Advertisment

BJD Conflict: ୪ଟି ଓଡ଼ିଆ ଢ଼ଗ ଓ ବିଜେଡିର ଶେଷ ଘଣ୍ଟି !

ଜନ୍ମ ହେବା ପରଠାରୁ କ୍ଷମତାରେ ରହିଆସିଛି BJD। ଗତ ନିର୍ବାଚନରେ ପ୍ରଥମ ଥର ବିଫଳତାର ସ୍ବାଦ ଚାଖି ଥିବା ଏହି ଆଂଚଳିକ ଦଳ ଏବେ ବିଚିତ୍ର ସଂକଟରେ ପଡ଼ିଛି। ଦଳ ଭିତରେ ଯେଉଁ ସ୍ଥିତି ଉପୁଜିଛି ଆପଣଙ୍କର ୪ଟି ଓଡ଼ିଆ ଢ଼ଗ ନିଶ୍ଚୟ ମନେପଡ଼ିବ।

author-image
Amaresh Biswal
ଅଦ୍ୟତନ ହୋଇଛି
Confilct in Naveen Bjd Vs Pandian Bjd and 4 Odia Dhaga

Confilct in Naveen Bjd Vs Pandian Bjd and 4 Odia Dhaga

ଓଡ଼ିଆ ଭାଷାରେ ଅନେକ ସୁନ୍ଦର ସୁନ୍ଦର ଢ଼ଗଢ଼ମାଳି ରହିଛି। ଯାହା ଆମ ବାସ୍ତବ ସାମାଜିକ ଜୀବନରେ ଏହାର ପ୍ରୟୋଗ ଦେଖିବାକୁ ମିଳିଥାଏ। ଓଡ଼ିଶାରେ ବିଜୁ ଜନତା ଦଳର ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ଏଠାରେ ୪ଟି ଲୋକପ୍ରିୟ ଓଡ଼ିଆ ଢ଼ଗ ମନେପଡୁଛି।

Advertisment

ଚାରିଟି ଢଗ ଓ BJD

(୧) ବାଘ ଘରେ ମିରିଗ ନାଟ। (୨) ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଟେ ମାରିବ ସେତିକି ବେଳେ। (୩) ବାଘ ବୁଢ଼ା ହୋଇଗଲେ, ଠୁଣି ମୂଷା ବି ନାଲିଆଖି ଦେଖାଏ। (୪) ନିଜ ଭିତରେ ଲଢ଼େଇ ଦ୍ବାରା ହିଁ ଯଦୁ ବଂଶ ଧ୍ବଂସ ପାଇଥିଲା।

୨୭ ବର୍ଷର ବିଜେଡିର ହାସ୍ୟାସ୍ପଦ ସ୍ଥିତି

ଏଇ ଚାରିଟି ଓଡ଼ିଆ ଢ଼ଗ ଉପରେ ଆଜିର ଆଲୋଚନା। ଯେତେବେଳେ ୨୭ ବର୍ଷ ତଳେ, ୨୬ ଡିସେମ୍ବର ୧୯୯୭ରେ ଦେଶର ଅନ୍ୟତମ ଆଂଚଳିକ ରାଜନୈତିକ ଦଳ- ବିଜୁ ଜନତା ଦଳ ବା ବିଜେଡି ଗଠନ ହେଲା, ସେତେବେଳେ ହୁଏତ କେହି ଅନୁମାନ କରିନଥିବେ, ୨୪ ବର୍ଷ ଧରି ଶାସନରେ ରହିଥିବା ଏହି ଶକ୍ତିଶାଳୀ ରାଜନୈତିକ ଦଳଟି, ୨୭ ବର୍ଷ ପରେ ଏମିତି ଦୟନୀୟ ଅନ୍ତର୍ବିବାଦରେ ଛନ୍ଦିହୋଇ ହାସ୍ୟାସ୍ପଦ ସ୍ଥିତିକୁ ଚାଲି ଆସିବ।

