Advertisment

Naveen’s Political Strategy: ମିଳେଇ ଗଲାଣି ମେଳି...ନବୀନଙ୍କ ଟାଇମ୍ କିଲିଂ ଅସ୍ତ୍ରରେ ପରାହତ ଅସନ୍ତୁଷ୍ଠ ନେତା

ୱାକଫ୍ ବିଲ୍‌ରେ ଭୋଟ ହେବାର ପ୍ରାୟ ଏକ ସପ୍ତାହ ପରେ ନବୀନ ମୁଁହ ଖୋଲିଥିଲେ । ପାଣ୍ଡିଆନ୍‌ଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଏହା ସହିତ ସେ ଘୋଷଣା କରିଥିଲେ ଯେ ଦ୍ୱୈତ ଭୋଟ୍ ବା ବିଭାଜିତ ମତଦାନ ସମ୍ପର୍କରେ ସେ ତଦନ୍ତ କରିବେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ଆଉ ଦେଖିବାକୁ ମିଳୁନି ମେଳି

ଆଉ ଦେଖିବାକୁ ମିଳୁନି ମେଳି

ୱକଫ୍ ବିଲ୍ ଉପରେ ବିଜୁ ଜନତା ଦଳର ଯେଉଁ ଦ୍ୱୈତ ଆଭିମୁଖ୍ୟ ରହିଲା, ସେ ନେଇ ଦଳ ମଧ୍ୟରେ ବେଶ୍ ତମ୍ବୀତୋଫାନ ହେବା ଦେଖିବାକୁ ମିଳିଥିଲା । ଦଳର ଅନେକ ନେତା ଏହାକୁ ନାପସନ୍ଦ କରିଥିଲେ । ରାଜ୍ୟସଭା ସଦସ୍ୟ ମୁନା ଖାଁ ଓ ଓରଫ ମୁଜିବୁଲ୍ଲା ଖାଁଙ୍କ ସମେତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ନୃସିଂହ ସାହୁ, ପ୍ରଫୁଲ ମଲ୍ଲିକଙ୍କ ସମେତ ବହୁ ନେତା ପ୍ରଥମରୁ ବିଜେଡ଼ିର ଦୋମୁଁହା ନୀତିକୁ ବିରୋଧ କରିଥିଲେ । ଏ ନେଇ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେମାନେ ଫେରାଦ ହେବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Advertisment

ଏହା ଭିତରେ ଅନେକ କିଛି ଦିନ ବିତିଗଲାଣି । ନବୀନଙ୍କ ନିକଟରେ ଯେତେବେଳେ ୱକ୍‌ଫ ଭୋଟ୍ ନେଇ ଯେଉଁ ନେତାମାନେ ଫେରାଦ ହୋଇଥିଲେ, ସେମାନେ ତାଙ୍କର ତଥାକଥିତ ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସକ ଭୈରବ କାର୍ତିକେୟନ ପାଣ୍ଡିଆନଙ୍କ ସନ୍ଦେହାତ୍ମକ ଭୂମିକା ସମ୍ପର୍କରେ ଆଲୋକପାତ କରିବା ପାଇଁ ଚେଷ୍ଟା କରିଥିଲେ । ରାଜ୍ୟସଭାରେ ୱକଫ୍ ବିଲ୍‌ରେ ହୋଇଥିବା ଦ୍ୱୈତ ମତଦାନ ପଛରେ ତାଙ୍କର ପରୋକ୍ଷ ଇଙ୍ଗିତ ଅଛି ବୋଲି ସେମାନେ ଗଣମାଧ୍ୟମ ମାଧ୍ୟମରେ ଏକ ପ୍ରକାର ଧାରଣା ସୃଷ୍ଟି କଲେ । ଯେଉଁଭଳି ଭାବରେ ଓ ଢଙ୍ଗରେ ବିଜେଡ଼ିର ବରିଷ୍ଠ ଓ ତାଙ୍କ ସହିତ କିଛି ଯୁବନେତାମାନେ ୱକଫ୍ ବିଲ୍ ଭୋଟ୍ ପ୍ରସଙ୍ଗରେ ଏକାଠି ହେଉଥିଲେ ସେତେବେଳେ ଆଶା କରାଯାଉଥିଲା ଯେ ଦଳ ଏକ ବିଭାଜନ ଆଡ଼କୁ ଗତି କରୁଛି । ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଏ ନେଇ ଅନେକ ଆକଳନପୂର୍ଣ୍ଣ ଖବର ପ୍ରକାଶ ପାଇଲା ।

