• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ୱକଫ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇଗଲାଣି । ଏହି ସଂଶୋଧିତ ଆଇନ ଏପ୍ରିଲ ୮ ତାରିଖରୁ ସାରା ଦେଶରେ ଲାଗୁ କରାଗଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରା ଯାଇଛି । ହେଲେ ବିଲକୁ ନେଇ ବିରୋଧ ଏଯାଏ ଥମିନି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱକଫ ସଂଶୋଧନ ବିଲକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି । ଏହା ପରେ ୱକଫ ବିଲକୁ ନେଇ ଜଳୁଛି ପଶ୍ଚିମବଙ୍ଗ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି । ଏକାଧିକ ପୋଲିସ ଆହତ ହେଲେଣି । ଏହାବାଦ ପୋଡାଜଳା, ଭଙ୍ଗାରୁଜାର କ୍ଷୟକ୍ଷତି ଆହୁରି କେତେ ଅଧିକ ତାର ହିସାବ ନାହିଁ ।

କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇ ସାରିଛି । ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ଆକ୍ରମଣର ଶିକାର ହେବା ପରେ ଘରଦ୍ୱାର ଛାଡି ପଳାଇଛନ୍ତି । ଏପରିକି ଦଙ୍ଗାକାରୀମାନେ ବିଏସଏଫ ଯବାନଙ୍କୁ ବି ଛାଡି ନାହାନ୍ତି । ଯବାନଙ୍କ ଉପରକୁ ପଥର ଫିଙ୍ଗିବା ସହ ଜଳୁଥିବା ବୋତଲ ମାଡ କରିଛନ୍ତି । ସାଂଘାତିକ ହୋଇପଡ଼ିଛି ପଶ୍ଚିମବଙ୍ଗ ସ୍ଥିତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ‘ମୁଁ ଅଳ୍ପସଂଖ୍ୟକ ଲୋକ ଏବଂ ସେମାନଙ୍କ ସମ୍ପତ୍ତିର ରକ୍ଷା କରିବି । ମୁଁ ଜାଣେ ୱକଫ ବିଲ ପାସ ହେବା ପରେ ଆପଣମାନେ ନିରାଶ ହୋଇପଡିଛନ୍ତି । ହେଲେ ଭରସା ରଖ, ପଶ୍ଚିମବଙ୍ଗରେ ସେପରି କିଛି ବି ହେବ ନାହିଁ ।’

Also Read

ମମତା ବାନାର୍ଜୀଙ୍କର ଏହି ଘୋଷଣା ପରେ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ସଂସଦରେ ପାସ ହୋଇଥିବା ବିଲ ସବୁ ରାଜ୍ୟରେ ଲାଗୁ ହେବା ବାଧ୍ୟତାମୂଳକ ନୁହେଁ । ଏହା କ’ଣ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ? ରାଜ୍ୟ ସରକାର କ’ଣ ଚାହିଁଲେ ଏହାକୁ ଲାଗୁ କରିବା ପାଇଁ ମନା କରି ଦେଇପାରନ୍ତି ?

ଏ ନେଇ କ’ଣ କୁହେ ସମ୍ବିଧାନ ?

ସଂଶୋଧିତ ବିଲ୍ ପାସ୍ କରିବା ନେଇ କ’ଣ କୁହେ ଭାରତର ସମ୍ବିଧାନ, ଆସନ୍ତୁ ଜାଣିବା । ସମ୍ବିଧାନର ଅନୁଚ୍ଛେଦ ୨୪୫ ଏବଂ ୨୪୬ ଅନୁସାରେ ଆଇନ ତିଆରି କରିବାର ଅଧିକାର ସଂସଦର ରହିଛି । ତେବେ ସଂସଦ ଦ୍ୱାରା ତିଆରି ହୋଇଥିବା ଆଇନ ଯଦି ସଂଘ ସୂଚୀ କିମ୍ବା ସମକାଳୀନ ସୂଚୀଭୁକ୍ତ ବିଷୟ ସହ ଜଡିତ ଥାଏ ତେବେ ଏହାକୁ କାର୍ଯ୍ୟକାରୀ ନ କରିବାରେ ରାଜ୍ୟଗୁଡିକର ସୀମିତ ଅଧିକାର ରହିଛି । ତେବେ କେଉଁ ଆଇନ ତିଆରି କରିବାର ଅଧିକାର କାହାର ରହିଛି ସେ ବିଷୟରେ ଅନୁଚ୍ଛେଦ ୨୪୬ରେ ତିନୋଟି ସୂଚିରେ ବର୍ଣ୍ଣନା କରାଯାଇଛି । ଏହି ତିନୋଟି ସୂଚୀ ହେଉଛି, ସଂଘ ସୂଚୀ, ରାଜ୍ୟ ସୂଚୀ ଏବଂ ସାମ୍ବିଧାନିକ ସୂଚି ।