Advertisment

ନବୀନଙ୍କ ପରେ BJD

ଦଳ ଗଠନ ବେଳେ ନହେଲେ ବି, ମଝିରେ ମଝିରେ ବିଭିନ୍ନ ରାଜନୈତିକ ନେତା ଓ ରାଜନୈତିକ ପଣ୍ଡିତମାନଙ୍କ ଦ୍ବାରା କଥା ଉଠିଛି ଯେ, ନବୀନଙ୍କ ପରେ ବିଜେଡି କେମିତି ଚାଲିବ? ଏଇଥିପାଇଁ ଏ ପ୍ରଶ୍ନ ମଝିରେ ମଝିରେ ଉଠୁଥିଲା, କାରଣ ନବୀନ ବାବୁ ବିଜେଡିରେ ସେକେଣ୍ଡ ଲାଇନ୍ ଲିଡର ତିଆରି କରିନଥିଲେ। ତାଙ୍କ ପରେ କିଏ ଦଳର ସର୍ବେସର୍ବା ନେତା ତାହା ସବୁବେଳେ ଦ୍ବନ୍ଦ୍ବରେ ରହିଆସିଛି। କେତେବେଳେ ପାଣ୍ଡିଆନଙ୍କୁ ତ କେତେବେଳେ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ନବୀନଙ୍କ ପରବର୍ତ୍ତୀ ନେତା ବୋଲି କୁହାଗଲା, କିନ୍ତୁ ନବୀନ କେବଳ ଗୋଟିଏ କଥା କହୁଥିଲେ, ତାହା ଓଡ଼ିଶା ବାସୀ ଠିକ୍ କରିବେ।

(୧) ବାଘ ଘରେ ମିରିଗ ନାଟ

ଏବେ ଢ଼ଗ କଥାକୁ ଆସିବା। ପ୍ରଥମଟି ହେଲା- ବାଘ ଘରେ ମିରିଗ ନାଟ। ଏହି ଢଗଟି ଆମ ଓଡ଼ିଶାରେ ସବୁଠାରୁ ଅଧିକ ବ୍ୟବହାର ହୁଏ। ଯେତେବେଳେ ବି କୌଣସି ଏକ ଅଯଥା ଓ ଗୁରୁତ୍ବହୀନ ଲୋକଟିଏ ଆସି ଆପଣଙ୍କ ଘରେ ମାମଲତି କରେ, ଆମର ଏହି ଢ଼ଗଟି ମନେପଡ଼ିଥାଏ। ଏବେ ବିଜେଡିର ସେହି ଅବସ୍ଥା। ଦିନେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଆତଙ୍କରେ ଥରହର ହେଉଥିବା ବିଜେଡିରେ କେହି ପାଟି ଖୋଲିବାକୁ ସାହସ କରୁନଥିଲେ। କିନ୍ତୁ ଦଳ କ୍ଷମତାରୁ ଗଲାପରେ ନା ନବୀନ ନା ପାଣ୍ଡିଆନ୍, କାହାକୁ ଆଉ କେହି ଖାତିର୍ କରୁନାହାଁନ୍ତି। ସ୍ଥିତି ଏମିତି ଯେ, ଯିଏ ଯେଉଁଠି ପାରିଲା କ୍ୟାମେରା ଆଗରେ ଯାହାକୁ ପାରିଲା ତାକୁ ଗାଳି କରିଦେଲା। ଆଗରୁ ସ୍ଥିତି ଅଲଗା ଥିଲା। ବାଇଟ୍ ଦେବା ତ ଦୂରର କଥା, ସୋସିଆଲ୍ ମିଡିଆରେ ଦୁଇଧାଡ଼ି ଲେଖିବାକୁ ମଧ୍ୟ କାହାର ସାହସ ନଥିଲା।

(୨) ନଇଁ ପଡ଼ିଥିବ ଯେତିକି ବେଳେ

ଦ୍ବିତୀୟ ଢଗଟି ହେଲା, ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ। ବିଜେଡିରେ ଏବେ ଏହି ଅବସ୍ଥା। ଦଳ କ୍ଷମତାରୁ ଯିବା ପରେ, ଏବେ ଆଉ ପାଣ୍ଡିଆନ କି ବବି କାହାର ମଧ୍ୟ ଔକାତ ନାହିଁ। ଏହାର ମୌକା ନେଇ, ନେତାଏ ତାଙ୍କୁ ହରଡ଼ଘଣାରେ ପକେଇବାକୁ ହାତ ମିଶେଇଛନ୍ତି। ସ୍ଥିତି ଏମିତି ଯେ, ଏବେ ବିଜେଡି ଅଲିଖିତ ଭାବରେ ଦୁଇଭାଗରେ ବିଭକ୍ତ। ଗୋଟେ ନବୀନ ବିଜେଡି, ଆଉ ଗୋଟେ ପାଣ୍ଡିଆନ ବିଜେଡି। ୱକଫ୍ ପ୍ରସଙ୍ଗରେ ପାଣ୍ଡିଆନ ବିଜେଡିକୁ ବିଧା ମାରିବାକୁ ନବୀନ ବିଜେଡି ଲୋକେ କୌଣସି ମୌକା ଛାଡୁନାହାଁନ୍ତି।

(୩) ବାଘ ବୁଢ଼ା ହୋଇଗଲେ..

