• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗୋଟେ ଜଙ୍ଗଲରୁ ଆଉ ଗୋଟେ ଜଙ୍ଗଲକୁ ମାଡ଼ିଚାଲିଛି ନିଆଁ । ସ୍ଥିତି ଏବେଠୁ ସଙ୍ଗୀନ ହେଲାଣି । ଖରା ବଢ଼ିଲେ ଆହୁରି ସ୍ଥିତି ଗମ୍ଭୀର ହେବ । ବାଲେଶ୍ବର ର ସୋର ଓ ନୀଳଗିରି, କେନ୍ଦୁଝର ର ପାଟଣା ଆଉ ଗଞ୍ଜାମ ସାନଖେମୁଣ୍ଡିରେ ଜଳୁଛି ଜଙ୍ଗଲ । କେଉଁଠି ଶିକାର ଉଦ୍ଦେଶ୍ୟରେ ଶିକାରୀ ଜଙ୍ଗଲରେ ନିଆଁ ଲଗାଉଛି ତ’ ଆଉ କେଉଁଠି ସଚେତନତା ଅଭାବରୁ ଲାଗୁଛି ନିଆଁ । ଆଉ ଏ ନିଆଁକୁ ଇନ୍ଧନ ଯୋଗାଉଛି ପତ୍ରଝଡ଼ାରେ ଝଡ଼ିପଡ଼ିଥିବା ଶୁଖିଲା ପତ୍ର ଓ କାଠ ।

ନିଆଁକୁ ଆୟତ୍ତ ଲାଗି କେଉଁଠି ବନବିଭାଗ କର୍ମଚାରୀ ଲାଗିଛନ୍ତି ତ’ ଆଉ କେଉଁଠି ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତା ବି ନିଆଯାଉଛି । ତଥାପି ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଣୁ ଜଙ୍ଗଲରେ ନିଆଁ ବ୍ୟାପିବା ରୋକିବାକୁ ଚାଲିଛି ସଚେତନତା । ଏପଟେ ରାଜ୍ୟରେ ଜଙ୍ଗଲ ନିଆଁ ସ୍ଥିତି ନେଇ ଏବେଠୁ ହାତ ଟେକିଦେଲେଣି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ । ପିସିସିଏଫ୍ କହିଛନ୍ତି, ଏବେ ରାଜ୍ୟରେ ଦିନକୁ ଶହେରୁ ୨ଶହ ସ୍ଥାନରେ ନିଆଁ ଲାଗୁଥିବା ସୂଚନା ଆସୁଛି ।

ଆଗକୁ ଏ ସଂଖ୍ୟା ଦିନକୁ ୧ ହଜାର ବି ହୋଇପାରେ । ଜଙ୍ଗଲ ନିଆଁକୁ ତୁରନ୍ତ ଠାବ ପାଇଁ ବନ ବିଭାଗ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛି । କିନ୍ତୁ ଏକକାଳୀନ ଅଧିକ ସ୍ଥାନରେ ନିଆଁ ଲାଗିଲେ, ତାହାକୁ ଲିଭାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜିଂ ହେବ । ପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର କହିବା କଥା, ଅକ୍ଟୋବର ପରଠୁ ପାଖାପାଖି ୩ ମାସ ହେଲା ରାଜ୍ୟରେ ବର୍ଷା ହୋଇନି । ଶୀତ ଋତୁରେ ପତ୍ରଝଡ଼ା ଯୋଗୁ ରାଜ୍ୟର ପ୍ରାୟ ଜଙ୍ଗଲ ଶୁଖିଲା ପତ୍ରରେ ଭରି ରହିଛି । ସେପଟେ ଖରା ବଢ଼ିଲାଣି । କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଲେ, ତାହାକୁ ବ୍ୟାପିବାରେ ସୁହାଉଛି ।

ପରିବେଶବିତ୍‌ଙ୍କ କହିବା କଥା, ରାଜ୍ୟରେ ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ । ତେଣୁ ଜଙ୍ଗଲ ନିଆଁ ରୋକିବା ଲାଗି ସ୍ଥାନୀୟ ଲୋକଙ୍କ ଭାଗିଦାରିତା ସବୁଠୁ ଅଧିକ ଜରୁରୀ । ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ ମଧ୍ୟରେ ଜଙ୍ଗଲ ନିଆଁ ଘଟଣାରେ ଏକ ନମ୍ବରସ୍ଥାନରେ ଥିଲା ଓଡ଼ିଶା । ଏହି ସମୟ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିଲା ୫୧ ହଜାର ୯୬୮ଟି ଜଙ୍ଗଲ ନିଆଁ ଘଟଣା । କିନ୍ତୁ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ୍ ମଧ୍ୟରେ ଜଙ୍ଗଲ ନିଆଁ ଘଟଣା ୨୨ ହଜାର ୧୪କୁ ଖସିଆସିଥିଲା ।

ଅନ୍ୟପକ୍ଷରେ ଚଳିତ ବର୍ଷ ଏବେଠୁ ବହୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ ବିଭାଗ ଲାଗି ମୁଣ୍ଡବିନ୍ଧାର କାରଣ ହେଲାଣି। ଏମିତିକି ୨୦୨୧ ଭଳି ସ୍ଥିତି ଉପୁଜିପାରେ ବୋଲି ଆକଳନ କଲାଣି ବନ ବିଭାଗ ।