Advertisment

Child Returns to Mother after Kidnap Ordeal: ହଜିଲା ପୁଅକୁ ପାଇଲା ମା’; କହିଲା, ଖୋଜିଆଣିଲେ ପ୍ରଭୁ ଶ୍ରୀରାମ

ଆଜି ସତେ ଯେମିତି ଏ ମାଆକୁ ମିଳିଯାଇଛି ଜୀବନଧନ। କାରଣ ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଛି ତାଙ୍କ ଆଖିର ତାରା କେଶବ। ପୁଅ ପିଠିକୁ ସେ ଟିକିଏ ଆଉଁସି ଦେଉଛି, ଆଉ ତା କୁନି ଗାଲରେ ଗେଲ କରିଦେଉଛି। ଏଥିସହ  ନିଜ ପଣତ କାନିରେ ପୁଅକୁ ଢାଙ୍କି ଦେଉଛି, କାଳେ ଦୃଷ୍ଟ ସମାଜରେ ପାପୀ ଲୋକଙ୍କର ନଜର ପୁଣି ତା’ପୁଅ ଉପରେ ଲାଗିଯିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Kidnapping

Kidnapping

ମା’ ମୁଁ ତୋ ପାଖକୁ ଫେରି ଆସିଲି... । ତୁ ମୋ ପାଇଁ ରାମଙ୍କୁ ଡାକୁଥିଲୁ ନା...। ରାମ ତୋ ଡାକ ଶୁଣିଲେ ଲୋ....। ତୋ ପାଖକୁ ମୋତେ ଫେରାଇଦେଲେ। ସେହିପରି ମା’ ମଧ୍ୟ ୩ ଦିନ,୩ ରାତି ପରେ ଜୀବନ ଧନକୁ ପାଇ ଛାତିରେ ଜାକି ଧରିଛି। ମିଳନ ହୋଇଛି ମା’ଛୁଆର। ପୁଅକୁ ଦେଖି ଛଳ ଛଳ ହୋଇଯାଇଛି ମା’ର ଆଖି। ଛାତି ଭିତରରେ ଚାପି ରଖିଥିବା କୋହ, ଆଖିର ଲୁହ ହୋଇ ଝରିପଡୁଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର ; ମା’ ବଖାଣିଲେ ଛାତିଥରା କାହାଣୀ

ଆଜି ସତେ ଯେମିତି ଏ ମାଆକୁ ମିଳିଯାଇଛି ଜୀବନଧନ। କାରଣ ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଛି ତାଙ୍କ ଆଖିର ତାରା କେଶବ। ପୁଅ ପିଠିକୁ ସେ ଟିକିଏ ଆଉଁସି ଦେଉଛି, ଆଉ ତା କୁନି ଗାଲରେ ଗେଲ କରିଦେଉଛି। ଏଥିସହ  ନିଜ ପଣତ କାନିରେ ପୁଅକୁ ଢାଙ୍କି ଦେଉଛି, କାଳେ ଦୃଷ୍ଟ ସମାଜରେ ପାପୀ ଲୋକଙ୍କର ନଜର ପୁଣି ତା’ପୁଅ ଉପରେ ଲାଗିଯିବ।

Advertisment

ମାଆ ମନଟା ପରା, ସେ ତା ପୁଅକୁ ଦେଖି ପାରୁନି ସତ ହେଲେ ୩ଦିନ ହେଲା ଅପହୃତ ହୋଇଯାଇଥିବା ପୁଅକୁ ଆଜି କୋଳରେ ଅନୁଭବ କରିଥିବାରୁ, ତା ଖୁସି କହିଲେ ନସରେ। ଯେପରି ଲାଗୁଛି,ଭଗବାନ ତାର କୋଳରେ ସବୁ ଖୁସି ଉଜାଡି ଦେଇଛନ୍ତି। ଦେଢ଼ବର୍ଷର ପୁଅକୁ ତାଙ୍କ ପାଖରୁ କିଏ ଛଡେଇ ନେବା ପରେ ସେ ଭାବିଥିଲେ, ଆଉ ତାଙ୍କ ପୁଅକୁ ଫେରି ପାଇବେନି। ହେଲେ ଶ୍ରୀରାମଙ୍କ କୃପାରୁ ପୁଅ ଆଜି ତା ମା କୋଳକୁ ଫେରିଛି।  

