• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ସାରା ଦେଶ ଆଜି ଏହି କ୍ରୀଡାବିତଙ୍କୁ ନେଇ ଗର୍ବିତ

  • ୨୦୨୧ କ୍ରୀଡାବିତଙ୍କ ପାଇଁ ଚିରସ୍ମରଣୀୟ

ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କେଇଟା ଦିନ । କରୋନା କାଳ ଭିତରେ ଦେଶବାସୀ ୨୦୨୧ରେ ଅନେକ ସ୍ମୃତି ସାଉଁଟିଛନ୍ତି । ଦେଶର ସୁରକ୍ଷା ଦୃଷ୍ଟିରେ ହେଉ କିମ୍ବା ଖେଳରେ । ସବୁଠି ଭାରତର ଜୟ ଗାଥା । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ ଟୋକିଓ ଅଲିମ୍ପିକ୍ସର କଥା । ଭାରତୀୟ ଖେଳାଳି ସାରା ବିଶ୍ୱ ଦରବାରରେ ସାଉଁଟିଛନ୍ତି ଢ଼େର ପ୍ରଶଂସା ।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାଁରେ ଉତ୍ସର୍ଗ ୨୦୨୧ । ଅଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣପଦକ ଜିତିବା ନେଇ କୌଣସି ସୋର୍‌ ଶବ୍ଦ ନଥିଲେ ବି ସେ ଆଣିଛନ୍ତି ସ୍ୱର୍ଣ୍ଣ । ସାରା ଭାରତ ତାଙ୍କର ଏହି ବିଜୟ ପାଇଁ ବେଶ ଗୌରବାନ୍ୱିତ । ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାରତକୁ ଆଥ୍‌ଲେଟିକ୍‌ରେ ନୀରଜ ଦେଇଛନ୍ତି ସ୍ୱର୍ଣ୍ଣ ପଦକ । ନୀରଜଙ୍କ ପୂର୍ବରୁ ଭାରତ ପାଇଁ ଏହି ସଫଳତା କେହି ଆଣିନଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଠାରୁ ଦେଶବାସୀଙ୍କର ବେଶ ଆଶା ରହିଥିଲା । ନୀରଜ ତାଙ୍କର ପ୍ରଥମ କ୍ୱାଲିଫାୟର ରାଉଣ୍ତରେ ହିଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଥ୍ରୋରେ ୮୬.୬୫ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ଫାଇନାଲ ରାଉଣ୍ଡକୁ ସିଧାସଳଖ ଯିବା ପାଇଁ ୮୩.୫୦ ମିଟର ମାନଦଣ୍ଡ ରଖାଯାଇଥିଲା । ପ୍ରଥମଥର ପାଇଁ  ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ କୌଣସି ଚାପର ବଶବର୍ତ୍ତୀ ହୋଇ ନଥିଲେ । ଫାଇନାଲରେ ତାଙ୍କର ୮୭.୫୮ ମିଟରର ଥ୍ରୋ ଭାରତକୁ ଜାଭେଲିନରେ ପ୍ରଥମ ଥର ଲାଗି ସ୍ୱର୍ଣ୍ଣପଦକ ଆଣିଦେଇଥିଲା ।

ଅଲିମ୍ପିକ୍ସ ପ୍ରସ୍ତୁତି ବେଳେ ନୀରଜ ଆଘାତପ୍ରାପ୍ତ ହେବା ସହ କୋଭିଡ ଆକ୍ରାନ୍ତ ହୋଇଥିଲେ । ଯାହାକି ତାଙ୍କ ପ୍ରାକ୍ଟିସ ଉପରେ ପ୍ରଭାବ ପଡ଼ିଥିଲା । ତଥାପି ସେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନଥିଲେ । ପ୍ରଥମ ଥ୍ରୋରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ଫାଇନାଲ୍‌ ରାଉଣ୍ଡରେ ନିଜ ପାଇଁ ସ୍ଥାନ ଅକ୍ତିଆର କରିଥିଲେ । ଜାଭେଲିନ ଥ୍ରୋ ଗ୍ରୁପ- A ଏବଂ B ରେ ୮୩.୫୦ ମିଟର କ୍ୱାଲିଫାଏ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ସର୍ବଶ୍ରେଷ୍ଠ ୧୨ ଖେଳାଳିଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ ସୁରକ୍ଷିତ ରଖିଥିଲେ । ନୀରଜଙ୍କ ଫାଇନାଲ ଥ୍ରୋ ଭିଡିଓଟି, ସେତେବେଳେ ସୋସିଆଲ ମିଡିଆରେ ଟ୍ରେଣ୍ତ କରିଥିଲା । ସମସ୍ତଙ୍କ ମୁହଁରେ ତାଙ୍କର ବିଜୟର ଗାଥା ।

ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଭାରତକୁ ଆସିଥିଲା ଲଗାତାର ୩ଟି କାଂସ୍ୟ ପଦକ । ବ୍ୟାଡ଼ମିଣ୍ଟନରେ ପି.ଭି. ସିନ୍ଧୁ, ବକ୍ସିଂରେ ଲଭଲିନା ଏବଂ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିଥିଲା । ଏହାପରେ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ଭେଟି ଦେଇଥିଲେ ରେସଲରର୍ ରବି କୁମାର ଦହିୟା । ସେହିଭଳି ବଜରଙ୍ଗ ପୁନିଆ କୁସ୍ତିରେ କାଂସ୍ୟ ପଦକ ଜିତିଥିବା ବେଳେ, ଜାଭଲିନ୍ ଥ୍ରୋରେ ଐତିହାସିକ ବିଜୟ ସହ ଦେଶକୁ ଟୋକିଓ ଅଲିମ୍ପିକ୍ସର ଏକମାତ୍ର ସ୍ୱର୍ଣ୍ଣପଦକ ଆଣିଦେଇଥିଲେ ନୀରଜ ଚୋପ୍ରା ।