• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସର ଅପରାହ୍ନରେ ଭୋ ଭୋ ହୋଇ କାନ୍ଦୁଛି ବୁଢା ବାପା । ଯେଉଁ ବୟସରେ ଗଣ୍ଡେ ଖାଇକି ଘରେ ଶୋଇବାର କଥା ସେହି ବୟସରେ ଏମିତି ବାରଦୁଆର ହେଉଛି ବୁଢା ମଣିଷଟା । ଶେଷ ସମୟରେ ସାହାରା ହେବେ କହି ସବୁ ଟଙ୍କା ପଇସା ନେଇଗଲେ ଝିଅଜ୍ୱାଇଁ । ହେଲେ ଏବେ ସେମାନେ ବୁଢ଼ା ବାପାକୁ ପଚାରୁ ନାହାନ୍ତି କି ଘରେ ରଖୁନାହାନ୍ତି । ପରିଣତ ବୟସରେ ଏବେ ସେ ଖାଇବା ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ।

ଗଂଜାମ ଭଞ୍ଜନଗରର ମୂରଲୀ ବେହେରା । ବୟସ ୮୦ ହେଲାଣି...ଚାଲିବାକୁ ଆଉ ଗୋଡ଼ରେ ବଳ ବି ନାହିଁ । ତଥାପି ଆଶା ବାଡ଼ି ଟିଏ ଧରି ରାସ୍ତାରେ ଏମିତି ହାଉଲେ ହାଉଲେ ଚାଲୁଛନ୍ତି ବାଟ । କେତେବେଳେ କାହା ବାରଣ୍ଡାରେ ବସି ଧାର ଧାର ଲୁହ ଝରାଉଛନ୍ତି ତ ଆଉ କେତେବେଳେ ଶୋଇ ପଡୁଛନ୍ତି । ଦୁଇବର୍ଷ ତଳୁ ସ୍ତ୍ରୀ ପରପାରିକୁ ଚାଲିଯିବା ପରେ ବଡ ଝିଅ ଓ ଜ୍ୱାଇଁଙ୍କୁ ସବୁ ସମ୍ପତ୍ତି ଦେଇ ଭାବିଥିଲେ ଶେଷ ସମୟରେ ଆରାମରେ ଝିଅ ପାଖରେ ଜୀବନଟା କଟିଯିବ । ହେଲେ ସମ୍ପତ୍ତି ନେବା ପରେ ବଦଳିଗଲେ ଝିଅ ଓ ଜ୍ୱାଇଁ ।

ବାପା ସମ୍ପତ୍ତି ପାଇବା ପରେ ଖାଲି ରୂପ ବଦଳାଇଲେ ତାହା ନୁହେଁ ବରଂ ବୁଢ଼ା ବାପାକୁ ଘରୁ ବାହାର କରିଦେଲେ । ଅଣ୍ଟିରେ ଯାହା ଧନ ଥିଲା ସବୁ ତ ଝିଅକୁ ଦେଇଦେଇଥିଲା । ଏବେ ବୟସର ଅପରାହ୍ନରେ ଯିବେ କୁଆଡେ? ଖାଇବେ କଣ ? ରହିବେ କେମିତି ? ଏଇ କଥା ଚିନ୍ତା କରିକରି କାନ୍ଦୁଛି ଏଇ ବୁଢା ବାପ । ତେବେ ଏ ବୟସରେ ଆଉ କାମ କରିବା ବି ମୂରଲୀଙ୍କ ପାଖରେ ସମ୍ଭବ ହେଉନି । ତେଣୁ ସରକାରୀ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ମୂରଲୀ ।

ମୂରଲୀଙ୍କ ତିନି ଝିଅ ଥିବାବେଳେ ଗୋଟିଏ ମାତ୍ର ପୁଅ...ସିଏ ବି ଦୀର୍ଘବର୍ଷ ହେଲା ଗାଁକୁ ନଆସି ବାହାର ରାଜ୍ୟରେ ରହୁଛି । ପୁଅଝିଅ ସବୁ ଥାଇ ବି ବୟସର ଅପରାହ୍ନରେ ପାଖରେ କେହି ନାହାନ୍ତି । ତେବେ ସମସ୍ତେ ଥାଇ ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବୃଦ୍ଧ ଜଣକ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଆଇନଜୀବୀ ସନ୍ତୋଷ ପାଳ ଆସି ବୃଦ୍ଧଙ୍କର ସମସ୍ୟା ବୁଝିବା ସହିତ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ...

ତେବେ ମୂରଲୀଙ୍କ ଅସହାୟତା ସମ୍ପର୍କରେ ଜାଣିବା ପରେ ଉପଜିଲ୍ଲାପାଳ ସାଙ୍ଗେ ସାଙ୍ଗେ ବୃଦ୍ଧଙ୍କୁ ସହାୟତା କରିବା ସହିତ ତାଙ୍କ ସହ ଅନ୍ୟାୟ କରିଥିବା ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସମୟ କହିବ କେବେ ସହାୟତା ପାଉଛନ୍ତି ମୂରଲୀ ଆଉ ପରିଣତ ବୟସରେ କେବେ ପାଉଛନ୍ତି ସହାୟତା ।

(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଂଜନଗର)