/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727534093.jpg)
CM Mohan Majhi
ଗୋଟିଏ ପଟେ ତାଗିଦ୍, ଅନ୍ୟପଟେ ଏ ସରକାର, ପୋଲିସ ସହ ଠିଆ ହୋଇଥିବାର ସନ୍ଦେଶ । ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ସମ୍ବୋଧିତ କରି ବିଶେଷ କରି ପୋଲିସ ପ୍ରଶାସନକୁ ସେବା ଓ ସୁରକ୍ଷାର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ଭଳି ଥାନାରେ ତାଙ୍କ ପ୍ରତି ହୋଇଥିବା ପୋଲିସ ବ୍ୟବହାର କଥା ଦୋହରାଇ ସଫା ସଫା କହିଛନ୍ତି ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ।
ସିଧାସଳଖ ନହେଲେ ବି ଭରତପୁର ଥାନା କାଣ୍ଡକୁ ଇଙ୍ଗିତ କରି କହିଛନ୍ତି, ଅଭିଯୋଗ ନେଇ ରାତି ୨ଟାରେ ବି ଯିଏ ଥାନାକୁ ଆସୁଛି, ତାଙ୍କ କଥା ଶୁଣିବାକୁ ହେବ। ୮-୧୦ ଘଣ୍ଟାରେ ଡ୍ୟୁଟିକୁ ସୀମିତ ନକରି ୨୪ ଘଣ୍ଟା କାମ କରିବାକୁ ହେବ। ଏଥିସହ ଦୁର୍ନୀତି, ଅନିୟମିତତା, କ୍ଷମତା ଦୁରୁପଯୋଗକୁ ବରଦାସ୍ତ କରାଯିବନି, କାମରେ ଯାହାର ତ୍ରୁଟି ରହୁଛି, ତାକୁ ସୁଧାରି ସୁଧୁରି ଯିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଜେଡି ସରକାରରେ ଦଣ୍ଡବିଧାନର ହାର କଥା ଉଠାଇ କ୍ଷୋଭ ପ୍ରକାଶ କରିବା ସହିତ କହିଛନ୍ତି, ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସାରେ ଦଣ୍ଡହାର ମାତ୍ର ୯.୭୩ ପ୍ରତିଶତ ଥିଲା । ଆମ ସରକାର ଏହାକୁ ବରଦାସ୍ତ କରିବନି କହି ସପ୍ତାହେ ଭିତରେ ଏସପିମାନଙ୍କୁ ଏସଂପର୍କିତ ପେଣ୍ଡିଂ ମାମଲା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯିବାକୁ ପରାମର୍ଶ ଦେଇ ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି। ମାଓବାଦୀ ପ୍ରସଙ୍ଗ ଉଠାଇ ମାଓ ବିରୋଧୀ ଲଢ଼େଇ ଶେଷ ପର୍ଯ୍ୟାୟରେ ଥିବାରୁ ହିଂସା ପରିହାର କରି ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପୋଲିସ ପ୍ରଶାସନକୁ ତାଗିଦ୍ ସହ ପୋଲିସ ବ୍ୟବସ୍ଥାରେ ଆବଶ୍ୟକ ଥିବା ଭିତ୍ତିଭୂମି ଓ ମାନବସମ୍ବଳ ପୂରଣ କରାଯିବାର ଭରସା ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ପ୍ରତି ଥାନାକୁ ଆବଶ୍ୟକ ଅନୁଯାୟୀ, ନୂଆ ବାଇକ୍ ଦିଆଯିବ। ଏଥିପାଇଁ ୯ ହଜାର ବାଇକ୍ ସହ ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏଁ ଚାରି ଚକିଆ ଯାନ ବି ଦିଆଯିବ। କେବଳ ସେତିକି ନୁହେଁ ୧୨୩୪ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ବି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ଆଉ ୧୦ଟି ନୂଆ ଓଡ୍ରାଫ୍ ୟୁନିଟ୍ ସହ ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍, ୨୨୯୮ ହୋମଗାର୍ଡ ପୁନଃ ନିଯୁକ୍ତି, ଓଡ଼ିଶା ଷ୍ଟେଟ ଷ୍ଟ୍ରାଇକିଂ ଫୋର୍ସର ୩ଟି ନୂଆ ବାଟାଲିଅନ, ୧୦ଟି ଯାକ ମେଡିକାଲ କଲେଜରେ ଫାଣ୍ଡି କରାଯିବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିଅନ ହେବା ନେଇ ବି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଲୋକସେବା ଭବନ କନଭେନ୍ସନ ହଲରେ ଉଦ୍ଯାପିତ ଦୁଇ ଦିନିଆ ସମ୍ମିଳନୀରୁ ଜିଲ୍ଲାର ପୋଲିସ୍ ଓ ପ୍ରଶାସନର ମୁଖିଆମାନେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରକୁ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ପୂରା ବ୍ୟବସ୍ଥାରେ ଏହାର କି ପ୍ରଭାବ ପଡୁଛି ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)