• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା । ମାସକ ଭିତରେ ମୁମ୍ବାଇରେ ଗଲାଣି ୧୩ ଜୀବନ । ଗତକାଲି ଏକ ୮ ମାସର ଶିଶୁ ପ୍ରାଣ ହରାଇଥିବା ବେଳେ, ମଙ୍ଗଳବାର ବି ଏକ ବର୍ଷକର ଶିଶୁ ଆଖି ବୁଜିଥିଲା ।

ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍‌ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି ସ୍ଥିତି ସମୀକ୍ଷା କରିଥିବା ବେଳେ, ହସ୍ପିଟାଲରେ ସ୍ୱତନ୍ତ୍ର ମିଳିମିଳା ୱାର୍ଡ ଖୋଲିଛି ମୁମ୍ବାଇ ମହାନଗର ନିଗମ । ଆଇସିୟୁ ଓ ଅକ୍ସିଜେନ୍ ସୁବିଧା ଯୁକ୍ତ ୩୭୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି ।

୯ ମାସରୁ ୫ ବର୍ଷର ଶିଶୁଙ୍କୁ ତୁରନ୍ତ ମିଳିମିଳା ଟିକା ଦେବା ପାଇଁ ମୁମ୍ବାଇବାସୀଙ୍କୁ ଅପିଲ୍ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।  ତେଣେ ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମକୁ ବିଶେଷଜ୍ଞ ଟିମ୍ ପଠାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଅଧିକ ପଢ଼ନ୍ତୁ: ବ୍ୟାପୁଛି ମିଳିମିଳା, ମାସକ ଭିତରେ ଗଲାଣି ୧୩ ଶିଶୁଙ୍କ ଜୀବନ

କରୋନା, ଇବୋଲା ଓ ଫ୍ଲୁ ଠାରୁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଥାଏ ମିଳିମିଳା ଭୂତାଣୁ । କାଶିଲେ କି ଛିଙ୍କିଲେ ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ୱାରା ଏହା ବାୟୁରେ ବ୍ୟାପିଥାଏ । ପାଟିର ଲାଳ ଏବଂ ସ୍କିନ୍ ଟୁ ସ୍କିନ୍ ଟଚ୍ ବା ସ୍ପର୍ଶ ଦ୍ୱାରା ମଧ୍ୟ ବ୍ୟାପିପାରେ ମିଳିମିଳା ।  ହେଲେ କାଶ, ସର୍ଦ୍ଦି, ଆଖିଫୁଲା, ତଣ୍ଟି ଦରଜ ଏବଂ ଜ୍ୱର ସହିତ ଆଖି ଧରେ ଚର୍ମରେ ଘିମିରି ଭଳି ନାଲିନାଲି ଫଳିଯାଏ । ଟିକା ନେଇନଥିଲେ ନିମୋନିଆ ଭଳି ଜଟିଳ ସ୍ଥିତି ବି ଉପୁଜିପାରେ ଏବଂ ରୋଗ ଜୀବନ ବି ନେଇପାରେ ।

ତେବେ ଏଥିରୁ ବର୍ତ୍ତିବାକୁ ଶିଶୁଙ୍କୁ ୯ ମାସ ହେବା ପରେ MR କିମ୍ବା MMR ଭ୍ୟାକ୍ସିନ ଦିଆଯାଏ । ସାଧାରଣତଃ ୯ରୁ ୧୨ ମାସ ଭିତରେ ପ୍ରଥମ ଡୋଜ୍ ଏବଂ ୧୬ରୁ ୨୪ ମାସ ଭିତରେ ଦ୍ୱିତୀୟ ଡୋଜ୍ ଦିଆଯାଏ । ଟିକା ନେଇ ନଥିଲେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ମିଳିମିଳା ହେବାର ଆଶଙ୍କା ରହିଛି । ଏହିସବୁ ଦୃଷ୍ଟିରୁ ସଂକ୍ରମଣ ବ୍ୟାପିଥିବା ରାଜ୍ୟ ଗୁଡ଼ିକରେ ୯ ମାସରୁ ୫ ବର୍ଷର ଶିଶୁଙ୍କୁ ମିଜିଲ୍ସ ଆଣ୍ଡ୍ ରୁବେଲା କଣ୍ଟେନିଂ ଭ୍ୟାକ୍ସିନ ବା MRCV ଟିକାର ଗୋଟିଏ ଲେଖାଏଁ ଅତିରିକ୍ତ ଡୋଜ୍ ଦେବାକୁ ପରାମର୍ଶ ଦେଇଛି କେନ୍ଦ୍ର । 

କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଦେଖାଦେଇଛି ମିଳିମିଳା ଆତଙ୍କ । ଗତବର୍ଷ ୨୦ଟି ଦେଶରେ ମିଳିମିଳା ପ୍ରକୋପ ଦେଖା ଦେଇଥିବା ବେଳେ, ୯୦ ଲକ୍ଷ ସଂକ୍ରମିତ ହୋଇଥିଲେ, ୧ ଲକ୍ଷ ୨୮ ହଜାର ଜୀବନ ଯାଇଥିଲା । WHO ର ତାଜା ସୂଚନା ଅନୁସାରେ, ଗତବର୍ଷ ୪ କୋଟି ଶିଶୁ ସମ୍ପୂର୍ଣ୍ଣ ମିଳିମିଳା ଟିକାରୁ ବଞ୍ଚିତ ହୋଇଛନ୍ତି । ଅଢ଼େଇ କୋଟି ପ୍ରଥମ ଡୋଜ୍ ନେଇନଥିବା ବେଳେ, ପ୍ରାୟ ଦେଢ଼ କୋଟି ଶିଶୁ ଦ୍ୱିତୀୟ ଡୋଜ୍ ନେଇପାରିନାହାନ୍ତି ।

କରୋନା ମୁକାବିଲାରେ ସାରା ବିଶ୍ୱ ବ୍ୟସ୍ତ ଥିବା ବେଳେ, କେବଳ ମିଳିମିଳା ନୁହେଁ, ପିଲାଙ୍କୁ ବହୁ ମାରାତ୍ମକ ରୋଗର ଟିକାକରଣରେ ଅବହେଳା ହୋଇଥିବା ସେତେବେଳେ ସତର୍କ କରାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଏବେ ଏହାକୁ ସଂଗଠନ ପକ୍ଷରୁ କରୋନା ମହାମାରୀ ଜନିତ ଆସନ୍ନ ବିଶ୍ୱସ୍ତରୀୟ ବିପଦ ବୋଲି ଚେତାଇଛି ।