• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦରବୃଦ୍ଧିରେ ଲାଗୁନି ଅଙ୍କୁଶ । ଖାସ୍ କରି ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଗତବର୍ଷ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ମାତ୍ର ୪.୩ ପ୍ରତିଶତ ଥିବା ବେଳେ ଏବର୍ଷ ୭.୪ ପ୍ରତିଶତରେ ପହଞ୍ଚିଛି । ତେଣୁ ସ୍ଥିତି କେତେ ଶୋଚନୀୟ ତାହା ସ୍ପଷ୍ଟ ହେଉଛି । ଦରବୃଦ୍ଧି ରୋକିବା ଲାଗି ସରକାରୀସ୍ତରରେ ଆନ୍ତରିକତା ଅଭାବ ଓ ରିଟେଲ୍ ଚେନ୍‌ରେ ବହୁରାଷ୍ଟ୍ରୀୟ କଂପାନିଙ୍କ ମନମାନିକୁ ଦାୟୀ କରିଛି ବ୍ୟବସାୟୀ ସଂଘ । ଏପଟେ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଶାସକ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବାକ୍‌ଯୁଦ୍ଧ ।

ଭୁବନେଶ୍ୱର ଓଲ୍ଡ ଟାଉନ୍ ବାସିନ୍ଦା ମନୀଷା ଦାସ । ୭ ଜଣିଆ ଯୌଥ ପରିବାର । ଦରବୃଦ୍ଧି ପରିବାରକୁ କେତେ ବାଧୁଛି ତାର ହିସାବ ଦେଇଛନ୍ତି ମନୀଷା । ସେ କହିଛନ୍ତି ୨୦୧୭ରେ ମାସିକ ଗ୍ରୋସରୀ, ଗ୍ୟାସ୍ ଓ ଦୈନଦିନ ଦରକାର ହେଉଥିବା ଜିନିଷ କିଣିବା ଲାଗି ଖର୍ଚ୍ଚ ହେଉଥିଲା ୧୦ ହଜାର ଟଙ୍କା । ମାତ୍ର ୫ ବର୍ଷ ପରେ ଦ୍ୱିଗୁଣିତ ହୋଇଛି ଖର୍ଚ୍ଚ । ୨୦ ହଜାର ଟଙ୍କା ହେଲେ ବି ନିଅଣ୍ଟ ପଡ଼ୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବାରର ଆୟ ବଢିଥିଲେ ମଧ୍ୟ ଦିଗୁଣା ହୋଇନି ।  ତେଣୁ ତାଙ୍କ ଭଳି ନିମ୍ନ ମଧ୍ୟବିତ୍ତି ପରିବାର ଲାଗି ଚଳିବା ଅତି କଷ୍ଟକର ହୋଇପଡିଛି ।

କେବଳ ମନୀଷାଙ୍କ ପରିବାର ନୁହନ୍ତି, ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ । ମନୀଷାଙ୍କୁ ଯୁକ୍ତିକୁ ସାବ୍ୟସ୍ତ କରୁଛି ସେପ୍ଟେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି । ୯ ମାସ ହେଲା ନିୟନ୍ତ୍ରିତସ୍ତର ୬ ପ୍ରତିଶତ ଉପରେ ରହିଛି ରିଟେଲ୍ ଇନଫ୍ଲେସନ୍ । ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୫ ମାସର ସର୍ବୋଚ୍ଚସ୍ତର ୭.୪୧ ପ୍ରତିଶତରେ ପହଞ୍ଚିଛି । କୋଭିଡ୍ କୋପସତ୍ତ୍ୱେ ଗତବର୍ଷ ଏହା ମାତ୍ର ୪.୩ ପ୍ରତିଶତ ଥିଲା । ଗତମାସରେ ପନିପରିବା ଦର ହାରାହାରି ୧୮ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଧନ ମୁଦ୍ରାସ୍ଫୀତି ୧୧.୪୪ ପ୍ରତିଶତ ଓ ଖାଦ୍ୟ ମୁଦ୍ରାସ୍ଫୀତି ୮.୬ ପ୍ରତିଶତ ବଢ଼ିଛି । ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ ଲାଗି ସରକାରୀସ୍ତରରେ ଆନ୍ତରିକତାର ଅଭାବ ଥିବା କୁହାଯାଉଛି । ଅନ୍ୟପକ୍ଷରେ ଦର ବୃଦ୍ଧି ପାଇଁ ଖୁଚୁରା ବଜାରରେ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ମନମାନିକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ ।  

ଏପଟେ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି । ଅସାଧୁ ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କେନ୍ଦ୍ର ସରକାର ମଧ୍ୟ ଦରବୃଦ୍ଧି ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଜବାବରେ ବିଜେପି କହିଛି, ସଂଘୀୟ ବ୍ୟବସ୍ଥାରେ ଦର ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି । ତୈଳଦର ନିୟନ୍ତ୍ରଣ କେନ୍ଦ୍ରର ଦାୟିତ୍ୱ, ମାତ୍ର ରାଜ୍ୟ ସରକାର ପନିପରିବା, ମାଛ, ଅଣ୍ଡା ଆଦିର ଦାମ୍ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟ ଉପରେ ଦୋଷ ଲଦିବା ଛାଡ଼ି ରାଜ୍ୟ ସରକାର ପ୍ରଥମେ ନିଜ ଦାୟିତ୍ୱ ତୁଲାନ୍ତୁ ବୋଲି କହିଛି ବିଜେପି । ଦର ନିୟନ୍ତ୍ରଣ ଦାୟିତ୍ୱ କାହାର? କେନ୍ଦ୍ର ରାଜ୍ୟ ଟଣାଓଟରା ଭିତରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଜନତା ।

(ରିପୋର୍ଟ- ଭୁବନେଶ୍ୱରରୁ ହରିହର ଚାନ୍ଦ ଓ କପିଳେନ୍ଦ୍ର ପ୍ରଧାନ)