• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆବୁଡା ଖାବୁଡା ଖାଲ ଢିପ ଭରା ମାଟି ପଡିଆ, ତାରି ଭିତରେ ୬ ଖଣ୍ଡ କାଠରେ ତିଆରି ହୋଇଛି ଗୋଲ ପୋଷ୍ଟ । ହାତରେ ଖଣ୍ଡିଏ ଖଣ୍ଡିଏ ହକି ଷ୍ଟିକ୍ ଧରି ସେଠାରେ ଅଭ୍ୟାସ କରୁଛନ୍ତି ଖେଳାଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍‌ର ଲୁଲକିଡିହି ଗାଁ, ଏହି ଗାଁରୁ ହିଁ ବାହାରିଛନ୍ତି ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ।

ଅନେକ ଜାତୀୟ ସ୍ତରର ହକି ଖେଳାଳିଙ୍କ ଠିକଣା ବି ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତ ଏହି ଗାଁ । ହେଲେ ହକିର ଅନ୍ତୁଡିଶାଳ କୁହାଯାଉଥିବା ଏହି ଗାଁରେ ନାହିଁ ଭଲ ପଡିଆଟିଏ । ଜଣେ ଲୋକଙ୍କ ଜମିରେ କାଠର ଗୋଲପୋଷ୍ଟ କରି ଦିନକୁ ଦିଥର ପ୍ରାକ୍ଟିସ କରୁଛନ୍ତି, ଭାରତୀୟ ହକି ଟିମ୍‌ରେ ଖେଳିବାକୁ ଆଶା ରଖିଥିବା ଯୁବ ଖେଳାଳି । 

ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସରକାର ସୁନ୍ଦରଗଡ଼ର ୧୭ଟି ବ୍ଳକ୍‌ରେ ୧୭ଟି ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି । କାମ ପ୍ରାୟ ସରିବା ଉପରେ । ଅନ୍ତର୍ଜାତୀୟ ହକି ଖେଳାଳି ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କ ଗାଁ ସଉନାମରାରେ ବି ତିଆରି ହେଉଛି ଅତ୍ୟାଧୁନିକ ହକି ଗ୍ରାଉଣ୍ଡ । ହେଲେ ତିନି ତିନି ଜଣ ଅଲିମ୍ପିଆନଙ୍କ ଗାଁ ଲୁଲକିଡିହିରେ ଆଷ୍ଟ୍ରୋ ଟର୍ଫ ତ ଦୂରର କଥା, ଏଯାଏଁ ସାଧାରଣ ପଡିଆଟିଏ ହୋଇପାରିଲାନି । ସେପଟେ ଏନେଇ ଆମେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ବି ପ୍ରତିକ୍ରିୟା ମିଳିପାରିନାହିଁ ।

ବିଶ୍ୱକପ୍ ହକି ପାଇଁ ସାରା ଓଡ଼ିଶାରେ ଉତ୍ସାହ । ରାଜ୍ୟବାସୀଙ୍କ ମଧ୍ୟରେ ଚଢିଲାଣିି ହକି ଫିଭର । ରାଜଧାନୀ ଭୁବନେଶ୍ୱର ସଜେଇ ହେଉଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ହୋଇଛି ବିଶ୍ୱସ୍ତରୀୟ ବ୍ୟବସ୍ଥା । ରାଉରକେଲାର ବ୍ରାଣ୍ଡ ନଉ ବିର୍ସା ମୁଣ୍ଡା ଷ୍ଟାଡିୟମ ବି ପ୍ରସ୍ତୁତ । ତେବେ ବିଶ୍ୱ ହକିରେ ଭାରତ ପାଇଁ ସୁନାମ ଆଣିଥିବା ଏବଂ ଓଡ଼ିଶାକୁ ପରିଚୟ ଦେଇଥିବା ଖେଳାଳିଙ୍କ ଗାଁରେ ଏଯାଏଁ ସାଧାରଣ ପଡିଆଟିଏ ପାଇଁ ସରକାରଙ୍କ ଦୃଷ୍ଟି ପଡିପାରିଲାନି ।