• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁଁ ସ୍ୱାମୀ ପରିତ୍ୟକ୍ତା ହୋଇ ମରିବାକୁ ଚାହୁଁନି । ଦୟା କରି ଛାଡପତ୍ର ଗ୍ରହଣ କରନ୍ତୁ ନାହିଁ । ଦେଶର ସର୍ବୋଚ୍ଚ ଅଦାଲତଙ୍କ ପାଖରେ ଏମିତି କାନ୍ଦି କାନ୍ଦି କହିଥିଲେ ଜଣେ ୮୨ ବର୍ଷୀୟା ମହିଳା । ଦେଶରେ ଛାଡପତ୍ର ମାମଲା ବଢ଼ିବା ସତ୍ତ୍ବେ, ଆଜି ମଧ୍ୟ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ବିବେଚନା କରାଯାଏ । ଏପରି ସ୍ଥଳେ ଜଣେ ବୃଦ୍ଧା ଛାଡ଼ପତ୍ର ପାଇଁ ମନା କରିବାରୁ ମାନ୍ୟବର ସୁପ୍ରିମକୋର୍ଟ ଉକ୍ତ ଛାଡପତ୍ର ମାମଲା ଖାରଜ କରି ଦେଇଛନ୍ତି ।

ଜଣେ ୮୯ ବର୍ଷୀୟ ବୃଦ୍ଧ ନିଜର ୮୨ ବର୍ଷୀୟା ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । ପତ୍ନୀଙ୍କ ନିବେଦନ ଶୁଣିବା ପରେ ଏହି ଛାଡପତ୍ର ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ଏମ୍. ତ୍ରୀବେଦୀଙ୍କ ଖଣ୍ତପୀଠ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ଅକ୍ଟୋବର ୧୦ରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି, ବିବାହ ଉଭୟ ପକ୍ଷର ସହମତି ଭିତ୍ତିରେ ହୋଇଥାଏ । ଏଣୁ ଛାଡପତ୍ର ମଧ୍ୟ ଉଭୟ ପକ୍ଷର ସହମତିରେ ହେବା ଆବଶ୍ୟକ ।

ସମ୍ବିଧାନ ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ଯଦି ନିଜର ପାୱାର ବ୍ୟବହାର କରି ଛାଡପତ୍ର ଗ୍ରହଣ କରିନେବେ ତେବେ ଏହା ଅସାମ୍ବିଧାନିକ ହେବ, ଯାହା ଗ୍ରହଣୀୟ ନୁହେଁ । ଏଣୁ ଏହି ଛାଡପତ୍ର ମାମଲାରେ ନିଜର ଷ୍ଟେଟ ଜ୍ୟାକେଟ ଫର୍ମୁଲା ବ୍ୟବହାର କରି ହେବନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ସୁପ୍ରିମକୋର୍ଟ । 

ନିଜର ୨୪ ପୃଷ୍ଠା ସମ୍ବଳିତ ରିପୋର୍ଟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଭାରତୀୟ ସମାଜରେ ବିବାହ ଏକ ପବିତ୍ର ବନ୍ଧନ । ଏହା ଧର୍ମ, ଆଧ୍ୟାତ୍ମିକତା ସହ ବିଶେଷ ଭାବେ ଜଡ଼ିତ । ଏହା ସହ ବିବାହ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକ ଆବେଗ ତଥା ଭାବପୂର୍ଣ୍ଣ ଜୀବନ ଅତିବାହିତ କରି ଥାଆନ୍ତି । 

କୋର୍ଟ ଏହା ମଧ୍ୟ କହିଛନ୍ତି, ପତ୍ନୀ ନିଜର ସ୍ୱାମୀଙ୍କର ଯତ୍ନ ନେବାକୁ ଚାହୁଁଛନ୍ତି ଓ ପରବର୍ତ୍ତୀ ସମୟରେ ମଧ୍ୟ ତାଙ୍କୁ ଛାଡ଼ିବାର କୌଣସି ଯୋଜନା ନାହିଁ । ଆଉ ବିଶେଷ ଭାବେ ସେ ସ୍ୱାମୀ ପରିତ୍ୟକ୍ତା ଭାବେ ମରିବାକୁ ଚାହୁଁ ନାହାଁନ୍ତି । ଏପରି ସ୍ଥଳେ ବିବାହକୁ ଅବୈଧ ଘୋଷଣା କରିଦେଲେ ପତ୍ନୀଙ୍କ ପ୍ରତି ଅନ୍ୟାୟ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ସୂଚନାଯୋଗ୍ୟ, ୧୯୬୩ ମସିହାରେ ଏହି ଦମ୍ପତ୍ତି ବିବାହ କରିଥିଲେ ଏବଂ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।