• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୂରଭଞ୍ଜର ଶିମିଳିପାଳ, ନୂଆପଡ଼ାର ଖଡ଼ଇାଳ, କନ୍ଧମାଳର ଫୁଳବାଣୀ ଓ ନବରଙ୍ଗପୁରର ନୀଳଗିରି । ଗଲା କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟରେ ଆଜିକୁ ଦୁଇରୁ ତିନି ଦିନ ହେବ, ଏମିତି ଅବିରତ ଜଳୁଛି ଜଙ୍ଗଲ । ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଦ୍ରୁତ ବେଗରେ ମାଡୁଛି ନିଆଁ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ସୂଚନା ଅନୁସାରେ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଛି ।

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା । ଅନୁରୂପ ସ୍ଥିତି ନୂଆପଡ଼ା ଖଡିଆଳ ଜଙ୍ଗଲରେ ବି ଦେଖିବାକୁ ମିଳିଛି । ପାହାଡ଼ ଉପରୁ ପାଦ ଦେଶ ଯାଏଁ ଭୟଙ୍କର ଭାବେ ଜଳୁଛି ଜଙ୍ଗଲ । ରାତି-ଦିନ ୨୪ ଘଣ୍ଟା ଜଙ୍ଗଲ ଜଳୁଥିବାରୁ ଆତଙ୍କରେ ନିକଟବର୍ତ୍ତୀ ଜନବସତି ।

ଏପଟେ ନବରଙ୍ଗପୁର ନୀଳଗିରି ଜଙ୍ଗଲରେ ବି କାଲି ରାତିରୁ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ଏଯାଏଁ କାବୁ କରିବାରେ ସଫଳ ହୋଇନି । ତେବେ ଏ ଜଙ୍ଗଲକୁ ଲାଗି ଏକ ବଡ଼ ପ୍ଲାଏ ବୋର୍ଡ କାରଖାନା ଥିବାରୁ ନିଆଁ ଆୟତ୍ତ ନହେଲେ କାରଖାନା ପ୍ରତି ବିପଦ ସୃଷ୍ଟି ହୋଇଛି । ଏପଟେ ଜଙ୍ଗଲ ନିଆଁରେ ଅଣନିଶ୍ୱାସୀ ଫୁଲବାଣୀ ସହରବାସୀ । ଉଡ଼ା ପାଉଁଶ ଓ ଧୁଆଁ ପୁରା ଅଞ୍ଚଳରେ ଛାଇ ଯାଇଥିବା ବେଳେ ପରିବେଶ ପ୍ରଦୂଷଣ ମାତ୍ରାଧିକ ଭାବେ ବଢିଯାଇଛି । ସେପଟେ ରାଜ୍ୟରେ ଏବେ ବିଭିନ୍ନ ଜଙ୍ଗଲ ଜଳୁଥିଲେ ବି ଗତବର୍ଷ ତୁଳନାରେ ଏଥର କମ୍ ଅଞ୍ଚଳରେ ନିଆଁ ଲାଗିଥିବା କହିଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନପ୍ରାଣୀ ସଂରକ୍ଷକ ।

ଜଙ୍ଗଲ ନିଆଁ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ପ୍ରାକୃତିକ କାରଣ ନୁହେଁ ବରଂ  ରାଜ୍ୟରେ ଲାଗୁଥିବା ନିଆଁ ମାନବକୃତ ଏବଂ ଶିକାର ଉଦ୍ଦେଶ୍ୟରେ କରାଯାଉଥିବା ଅଭିଯୋଗ ହେଉଛି । ନିଆଁ ଲଗାଇବା ଅଭିଯୋଗରେ ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଛି ।