• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନ ହେଉ କି ରାତି..ଅହରହ ଗୋଡରେ ପଡିଛି ବେଡି । କାରଣ ବେଡି ନପଡିଲେ ସେ କୁଆଡେ ପଳେଇବ । କେଉଁଠି ବସିବ ତାହାର କିଛି ଠିକ୍‌ଠକଣା ନାହିଁ । ସେଇଥି ଲାଗି ତ ବଢିଲା ଝିଅର ଗୋଡରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକ । ଯେଉଁ ବୟସରେ ଖେଳକୁଦ କରି ମଜାମସ୍ତି କରିବାର କଥା ସେହି ସମୟରେ ଘରର ଚାରି କାନ୍ଥରେ ଜୀବନ ବିତାଉଛି ଏହି କୁନି ଝିଅ ।

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩ ବର୍ଷ ହେଲାଣି ଏମିତି ବନ୍ଦୀ ଜୀବନ ବିତାଉଛି ଗୌରୀ । ଜନ୍ମ ବେଳୁ ସବୁ କିଛି ଠିକଠାକ୍‌ ଥିଲା । ହେଲେ ସେ ଯେବେ ବଡ ହେବାକୁ ଲାଗିଲା ସେବେ ପରିବାର ଲୋକଙ୍କ ଚିନ୍ତା ବଢିଲା । ଆସ୍ତେ ଆସ୍ତେ ଅସ୍ୱାଭାବିକ ଭାବରେ ବ୍ୟବହାର କଲା । ଝିଅର ଏମିତି ବ୍ୟବହାର ଦେଖିବା ପରେ ଯଥା ସମ୍ଭବ ଚିକିତ୍ସା କରାଇଲେ ପରିବାର ଲୋକେ । ହେଲେ କିଛି ଲାଭ ହେଲାନି । ବରଂ ଦିନ ଯେତିକି ଗଡିଲା ଗୌରୀର ଅସ୍ୱାଭାବିକ ବ୍ୟବହାର ସେତିକି ବଢିଲା ।

ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଂଚାୟତ କରଡାବଣି ଗାଁର ବାରିକ ନାଇକଙ୍କ ମଝିଆ ଝିଅ ଗୌରୀ । ଜନ୍ମ ହେଲା ବେଳକୁ ପରିବାର ଲୋକ ଭାରି ଖୁସି ଥିଲେ । ଭାବିଥିଲେ ସବୁ ପିଲାଙ୍କ ପରି ସେ ଭଲ ପାଠ ପଢିବ, ବଡ ହେଲେ ଭଲ ଚାକିରି କରିବ । ହେଲେ ପରିବାରର ସବୁ ଆଶା ଆଶାରେ ହିଁ ରହିଗଲା । ଝିଅର କଷ୍ଟ ଘର ଲୋକ ଦେଖିପାରୁନାହାନ୍ତି କି ସହିପାରୁନାହାନ୍ତି ହେଲେ ତାଙ୍କ ପାଖରେ କିଛି ଉପାୟ ବି ନାହିଁ । ସେଇଥି ଲାଗି ତ ଏମିତି ଗୋଡରେ ପକାଇଛନ୍ତି ବେଡି ।

ଗୌରୀଙ୍କ ବାପା ଜଣେ ଗରିବ ଶ୍ରେଣୀର ଲୋକ । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ,ଦୁଇ ଝିଅ, ବୁଢ଼ୀ ମାଆ ଓ ଜଣେ ଦିବ୍ୟାଙ୍ଗ ଭଉଣୀ । ରହିବା ପାଇଁ ଘର ଟିଏ ନାହିଁ କି ଭଲ ଗଣ୍ଡାଏ ଖାଇବାକୁ କିଛି ନାହିଁ । ଭଉଣୀଙ୍କୁ ମିଳିଥିବା ଆବାସ ଘରେ ମୁଣ୍ଡ ଗେଞ୍ଜିବା ସହିତ ଭତ୍ତା ଟଙ୍କାରେ ଚଳୁଛନ୍ତି । ଆଉ ଏମିତି ସ୍ଥିତିରେ ବଢିଲା ଝିଅର ଚିକିତ୍ସା କେମିତି ହେବ ସେନେଇ ଚିନ୍ତାରେ ପୂରା ପରିବାର ।

ସେପଟେ ବାରିକଙ୍କ ପରିବାର ଏତେ ଗରିବ ହୋଇଥିବା ପରେ ବି ସରକାରୀ ସ୍ତରରେ ସେମିତି କିଛି ସାହାଯ୍ୟ ମିଳିନାହିଁ । ତେଣୁ ତୁରନ୍ତ ଏହି ପରିବାରକୁ ସାହାଯ୍ୟ ଦେବାକୁ ଜୋର ଧରିଛି ଦାବି । ସେପଟେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ କହିଛନ୍ତି ଗୌରୀଙ୍କୁ ଖୁବଶୀଘ୍ର ମିଳିବ ସରକାରୀ ସହାୟତା ।

  • Reported by:
  • Rajesh Kumar Panda