/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653550745.jpg)
navjot-singh-siddhu
ପୂର୍ବତନ କ୍ରିକେଟର ତଥା କଂଗ୍ରେସର ବରିଷ୍ଠ ନେତା ଏବେ ଜେଲରେ କିରାଣୀ । ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ପଟିଆଲା ସେଣ୍ଟ୍ରାଲ ଜେଲରେ କିରାଣୀ କାମ କରିବେ ବୋଲି ସୂଚନା ମିଳିଛି । ୧୯୮୮ ରୋଜ୍ ରାଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସିଦ୍ଧୁଙ୍କୁ ଏଥିପାଇଁ ତିନିମାସ ପାଇଁ ତାଲିମ ଦିଆଯିବ । ତାଲିମ ସମୟରେ ତାଙ୍କୁ କୋର୍ଟ ଜଜମେଣ୍ଟ୍ ଏବଂ ଜେଲ ରେକର୍ଡ ସହିତ ଜଡିତ ଫାଇଲ ଗୁଡ଼ିକୁ ଏକାଠି କରିବାକୁ ଶିକ୍ଷା ଦିଆଯିବ ।
ଜେଲ ମାନୁଆଲ ଅନୁସାରେ ସିଦ୍ଧୁଙ୍କୁ ପ୍ରଥମ ୯୦ ଦିନ ପାଇଁ କୌଣସି ପାରିଶ୍ରମିକ ପ୍ରଦାନ କରାଯିବ ନାହିଁ । ତାଲିମ ଶେଷ ହେବା ପରେ ହିଁ ସେ ଦୈନିକ ୪୦ରୁ ୯୦ ଟଙ୍କା ବେତନ ପାଇବାକୁ ଯୋଗ୍ୟ ହେବେ । ତେବେ ସେ କେତେ ବେତନ ପାଇବେ ତାହା ସିଦ୍ଧୁଙ୍କ ଦକ୍ଷତା ଉପରେ ନିର୍ଭର କରିବ । ତାଙ୍କ ପାରିଶ୍ରମିକ ରାଶି ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ।
ନିଜ ବ୍ୟାରେକରେ ରହି କାମ କରିବେ ସିଦ୍ଧୁ
ଜେଲ ଅଧିକାରୀଙ୍କ ସୁଚନାର ଅନୁସାରେ ସିଦ୍ଧୁ ଜଣେ ହାଇ ପ୍ରୋଫାଇଲ୍ କଏଦୀ ହୋଇଥିବାରୁ ସେ ନିଜ ବ୍ୟାରେକରୁ ହିଁ କାର୍ଯ୍ୟ କରିବେ। ଜେଲ ସହ ଜଡିତ ଫାଇଲଗୁଡିକ ତାଙ୍କ ବ୍ୟାରେକକୁ ପଠାଯିବ । ସିଦ୍ଧୁଙ୍କୁ ସେଲ୍ରୁ ବାହାରକୁ ଯିବାପାଇଁ ଅନୁମତି ନାହିଁ । ନବଜୋତ ସିଂ ସିଦ୍ଧୁ ଗତ ମଙ୍ଗଳବାରଠାରୁ କିରାଣୀ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସେ ଦୁଇଟି ସିପ୍ଟରେ ଯଥା ସକାଳ ଠାରୁ ଅପରାହ୍ନ ଏବଂ ଅପରାହ୍ନ ୩ଟାରୁ ପାଞ୍ଚଟା ପର୍ଯ୍ୟନ୍ତ କାମ କରିବେ ।
ଜେଲରେ ସିଦ୍ଧୁଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା
ବର୍ତ୍ତମାନ ଜେଲରେ ସିଦ୍ଧୁଙ୍କୁ ଯେଉଁଠାରେ ରଖାଯାଇଛି, ସେହି ବ୍ୟାରେକର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସିଦ୍ଧୁଙ୍କ ଉପରେ ନଜର ରଖିବାକୁ ପାଞ୍ଚ ଜଣ ୱାର୍ଡେନଙ୍କୁ ନିର୍ଦ୍ଦେଶ ରହିଛି । କଡ଼ା ସୁରକ୍ଷା ବଳୟ ଭିତରେ ଅଛନ୍ତି ସିଦ୍ଧୁ ।
ସୂଚନାଯୋଗ୍ୟ, ମେ ୧୯ରେ ପୂର୍ବତନ କ୍ରିକେଟର ତଥା ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୧୯୮୮ ଡିସେମ୍ବର ୨୭ ତାରିଖରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁଙ୍କର ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହା ପରେ ସିନ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ମିଶି ଗୁରନାମଙ୍କୁ ଗାଡ଼ିରୁ ଟାଣିବା ସହ ତାଙ୍କୁ ପିଟିଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ୧୯୯୯ ମସିହାରେ ଏକ ତଳ କୋର୍ଟ ସିଦ୍ଧୁଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ତେବେ ସେହି ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଆଉ ସେହି ମାମଲାର ଶୁଣାଣି ପରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦିଆଯାଇଛି । ତେବେ ଜେଲ ଦଣ୍ଡାଦେଶ ହେବାପରେ ମେ ୨୦ରେ ପଟିଆଲାର ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ସିଦ୍ଧୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)