ୱକଫ୍ ବିଲ୍‌ରେ ଭୋଟ ହେବାର ପ୍ରାୟ ଏକ ସପ୍ତାହ ପରେ ନବୀନ ମୁଁହ ଖୋଲିଥିଲେ । ପାଣ୍ଡିଆନ୍‌ଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଏହା ସହିତ ସେ ଘୋଷଣା କରିଥିଲେ ଯେ ଦ୍ୱୈତ ଭୋଟ୍ ବା ବିଭାଜିତ ମତଦାନ ସମ୍ପର୍କରେ ସେ ତଦନ୍ତ କରିବେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ହେଲେ ଏହା ମଧ୍ୟରେ ଏକ ମାସ ବିତିଯାଇଥିଲେ ବି ନବୀନଙ୍କର ଆଉ କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ଅନୂରୂପ ଭାବରେ ଯେଉଁମାନେ ୱକଫ୍ ବିଲ୍ ନେଇ ଝଡ଼ ସୃଷ୍ଟି କରୁଥିଲେ, ସେମାନେ ଏବେ ମଧ୍ୟ ଚୁପ୍ । ସେମାନଙ୍କର ସିଂହ ରଡ଼ି ଆଉ ଶୁଭୁନାହିଁ କି ହୋଟେଲ୍‌ରେ ମେଳି ଦେଖିବାକୁ ମିଳୁ ନାହିଁ ।

Advertisment

ଦୀର୍ଘ ୨୮ ବର୍ଷ ହେଲାଣି ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ପୋଲ୍ ପୋଜିସନ୍ ବା ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ତାଙ୍କ ଚାରିପଟେ ରାଜନୀତି ଘୁରିବୁଲୁଛି । ଏହି ଦୀର୍ଘ ୨୮ ବର୍ଷରୁ ୨୪ରୁ ଉର୍ଦ୍ଧ ସେ ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି । ଏହି ସମୟ ଭିତରେ ସେ ଓଡ଼ିଶା ରାଜନୀତିର ଅନେକ ବରିଷ୍ଠ, ଅଭିଜ୍ଞ ଓ ପୋଖତ ଖେଳୁଆଡ଼ଙ୍କୁ ଅନାୟସରେ ତାଙ୍କର ଶକ୍ତ ପ୍ରହାର ମାଧ୍ୟମରେ ପରାହତ କରିଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ୱକଫ୍ ବିଲ୍ ଉପରେ ହୋଇଥିବା ବିଭାଜିତ ଭୋଟ୍ ବା ସ୍ପ୍ଲିଟ୍ ଭୋଟିଂ ଏବଂ ଏହାପର ଝଡ଼କୁ ପ୍ରଶମିତ କରିବା ତାଙ୍କ ପାଇଁ ସେମିତି କିଛି ଏକ ବଡ଼ ଆହ୍ୱାନ ନଥିଲା ।

