• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶର ସ୍ମାର୍ଟ ସିଟି ତାଲିକାରେ ରହିଛି ରାଜଧାନୀ ଭୁବନେଶ୍ୱର । ଓଡ଼ିଶାର ପୂରାତନ ସହର ମଧ୍ୟରେ ଭୁବନେଶ୍ୱର ଅନ୍ୟତମ ।  ତୋଷାଳୀ, କଳିଙ୍ଗନଗରୀ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିରମାଳିନୀ ନଗରୀ ନାମରେ ଭୁବନେଶ୍ୱର ପ୍ରସିଦ୍ଧ । । ପ୍ରାୟ ୨ ହଜାର ବର୍ଷ ତଳର ଏହି ସହରକୁ ପ୍ରଥମେ ତ୍ରିଭୁବନେଶ୍ୱର କୁହାଯାଉଥିଲା । ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଛି । ଏଠାରେ ରହିଛି ଏକାଦଶ ଶତାବ୍ଦୀର ପଥର ନିର୍ମିତ ଲିଙ୍ଗରାଜ ମନ୍ଦିର, ବହୁ ପୁରାତନ କିର୍ତ୍ତିରାଜୀ, ମ୍ୟୁଜିୟମ୍‌, ଫାଇଭ୍‌ ଷ୍ଟାର ହୋଟେଲ, କଳିଙ୍ଗ ଷ୍ଟାଡିୟମ ।

ଭୁବନେଶ୍ୱର ଇତିହାସ ସହ ଜଡ଼ିତ ରହିଛି ଅନେକ କିମ୍ବଦନ୍ତୀ । ରାଜଧାନୀର ସମସ୍ତ ଅଞ୍ଚଳର ନାମକରଣରେ ରହିଛି କିଛି ନା କିଛି କାରଣ । ପ୍ରାୟ ଅଞ୍ଚଳର ନାମର ଶେଷରେ ରହିଛି ନଗର ଏବଂ ବିହାର । କୌତୁହଳର ବିଷୟ ଏହା ଯେ, ଭୁବନେଶ୍ୱରର କିଛି ସ୍ଥାନର ନାମ ପଛରେ ରହିଛି ଏକ ନିର୍ଦ୍ଦିଷ୍ଟ କାହାଣୀ ।

ଆଇଆରସି ଭିଲେଜ୍ (IRC Village) : ୧୯୮୦ ମସିହାରେ ଭୁବନେଶ୍ୱରର ଏକ ଖୋଲା ପଡ଼ିଆରେ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ସମ୍ମିଳନୀ ଚାଲିଥିବା ବେଳେ ଏହାକୁ ଆଇଆରସି ନାମରେ ନାମିତ କରାଯାଇଥିବା କୁହାଯାଉଛି ।

ମାଷ୍ଚର କ୍ୟାଣ୍ଟିନ୍‌ : ପ୍ରଥମେ ଏହି ସ୍ଥାନରେ ଜଣେ ଶିକ୍ଷକ ସିଙ୍ଗଡ଼ା ଓ ଜଳଖିଆ ଦୋକାନ କରିଥିଲେ, ସେଥିପାଇଁ ଏହି ସ୍ଥାନର ନାମ ମାଷ୍ଟର କ୍ୟାଣ୍ଟିନ୍‌ ରଖାଯାଇଛି ।

ବାରଙ୍ଗ : ଏହି ଦୁର୍ଗମ ଅଞ୍ଚଳ ଚୂଡଙ୍ଗଗଡ଼ରୁ ବିକଶିତ ହୋଇଛି, , ଯାହା ପୂର୍ବରୁ ସାରଙ୍ଗଗର ଭାବରେ ବେଶ୍‌ ଜଣାଶୁଣା ଥିଲା ।

କୌଶଲ୍ୟାଗଙ୍ଗ : ଏହା ରାଜା ଚୋଡ଼ଗଙ୍ଗଦେବ ଓ ତାଙ୍କ ପତ୍ନୀ କୌଶଲ୍ୟାଙ୍କ ନାମରେ ନାମିତ ହୋଇଛି । ଯେତେବେଳେ ସେ ଏକ ଏକର ଜମିକୁ ସୁନ୍ଦର ହ୍ରଦରେ ପରିଣତ କରିଥିଲେ ।

ପୁନାମା ଗେଟ୍ : ପଳାସପଲିରେ ରେଳ କ୍ରସିଂ, ଯାହା ଉପରେ ଏକ ନୂତନ ଫ୍ଲାଏ ଓଭର ତିଆରି କରାଯାଇଛି, ଏହାକୁ ଭୀମଟାଙ୍ଗି ଅଞ୍ଚଳର ଏକ ଝିଅ ‘ପୁନମ’ ନାମରେ ନାମିତ କରାଯାଇଛି । ପୁନମ୍ ସେହି ଅଞ୍ଚଳରେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଜାଗମରା : ଏହାକୁ ମୂଳତଃ ଜୈନ ଓ ବୌଦ୍ଧ ସାଧୁଙ୍କ ବାସସ୍ଥାନ କୁହାଯାଏ । ଯେଉଁମାନେ ଖଣ୍ତଗିରି ଭ୍ରମଣ କରିଥାନ୍ତି । ସେମାନେ ପ୍ରାୟତଃ ଏହି ସ୍ଥାନରେ ଯଜ୍ଞ କରୁଥିବାରୁ ଏହାକୁ ଜାଗମରା କୁହାଯାଏ ।

