ଏଣିକି ଆଉଟସୋର୍ସିଂ ସଂସ୍ଥାଗୁଡିକୁ ମୋ ସରକାର ଅଧୀନରେ ରହିବେ । ଯେଉଁଥିପାଇଁ କର୍ମଚାରୀ ଏବଂ ସଂସ୍ଥା ସଂପର୍କିତ ସମସ୍ତ ତଥ୍ୟ ବିଭାଗ ଗୁଡିକୁ ସାଧାରଣ ପ୍ରଶାସନ ବିଭାଗ ମାଗିଛି । ତଥ୍ୟ ମିଳିବା ପରେ ଆଉଟସୋର୍ସିଂ ସଂସ୍ଥାମାନଙ୍କ ପାଇଁ ତିଆରି ହେବ ଗାଇଡଲାଇନ୍ସ । ଖରାପ ପ୍ରଦର୍ଶନ ପାଇଁ କାର୍ଯ୍ୟାନୁଷ୍ଠାନ ସହ ଭଲ ପରଫରମାନ୍ସ ପାଇଁ ପୁରସ୍କାର ଦେବେ ସରକାର।
କୌଣସି ସଂସ୍ଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦରମା ସହ ଇପିଏଫ, ଇଏସଆଇ ରାଶି ପୈଠ କଲେ ତାକୁ ଆଉଟଷ୍ଟାଣ୍ଡିଂ ପରଫରମାନ୍ସ, ନିର୍ଦ୍ଦିଷ୍ଟ ସମୟର ୩ ଦିନ ମଧ୍ୟରେ ଦେଲେ ଆଉଟଷ୍ଟାଣ୍ଡିଂ, ୫ ଦିନ ମଧ୍ୟରେ ଦେଲେ ଗୁଡ୍, ୭ ଦିନରେ ଦେଲେ ପୋର୍ ଆଉ ୭ ଦିନ ପରେ ଦେଲେ ଭେରି ବ୍ୟାଡ୍ ରେଟିଂ ଦିଆଯିବ । ଏଭଳି ନିଷ୍ପତ୍ତିକୁ ଆଉଟସୋର୍ସିଂ କର୍ମଚାରୀ ସଂଘ ସ୍ବାଗତ କରିଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ଦାବି ପୂରଣ ହୋଇନଥିବାରୁ ପୁଣି ପ୍ରତିବାଦ ପାଇଁ ପ୍ରସ୍ତୁତ ହେଲେଣି ।
ନଭେମ୍ବର ୨୦୨୧ରେ ଆଉଟସୋର୍ସିଂରେ ଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ସରକାର । ଏମିତି କି ଆଉ ସରକାରୀ ଡାଟା ଏଣ୍ଟ୍ରି ଅପରେଟର ପଦବିରେ ଆଉଟସୋର୍ସିଂ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଆଉ ଏବେ ସଂସ୍ଥାକୁ ସରକାରୀ ଛାଟର ଡର ଦେଖାଇ କର୍ମଚାରୀଙ୍କ ଦରଦ ସାଉଣ୍ଟିବାକୁ ଉଦ୍ୟମ ଚାଲିଛି । ଏବେ ପ୍ରଶ୍ନ କାହିଁକି ସରକାରଙ୍କୁ ମନେ ପଡିଲା ଆଉଟସୋସିଂ କର୍ମଚାରୀଙ୍କ କଥା? କାହିଁକି ଆଉଟସୋର୍ସିଂକୁ ମୋ ସରକାର ଅଧୀନକୁ ଆଣିବାକୁ ଚାହୁଁଛନ୍ତି ସରକାର? ଗୋଟେ ପଟେ ସ୍ଥାୟୀ ନିଯୁକ୍ତିକୁ ବିରୋଧ କରୁଛନ୍ତି ଅନ୍ୟ ପଟେ ଦରମା ଠିକ୍ ସମୟରେ ପାଇବା ପାଇଁ ଉଦ୍ୟମ କରୁଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି କହିଛି ସରକାରଙ୍କର ଯଦି ଆନ୍ତରିକତା ଅଛି ସେମାନଙ୍କୁ ସ୍ଥାୟୀ କରନ୍ତୁ ।
ରାଜ୍ୟରେ ପ୍ରାୟ ୭୦ ହଜାର ଆଉଟସୋର୍ସିଂ କର୍ମଚାରୀ ସରକାରୀ ପଦବିରେ କାର୍ଯ୍ୟରତ ଥିବା ବେଳେ, ସ୍ଥାୟୀ ନିଯୁକ୍ତି ଦାବି ନେଇ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କର ଦାବି ଠିକା ନିଯୁକ୍ତି ନିୟମ ଅନୁସାରେ ୬ ବର୍ଷରୁ ଅଧିକ ଚାକିରି କରିଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା । ୩ ମାସ ତଳେ ରାଜ୍ୟରୁ ସଂପୂର୍ଣ୍ଣ ଠିକା ନିଯୁକ୍ତି ହଟିଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାରଙ୍କ କାହିଁକି ଏମିତି ଆଭିମୁଖ୍ୟ ତାହା ବଡ଼ ପ୍ରଶ୍ନ ।