Advertisment

Gold Prices Hit Record High: ଲକ୍ଷେ ଟପିଗଲା ଖାଣ୍ଟି ସୁନା, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୩ ହଜାର ମୁହାଁ

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।

author-image
Santosh Kumar Sahoo
undefined

ଲକ୍ଷେ ପାର୍ ଖାଣ୍ଟି ସୁନା

ଲକ୍ଷେ ଟପିଲା ଖାଣ୍ଟି ସୁନା । ୨୨ କ୍ୟାରେଟ୍ ବି ୯୩ ହଜାର ମୁହାଁ । ଯାହା ଆଶଙ୍କା କରାଯାଉଥିଲା, ତାହା ଶେଷରେ ସତ ହେବା ସହିତ ସବୁ ରେକର୍ଡ ଭାଙ୍ଗିଛି ସୁନା ରେଟ୍ । ଏମିତି ଦରବୃଦ୍ଧି ଦେଖି ଗ୍ରାହକ ବାପୁଡ଼ା ଛାନିଆ । ଇଚ୍ଛା ନଥିଲେ ବି ବିବାହ, ବ୍ରତ ପାଇଁ ବାଧ୍ୟ ହୋଇ କିଣୁଛନ୍ତି । କିନ୍ତୁ ସୁନାଦରର ଏ ତାଉରେ ଧିମେଇଲାଣି ବେପାର। ଗହଣା କିଣା କମାଇ ଦେଲେଣି ଗ୍ରାହକ। ଏପଟେ ବିଶେଷଜ୍ଞ କହିଲେଣି, ଆମେରିକା-ଚୀନ୍ ଟ୍ରେଡ୍ ୱାରରେ ବ୍ରେକ୍ ଲାଗିଲେ ହିଁ ସୁନା ଦରବୃଦ୍ଧିରୁ ଆଶ୍ବସ୍ତି ମିଳିପାରେ ।

Advertisment

ଅଧିକ ପଢ଼ନ୍ତୁ: ସର୍ବକାଳୀନ ରେକର୍ଡ: ପ୍ରଥମ ଥର ୧ ଲକ୍ଷ ଟଙ୍କା ଟପିଲା ସୁନା ଦର 

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା । ଏମିତିକି ୨୨ କ୍ୟାରେଟ୍ ସୁନା ବି ୨ ହଜାର ୭୫୦ ଟଙ୍କା ବଢ଼ି ପହଞ୍ଚିଛି ୯୨ ହଜାର ୯୦୦ ଟଙ୍କାରେ ।

ତଥ୍ୟ କହୁଛି, ବର୍ଷକ ତଳେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ଥିଲା ୭୨ ହଜାର ଟଙ୍କା । ହେଲେ ବର୍ଷକ ଭିତରେ ଏହା ୨୧ ହଜାର ଟଙ୍କା ମହଙ୍ଗା ହେଲାଣି। କେବଳ ଶେଷ ୬ ମାସରେ ସୁନା ଦାମ ୧୮ ହଜାର ଟଙ୍କା ବଢ଼ିଥିବା ବେଳେ ଗଲା ସପ୍ତାହକରେ ମହଙ୍ଗା ହୋଇଛି ୬ ହଜାର ଟଙ୍କା। ସୁନାର ଏମିତି ଦରବୃଦ୍ଧି କିଣିବାକୁ ଡରିଲେଣି ଗ୍ରାହକ। ଆଉ ଯିଏ ବି କିଣୁଛି, ଇଚ୍ଛା ନଥିଲେ ବି ବିବାହ, ବ୍ରତ ଆଦି ଉତ୍ସବରେ ଉପହାର ଦେବାକୁ ବାଧ୍ୟବାଧକତାରେ କିଣୁଛି। ଏପଟେ ସୁନା ଗହଣା ବ୍ୟବସାୟୀଙ୍କ କହିବା କଥା, ଯେଉଁ ହାରରେ ସୁନା ଦର ବଢ଼ିଚାଲିଛି, ଆସନ୍ତା ୭-୮ ଦିନରେ ୨୨ କ୍ୟାରେଟ୍ ବି ଲକ୍ଷେ ଟଙ୍କା ଟପିଯାଇପାରେ। ହେଲେ ଏହି ହଳଦିଆ ଧାତୁର ଏଭଳି ଦରବୃଦ୍ଧି ସୁନା ଗହଣା ବେପାରକୁ ବି ପ୍ରଭାବିତ କରିବା ଆରମ୍ଭ କଲାଣି ।

Advertisment

ତେବେ କାହିଁକି ଏମିତି ବଢ଼ିଚାଲିଛି ସୁନାଦର ? କେବେ ଲାଗିବ ବ୍ରେକ୍? ସୁନା ଦରବୃଦ୍ଧି ପାଇଁ ଆମେରିକା-ଚୀନ୍ ଟ୍ରେଡ୍ ୱାରକୁ ହିଁ ଦାୟୀ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । କହିଛନ୍ତି, ଟାରିଫ୍ ଲଢ଼େଇ ଯୋଗୁ ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଉଛି । ଏଣୁ ଷ୍ଟକ୍ ବଜାର ବଦଳରେ ସୁନାରେ ପୁଞ୍ଜି ଖଟାଇବାକୁ ଅଧିକ ସୁରକ୍ଷିତ ମଣୁଛନ୍ତି ନିବେଶକ । 

ସେହିପରି ଟ୍ରେଡ୍ ୱାର ଆଗକୁ କରେନ୍ସି ୱାରର ରୂପ ନେବା ଆଶଙ୍କା ବି ଦେଖାଦେଲାଣି। ଏଣୁ ଏହାର ମୁକାବିଲା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଶ୍ବର ବହୁ କେନ୍ଦ୍ରୀୟ ବ୍ୟାଙ୍କ ଟନ୍ ଟନ୍ ସୁନା କିଣୁଛନ୍ତି। ଚାହିଦା ଅନୁସାରେ ଯୋଗାଣ ନଥିବାରୁ ଏହା ସୁନା ଦରବୃଦ୍ଧିକୁ ଇନ୍ଧନ ଯୋଗାଉଛି। ଏମିତି ସ୍ଥିତି ଲାଗି ରହିଲେ ଆଗକୁ ସୁନା ଦାମ୍ ଆହୁରି ୨୦-୩୦ ପ୍ରତିଶତ ବଢ଼ିପାରେ। ତେବେ ଟ୍ରେଡ୍ ୱାରରେ ବ୍ରେକ୍ ଲାଗିଲେ, ସୁନା ଦରରେ ହୁଏତ ସ୍ଥିରତା ଆସିପାରେ ବା ସାମାନ୍ୟ ଖସିପାରେ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ଏବେ ସମସ୍ତଙ୍କ ଅପେକ୍ଷା, ଆମେରିକା-ଚୀନ୍ ର ଟ୍ରେଡ୍ ୱାରରେ କେବେ ଲାଗିବ ବ୍ରେକ୍, ଆଉ ସୁନା ଦରରେ ଆସିବ ସ୍ଥିରତା ।

ଅଧିକ ପଢ଼ନ୍ତୁ: କେଉଁ ଦେଶ ପାଖରେ ରହିଛି ସର୍ବାଧିକ ସୁନା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

Odisha Gold Price
Advertisment
Advertisment