• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାମୁଘର ଗାଁ ବୁଲି ବୁଲି ଗୋଟିଏ ପରେ ଗୋଟିଏ ନୂଆ ଫଟୋ ପଠାଉଛି ବିକ୍ରମ ଲ୍ୟାଣ୍ଡର । ତେବେ ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଗତକାଲି କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର । ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଏବଂ ଅକ୍ସିଜେନ ଥିବା ନେଇ ସୂଚନା ଜାରି କରିଛି ଇସ୍ରୋ । ଚନ୍ଦ୍ରର ରହସ୍ୟ ଉନ୍ମୋଚନ ଦିଗରେ ପ୍ରୟାସ ଜାରି ରଖିଛନ୍ତି ଲ୍ୟାଣ୍ଡର ଓ ରୋଭର୍ ।  ଚନ୍ଦ୍ରପୃଷ୍ଠର କଂପନ, ଚାର୍ଜ କଣିକା ଓ ତାପମାତ୍ରା ପରଖିବା ସହିତ ରାସାୟନିକ, ଖଣିଜ ତଥା ମୌଳିକ ସଂରଚନା ବାବଦରେ ତଥ୍ୟ ସଂଗ୍ରହ କରୁଛନ୍ତି । ହେଲେ ଅସଲ କଥା ହେଉଛି, ଜହ୍ନରେ ଜଳ ଖୋଜିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ ।

ଅଧିକ ପଢ଼ନ୍ତୁ: ଜହ୍ନମାମୁ ଘରେ ବୁଲୁଛି ପ୍ରଜ୍ଞାନ୍‌ : ଚନ୍ଦ୍ରୟାନ-୩ ମିଶନର ନୂଆ ଭିଡିଓ ଛାଡ଼ିଲା ଇସ୍ରୋ

ତେବେ ଭାରତର ଚନ୍ଦ୍ରୟାନ ମିଶନ ଆଉ ମାତ୍ର ୭ ଦିନରେ ଶେଷ ହେବାକୁ ଯାଉଛି। ଚନ୍ଦ୍ରୟାନ-3କୁ ଅଗଷ୍ଟ ୨୩ ତାରିଖ ବୁଧବାର ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରାଇବା ପରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଉଛି । ଏବେ ସୁଦ୍ଧା ଚନ୍ଦ୍ରରେ ୭ ଦିନ ଶେଷ ହୋଇଥିବା ବେଳେ ଆଉ ୭ ଦିନ ବାକି ରହିଛି ।

କାହିଁକି ଶୀଘ୍ର ଶେଷ ହେବାକୁ ଯାଉଛି ଚନ୍ଦ୍ରୟାନ୩ ମିଶନ?

ଚନ୍ଦ୍ର ଆଲୋକ ହେତୁ ଖୁବଶୀଘ୍ର ଚନ୍ଦ୍ରୟାନ୩ ମିଶନ ଶେଷ ହେବାକୁ ଯାଉଛି । କାରଣ ଚନ୍ଦ୍ରର ସୂର୍ଯ୍ୟ କିରଣ ୧୪ ପର୍ଯ୍ୟନ୍ତ ହିଁ ପଡ଼େ, ଆଉ ତା’ପରେ ରାତି ହୋଇଯାଏ । ତେବେ ଚନ୍ଦ୍ରରେ ଆଲୋକ ନଥିବା ହେତୁ ସୋଲାର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ । ଆଉ ତା’ପରେ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବ । ସୂର୍ଯ୍ୟ ଚାରିପଟେ ଘୂରିବୁଲେ ଚନ୍ଦ୍ର , ଯେଉଁଥିପାଇଁ ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡେ । ସୂର୍ଯ୍ୟ ଚାରିପଟେ ଚନ୍ଦ୍ରକୁ ଘୁରିବା ପାଇଁ ଯେତିକି ସମୟ ଲାଗେ, ପୃଥିବୀର ୨୮ ଦିନ ସହ ସମାନ । ଏପରି ସ୍ଥିତିରେ ସୂର୍ଯ୍ୟକିରଣ ଚନ୍ଦ୍ର ପୃଷ୍ଠରେ ୧୪ ଦିନ ପଡେ ଏବଂ ଅବଶିଷ୍ଟ ୧୪ ଦିନ ପାଇଁ ସୂର୍ଯ୍ୟ କିରଣ ଚନ୍ଦ୍ର ପୃଷ୍ଠରେ ପଡ଼େ ନାହିଁ । ଏହି କାରଣରୁ ଚନ୍ଦ୍ରୟାନ ମିଶନ ଆସନ୍ତା ୭ ଦିନ ଭିତରେ ଶେଷ ହେବାକୁ ଯାଉଛି ।

୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ ଭାରତ ହାସଲ କରୁଛି ଚନ୍ଦ୍ରର ଅଛୁଆଁ ଦକ୍ଷିଣ ମେରୁ ସଂପର୍କିତ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ । ଭାରତ ଚନ୍ଦ୍ରପୃଷ୍ଠର ଏତେ ପାଖରୁ ଫଟୋ ପାଇଛି ଯେ, ଏଭଳି ସ୍ପଷ୍ଟ ଫଟୋ ଅନ୍ୟ କେଉଁ ଦେଶ ପାଖରେ ନାହିଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଚି । ଲ୍ୟାଣ୍ଡର ଓ ରୋଭରର ୫ଟି ଯାକ ଯନ୍ତ୍ରାଂଶ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ଆହୁରି ବାକି ଦିନ ଏହି ମିଶନ ସୁରୁଖୁରୁରେ ଚାଲିବ ବୋଲି ସୂଚନା ଦିଆଯାଇଛି ।