• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇନକୁ ଅଣଦେଖା..କଟକଣାକୁ ଫୁ..ନା ଥିଲା ପ୍ରଶାସନର ଅନୁମତି । ନା ସଚେତନ ଥିଲେ ଆୟୋଜକ । ଆତସବାଜିରେ ଅସାବଧାନତା ଯୋଗୁଁ ଘଟିଗଲା ବଡ ଅଘଟଣ । ଆଉ ତାର କରୁଣ ପରିଣତି ଭୋଗୁଛନ୍ତି କଟକ ବଡ଼ ମେଡିକାଲ ଆଇସିୟୁରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୧୦ ଜଣ ।

କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ । ଗତକାଲି ସଂଧ୍ୟାର ସେହି ଭୟଙ୍କର ଦୁର୍ଘଟଣା ପରେ ଛିନଛତ୍ର ହୋଇ ପଡିଛି ଜିନିଷପତ୍ର । ଏପରିକି ଲୁହାର କବାଟ ବି କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ: ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ

କେନ୍ଦ୍ରାଞ୍ଚଳ ଆଇଜି, କେନ୍ଦ୍ରାପଡ଼ା ଏସପି ଓ ତହସିଲଦାର ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲିସ ଓ ସ୍ଥାନୀୟ ପ୍ରଶାସନର କହିବା ଅନୁସାରେ ଭସାଣ ଶୋଭାଯାତ୍ରକୁ ପରମିଶନ ମିଳିଥିବାବେଳେ ବାଣ ଫୁଟା ପାଇଁ ଅନୁମତି ନଥିଲା । ଏପରିକି ବାଣ ନଫୁଟାଇବାକୁ ତାଗିଦ କରାଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି, ଯଦି କେହି ଅନୁମତି ଦେଇନଥିଲେ । ତାହାଲେ ପୋଲିସ୍ ଉପସ୍ଥିତିରେ କେମିତି ଖୋଲାଖୋଲି ଚାଲିଥିଲା ଆତସବାଜି? କାହିଁକି ଏହାକୁ ବାରଣ କରିନଥିଲା ପୋଲିସ୍? ଦୁଇ ପାର୍ଶ୍ୱରେ ଦୋକାନ ଥିବା ରାସ୍ତାରେ ବାଣ ନଫୁଟାଇ ଖୋଲା ପଡିଆରେ ବାଣ ଫୁଟାଗଲା ନାହିଁ କାହିଁକି?

ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ ଏ ବିଷୟରେ ତାଙ୍କ ନିକଟରେ କୌଣସି ଖବର ନଥିଲା । ଏହି ଅଘଟଣକୁ ନେଇ ଲୋକଙ୍କ ମନରେ ମଧ୍ୟ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି ।

ଏସ୍‌ସିବି ର ବର୍ଣ୍ଣ ଆସିୟୁରେ ଏବେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୨ ଜଣ ଏବଂ ଆଇସିୟୁରେ ୩ ଜଣଙ୍କ ଚିକିତ୍ସା ଚାଲିଛି ।  ସେହିପରି ୱାର୍ଡରେ ଭର୍ତ୍ତି ହୋଇଛନ୍ତି ୨୩ ଜଣ । ଗତକାଲିର ଭସାଣ ଉତ୍ସବରେ ଗୋଟିଏ ଗୋଲା ବାଣ ଉପରକୁ ଯାଇ ଫୁଟିବା ପରିବର୍ତ୍ତେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଯିବା ଫଳରେ, ପ୍ରଚଣ୍ତ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ପ୍ରାୟ ୪୦ ଲୋକେ ଲୋକ ଆହତ ହୋଇଥିଲେ ।

(ରିପୋର୍ଟର- କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁ ଏବଂ କଟକରୁ ବିଶ୍ୱଜିତ ନାୟକ ଓ ପ୍ରଭାତ ବିଶୋଇ)