ତୃତୀୟ ଢ଼ଗ ହେଲା-  ବୁଢ଼ା ହୋଇଗଲେ, ଠୁଣି ଗାତୁଆ ମୂଷା ମଧ୍ୟ ବାଘକୁ ଆଖି ଦେଖାଇ ଡରାଏ। ବିଜେଡି ଅବସ୍ଥା ଏବେ ସେଇଆ। ଜନ୍ମରୁ ଏହି ଦଳ କ୍ଷମତାରେ ରହିଆସିଛି। ୨୪ ବର୍ଷ ହେଲା ନିରଙ୍କୁଶ ଶାସନ କରି ନବୀନ ଭଗବାନ ପାଲଟି ଯାଇଥିଲେ। ଆଉ ପ୍ରଭୁ ଶିବଙ୍କ ବୃଷଭ ଭାବେ ପାଣ୍ଡିଆନ୍ ମଧ୍ୟ ତାଙ୍କଠାରୁ ଅଧିକ ପାୱାରଫୁଲ ହୋଇଯାଇଥିଲେ। ଅଖଣ୍ଡ କ୍ଷମତା ହାସଲ କରି ବିଜେଡି ସରକାର ଏମିତି ଉତ୍ପାତ କଲା ଯେ, ଲୋକେ ବିଗତ ଦିନର କଂଗ୍ରେସ ଶାସନକୁ ମନେପକେଇଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ବାଘର ଆଉ କରାମତି ନାହିଁ, ବୁଢ଼ା ହୋଇଗଲାଣି। ଦାନ୍ତ ଦେଖେଇ ଖେଙ୍କାରି ହେଲେବି କେହି ଡରୁ ନାହାଁନ୍ତି। ସ୍ଥିତି ଏମିତି ହୋଇଛି ଯେ, ଠୁଣି ଗାତୁଆ ମୂଷା ମଧ୍ୟ ନବୀନ ଓ ପାଣ୍ଡିଆନଙ୍କୁ ଆଖି ଦେଖେଇ ଡରେଇଲେଣି।

(୪) ଏମିତି ହୋଇଥିଲା ଯଦୁ ବଂଶ ଧ୍ବଂସ

ଶେଷ ଢଗଟି ହେଲା- ଯଦୁ ବଂଶ କେମିତି ଧ୍ବଂସ ହୋଇଥିଲା। ପୁରାଣର ଏ କାହାଣୀ ପ୍ରାୟ ସବୁ ଭାରତୀୟଙ୍କୁ ଜଣା। ଆମେ ସମସ୍ତେ ଜାଣନ୍ତି, ଯଦୁବଂଶ ହେଉଛି ସେହି ବଂଶ, ଯେଉଁଥିରୁ ପ୍ରଭୁ ଶ୍ରୀକୃଷ୍ଣ ଆସିଥିଲେ। ଗୋଟେ ସମୟରେ ଅଖଣ୍ଡ କ୍ଷମତା ହାସଲ କରି, ଏକ ଶତ୍ରୁଶୂନ୍ୟ ଜୀବନ କାଟୁଥିବା ଏହି ବଂଶ ମଧ୍ୟ କାଳର ଗତି ଭିତରେ ନାଶ ହୋଇଯାଇଥିଲା। ଯଦୁବଂଶ ଧ୍ବଂସ ହେବାର କାରଣ ନିଜେ ଯଦୁବଂଶୀମାନେ ଥିଲେ। ପରସ୍ପର ଭିତରେ ଝଗଡ଼ା କରି ଏହି ଶକ୍ତିଶାଳୀ ବଂଶ ଲୋପ ପାଇଯାଇଥିଲା। ଏବେ ବିଜେଡିର ଅବସ୍ଥା ସେହିପରି ହୋଇଛି। ଶତ୍ରୁ ଦମନରେ ସିଦ୍ଧହସ୍ତ ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍, ଶେଷରେ ଏକ ଦୟନୀୟ ପରିସମାପ୍ତି ଦେଖିବାକୁ ଯାଉଛନ୍ତି। ଦଳୀୟ ଅନ୍ତର୍କନ୍ଦଳ ପାଇଁ ହିଁ ବିଜେଡିର ଶେଷ ଘଣ୍ଟି ବାଜିବାକୁ ଯାଉଛି।

BJD Odisha Politics
Advertisment
Advertisment