୧-ସଂଘ ସୂଚୀ : ଏହି ସୂଚୀ ଅନୁସାରେ ଏପରି ପ୍ରସଙ୍ଗ ସବୁ ଅନ୍ତର୍ଭୁକ୍ତ ରହିଛି ଯାହା ଉପରେ କେବଳ କେନ୍ଦ୍ର ସରକାର ହିଁ ଆଇନ ତିଆରି କରିପାରିବେ । ଯେମିତି ପ୍ରତିରକ୍ଷା, ବିଦେଶ ନୀତି, ମୁଦ୍ରାନୀତି । ଏସବୁ ବିଷୟ ଏପରି ମହତ୍ୱପୂର୍ଣ୍ଣ ଯାହା ଉପରେ ଦେଶର କେନ୍ଦ୍ରୀୟ ନେତୃତ୍ୱ ହିଁ ନିଷ୍ପତ୍ତି ନେଇ ପାରିବ ।

୨-ରାଜ୍ୟ ସୂଚୀ : ଏଥିରେ ଏପରି ବିଷୟସବୁ ଅନ୍ତର୍ଭୁକ୍ତ ରହିଛି ଯାହା ଉପରେ କେବଳ ରାଜ୍ୟ ସରକାର ହିଁ ଆଇନ ତିଆରି କରିପାରିବେ । ଉଦାହରଣ, ପୋଲିସ, ପରିବହନ, କୃଷି ଇତ୍ୟାଦି । ଏହା ଏପରି ଆଇନ ଯାହା ପ୍ରତ୍ୟେକ ରାଜ୍ୟର ସରକାର ନିଜ ଆବଶ୍ୟକତା ଏବଂ ସୁବିଧା ଅନୁସାରେ ତିଆରି କରିପାରିବେ ।

୩-ସାମ୍ବିଧାନିକ ସୂଚୀ : ଏହି ସୂଚୀରେ ଏପରି ବିଷୟ ରହିଛି ଯାହା ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟେ ମିଶି ଆଇନ ତିଆରି କରିପାରିବେ । ଯେମିତି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବାଣିଜ୍ୟ ।

ସମ୍ବିଧାନ ଏହିପରି ଭାବେ ଆଇନ ତିଆରି କରିବାର ପ୍ରକ୍ରିୟା ସ୍ପଷ୍ଟ ଭାବେ ନିର୍ଦ୍ଧାରିତ କରିଛନ୍ତି । ଏହାଦ୍ୱାରା ଦାୟିତ୍ୱବୋଧକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମାନ ଭାବେ ବଣ୍ଟା ଯାଇ ପାରିଛି । ତେବେ ଏମିତି କିଛି ପ୍ରସଙ୍ଗ ରହିଛି ଯାହା ଉପରେ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କର ଆଇନ ତିଆରି କରିବାର ଅଧିକାର ରହିଛି । ସେଗୁଡିକ ହେଲା ଅପରାଧିକ ଆଇନ, ବିବାହ, ଶିକ୍ଷା, ସମ୍ପତ୍ତି ଆଦି ପ୍ରସଙ୍ଗ । ଏପରି ଆଇନକୁ ସମକାଳୀନ ସୂଚୀ କୁହାଯାଏ ।

ୱକଫ ସଂଶୋଧନ ବିଲ ଓ ରାଜ୍ୟର ଭୂମକା

ୱକଫ ବିଲ ଏକ କେନ୍ଦ୍ରୀୟ ବିଷୟ ଅଟେ । ୱକଫକୁ ଭାରତୀୟ ସମ୍ବାଧାନର ସମକାଳୀନ ସୂଚି (ଏଣ୍ଟ୍ରି-୨୮, ଲିଷ୍ଟ-୩)ରେ ସାମିଲ କରାଯାଇଛି । ଏହାର ଅର୍ଥ ହେଉଛି, କେନ୍ଦ୍ର ଏବଂ ରାଜ୍ୟ ଉଭୟେ ଏହା ଉପରେ ଆଇନ ତିଆରି କରିପାରିବେ । ଯଦି କେନ୍ଦ୍ର ସରକାର ଏହା ଉପରେ ଆଇନ ତିଆରି କରୁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ଏହାକୁ ବିରୋଧ କରିବା କିମ୍ବା ପାଳନ ନ କରିବାର ଅଧିକାର ନାହିଁ । ଯଦି ସଂସଦ ୱକଫ ପରିଚାଳନା କିମ୍ବା ସମ୍ପତ୍ତି ସମ୍ପନ୍ଧିତ କୌଣସି ଆଇନକୁ ଅନୁମୋଦନ ଦିଏ ତେବେ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ଏକପ୍ରକାର ବାଧ୍ୟ ହୋଇଥାନ୍ତି ।

