• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବ୍ରହ୍ମପୁର ବଡ଼ ମେଡିକାଲ୍ ବେଡରେ ରକ୍ତ ନେବାକୁ ଅନାଇ ବସିଛନ୍ତି ରୋଗୀ । କିଏ ଖୋର୍ଦ୍ଧାରୁ ଆସିଛି ତ କିଏ ଗଞ୍ଜାମରୁ । ୫-୭ ବର୍ଷର ଛୁଆଙ୍କୁ ଧରି ଘଂଟା ଘଂଟା ଅନାଇ ବସିଛନ୍ତି । କାହାକୁ ଥାଲାସେମିଆ ତ କିଏ ହେମୋଫିଲିଆରେ ପୀଡିତ । ପ୍ରତି ମାସରେ ରକ୍ତ ଦରକାର। ବିଳମ୍ବ ହେଲେ ରୋଗୀ ଗୁରୁତର ହୋଇପଡିବ । ତେବେ ପାଖରେ ରକ୍ତ ପହଁଚିଥିଲେ ବି ଆଇଭି କେନୁଲା ବା ଭେନ୍ ଫ୍ଲୋନ୍ ଦେବାକୁ ଆସୁନାହାନ୍ତି ନର୍ସ ।

MKCGର ମହିଳା ଓ ଶିଶୁ ବିଭାଗ । ଡେଲିଭରି ପରେ ମାଆଙ୍କୁ ସମୟରେ ଇଞ୍ଜେକସନ୍ କି ସାଲାଇନ୍ ଦିଆଯାଇପାରୁନି । SNCU, NICU ଓ PICUରେ ଗୁରୁତର ଶିଶୁମାନେ ଭର୍ତ୍ତି ହେଉଥିବା ବେଳେ ସେମାନଙ୍କୁ ଅଭିଜ୍ଞ ନର୍ସିଂ ଷ୍ଟାଫଙ୍କ ଦ୍ବାରା ମା କ୍ଷୀର ପିଆଇବା କି ନବଜାତର ଶିରାରେ ଇଞ୍ଜେକସନ୍ ଦେବା ସମ୍ଭବ ହୋଇପାରୁନି । ନର୍ସମାନେ ଆନ୍ଦୋଳନରେ ବସିଥିବାରୁ ରୋଗୀ ଅନାଇ ବସିଛନ୍ତି ଡାକ୍ତରଙ୍କ ବାଟକୁ ।

ଏପଟେ କ୍ୟାପିଟାଲ ହସପିଟାଲରେ ବି ସ୍ଥିତି ଜଟିଳ । ସିଷ୍ଟ ଅପରେସନ୍ ପାଇଁ ସପ୍ତାହେ ହେଲା ଆଡମିଶନ କରିଛନ୍ତି ଏହି ରୋଗୀ ଜଣକ । ଏଇ ଶୁକ୍ରବାର ଅପରେସନ୍ ଥିଲା । ହେଲେ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ଅସ୍ତ୍ରୋପଚାର ଘୁଂଚିଛି । କେବେ ହେବେ ଜଣାନାହିଁ । ଏଭଳି ସ୍ଥିତିରେ ହସପିଟାଲରେ ବର୍ତ୍ତମାନ ନୂଆ ଆଡମିଶନ ବନ୍ଦ କରିଦିଆଯାଇଛି । ଏମର୍ଜେନସି ନଥିଲେ ସିଲେକ୍ଟିଭ୍ ଅପରେସନ୍ ବନ୍ଦ । କଟକ SCBରେ ବି ଅପରେସନ୍ ପାଇଁ ହନ୍ତସନ୍ତ ହେଉଛନ୍ତି ଗୁରୁତର ରୋଗୀ । ନର୍ସ ଆନ୍ଦୋଳନ ଯୋଗୁଁ ଅସ୍ତ୍ରୋପଚାର ହୋଇପାରୁନି । ଗୁରୁତର ରୋଗୀଙ୍କୁ ବାହାର ହସପିଟାଲକୁ ରେଫର କରୁଛନ୍ତି ଡାକ୍ତର ।

ରାଜ୍ୟର ଅନ୍ୟ ମେଡିକାଲରେ ବି ରୋଗୀଙ୍କ ଅବସ୍ଥା କହିଲେ ନସରେ । ଠିକ୍ ସମୟରେ ସେବା ନପାଇ ଛଟପଟ ହେଉଛନ୍ତି । ଅଭିଜ୍ଞ ଷ୍ଟାଫଙ୍କ ବଦଳରେ ସରକାର ନର୍ସିଂ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ନିୟୋଜିତ କରିଛନ୍ତି । ହେଲେ ସେମାନେ ବରିଷ୍ଠଙ୍କ ବିକଳ୍ପ ହୋଇପାରୁନଥିବା ରୋଗୀ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ବରଗଡ଼ରେ ଜରୁରୀକାଳୀନ ସେବାରେ ନିୟୋଜିତ ଛାତ୍ରଛାତ୍ରୀଙ୍କୁ କିଛି ଷ୍ଟାଫ୍ ନର୍ସ ଧମକାଇଥିବା ଏବଂ ରୋଗୀଙ୍କ ସାଲାଇନ୍ ଖୋଲିଦେଇଥିବା ଅଭିଯୋଗ କରିଛନ୍ତି ରୋଗୀ ସଂପର୍କୀୟ ।

୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନୋତି, ଆର୍ଥିକ ସୁବିଧା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ଭଳି ୧୦ ଦଫା ଦାବି ନେଇ ୪ ଦିନ ହେଲା ଆନ୍ଦୋଳନ କରୁଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ସରକାରଙ୍କ ଏସମାକୁ ନଡରି ପ୍ରଥମେ ଦୁଇ ଦିନ ଓପିଡି ଓ ୱାର୍ଡ ସେବା ବନ୍ଦ କଲେ। ପରେ ଡେଡଲାଇନ୍ ଦେଇ ଓଟି, ଇମର୍ଜେନସି, ଲେବର ରୁମ୍ ଏପରିକି ଆଇସିୟୁରେ ସେବା ବି ବନ୍ଦ କରିଦେଲେ। ଆଜିଠାରୁ ଦିନରାତି ସିରିଞ୍ଜ୍ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହା ଭିତରେ ସରକାର ସଂଘ ସହ ଦୁଇ ଦୁଇ ଥର ଆଲୋଚନା କଲେଣି। ତଥାପି ସମାଧାନର ବାଟ ବାହାରି ପାରିନି। ଏପରିକି ସଂଘର ଦାବି ଉପରେ ବିଚାରବିମର୍ଶ ପାଇଁ ଆନ୍ତଃବିଭାଗୀୟ କମିଟି ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ପୁଣି ନର୍ସିଂ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ନର୍ସମାନେ ହେଉଛନ୍ତି ସ୍ବାସ୍ଥ୍ୟସେବାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ତେଣୁ ଆନ୍ଦୋଳନ ଯେତିକି ଲମ୍ବିବ ରୋଗୀସେବା ସେତିକି ଜଟିଳ ହେବାର ଆଶଙ୍କା ରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now