ପୁଅକୁ ପାଇବା ପରେ ଅପହୃତ ଶିଶୁ ମା’ କହିଛନ୍ତି, ମୋ ପୁଅକୁ ଫେରି ପାଇବି ବୋଲି ଆଶା କରିନଥିଲି। ମୋ ପୁଅକୁ ପାଇ ଭାରି ଖୁସି ଲାଗୁଛି। ମୋ ଛୁଆକୁ କିଏ ନେଇଥିଲା ମୁଁ ଜାଣିନି। ଦୃଷ୍ଟିହୀନ ମା’ଠୁ ତାର ଛୁଆକୁ ନେଲା ବେଳେ ତା’ ମନରେ ପାପ ଆସିଲା ନାହିଁ, ଆଶଙ୍କା ଆସିଲା ନାହିଁ।

ରାମଙ୍କ ସ୍ଥାନରେ ମୋ ପୁଅ ହଜିଯାଇଥିଲା। ଏଥିପାଇଁ ରାମଙ୍କ ଉପରେ ମୁଁ ଅଭିମାନ କରିଥିଲି। ଏଥିସହ ରାମଙ୍କୁ ଗୁହାରୀ କରିବା ସହ ପ୍ରାର୍ଥନା କରିଥିଲି। ମୋ ପୁଅର କଥା ମନେ ପକାଇ ରାମଙ୍କୁ ବହୁତ ଡାକିଛି। ଶେଷରେ ପ୍ରଭୁ ଶ୍ରୀରାମ ମୋ ଛୁଆକୁ ଫେରାଇ ଦେଇଛନ୍ତି।

ଛୁଆକୁ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୋଲିସ କମିଶନରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପହୃତ ଶିଶୁର ମା’। ‘ଯିଏ ମୋ ପିଲାକୁ ନେଇ ଯାଇଥିଲା ତାକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ସେହିପରି ଏହି ଘଟଣାକୁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ,  ମୁଖ୍ୟ ଅଭିଯୁକ୍ତ କେଦାରସନ ପଣ୍ଡାକୁ ପୁରୀରୁ ଗିରଫ କରାଯାଇଛି। କେଦାର ନାଁରେ ପୂର୍ବରୁ ୩ଟି ଚୋରି ମାମଲା ରହିଛି। ଆଉ ଜଣେ ମହିଳାଙ୍କୁ ଆମେ ଅଟକ ରଖିଛୁ। ୨ ଜଣ ବାଇକ୍‌ ଆରୋହୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇନି। ମହିଳା ଜଣଙ୍କ କାହିଁକି ପିଲାକୁ ନେଇଥିଲେ ସ୍ପଷ୍ଟ ହୋଇନି।

ଆଡପ୍ଟ ପାଇଁ ନା ବିକ୍ରି ପାଇଁ ପିଲା ନେଇଥିଲେ, ତାହାର ତଦନ୍ତ ଚାଲିଛି। ଯେଉଁ ମହିଳାଙ୍କଠୁ ପିଲା ମିଳିଛି, ତାଙ୍କର ଜଣେ ରୁଗ୍‌ଣ ପିଲା ରହିଛି। ସ୍ପର୍ଶକାତର ବିଷୟ ଥିଲା, ୪ଟି ଟିମ୍‌ କରି ତଦନ୍ତ କରିଥିଲୁ।

ସେହିପରି ଅପହରଣକାରୀ କେଦାରସନ ପଣ୍ଡା କହିଛି,ମହିଳା ଜଣଙ୍କ ପ୍ରରୋଚନାରେ ଛୁଆ ଅପହରଣ କରିଥିଲି। ପିଲାକୁ ପାଳିବାକୁ ନିଆଯାଇଥିଲା। କୌଣସି ଟଙ୍କା ନେଣଦେଣ ହୋଇନଥିଲା। ଅନ୍ୟପକ୍ଷରେ ମହିଳାଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିନାହିଁ ଅଭିଯୁକ୍ତ।

ଅଭିଯୋଗ ଅନୁଯାୟୀ, ୬ ବର୍ଷର ଝିଅ ଓ ପାଖରେ ଥିବା ଦେଢ଼ ବର୍ଷର ପୁଅକୁ ଧରି ରାମ ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ ମାଆ ଜୟନ୍ତୀ ମଲ୍ଲିକ । ଶନିବାର ରାତି ଥିଲା କାଳ ରାତ୍ରି। ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ରାଜଧାନୀର ଖାରବେଳ ନଗର ଥାନା ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦେଢ ବର୍ଷର ପୁଅକୁ ଚୋରି କରିନେଇଥିଲା। ଏନେଇ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।

ଅଭିଯୁକ୍ତ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୋଲିସ। ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ। ଶେଷରେ ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଥିଲା ଏହି ସଫଳତା। 

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

 

Bhubaneswar Kidnapping Case Crime News
Advertisment
Advertisment