• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଉଁଶ ବୁଦାରୁ ମିଳିଛି ନାବାଳକର ସାଇକେଲ । ହେଲେ ୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ । ପୁଅର ଫେରିବା ବାଟକୁ ଅନାଇ ଧୈର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ମା’ ବାୟାଣୀ ପରି ପୁଅକୁ ଖୋଜିହେଉଛି । ହେଲେ ପୁଅକୁ ପାଉନି । ନିଖୋଜ ପୁଅର ଫେରିବା ବାଟକୁ ଚାହଁ ଦାଣ୍ଡ ଦୁଆର ଗ୍ରିଲରେ ଆଉଜି ହୋଇ ବସି ରହୁଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ମାତ୍ରେ ପୋଲିସ୍ କୁକୁର ନାବାଳକକୁ ଖୋଜୁଛି । କେତେବେଳେ ବିଲକୁ ପଶିଯାଉଛି ତ ଆଉ କେତେବେଳେ ବାଉଁଶ ବୁଦା ଭିତରୁ । ପୁଣି କେତେବେଳେ ନିଖୋଜ ନାବାଳକ ଅମ୍ରିତର ଡ୍ରେସକୁ ସୁଙ୍ଘି ପକାଉଛି । ହେଲେ ଏଯାଏଁ ନାବାଳକର ମିଳୁନି କିଛି ବି ଖୋଜଖବର ।

ନୟାଗଡ଼ ଓଡ଼ଗାଁ କୁରାଳ ସୁବୁଦ୍ଧି ସାହିରୁ ସାମ୍ନାକୁ ଆସିଛି ଏମିତି ହୃଦୟ ବିଦାରକ ଘଟଣା । ପୁଅକୁ କିଏ ଅପହରଣ କରି ନେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଶିଶୁ ଜଣଙ୍କ ହେଉଛନ୍ତି କାଳିଆ ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର । ପରିବାର ଲୋକଙ୍କ କହିବା ଅନୁସାରେ, ଅମ୍ରିତ ଗୁରୁବାର ଦିନ ୫ଟା ବେଳେ ଟ୍ୟୁସନ ହେବା ପାଇଁ ଗାଁ ପାଖକୁ ଯାଇଥିଲେ । ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ଅମ୍ରିତଙ୍କ ଟ୍ୟୁସନ ଛୁଟି ବି ହୋଇଥିଲା । ସେ ସାଇକେଲ ନେଇ ଘରକୁ ବାହାରିଥିଲେ, ହେଲେ ସେ ଘରକୁ ଫେରି ନ ଥିଲେ।

ଟ୍ୟୁସନ ଛୁଟି ହେବା ସମୟ ଗଡ଼ିଯିବାରୁ ଅମ୍ରିତଙ୍କ ମା’ ପୁଅକୁ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ । ପରେ ପୁଅର ସାଇକେଲ ଘରଠୁ ୫୦ ମିଟର ଦୂରରେ ମିଳିଥିଲା । ପୁଅକୁ ଅପହରଣ କରାଯାଇଥିବା ଅମ୍ରିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ଅମ୍ରିତଙ୍କୁ ଖୋଜାଖୋଜି କରୁଛି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ...

ସେପଟେ ଅମ୍ରିତଙ୍କ ମାଆ କହିଛନ୍ତି, ମୋର ପୁଅ କାହାର କି କ୍ଷତି କରିବ ? ପରୀକ୍ଷା ସରିଥିବାରୁ ସେ ଭାରି ଖୁସି ଥିଲା । ବାସ୍‌ ଏମିତି କହି କାନ୍ଦି ପକାଉଛନ୍ତି ମାଆ...ତେବେ ପରୀ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଜଣେ ନାବାଳକ ଗାଏବ ହେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଚାଲିଛି ।

( ରିପୋର୍ଟ - ବଳରାମ ଲେଙ୍କା, ନୟାଗଡ )