• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସଡ଼କ ଦୁର୍ଘଟଣାର ତନ୍ନତନ୍ନ ତଦନ୍ତ ହେବ । ଏହା ପଛର ବାସ୍ତବ କାରଣ ଖୋଜାଯିବ । ଯଦି କୌଣସି ସମସ୍ୟା ଥିବ, ତାର ସ୍ଥାୟୀ ସମାଧାନ କରାଯିବ । ଏଥିପାଇଁ କ୍ରାସ ଇନ୍‌ଭେଷ୍ଟିଗେସନ୍ ପଲିସି ଆଣିଛି ବାଣିଜ୍ୟ ଓ ପରିବହନ ବିଭାଗ । ଏହି ପଲିସି ଅନୁସାରେ, ୩ରୁ ଅଧିକ ମୃତ୍ୟୁଜଡ଼ିତ ଥିବା ସଡ଼କ ଦୁର୍ଘଟଣାର ତଦନ୍ତ କରିବ କ୍ରାସ୍ ଇନ୍ଭେଷ୍ଟିଗେସନ୍ ଟିମ୍ । ୫ ଦିନ ଭିତରେ ଦେବ ତଦନ୍ତ ରିପୋର୍ଟ । ସରକାରଙ୍କ ଏଭଳି ପଦକ୍ଷେପକୁ କେହି କେହି ସ୍ୱାଗତ କରିଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ।

୨୦୧୮ ଅଗଷ୍ଟ ୫, ବଲାଙ୍ଗୀର-ସୋନପୁର ଏନ୍ଏଚ୍-୫୭ର ସାତମାଇଲ ଛକରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଚାଲିଯାଇଥିଲା ୩ ସାଙ୍ଗଙ୍କ ଜୀବନ କିନ୍ତୁ ଏଯାଏ ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ିଲା ନାହିଁ, କି ଧରାପଡ଼ିଲାନି ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି । ଏହା କେବଳ ଗୋଟିଏ ଉଦାହରଣ ମାତ୍ର ।

ରାଜ୍ୟରେ ଘଟୁଥିବା ଏମିତି ଅନେକ ସଡ଼କ ଦୁର୍ଘଟଣାର ତଦନ୍ତ ଅଧାରେ ରହିଯାଉଛି । ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ୁନି, କି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ଫଳରେ ଦିନକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । ଏହାକୁ ନଜରରେ ରଖି ଏକ କ୍ରାସ୍ ଇନ୍‌ଭେଷ୍ଟିଗେସନ୍ ପଲିସି ଆଣିଛି ବାଣିଜ୍ୟ ଓ ପରିବହନ ବିଭାଗ ।

 

ଏହା ଅନୁସାରେ, ୩ ବା ଏହାଠୁ ଅଧିକ ମୃତ୍ୟୁ ଜଡ଼ିତ ଥିବା ସଡ଼କ ଦୁର୍ଘଟଣାଜନିତ ମାମଲାର ସାଇଣ୍ଟିଫିକ୍ ତଦନ୍ତ କରିବ କ୍ରାସ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ । ଏହି ଟିମ୍‌ରେ ଜଣେ ପୋଲିସ୍ ଅଫିସର, ଦୁର୍ଘଟଣା ଘଟିଥିବା ସଡ଼କ ପଥ ସହ ଜଡ଼ିତ ଜଣେ ଇଞ୍ଜିନିୟର ଓ ଆର୍‌ଟିଓର ଜଣେ ଟେକ୍ନିକାଲ ଅଫିସର ସଦସ୍ୟ ରହିବେ ।

ପୋଲିସ୍ ଅଧିକାରୀ ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ କରିବେ । ଫରେନସିକ୍ ତଦନ୍ତ ରିପୋର୍ଟକୁ ଏସ୍‌ଟିଏର ସୁଡ଼କ ସୁରକ୍ଷା ଲିଡ୍ ଏଜେନ୍ସି ଓ ଆଇଜି କ୍ରାଇମ୍‌ଙ୍କୁ ଅବଗତ କରାଇବେ । ତଦନ୍ତକାରୀ ଇଞ୍ଜିନିୟର ଦୁର୍ଘଟଣା ପଛରେ ଥିବା ମାନବଗତ, ଗାଡ଼ିଜନିତ, ଭିତ୍ତିଭୂମିଜନିତ ଅଥବା ପରିବେଶଗତ କାରଣର ଉପଯୁକ୍ତ ତଦନ୍ତ କରାଇବେ ।

ଏପଟେ ଆର୍‌ଟିଓର ଟେକ୍ନିକାଲ୍ ଅଫିସର ଦୁର୍ଘଟଣା ଘଟିଥିବା ଯାନବାହନର ୮ଟି ଦିଗରୁ ଫଟୋଗ୍ରାଫ୍ ନେଇ ତଦନ୍ତ କରିବେ ।  ଦୁର୍ଘଟଣା ଘଟିବାର ୫ ଦିନ ଭିତରେ କ୍ରାସ୍ ଇନଭେଷ୍ଟିଗେସନ୍ ଟିମ୍‌ର ସମସ୍ତ ସଦସ୍ୟ ଏକାଠି ହୋଇ ଚୂଡ଼ାନ୍ତ ରିପୋର୍ଟ ଦେବେ ।  ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସାଧାରଣ ଜନତା ଓ ପୋଲିସ୍ ।

ଏପଟେ ସରକାରଙ୍କ ଏହି ନୀତିର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି । ସରକାର ମଝିରେ ମଝିରେ କେବଳ ନୂଆ ନୂଆ ପଲିସି ନେଇଆସୁଛନ୍ତି, ନିର୍ଦ୍ଦେଶନାମା ଜାରି କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପରିମାଣର ମାନବ ସମ୍ବଳ ନାହାନ୍ତି । ଏସବୁ ସମସ୍ୟାର ସମାଧାନ ଲାଗି ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରନ୍ତୁ ।

ପରିବହନ ବିଭାଗର କ୍ରାସ୍ ଇନ୍‌ଭେଷ୍ଟିଗେସନ୍ ପଲିସି ବାସ୍ତବ କ୍ଷେତ୍ରରେ କେତେ କାର୍ଯ୍ୟକାରୀ ହେଉଛି ଓ ସଡ଼କ ଦୁର୍ଘଟଣା ରୋକିବାରେ ଏହା କେତେ ସହାୟକ ହେଉଛି, ତାହା ଦେଖିବାକୁ ବାକି ରହିଲା ।

(ରିପୋର୍ଟ- ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର, ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)