• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳିତ ବର୍ଷ ଠାରୁ ଯୁକ୍ତ ଦୁଇରେ ଶତ ପ୍ରତିଶତ ସିଲାବସ୍‌ରେ ପାଠ ପଢ଼ା ହେବ । ସେହି ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ବିଜ୍ଞପ୍ତି ଅନୁସାରେ ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ୧୦୦% ସିଲାବସ୍ ପଢ଼ିବେ । ହେଲେ ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ । କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।

ଅନ୍ୟପଟେ ଚଳିତ ଥର ମାଟ୍ରିକ ପାସ୍ ହାର ବଢିବା ସହ ବଢିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ଟେନ୍‌ସନ । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏମିତି ଆଶଙ୍କା ଏବେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧା ବଢାଛି । କାରଣ କଟ୍ ଅଫ୍ ଏଥର ଅଧିକ ଯାଇପାରେ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ । ଆଉ A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ ।

ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧିନରେ ଥିବା କଲେଜରେ ଆଡମିଶନ କରିବେ । ଏଥିଲାଗି ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ବି ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍‌ରେ ପଢିବା ଲାଗି ପିଲାଏ ଇଚ୍ଛୁକ ଥାନ୍ତି । କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇପାରେ । ତେଣୁ କଲେଜ୍ ଗୁଡିକରେ ସିଟ୍ ବଢାଇବା ଲାଗି ଦାବି ଉଠିଲାଣି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସିଟ୍ ନେଇ କୌଣସି ସମସ୍ୟା ହେବନି ।