ନବୀନଙ୍କର ସବୁଠାରୁ ବଡ଼ ଅସ୍ତ୍ର ହେଲା ସମୟ ନେବା ଏବଂ ଅଳ୍ପ କହିବା । ସମୟ ନେବାକୁ ଇଂରାଜୀରେ ଟାଇମ୍ କିଲିଂ କୁହାଯାଏ । ଏହି ଟାଇମ୍ କିଲିଂକୁ ଯୁଦ୍ଧ ଓ କୁଟନୀତି ତଥା ରାଜନୈତିକ କ୍ଷେତ୍ରରେ ବେଶ୍ ସଫଳତାର ସହିତ ପ୍ରୟୋଗ କରିପାରିଲେ କେବଳ ଶତ୍ରୁକୁ ଦୂରେଇ ରଖାଯାଇପାରିବ ତାହା ନୁହେଁ, ଏକ ଅଭୂତପୂର୍ବ ତଥା ଇର୍ଷଣୀୟ ବିଜୟ ମଧ୍ୟ ହାସଲ କରାଯାଇପାରିବ । ନବୀନ ଏହି ଅସ୍ତ୍ରଟିକୁ ଅନେକ ଥର ପ୍ରୟୋଗ କରିଛନ୍ତି ଏବଂ ସଫଳତା ପାଇଛନ୍ତି ମଧ୍ୟ । ଅଳ୍ପ କହିବା ନବୀନ ପଟ୍ଟନାୟକଙ୍କ ସବୁଠାରୁ ଅମୋଘ ଅସ୍ତ୍ର ଭାବେ ଏହା ସାବସ୍ତ୍ୟ ହୋଇଛି । ସେ ଅନେକ ଗପାଗପି କରି ନିଜକୁ ଅଡ଼ୁଆ ପରିସ୍ଥିତିରେ ପକାଇନାହାନ୍ତି । ଯେତେବେଳେ ଦଳରୁ କାହାକୁ ବାହାର କରନ୍ତି ବା ଦଳରେ କାହାକୁ ସାମିଲ୍ କରନ୍ତି, ଗୋଟିଏ ଦୁଇଟି ଶବ୍ଦରେ ସେ ନିଜର ମତ ରଖନ୍ତି । ଏହାଦ୍ୱାରା ସେ ଅଯଥା ବିବାଦରେ ଛନ୍ଦି ହେବା ପରିସ୍ଥିତିରୁ ନିଜକୁ ଦୂରେଇ ରଖିବାରେ ସମର୍ଥ ହୋଇଥାନ୍ତି ।

ୱକଫ ବିଲ୍ ନେଇ ନବୀନ ଆଉ ମୁଁହ ଖୋଲିବାର ସମ୍ଭାବନା କମ୍ । ସେହିପରି କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା ମଧ୍ୟ କ୍ଷୀଣ । ନବୀନ ଏବେ ତାଙ୍କର ସୁରମ୍ୟ ଆବାସ ର୍ନବୀନ ନିବାସ’ରେ ଗ୍ରୀଷ୍ମକାଳୀନ ସମୟକୁ ଅତିବାହିତ କରୁଛନ୍ତି । ହୁଏତ ଗ୍ରୀଷ୍ମଅବକାଶ ପରେ ସେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି ବୋଲି ବିଜୁ ଜନତା ଦଳ ସୂତ୍ରରୁ ଖବର ମିଳୁଛି । ଗ୍ରୀଷ୍ମର ଉତ୍ତାପ ସହିତ ସେତେବେଳକୁ ୱକଫ୍ ତାତି ମଧ୍ୟ ପ୍ରଶମିତ ହୋଇସାରିଥିବ । ନବୀନ ଭଲ ଭାବରେ ଜାଣିଛନ୍ତି ସେତବେଳକୁ ଥଣ୍ଡା ପବନ ବହିବା ସହିତ ଚହଲା ପାଣି ମଧ୍ୟ ସ୍ଥିର ହୋଇସାରିଥିବ । ଆଉ ସିଂହ ରଡ଼ି ପରିବର୍ତେ ତୃଣଭୋଜି ପ୍ରାଣୀମାନେ ସଦ୍ୟ କଅଁଳୁ ଥିବା ଘାସ ଗାଲିଚାରେ କ୍ଷୁଧା ମେଂଟାଇବାରେ ନିମଗ୍ନ ଥିବେ ।

Naveen Patnaik BJD Odisha Politics WAQF Bill
Advertisment
Advertisment