଥ । ନିଜର ତୃତୀୟ ପ୍ରୟାସରେ ସଫଳ ହୋଇଛି ରିତିକାଙ୍କ ଆଇଏଏସ୍ ବନିବାର ସ୍ବପ୍ନ। ୪୮ତମ ରାଙ୍କ ପାଇଥିବା ରିତିକା, ଦଶମ ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ ଏକାଦଶ ଓ ଦ୍ବାଦଶ ଦିଲ୍ଲୀରେ ପଢ଼ିଛନ୍ତି। ଇନ୍ଦୋର IIMରେ ଡିଗ୍ରୀ କରିବା ପରେ ସେ ସିଭିଲ ସର୍ଭିସ ପ୍ରସ୍ତୁତି କରିଥିଲେ। ଅପ୍ସନାଲ ସବଜେକ୍ଟ ରଖିଥିଲେ ଫିଲୋସଫି।

ରିତିକା କହିଛନ୍ତି, ସେ ସୋସିଆଲ୍ ମିଡିଆରୁ ଦୂରରେ ରହୁଥିଲେ। ଦିନକୁ ୬ରୁ ୮ ଘଣ୍ଟା ଏକାଗ୍ରତାର ସହ ପଢୁଥିଲେ। ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା, ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଭାରତର ଭୂମିକା, ଦେଶରେ ଆଇନ ଶୃଙ୍ଖଳା ସ୍ଥିତି, ଭୂଟାନ ଓ ନେପାଳ ସୀମା ସ୍ଥିତି, ମହାକୁମ୍ଭ ମେଳା, ଉତ୍ତର ଭାରତ ଓ ପୂର୍ବୋଦୟ ବିକାଶ ଏବଂ ଓମ୍ ମାନେ କଣ ଭଳି ପ୍ରଶ୍ନ । ରିତିକାଙ୍କ ବାପା ଶିଶିର ରଥ ଜଣେ ଅବସରପ୍ରାପ୍ତ IFS। ସେ ଓଡ଼ିଶା ପିସିସିଏଫ୍ ଭାବେ କାର୍ଯ୍ୟ ତୁଲାଇଥିଲେ। ଝିଅର ସଫଳତା ନେଇ ବେଶ୍ ଗର୍ବିତ ରିତିକାଙ୍କ ବାପା।

ସର୍ବଭାରତୀୟ ପ୍ରଶାସନିକ ସେବା ତାଲିକାରେ ରିତିକାଙ୍କ ସହ ଓଡ଼ିଶାର ଆହୁରି ୧୭-୧୮ଜଣ ସ୍ଥାନ ପାଇଛନ୍ତି। ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ ଏବଂ ୯୬ସ୍ଥାନରେ ଅଛନ୍ତି ଆଦିତ୍ୟ ଆଚାର୍ଯ୍ୟ। ସେହିପରି ୧୬୪ରେ ଦୀପ୍ତିରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ମିଶ୍ର, ୧୯୮ରେ ଆଶୁତୋଷ ମିଶ୍ର, ୨୧୨ରେ ଅନୁପ ନାୟକ, ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର, ୪୨୮ରେ ଧ୍ରୁତିରାଜ ମିଶ୍ର, ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬୮ରେ ସିମରନ୍ ସାହୁ, ୮୪୦ରେ ରିଶିତା ଦାସ, ୯୭୧ରେ ଗୋପିନାଥ ସାହୁ, ୯୭୯ରେ ଅଭିଜିତ୍ ମଲ୍ଲିକ, ୯୮୭ରେ ଆଦିତ୍ୟ ବେହେରା ଏବଂ ୯୯୪ତମ ସ୍ଥାନରେ ଅନ୍ନପୂର୍ଣ୍ଣା ମିଶ୍ର ରହିଛନ୍ତି।

UPSC ସିଭିଲ୍ ସର୍ଭିସ୍ ଏଗଜାମ-୨୦୨୪ରେ ମୋଟ୍ ୫ ଲକ୍ଷ ୮୩ ହଜାର ୨୧୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ମେନ୍ ଏଗଜାମ ଦେଇଥିଲେ ୧୪ ହଜାର ୬୨୭ ଜଣ।ଯାହାଙ୍କ ଭିତରୁ ସେଥିରୁ ୨, ୮୪୫ ଜଣ ପର୍ସନାଲିଟି ଟେଷ୍ଟ ପାଇଁ ହୋଇଥିଲେ ସିଲେକ୍ଟ। ସେଥିରୁ ମୋଟ ୧୦୦୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୨୫ ପୁରୁଷ ଏବଂ ୨୮୪ ମହିଳା। ସେଥିରୁ ୧୮୦ ଜଣ IAS, ୫୫ ଜଣ IFS ଏବଂ ୧୪୭ ଜଣ IPS ଭାବେ ନିଯୁକ୍ତି ପାଇବେ ।

ଅଧିକ ପଢ଼ନ୍ତୁ: IAS ପାଇ ବାପାଙ୍କୁ ବଳିଗଲା ଝିଅ, ଭାବବିହ୍ୱଳ ହେଲେ IFS ଅଧିକାରୀ ଶିଶିର ରଥ