• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚନ୍ଦ୍ରପୃଷ୍ଠରେ ଥିବା ଚନ୍ଦ୍ରୟାନ ୩ ପ୍ରତିଦିନ ନୂଆ ନୂଆ ତଥ୍ୟ ଦେଉଛି। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ବିଚରଣ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରାରେ ଏହାର ଭିଡିଓ ଉତ୍ତୋଳନ ହୋଇଛି । ଭିଡିଓରୁ ଲାଗୁଛି ସତେ ଯେପରି ଜହ୍ନମାମୁଁ ଘରେ ଏକ ଛୋଟ ଶିଶୁ ବୁଲୁଛି । ଆଉ ତା ଉପରେ ତୀକ୍ଷଣ ନଜର ରଖିଛି ତାର ମାଆ । ଏଭଳି ଏକ ମଜାଦାର ପୋଷ୍ଟ କରିଛି ଇସ୍ରୋ ।

ଅଧିକ ପଢ଼ନ୍ତୁ: Chandrayaan-3: ଆଉ ୭ ଦିନରେ ଶେଷ ହେବ ମିଶନ

ସେପଟେ ପୁଣି ଏକ ଯନ୍ତ୍ର ଦ୍ୱାରା ସେଠାରେ ସଲଫର ଥିବା ସ୍ପଷ୍ଟ ହୋଇଛି । ରୋଭରରେ ଥିବା ଆଲଫା ପାର୍ଟିକିଲ ଏକ୍ସରେ ସ୍ପେକ୍ଟ୍ରୋସ୍କୋପ୍ APXS ଦ୍ୱାରା ଚନ୍ଦ୍ରପୃଷ୍ଠରେ ସଲଫର ସହ ଅନ୍ୟ କିଛି ପଦାର୍ଥ ମିଳିଥିବା ସୂଚନା ମିଳିଛି । କିନ୍ତୁ କେଉଁ ସୂତ୍ରରୁ ସେଠାରେ ସଲଫର କିପରି ସୃଷ୍ଟି ହେଉଛି ସେ ସମ୍ପର୍କରେ ଜଣାପଡିନାହିଁ ।

ପ୍ରାକୃତିକ ଉପାୟ, ଆଗ୍ନେୟ ଉଦଗୀରଣ କିମ୍ବା ଧୂମକେତୁର ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ପରେ ସଲଫର ସୃଷ୍ଟି ହୋଇଛି କି ସେନେଇ ଗବେଷଣା କରିବାକୁ ବୈଜ୍ଞାନିକ ମାନଙ୍କୁ ବାଧ୍ୟ କରିଛି । ପୂର୍ବରୁ ପ୍ରଜ୍ଞାନ ମଧ୍ୟ ସଲଫର ସହ ଆଲୁମିନିୟମ, କ୍ୟାଲସିୟମ, ଟିଟାନିୟମ ଠାବ କରିଥିଲା । ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ -୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ନୂଆ ନୂଆ ତଥ୍ୟ ସଂଗ୍ରହ ପାଇଁ ବିକ୍ରମ ଓ ପ୍ରଜ୍ଞାନ ହାତରେ ଆଉ ପ୍ରାୟ ୬ ଦିନ ବାକି ଅଛି । ଏଭିତରେ ଚନ୍ଦ୍ରପୃଷ୍ଠର ୧୦ ସେଣ୍ଟିମିଟର ତଳର ଉତ୍ତାପ ଏବଂ ସେଠାକାର ମୃତ୍ତିକା ସଂରଚନା ଭାରତ ହାତରେ ଲାଗିସାରିଛି ।

ସେପଟେ ଜହ୍ନ ରାଇଜରେ ସଫଳ ଅବତରଣ ପରେ ଆଉ ମାତ୍ର ସାତ ଦିନ ରହିଛି ଚନ୍ଦ୍ରଯାନ-୩ର କାର୍ଯ୍ୟକାଳ। ଏହାପରେ ଅକାମୀ ହୋଇଯିବ ଚନ୍ଦ୍ରଯାନରେ ଲାଗିଥିବା ଯନ୍ତ୍ରପାତି। ବର୍ତ୍ତମାନ ସୁଦ୍ଧା ଇସ୍ରୋ ଚନ୍ଦ୍ରପୃଷ୍ଠର ଅନେକ ରହସ୍ୟ ଭେଦିଛି ଆଉ କିଛି ପାଇଁ ଆଶା ରଖିଛି। ମାତ୍ର ୭ ଦିନ ପରେ ଚନ୍ଦ୍ରଯାନ-୩ର କାର୍ଯ୍ୟକାଳ ସରିବାକୁ ଯାଉଛି।

ଇସ୍ରୋ କହିଛି ଯେ, ଏଯାବତ୍ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ତୃତୀୟ ମିଶନ, ଚନ୍ଦ୍ରରେ ଥିବା ବୈଜ୍ଞାନିକ ପରୀକ୍ଷଣ ବର୍ତ୍ତମାନ ଜାରିରହିଛି । ଅବତରଣ ସଫଳ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଆୟୁ ୧୪ ଦିନ ରହିଛି। ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ୍ ପୃଥିବୀରେ ୧୪ ଦିନ ହେଲେ ଚନ୍ଦ୍ରରେ ଗୋଟିଏ ଦିନ ହୋଇଥାଏ ।

ତେଣୁ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଦିନ ସମୟ ସରି ସରି ଆସୁଛି। ଆଉ ସାତ ଦିନ ପରେ ସେଠାରେ ରାତି ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ୍ ସାତ ଦିନ ସମାପ୍ତ କରି ଥିବାବେଳେ ଆଉ ସାତ ଦିନ ବାକି ରହିଛି। ଏହାପରେ ଚନ୍ଦ୍ରରେ ରାତି ହୋଇଯିବା ପରେ ସମଗ୍ର ପୃଷ୍ଠ ଅନ୍ଧକାରମୟ ହୋଇଯିବ, ଫଳରେ ଇସ୍ରୋକୁ ତଥ୍ୟ ପଠାଇବାରେ ଅସଫଳ ହେବେ ଲ୍ୟାଣ୍ଡର ଓ ରୋଭର୍।