ରୁପାଲି ସ୍କୋୟାର୍‌ : ଏହି ପ୍ରସିଦ୍ଧ ସ୍ଥାନଟି ସହିଦ ନଗରରେ ରହିଛି, ପ୍ରଥମେ ଏଠାରେ ରୁପାଲି ନାମକ ଏକ ଛୋଟ ହୋଟେଲ ଥିଲା, ଯେଉଁଠି ଏବେ ପଥିକ୍‌ ହୋଟେଲ ରହିଛି ।

ରାଜମହଲ ସ୍କୋୟାର୍‌ : ଏହି ବ୍ୟସ୍ତବହୁଳ ସ୍ଥାନଟି ରାଜମହଲ ହୋଟେଲ ନାମରେ ନାମିତ ହୋଇଛି । ଏବେ ବି ଏହି ହୋଟେଲ ଚାଲିଛି। ପ୍ରାୟ ୬୦ ବର୍ଷ ତଳେ ରାସ୍ତାକଡ଼ରେ ରାଜୁ ସାହୁଙ୍କ ଦ୍ୱାରା ଏକ ଜଳଖିଆ ଦୋକାନ ଖୋଲା ଯାଇଥିଲା । ପରବର୍ତ୍ତୀ ସମୟରେ ଏହା ରାଜମହଲ ହୋଟେଲର ରୂପ ନେଇଥିଲା। ଏହା ଭୁବନେଶ୍ୱରର ପ୍ରଥମ ହୋଟେଲ କମ୍‌ ରେଷ୍ଟୋରାଁ।

କଳ୍ପନା ସ୍କୋୟାର୍‌ : ଭୁବନେଶ୍ୱରର ପ୍ରଥମ ଥିଏଟର ହେଉଛି କଳ୍ପନା ଥିଏଟର୍‌ । ଥିଏଟର୍‌ରଲ ମାଲିକ ନିଜ ଝିଅ ନାମରେ ଥିଏଟର୍‌ର ନାମକରଣ କରିଥିଲେ । ସେବେ ଠାରୁ ଏହି ଛକର ନାମ କଳ୍ପନା ସ୍କୋୟାର୍‌ ରହିଛି ।

ଲକ୍ଷ୍ମୀସାଗର : ରାଜା ଚୋଡଗଙ୍ଗଦେବ ତାଙ୍କ ପତ୍ନୀ ରାଣୀ ଲକ୍ଷ୍ନୀବତୀଙ୍କ ନାମରେ ଏକ ପୋଖରୀ ଖୋଳିଥିଲେ, ଯାହାର ନାମ ଲକ୍ଷ୍ନୀସାଗର ରଖିଥିଲେ । ସେବେଠୁ ଏହି ସ୍ଥାନର ନାମ ଲକ୍ଷ୍ନୀସାଗର ରଖାଯାଇଛି ।

ଚନ୍ଦ୍ରଶେଖରପୁର : ଏହାକୁ ଏସିଆର ବୃହତ ଆବାସିକ ସ୍ଥାନ କୁହାଯାଏ । ପଟିଆର ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ନାମରେ ଏହାକୁ ନାମିତ କରାଯାଇଛି ।

ପାଣ୍ତବ ନଗର : ଏହି ଅଞ୍ଚଳରେ ପାଣ୍ତବ ମାନଙ୍କର ଗୁମ୍ପା ରହିଥିବାରୁ ଏହାକୁ ପାଣ୍ତବ ନଗର କୁହାଯାଉଛି ।

ଶିଶୁପାଳଗଡ଼ : ତୃତୀୟ ଶତାବ୍ଦୀରେ ରାଜା ଶିଶୁପାଳ କେଶରୀ ଏଠାରେ ଶିଶୁପାଳଗଡ଼ ଦୁର୍ଗ ନିର୍ମାଣ କରିଥିଲେ । ସେଥିପାଇଁ ଏହାର ନାମକରଣ ଏହିପରି ହୋଇଛି ।

ପଟିଆ : ନନ୍ଦନକାନନ ନିକଟସ୍ଥ ପଟିଆଗଡ଼ ଅନୁସାରେ ଏହାର ନାମକରଣ କରାଯାଇଛି ।

ସତ୍ୟନଗର : ଏହି ଅଞ୍ଚଳରେ ଥିବା ମା ସତ୍ୟକାଳୀ ମନ୍ଦିର ନାମରେ ଏହାର ନାମକରଣ ହୋଇଛି ।