/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665850131.jpg)
Rajendra Das
ଧାମନଗର ଉପନିର୍ବାଚନକୁ ଦିନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି । ତ୍ରିମୁଖୀ ଲଢେଇ ପାଇଁ ପୂର୍ବରୁ ପ୍ରସ୍ତୁତ ଚାଲିଥିବା ବେଳେ ସେଥିରେ ଏଣ୍ଟ୍ରି ମାରିଛନ୍ତି ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଭୋଟ୍ ବିଭାଜନ ନେଇ ନୂଆ ସମୀକରଣ ସୃଷ୍ଟି ହୋଇଛି । କୁହାଯାଉଛି ଏହି ଭୋଟ୍ ବିଭାଜନ ବିରୋଧୀଙ୍କୁ ଯେତିକି ସହଯୋଗ କରିବେ ଶାସକ ବିଜେଡିକୁ ସେତିକି ବ୍ୟାକ୍ ଫୁଟ୍କୁ ଠେଲିଦେବ ।
ଧାମନଗରରେ ଧମାକା କରିବେ କି ରାଜୁ ଦାସ? ବିଦ୍ରୋହ କରି ସ୍ୱାଧୀନ ଭାବେ ଲଢ଼ିବା, ବିଜେଡିକୁ ମହଙ୍ଗା ପଡିବ କି? ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ବି କାହିଁକି ରାଜୁ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନି ବିଜେଡି? ରାଜୁ ଦାସ ଏବେ ଦେଉଛନ୍ତି ଖୋଲାଖୋଲି ଆହ୍ୱାନ, ‘ମୋ ପାଖରେ ଅଛି ଲୋକ ବଳ ଓ ସମର୍ଥନ, ଜିତିବା ସୁନିଶ୍ଚିତ’ ।
ରାଜୁ ଦାସଙ୍କ ଗଣିତ ଏବେ ସମୀକରଣକୁ ବଦଳାଇ ଦେଇପାରେ । ୨୦୦୯, ୧୪ ଓ ୧୯ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଆସୁଛି । ୨୦୦୯ରେ ରାଜୁ ଦାସ ୪ ହଜାର ୯୪୪ ଖଣ୍ଡ ଭୋଟରେ ବିଜେପିର ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ହରାଇଥିଲେ । ସେହିପରି ୨୦୧୯ରେ ମାତ୍ର ୪ହଜାର ୬୨୫ ଖଣ୍ଡ ଭୋଟ୍ରେ ବିଷ୍ଣୁ ସେଠୀଙ୍କ ଠାରୁ ପରାଜିତ ହୋଇଥିଲେ ।
ଗତ ନିର୍ବାଚନରେ ବିଜେପି ସମୁଦାୟ ୮୦ ହଜାର ୧୧୧ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜ଼େ଼ଡି ପାଇଥିଲା ୭୫ ହଜାର ୪୮୬ ଭୋଟ୍ । ପରାଜିତ ହେବା ପରେ ୨୦୧୯ ପରଠାରୁ ଧାମନଗରରେ ସଂଗଠନକୁ ଆହୁରି ସୁଦୃଢ କରିଥିଲେ ରାଜୁ । ଯାହା ଫଳରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବାଜି ମାରିଥିଲା ବିଜେଡି । ବ୍ଲକ୍ ଓ ଏନ୍ଏସି ଦଖଲକୁ ନେଇଥିବା ବେଳେ ଧାମନଗରର ୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ବିଜୟୀ ହୋଇଥିଲା ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧାମନଗରର ୧୫ ପ୍ରତିଶତ ସଂଖ୍ୟାଲଘୁ ଭୋଟ୍ର ସିଂହଭାଗ ରାଜୁଙ୍କ ପାଖରେ । ତେଣୁ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ବିଜେଡିକୁ ଭାରି ପଡ଼ିପାରେ ରାଜୁଙ୍କ ପକେଟ୍ ଭୋଟ । ଏହି ସମୀକରଣକୁ ଦେଖିଲେ ଫାଇଦା ନେଇପାରନ୍ତି ବିରୋଧୀ ।
ଏହାରି ଭିତରେ ତିନି ଦଳ ଧାମନଗର ଉପନିର୍ବାଚନ ଲାଗି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ବିଜେଡିର ୪୦ ଜଣିଆ ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି ବିବାଦୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସଞ୍ଜୟ ଦାସବର୍ମା ଓ ସାଂସଦ ଅନୁଭବ ମହାନ୍ତି ।
ସେହିପରି କଂଗ୍ରେସ୍ ତାଲିକାରୁ ବିଦ୍ରୋହୀ ବିଧାୟକ ମହମ୍ମଦ ମୋକିମ୍କୁ ଦଳ ବାଦ ଦେଇଛି । ତେବେ ମୋକିମ୍ କହିଛନ୍ତି ତାଲିକାରେ ନାଁ ନଥିଲେ ବି ସେ ଧାମନଗର ଯାଇ ପ୍ରଚାର କରିବେ ।
(ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)