• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୀତଦିନେ ଅଧିକାଂଶ ଲୋକ ଭାବନ୍ତି, ମଦ୍ୟପାନ କିମ୍ବା ସିଗାରେଟ୍ ଟାଣିବା ଦ୍ୱାରା ଶରୀର ଗରମ ହୋଇଯାଏ । ଯଦି ଆପଣ ବି ଏହା ଭାବୁଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ମଦ୍ୟପାନ ଶରୀରରେ ଥଣ୍ଡାକୁ ଆହୁରି ବଢ଼ାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ମଦ୍ୟପାନ ଶରୀରର  ତାପମାତ୍ରାକୁ ହ୍ରାସ କରିଥାଏ । କିନ୍ତୁ ସାଧାରଣତଃ ଲୋକ ଶୀତଦିନେ ମଦ୍ୟପାନର ମାତ୍ରା ବଢ଼ାଇ ଦେଇଥାନ୍ତି । କାରଣ ସେମାନେ ଭାବନ୍ତି ଯେ ମଦ୍ୟପାନ ଶରୀରକୁ ଗରମ ରଖିଥାଏ । ତେବେ ବୈଜ୍ଞାନିକଙ୍କ ମତ, ଯଦି ଆପଣ ଶୀତଦିନେ ଗରମ ରହିବାକୁ ଚାହାଁନ୍ତି, ତେବେ ମଦ୍ୟପାନ ନକରି ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।

ଦୀର୍ଘ ବର୍ଷ ପୂର୍ବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ୱିସ୍କି କିମ୍ବା ରମ୍ ଆପଣଙ୍କ ଶରୀରକୁ ଗରମ ରଖିଥାଏ । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ମଦ୍ୟପାନ ଦ୍ୱାରା ଯଦିଓ କିଛି ସମୟ ପାଇଁ ଆପଣଙ୍କୁ ଲାଗିଥାଏ ଯେ, ଶରୀର ଗରମ ହେଉଛି । କିନ୍ତୁ ବାସ୍ତବରେ ଏହା ହୋଇନଥାଏ । ଓଲଟା ଶରୀରର  ତାପମାତ୍ରାକୁ ଏହା ହ୍ରାସ କରିଥାଏ । ଯେଉଁଥିପାଇଁ ଶରୀରର ତରଳ ପଦାର୍ଥ କମିବା ଆରମ୍ଭ କରେ । ମଦ୍ୟପାନ ଶୀତରୁ ବଞ୍ଚିବା ପାଇଁ ଶାରୀରିକ କ୍ଷମତାକୁ ମଧ୍ୟ ଦୁର୍ବଳ କରିଥାଏ ।

ଡିହାଇଡ୍ରେସନ୍ ସମସ୍ୟା

ହଁ ଏହା ସତ ଯେ, ଶୀତ ଆସିବା ମାତ୍ରେ ଲୋକଙ୍କୁ ଶୋଷ କମ୍‌ ହୋଇଥାଏ ବା ସେମାନଙ୍କର ପାଣି ପିଇବା ପରିମାଣ କମିଯାଇଥାଏ । କିନ୍ତୁ ଏହା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି । ଯଦି ଆପଣ ପାଣି ପିଇବା କମ୍‌ କରୁଛନ୍ତି, ତେବେ ଆପଣଙ୍କୁ ଅନେକ ସମସ୍ୟା ଦେଖାଦେଇପାରେ । ଏଭଳି ସ୍ଥିତିରେ ଆପଣଙ୍କୁ ହାଇପୋଥର୍ମିଆ ମଧ୍ୟ ହୋଇପାରେ ।

ଆଉ ଏହି ସମୟରେ ମଦ୍ୟପାନ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିବ । ତେଣୁ ଶୀତଦିନେ ପ୍ରଚୁର ପାଣି ପିଇବା ନିହାତି ଜରୁରୀ । ଶରୀରର ସମସ୍ତ ଅଙ୍ଗଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ପାଣି ପିଇବା ନିହାତି ଜରୁରୀ । ଯଦି ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ନପିଇବା ତେବେ ଆମକୁ ଅଧିକ ଭୋକ ଲାଗିବ ଏବଂ ଶରୀରର ଓଜନ ବୃଦ୍ଧି ପାଇବ ।

ଶୀତଦିନେ ଅଧିକ ପାଣି ଦରକାର

କିଛି ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ଶୀତଦିନେ ଆମ ଶରୀରରୁ ଝାଳ କିମ୍ବା ପାଣି ବାହାରକୁ ଆସେ ନାହିଁ । ତେଣୁ ସେମାନେ କୁହନ୍ତି ଅଧିକ ପାଣି ପିଇବାର ମଧ୍ୟ ଆବଶ୍ୟକତା ନାହିଁ । ଯାହାକି ସମ୍ପୂର୍ଣ୍ଣ ଭୁଲ । ଶୀତଦିନେ ବାୟୁମଣ୍ଡଳ ବହୁତ ଶୁଷ୍କ ରହିଥାଏ । ତେଣୁ ବାୟୁରୁ ଆର୍ଦ୍ରତା ଆମ ପାଖରେ ପହଞ୍ଚେ ନାହିଁ । ତେବେ ଖରାଦିନେ ଯେଭଳି ଭାବେ ଆମ ଶରୀରକୁ ପାଣିର ଆବଶ୍ୟକତା ରହିଥାଏ । ଶୀତ ଦିନେ ମଧ୍ୟ ସେଭଳି ପାଣି ଆବଶ୍ୟକ ଥାଏ । ଯଦି ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳ ପହଞ୍ଚେ ନାହିଁ, ତେବେ ଶରୀରରେ ଥିବା ତରଳ ପଦାର୍ଥ କମିବା ଆରମ୍ଭ କରେ ଏବଂ ଡିହାଇଡ୍ରେସନ୍ ହେବାର ଅଧିକ ସମ୍ଭାବନା ଥାଏ ।