• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଆଇଟି ନୀତି-୨୦୨୨କୁ ମିଳିଲା କ୍ୟାବିନେଟ୍‌ର ଅନୁମୋଦନ । ନୂଆ ଆଇଟି ନୀତି ଅନୁସାରେ, ରାଜ୍ୟରେ ଆଇଟି ପାର୍କରେ ପୁଞ୍ଜି ଖଟାଇବାକୁ ଆଗ୍ରହୀ କମ୍ପାନିଗୁଡ଼ିକୁ ନିବେଶ ଅର୍ଥର ୨୫ ପ୍ରତିଶତ ବା ସର୍ବାଧିକ ୨୦ କୋଟି ଟଙ୍କା ଯାଏଁ ଯୋଗାଇଦେବେ ରାଜ୍ୟ ସରକାର । ଖାଲି ସେତିକି ନୁହେଁ, ଗ୍ରୀନ୍‌ଫିଲ୍ଡ ଆଇଟି ପାର୍କଗୁଡ଼ିକୁ ଜମି କ୍ରୟବେଳେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟକୁ ଶତ ପ୍ରତିଶତ ଛାଡ଼ କରାଯିବ । ଏହାବାଦ୍ ଆଇଟି କମ୍ପାନିଗୁଡ଼ିକୁ ଭିତ୍ତିଭୂମି ପୁଞ୍ଜିନିବେଶରେ ୩୦ ପ୍ରତିଶତ ବା ସର୍ବାଧିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ ।

ଏମିତିକି ଯେଉଁ ଆଇଟି ଉଦ୍ୟୋଗୀ ଠିକ୍ ସମୟରେ ନିଜର ଋଣ ପରିଶୋଧ କରୁଥିବେ, ସରକାର ସେମାନଙ୍କ ଋଣ ଉପରେ ୫ ବର୍ଷ ଯାଏଁ ୫ ପ୍ରତିଶତ ସୁଧ ରିହାତି ଯୋଗାଇଦେବେ । ଏଭଳି କ୍ଷେତ୍ରରେ ସରକାର ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ଯୋଗାଇଦେବେ । ଆଇଟି ଉଦ୍ୟୋଗୀଙ୍କୁ ବିଦ୍ୟୁତ୍ ଶୁଳ୍କ, ଇନ୍‌ସପେକ୍ସନ ଫି ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ ହେବ ।

ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍‌ର ୩୦ ପ୍ରତିଶତ ବା ସର୍ବାଧିକ ୩୫ ଲକ୍ଷ ଟଙ୍କା ରିହାତି ମିଳିବ । ଆଇଟି ସେକ୍ଟରରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଆଇଟି କମ୍ପାନିଙ୍କୁ ୩ ବର୍ଷ ପାଇଁ ପ୍ରତି ବ୍ୟକ୍ତି ପିଛା ୧୦ ହଜାର ଟଙ୍କା ବା ସର୍ବାଧିକ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇଦେବେ । ଓଡ଼ିଶା ଆଇଟି ନୀତିି-୨୦୨୨ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୫ ବର୍ଷ ଅଥବା ଏହିଭଳି ଏକ ନୂଆ ନୀତି ଆସିବା ଯାଏଁ ବଳବତ୍ତର ରହିବ ।

୨୦୧୪ ମସିହାରେ ରାଜ୍ୟ ସରକାର ଆଣିଥିଲେ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲଜି ପଲିସି । ଏହି ପଲିସି ମାଧ୍ୟମରେ ସରକାର ଅନେକ ପ୍ରକାର ରିହାତି ଦେଇ ରାଜ୍ୟକୁ ଆଇଟି ହବ୍ କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ରାଜ୍ୟ ସରକାରଙ୍କ ଏହି ପଲିସି ପ୍ରତି ଆକୃଷ୍ଟ ହୋଇ ଅନେକ ଛୋଟବଡ଼ ଆଇଟି କମ୍ପାନି ରାଜ୍ୟରେ ଇନଭେଷ୍ଟମେଣ୍ଟ ବି କରିଛନ୍ତି ।

ଯଦି ବା କିଛି ସଫଳତା ମିଳିଛି ତେବେ ଆନ୍ଧ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ତୁଳନାରେ ଆମେ ବହୁତ ପଛରେ ପଡିଯାଇଛେ । ରାଜ୍ୟ ସରକାରଙ୍କ ଏହି ନୂଆ ପଲିସିକୁ ଆଇଟି ସେକ୍ଟର ଗୁଡ଼ିକ ସ୍ୱାଗତ କରିବା ସହ କେତେକ ଦାବି ରଖିଛନ୍ତି । ଯେପରିକି ଆଇଟି କ୍ଷେତ୍ରକୁ ଅଧିକ ପୁଞ୍ଜି ନିବେଶ ଆଣିବା ପାଇଁ ସରକାର କମ୍ପାନି ଗୁଡିକୁ ମାଗଣାରେ ଜମି, ପ୍ଲଗ ଆଣ୍ଡ ପ୍ଲେ ମୋଡରେ ଭିତ୍ତି ଭୂମି ଯୋଗାଇବା ଆବଶ୍ୟକ । ଆଜି ରାଜ୍ୟ ସରକାର ଯେଉଁ ନୀତି ଘୋଷଣା କରିଛନ୍ତି ବହୁ ବର୍ଷ ତଳୁ ଆନ୍ଧ୍ର ଏଭଳି ପଲିସି ଆଣି ହାଇଦ୍ରାବାଦକୁ ଆଇଟି ହବ କରିପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆଇଟି ପଲିସି ସମେତ ମୋଟ ୧୭ଟି ପ୍ରସ୍ତାବରେ ଆଜି ଲାଗିଛି କ୍ୟାବିନେଟ୍ ମୋହର । ଏପ୍ରସ୍ତାବ ମଧ୍ୟରେ ଗଞ୍ଜାମରେ ଋଷିକୂଲ୍ୟା ନଦୀ ଉପରେ ୧୪୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଆନିକଟ, ପୁରୀରେ ୧୩୫ କୋଟି ଟଙ୍କା ମୂଲ୍ୟରେ ଏକ ଧର୍ମଶାଳା ପ୍ରମୁଖ ରହିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now