ଆଇନକୁ ପାଳନ କରିବା ରାଜ୍ୟର କର୍ତ୍ତବ୍ୟ

ସମ୍ବିଧାନର ନିୟମ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ ରାଜ୍ୟ ସରକାର ପାଳନ କରିବେ । କାରଣ ଧାରା ୨୫୪ ଅନୁଯାୟୀ, କେନ୍ଦ୍ରୀୟ ଆଇନଗୁଡ଼ିକ ରାଜ୍ୟ ଆଇନର ଉପରେ । ତେଣୁ କେନ୍ଦ୍ରୀୟ ଆଇନ ପାଳନକୁ ପ୍ରାଥମିକତା ଦିଆ ଯାଇଥାଏ । ଧାରା ୨୫୬ ଅନୁଯାୟୀ, ରାଜ୍ୟ ସରକାରମାନେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଆଇନ ଏବଂ ଏହାର ନିର୍ଦ୍ଦେଶକୁ ପାଳନ କରିବା ଲାଗି ମନା କରିପାରିବେ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେନ୍ଦ୍ରର ନିର୍ଦ୍ଦେଶ ପାଳନ କରିବା ରାଜ୍ୟଗୁଡ଼ିକର ଦାୟିତ୍ୱ। କେନ୍ଦ୍ରର କୌଣସି ଆଇନକୁ ପାଳନ ନ କରିବା ସମ୍ବିଧାନର ଅବମାନନା ବୋଲି ବିବେଚନା କରାଯାଏ। ଯଦି ରାଜ୍ୟ କେନ୍ଦ୍ରୀୟ ଆଇନକୁ ନ ମାନେ ତେବେ ତା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ତାହା ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି।

କ’ଣ ରହିଛି ରାଜ୍ୟମାନଙ୍କର ଭୂମିକା ?

ସମ୍ବିଧାନ ନିୟମ ଅନୁଯାୟୀ, ରାଜ୍ୟ ସରକାରଗୁଡ଼ିକ ୱକଫ ବୋର୍ଡଗୁଡ଼ିକର ପ୍ରଶାସନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରିବେ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନକୁ ବାତିଲ କରିପାରିବେ ନାହିଁ କିମ୍ବା ଅବୈଧ ଘୋଷଣା କରି ପାରିବେ ନାହିଁ । ଏଠି ସ୍ପଷ୍ଟ କରିଦେବାକୁ ଚାହିଁବୁ, ଯଦି ରାଜ୍ୟ ସରକାରଙ୍କର ନିଜସ୍ୱ ଆଇନ ରହିଛି ଏବଂ ଏହା କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ ଆଇନକୁ ଏହା ବିରୋଧ କରୁଥାଏ ତେବେ ଏଠାରେ କେନ୍ଦ୍ରୀୟ ଆଇନକୁ ହିଁ ଗୁରୁତ୍ୱ ଦିଆଯିବା ସହ ପ୍ରଚଳିତ କରାଯିବ । ତେବେ ଯଦି କୌଣସି ରାଜ୍ୟ ପ୍ରମାଣ କରିପାରେ ଯେ କେନ୍ଦ୍ରୀୟ ଆଇନ ସମ୍ବିଧାନର ମୌଳିକ ଲକ୍ଷ୍ୟକୁ ଉଲ୍ଲଂଘନ କରୁଛି, ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇପାରିବ।

ଏଠି କହି ରଖିବୁ, ୱାକଫ ସଂଶୋଧନ ବିଲ ଲାଗୁ କରିବା ପାଇଁ କେବଳ ପଶ୍ଚିମବଙ୍ଗ ମନା କରୁନି, ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ସେ କହିଛନ୍ତି, ତାଙ୍କର ଦଳ ଆରଜେଡି କ୍ଷମତାକୁ ଆସିଲେ ଏହି ଆଇନକୁ ଲାଗୁ କରିବାକୁ ଦେବେ ନାହିଁ । ଏପରିକି ସେ ଏହି ବିଲକୁ ଡଷ୍ଟବିନକୁ ଫିଙ୍ଗି ଦେବା କଥା ମଧ୍ୟ କହିଛନ୍ତି । ଅର୍ଥାତ ସେ ଏହାକୁ ବିଲକୁଲ ମାନିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।

ହେଲେ ସମ୍ବିଧାନର ଧାରା ୨୫୪ ଅନୁସାରେ, ଯଦି କେନ୍ଦ୍ର କୌଣସି ଆଇନ ପ୍ରଣୟନ କରେ ତେବେ ରାଜ୍ୟ ସରକାର ଏହାକୁ ବିରୋଧ କରିପାରିବେ ନାହିଁ । ହେଲେ ରାଜନୈତିକ କାରଣକୁ ନେଇ ରାଜ୍ୟ ସରକାର ଏହାକୁ ଲାଗୁ କରିବାରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିପାରନ୍ତି । ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ହୋଇପାରେ ।

ଯାହା ବି ହେଉ, ଏପରି ସ୍ଥିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ, କୌଣସି ଆଇନ ସଂସଦରେ ଅନୁମୋଦନ ଲାଭ କରିବା ପରେ ରାଜ୍ୟ ସରକାର ଲାଗୁ କରିବା ପାଇଁ ମନା କରୁଛନ୍ତି । ଏହା ପୂର୍ବରୁ ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ବା CAA ଅଣାଯାଇଥିଲା । ସେ ସମୟରେ ବି ପଶ୍ଚିମବଙ୍ଗ ଏବଂ କେରଳ ଏହି ଆଇନକୁ ଜୋର ଦାର ବିରୋଧ କରିବା ସହ ନିଜ ରାଜ୍ୟରେ ଲାଗୁ କରାଇବାକୁ ବିରୋଧ କରୁଥିଲେ ।